ରବି ଦାସ
ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆମର ସମ୍ବିଧାନରେ ଓ ଶାସନଗତ ବ୍ୟବସ୍ଥାରେ କେହି ଯେପରି ସ୍ୱେଚ୍ଛାଚାରୀ ନହୁଏ ସେଥିପାଇଁ ଚେକ୍ ଆଣ୍ଡ ବାଲାନ୍ସ ଅର୍ଥାତ୍ ତନଖି ଓ ଭାରସାମ୍ୟର ବ୍ୟବସ୍ଥା ରହିଛି। ଲୋକପ୍ରତିନିଧି ବ୍ୟବସ୍ଥାରେ ଯେଉଁ ଗୋଷ୍ଠୀ ବା ଦଳ କ୍ଷମତା ହାସଲ କରୁଛି ତାହାକୁ ପ୍ରତି କ୍ଷେତ୍ରରେ ଉତ୍ତରଦାୟୀ କରିବା ପାଇଁ ବିରୋଧୀ ଦଳ ବା ବିରୋଧୀ ଗୋଷ୍ଠୀ ଯେପରି ସକ୍ରିୟ ଭାବରେ କାମ କରିପାରିବେ ସେଥିପାଇଁ ବ୍ୟବସ୍ଥା ଅଛି। ବାସ୍ତବରେ ଗଣତନ୍ତ୍ର ପାଇଁ ଉଭୟ ଶାସକ ଓ ବିରୋଧୀ ପକ୍ଷର ସମାନ ଭାବରେ ଗୁରୁତ୍ୱ ରହିଛି। ଶାସକଙ୍କୁ ପ୍ରଶ୍ନ କରିବା ପାଇଁ ପାର୍ଲାମେଂଟ, ବିଧାନସଭା ଛଡ଼ା ସାଧାରଣ ନାଗରିକଙ୍କୁ ମଧ୍ୟ ସୂଚନା ଅଧିକାର ଆଇନ କ୍ଷମତା ଦିଆଯାଇଛି। ସରକାର ପାର୍ଲାମେଂଟ ଓ ବିଧାନସଭାର ଅନୁମୋଦନ କ୍ରମେ ଯାହାସବୁ ବ୍ୟୟ କରୁଛନ୍ତି ତାହା ଜନସାଧାରଣଙ୍କର ଟିକସ ଅର୍ଥ ହୋଇଥିବାରୁ ଏବଂ ଯେଉଁ ନୀତି ଗ୍ରହଣ କରୁଛନ୍ତି ସେଥିରେ ଯେଉଁ ସମ୍ବଳ ବ୍ୟବହୃତ ହେଉଛି ତାହା ଜାତୀୟ ସମ୍ପତି ହୋଇଥିବାରୁ ସରକାରଙ୍କର ଆୟ ଓ ବ୍ୟୟ ବରାଦକୁ ଯାଂଚ କରିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥାରେ ସିଏଜି (କମ୍ପଟ୍ରୋଲ ଏଣ୍ଡ ଅଡିଟର ଜେନେରାଲ) ବ୍ୟବସ୍ଥା ରହିଛି। ସେମାନଙ୍କ ତନଖି ରିପୋର୍ଟକୁ ପାର୍ଲାମେଂଟ ବା ବିଧାନସଭାର କମିଟି ଯାଂଚ ମଧ୍ୟ କରୁଛି। ପାର୍ଲାମେଂଟ ଓ ଶାସନ ବ୍ୟବସ୍ଥା ଠିକ୍ ଭାବରେ ଅର୍ଥାତ୍ ସାମ୍ବିଧାନିକ ଓ ଆଇନ ଢାଂଚାରେ କାର୍ଯ୍ୟ କରୁଛନ୍ତି ନା ନାହିଁ ତାହା ଦେଖିବା ପାଇଁ ନ୍ୟାୟପାଳିକା ରହିଛି। କୌଣସି ଶାସନ ସ୍ୱେଚ୍ଛାଚାରୀ ହେଲେ ସେଥିରେ ନାଗରିକର ଅଧିକାର ଯେପରି କ୍ଷୂର୍ଣ୍ଣ ନହୁଏ ତାହା ମଧ୍ୟ ନ୍ୟାୟପାଳିକା ଯାଂଚ କରୁଛି। ଏ ସମସ୍ତ ବାହାରେ ନାଗରିକମାନଙ୍କ ମତ ସବୁକ୍ଷେତ୍ରରେ ପ୍ରକାଶ କରିବା ପାଇଁ ଗଣମାଧ୍ୟମକୁ ଦାୟିତ୍ୱ ଦିଆଯାଇଛି। ସେଥିପାଇଁ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କର ଅଧିକାର ଗଣତନ୍ତ୍ରର ଏକ ପ୍ରମୁଖ ଅଂଶ ଭାବରେ ବିଶ୍ୱବ୍ୟାପୀ ସ୍ୱୀକୃତ ହୋଇଛି। ଏହିସବୁ ବ୍ୟବସ୍ଥାଗୁଡ଼ିକ ଦେଖିଲେ ଶାସନକୁ ସ୍ୱେଚ୍ଛାଚାରୀ ହେବାକୁ ରୋକିବାରେ ଥିବା ଚେକ୍ ଆଣ୍ଡ ବାଲାନ୍ସ ବ୍ୟବସ୍ଥା ସହିତ ନ୍ୟାୟପାଳିକା ଓ ଗଣମାଧ୍ୟମମାନେ ସେମାନଙ୍କ ଭୂମିକା ଠିକ୍ ଭାବରେ ପାଳନ କରୁଛନ୍ତି ବୋଲି ଅନେକ ସମୟରେ ବିଶ୍ୱାସ କରିହେଉ ନାହିଁ। ନ୍ୟାୟପାଳିକା କଥା ଟିକେ ସ୍ୱତନ୍ତ୍ର। କିନ୍ତୁ ଗଣମାଧ୍ୟମ ଯାହାକି ନାଗରିକର ମତପ୍ରକାଶ ଅଧିକାରକୁ ସାବ୍ୟସ୍ତ କରୁଛି ସେଥିରେ ଏକ ବଡ଼ ଶୂନ୍ୟତା ଦେଖାଦେଇଛି। ଜାତୀୟ ସ୍ତରଠାରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ଗଣମାଧ୍ୟମଗୁଡ଼ିକ ସରକାରଙ୍କୁ ବା ଶାସନକୁ ପ୍ରଶ୍ନ କରିବା ପରିବର୍ତ୍ତେ ବିରୋଧୀଙ୍କୁ ଅଧିକ ପ୍ରଶ୍ନ ପଚାରୁଛନ୍ତି।
ଓଡ଼ିଶାରେ ନିକଟରେ ଘଟିଥିବା କେତେଗୁଡ଼ିଏ ଘଟଣା ସାମାନ୍ୟ ଅନୁଧ୍ୟାନ କଲେ ଶାସନର ସ୍ୱେଚ୍ଛାଚାରିତା ବା ମନମୁଖୀ ଶାସନ ଯେତିକି ଜଣାପଡ଼ୁଛି ତାହାଠାରୁ ଅଧିକ ଜଣାପଡ଼ୁଛି ଯେ, ଗଣମାଧ୍ୟମଗୁଡ଼ିକ ବା ସାମ୍ବାଦିକମାନେ ସେମାନଙ୍କ ଦାୟିତ୍ୱକୁ ସଂପୂର୍ଣ୍ଣ ଭୁଲିଯାଇଛନ୍ତି। ମାଲକାନାଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ମାମଲା ପ୍ରାୟ ବର୍ଷକ ତଳେ ଘଟିଥିଲା। ସେହି ଘଟଣାରେ ପୋଲିସ ଏହାକୁ ଏକ ଆତ୍ମହତ୍ୟା ମାମଲା କହି ଯେପରି ଚପାଇ ଦେଇଥିଲା ସେଥିରେ ସମ୍ବାଦପତ୍ରମାନେ କୌଣସି ପ୍ରଶ୍ନ ଉଠାଇ ନଥିଲେ। ମୃତବ୍ୟକ୍ତିଙ୍କ ପତ୍ନୀ କିଛି ମାସ ତଳେ ଏସଡିଜେଏମ୍ଙ୍କୁ ଏକ ପତ୍ର ଲେଖି କିପରି ଭାବରେ ତାଙ୍କ ସ୍ୱାମୀଙ୍କୁ ବାସ୍ତବରେ ହତ୍ୟା କରାଯାଇଛି ତାହା ଜଣାଇବା ପରେ ସଂପୃକ୍ତ ଜଜ୍ ସେହି ମାମଲାରେ ହତ୍ୟା ଅପରାଧ ଓ ଅପରାଧ ଷଡ଼ଯନ୍ତ୍ର ଦଫାରେ ମାମଲା ଦାୟର ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ। ବାସ୍ତବର ଜଜ୍ଙ୍କ ନିର୍ଦ୍ଦେଶ ଫଳରେ ଜିଲ୍ଲାପାଳଙ୍କ ସମେତ ତାଙ୍କର କିଛି ସହଯୋଗୀଙ୍କ ବିରୋଧରେ ହତ୍ୟା ମାମଲା ଦାୟର ହେବା ପରେ ଗୋଟିଏ ବର୍ଷ ପରେ ସମ୍ବାଦପତ୍ରମାନେ ଏହା ଉପରେ ଖବର ଦେବା ପରେ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ବଦଳି କରିଥିଲେ ମଧ୍ୟ ଏହି ମାମଲାର ପ୍ରକୃତ ତଦନ୍ତର ରୂପରେଖ କ'ଣ ହେବ ତାହା ଜଣାନାହିଁ। ଏଠି ପ୍ରଶ୍ନ ଉଠୁଛି ଯେ ମାଲକାନଗିରିର ସାମ୍ବାଦିକମାନେ ବର୍ଷେ କାଳ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ କାହିଁକି କୌଣସି ତଦନ୍ତ କଲେନାହିଁ ଓ ହତ୍ୟା ମାମଲାକୁ ଏକ ଆତ୍ମହତ୍ୟା ଭାବରେ ଚପାଇ ଦେବା ପାଇଁ ପୋଲିସ କିପରି ସକ୍ଷମ ହେଲା? ମୃତବ୍ୟକ୍ତିଙ୍କ ପତ୍ନୀ ଓ ପରିବାର ସମେତ ଜିଲ୍ଲାପାଳ ଦପ୍ତରର କୌଣସି କର୍ମଚାରୀଙ୍କର ମତାମତ ସାମ୍ବାଦିକମାନେ କାହିଁକି ସଂଗ୍ରହ କରିବାକୁ ସାହସ କଲେନାହିଁ?
ଠିକ୍ ସେହିପରି ପୁରୀରେ ଜଣେ ବ୍ୟକ୍ତିଙ୍କୁ ଥାନା ଭିତରେ ମାଡ଼ମାରି ହତ୍ୟା କରାଯାଇଥିବାର ଅଭିଯୋଗ ହେଲା। ଏହି ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଲା ପରେ ଜାତୀୟ ମାନବାଧିକାର କମିଶନ ଓ ହାଇକୋର୍ଟଙ୍କ ଦୃଷ୍ଟିକୁ ଅଣାଯିବା ପରେ ପୋଲିସ ପକ୍ଷରୁ ଏହି ଘଟଣାରେ ଯେଉଁ ଏତଲା ଦିଆଯାଇଛି ସେଥିରେ ଏହାକୁ ଅପରାଧୀ ସହିତ ପୋଲିସର ହାତାହାତି ଜରିଆରେ ସେ ଆହତ ହେବାରୁ ମୃତ୍ୟୁବରଣ କରିଥିବା ଦର୍ଶାଯାଇଛି। ଅର୍ଥାତ୍ ଏହି ଘଟଣାକୁ ମଧ୍ୟ ଏକ ଏନକାଉଂଟରର ରୂପ ଦିଆଯାଉଛି। ଯଦିଓ ଘଟଣା ପରେ ପରେ ସଂପୃକ୍ତ ଏସପି କହିଥିଲେ ଯେ, ଥାନା ହାଜତରେ ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏସପିଙ୍କ ଏହି ଘଟଣାରେ ବଦଳି ପରେ ମଧ୍ୟ ପୋଲିସ ଏହି ମାମଲାକୁ ଭିନ୍ନ ରୂପ ଦେବା ପାଇଁ ଉଦ୍ୟମ ଚଳାଇଛି। କିନ୍ତୁ ପୁରୀର କୌଣସି ସାମ୍ବାଦିକ ଏ ସଂପର୍କରେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରି ସରକାର ବା ପୋଲିସକୁ ପ୍ରଶ୍ନ ପଚାରିବାକୁ ବିଶେଷ ଉଦ୍ୟମ କରିନାହାନ୍ତି। ମୃତବ୍ୟକ୍ତିଙ୍କ ପିତାମାତା ଓ ପରିବାରବର୍ଗଙ୍କ ମୁହଁ ଚାପି ରଖିବା ପାଇଁ ଯେଉଁ ଉଦ୍ୟମ ହୋଇଛି ତାହା ଉପରେ ପ୍ରଶ୍ନ ପଚରାଯିବା ଛଡ଼ା ସ୍ଥାନୀୟ ଏସପିଙ୍କର ଏଥିରେ କି ଭୂମିକା ରହିଛି ଓ ସେଠାରେ କେତେ ପରିମାଣର ଅଭିଯୁକ୍ତଙ୍କୁ ବା ଆସାମୀଙ୍କୁ ଅତୀତରେ ଯେପରି ଭାବରେ ମାଡ଼ ମରାଯାଇଛି ତାହାର ରିପୋର୍ଟମାନ ସାମ୍ବାଦିକମାନେ ପ୍ରକାଶ କରିବାକଥା। ସେହି ସମୟରେ ସୁନ୍ଦରଗଡ଼ ଜିଲ୍ୱାର ବୀରମିତ୍ରପୁର ଥାନାରେ ଯେଉଁ ଧରଣର ହାଜତ ମୃତ୍ୟୁ ହୋଇଛି ଓ ସେ ସଂକ୍ରାନ୍ତ ମୃତ ବ୍ୟକ୍ତିର ଯେଉଁସବୁ ଫଟୋ ପ୍ରକାଶିତ ହୋଇଛି ସେଥିରେ ଯେତିକି ପ୍ରଶ୍ନ ପୋଲିସକୁ ପଚରାଯିବା କଥା ସେହି ଅନୁସାରେ ପ୍ରଶ୍ନ ପଚରାଯାଉନାହିଁ। ସେହି ଥାନାରେ କିଛିମାସ ତଳେ ଜଣେ ଆଦିବାସୀ ନାବାଳିକାକୁ ଧର୍ଷଣ କରାଯାଇ ଯେଉଁ ଅବସ୍ଥା ସୃଷ୍ଟି କରାଯାଇଥିଲା ତାହା ମଧ୍ୟ ଅନେକ ଭୁଲିନାହାନ୍ତି। ପୁରୀ ଜିଲ୍ଲାର ପିପିଲି ଥାନାରେ ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ନିର୍ଧୁମ ମାଡ଼ ମାରିବା ଘଟଣାରେ ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ମଧ୍ୟ ଏକ ସାଂଘାତିକ ଘଟଣା। ସଂପୃକ୍ତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହେଉନାହିଁ। ଏହି ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦ୍ରାଂଚଳ ଡିଆଇଜି ଆଶିଷ ସିଂହଙ୍କୁ ଦିଆଯାଇଛି, ଯାହାଙ୍କର ଗଞ୍ଜାମ ଏସପି ଭାବରେ ସର୍ବାଧିକ ଏନକାଉଂଟରର ରେକର୍ଡ ରହିଛି। ତେଣୁ ଏହି ଘଟଣାରେ କି ତଦନ୍ତ ହେବ ତାହା ସ୍ପଷ୍ଟ ଜଣାପଡ଼ୁଛି। ପୋଲିସ ଡିଜି ଚାହିଁଥିଲେ ଜଣେ ଆଇଜିଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇପାରିଥାନ୍ତେ।
ନୟାଗଡ଼ ଜିଲ୍ଲାର ପରୀ ହତ୍ୟାକାଣ୍ଡ ଘଟଣା ଗତ ଚାରିମାସ ତଳେ ହୋଇଥିଲେ ମଧ୍ୟ ପୋଲିସ ଏ ସଂକ୍ରାନ୍ତରେ ତଦନ୍ତ କରି ଅପରାଧୀମାନଙ୍କୁ ଧରିନପାରିବାରୁ ପରୀର ବାପା ମା' ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିବା ପରେ ବିଧାନସଭାରେ ଏହା ଆଲୋଚିତ ହେବାରୁ ସରକାରଙ୍କ ପକ୍ଷରୁ ଏହା ଏକ ଅପହରଣ ଓ ହତ୍ୟା ଘଟଣା ବୋଲି ସ୍ୱୀକାର କରାଯାଇଛି। କିନ୍ତୁ ବିଗତ ଚାରି ମାସ ମଧ୍ୟରେ ସାମ୍ବାଦିକମାନେ ଏହି ଘଟଣାର ସତ୍ୟ ଅନୁସନ୍ଧାନ ପାଇଁ ସେପରି କୌଣସି ଉଦ୍ୟମ କରିନାହାନ୍ତି। ପରୀର ପରିବାର ଏକ ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ଶାସକ ଦଳର ନେତାଙ୍କ ନାଁ କହିବା ପରେ ସେ ଏବେ ଫେରାର ହୋଇଯାଇଛନ୍ତି। କ୍ରାଇମବ୍ରାଂଚ ଓ ଏସଆଇଟି ତଦନ୍ତ ନିମନ୍ତେ ରାଜ୍ୟ ସରକାର ନିଷ୍ପତି ନେବା ପରେ ହୁଏତ ଘଟଣାର ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି। କିନ୍ତୁ ପ୍ରଶ୍ନ ଉଠୁଛି ଗତ ଚାରିମାସ ଧରି ସାମ୍ବାଦିକମାନେ ସେଠାରେ ଏହି ଘଟଣାରେ ଅନୁସନ୍ଧାନ ନକରିବା ଏବଂ ଯେଉଁ ମନ୍ତ୍ରୀଙ୍କ ପାଖଲୋକ ହୋଇଥିବାରୁ ଅଭିଯୁକ୍ତଙ୍କୁ ପୋଲିସ ଘଂଟ ଘୋଡ଼ାଉଛି ବୋଲି ପରୀର ବାପା ମା' ଏବେ କହୁଛନ୍ତି। ସେ ସଂକ୍ରାନ୍ତରେ ସ୍ଥାନୀୟ ସାମ୍ବାଦିକମାନେ କାହିଁକି ପୂର୍ବରୁ ପ୍ରଶ୍ନ ଉଠାଇଲେ ନାହିଁ? ପରୀର ଗଳିତ ଶବର ବ୍ୟବଚ୍ଛେଦରୁ ହତ୍ୟାର ପ୍ରକୃତ ସୁରାକ ମିଳି ପାରିନାହିଁ। ଯଦିଓ ଡିଏନଏ ରିପୋର୍ଟ ଜରିଆରେ ଏହା ପରୀର ଶବ ବୋଲି ଜଣାପଡ଼ିଛି। ପରୀର ବାପା ମା' ସାଧାରଣ ଲୋକ ଓ ସେମାନଙ୍କ ଝିଅ ମଧ୍ୟ ଅନ୍ୟ କୌଣସି ଝିଅର ଜୀବନ ଠାରୁ କମ୍ ନୁହେଁ। ଗାଁ ଭିତରେ ଘଟିଥିବା ୫ ବର୍ଷର ଝିଅର ହତ୍ୟାକାରୀ ବିଷୟରେ ପୋଲିସ ଚାରି ମାସ ଭିତରେ କୌଣସି ସୁରାକ ନପାଇବା ଏବଂ ସଂପୃକ୍ତ ଅଂଚଳର ବିଧାନସଭାରେ ଗତ ଚାରିଥର ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବ୍ୟକ୍ତି ମଧ୍ୟ ସତ୍ୟ ଉନ୍ମୋଚିତ ହେଉ ବୋଲି କହି ଘଟଣାକୁ ଏଡ଼ାଇଦେବାର ଉଦ୍ୟମ କରିବା ରହସ୍ୟମୟ ଜଣାପଡ଼ୁଛି। ପୋଲିସ ଓ ପ୍ରଶାସନର ଏପରି ଆଚରଣ ବିରୋଧରେ କେବଳ ଗଣମାଧ୍ୟମ ଓ ସାମ୍ବାଦିକମାନେ ଚାହିଁଥିଲେ ଅଙ୍କୁଶ ଲାଗିପାରିଥାନ୍ତା।
ଠିକ ସେହିପରି ବନବିଭାଗର ବରିଷ୍ଠ ପ୍ରଶାସକ ଅଭୟକାନ୍ତ ପାଠକଙ୍କ ଦୁର୍ନୀତି ଓ କଳାକାରନାମା ତାଙ୍କ ଉପରେ ଭିଜିଲାନ୍ସ ଚଢ଼ଉ ପରେ ପରିଷ୍କାର ହେବାରେ ଲାଗିଥିବା ବେଳେ ଏଭଳି ଜଣେ ଦୁର୍ନୀତିଗ୍ରସ୍ତ ଅଫିସର ବନବିଭାଗରେ ଦୀର୍ଘଦିନ ଚାକିରି କରି ସର୍ବୋଚ୍ଚ ସ୍ଥାନରେ କିପରି ଭାବରେ ପହଁଚି ପାରିଲେ ତାହା ହିଁ ସମସ୍ତଙ୍କୁ ବିସ୍ମିତ କରିଛି। ଭିଜିଲାନ୍ସ ବିଭାଗ ସହିତ ସାମ୍ବଦିକମାନେ ଏହି ଅତ୍ୟଧିକ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିଷୟରେ କେବେ କିପରି ରିପୋର୍ଟ ପ୍ରକାଶ କରିନପାରିଲେ ତାହା ନେଇ ଲୋକମାନେ ପ୍ରଶ୍ନ କରିବା ସ୍ୱାଭାବିକ। ସେ ବିଭିନ୍ନ ସମୟରେ ଥିବା ପଦବୀଗୁଡ଼ିକର ସିଏଜି ଅଡିଟ୍ କିପରି ହେଉଥିଲା ଓ ତାଙ୍କ ଦୁର୍ନୀତି ଜଣାପଡ଼ୁନଥିଲା ତାହା ହିଁ ଆଶ୍ଚର୍ଯ୍ୟର ବିଷୟ।
ରାଜ୍ୟରେ ବିରୋଧୀ ପକ୍ଷ ଦୁର୍ବଳ ଥିବା ବିଭିନ୍ନ ନିର୍ବାଚନ ଫଳାଫଳରୁ ବେଶ ପରିଷ୍କାର। ତେଣୁ ସେମାନଙ୍କର ଦାୟିତ୍ୱ ସମୀକ୍ଷା କରିବା ପୂର୍ବରୁ ସାମ୍ବାଦିକ ଓ ଗଣମାଧ୍ୟମମାନେ ସେମାନଙ୍କ ଦାୟିତ୍ୱ କେତେଦୂର ପାଳନ କରିଛନ୍ତି ସେ ନେଇ ପ୍ରଶ୍ନ ହେବା ସ୍ୱାଭାବିକ।
ବରିଷ୍ଠ ସାମ୍ବାଦିକ
ମୋ- ୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।