ଦେଶର ଆଇନ କମିଶନଙ୍କ ଭୂମିକା ହେଉଛି ଦେଶ ଲାଗି କୌଣସି ଆଇନ ପ୍ରଣୟନ ପୂର୍ବରୁ ଅଧିକରୁ ଅଧିକ ଲୋକଙ୍କ ସହିତ ପରାମର୍ଶ କରିବା ଓ ସରକାରଙ୍କୁ ପ୍ରସ୍ତାବ ଦେବା। ସରକାର ଚାହିଁଲେ ତାହାକୁ ଗ୍ରହଣ କରିବେ ଓ ସଂସଦରେ ବିଲ୍ ଆକାରରେ ଉପସ୍ଥାପନ କରିବେ। ଆଇନ କମିଶନ ସମାନ ନାଗରିକ ସଂହିତା ପ୍ରଣୟନ ଲାଗି ଉଚିତ ମନେକରି ଦେଶବାସୀଙ୍କଠାରୁ ପ୍ରସ୍ତାବ ଆହ୍ଵାନ କରିଛନ୍ତି। ଦେଶର ବିଭିନ୍ନ କୋଣରୁ ଏ ସଂକ୍ରାନ୍ତ୍ରୀୟ ପ୍ରସ୍ତାବ ଲକ୍ଷାଧିକ ସଂଖ୍ୟାରେ ଆସିବା ପରେ ପ୍ରସ୍ତାବ ଆହ୍ୱାନର ଶେଷ ତାରିଖକୁ ଆଇନ କମିଶନ ଘୁଞ୍ଚାଇ ଦେଇ ଏବେ ଜୁଲାଇ ୨୮ ତାରିଖ ନିର୍ଦ୍ଧାରଣ କରିଥିଲେ। ସେହି ସମୟ ମଧ୍ୟରେ କେତେ ପ୍ରସ୍ତାବ ଯାଇଥିବ ଓ କମିଶନ ତାହାକୁ ଯାଞ୍ଚ କରୁଥିବେ। ଏହା ପରେ କମିଶନ ସରକାରଙ୍କୁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେବେ ଓ ସରକାର ଚାହିଁଲେ ସେଥିରେ ସଂଶୋଧନ କରି ବା ନକରି ସଂସଦରେ ଉପସ୍ଥାପନ କରିବେ।
ଦେଶରେ ବିଭିନ୍ନ ଧର୍ମାବଲମ୍ବୀଙ୍କ ଲାଗି ବିଭିନ୍ନ ବ୍ୟକ୍ତିଗତ ଆଇନ ରହିଛି। ସମାନ ନାଗରିକ ସଂହିତାର ଉଦ୍ଦେଶ୍ୟ ହେଲା, ଦେଶରେ ଏକ ପ୍ରକାରର ସାମାଜିକ ଆଇନ ପ୍ରଣୟନ କରିବା ଯାହାକୁ ସମସ୍ତ ନାଗରିକଙ୍କ ଲାଗି ସେ ଯେକୌଣସି ଧର୍ମ, ଜାତି, ଲିଙ୍ଗ ବା ଅଞ୍ଚଳର ହୋଇଥାନ୍ତୁ ନା କାହିଁକି ଲାଗୁହେବ। ସମାନ ନାଗରିକ ସଂହିତାର ମୂଳ ଉଦ୍ଦେଶ୍ୟ ହେଲା ଯେ, ସାମାଜିକ ଆଇନକୁ ଧର୍ମଠାରୁ ଅଲଗା କରିଦେବା। ଆଜି କିନ୍ତୁ ଏହା ନାଗରିକର ନିଜସ୍ଵ ଧର୍ମ ସହିତ ସଂଶ୍ଳୀଷ୍ଟ ରହିଛି।
ହିନ୍ଦୁ, ଶିଖ, ବୌଦ୍ଧ, ଜୈନ ପରିବାରର ସମସ୍ତ ବିବାଦ ହିନ୍ଦୁ ପର୍ସନାଲ ଆଇନ ଦ୍ଵାରା ସମାଧାନ ହେଉଥିବା ବେଳେ ପାର୍ସି, ଖ୍ରୀଷ୍ଟିୟାନ ଓ ମୁସଲିମ ପରିବାରର ବିବାଦ ସେମାନଙ୍କ ନିଜସ୍ଵ ଧର୍ମ ବ୍ୟବସ୍ଥା ଅନୁସାରେ ପ୍ରସ୍ତୁତ ପର୍ସନାଲ ଆଇନ ଦ୍ଵାରା ସମାଧାନ ହୋଇଥାଏ। ଆଦିବାସୀ ଓ ବିଭିନ୍ନ ଜାତିର ନିଜସ୍ଵ ସମାଜ (କୋୟା ସମାଜ ଓ ଗଣ୍ଡ ସମାଜ ଇତ୍ୟାଦି) ପ୍ରଚଳିତ ଅଥଚ ଅଲିଖିତ ନିୟମ ଦ୍ଵାରା ସେହି ସମସ୍ତ ବିବାଦର ସମାଧାନ କରିଥା’ନ୍ତି।
ସମ୍ବିଧାନର ଘୋଷଣାନାମାରେ ରହିଛି, “ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଲୋକତାନ୍ତ୍ରିକ ଗଣରାଜ୍ୟ ରୂପେ ଗଢ଼ିବା ପାଇଁ” ଦେଶର ସମସ୍ତ ଜନସାଧାରଣ ତଥା ନିର୍ବାଚିତ ଶାସକ ବର୍ଗ କାର୍ଯ୍ୟ କରିବେ। ଧର୍ମନିରପେକ୍ଷତା ଅର୍ଥ ହେଲା ଯେ, ସମାଜ ମଧ୍ୟରେ ରହିଥିବା ଧର୍ମ ନାମରେ ରୂଢିବାଦୀ ପରମ୍ପରା, ଜାତିପ୍ରଥା ଓ ଅବୈଜ୍ଞାନିକ ଚିନ୍ତାଧାରାକୁ ଦୂର କରି ଜାତି, ଧର୍ମ ଓ ବର୍ଣ୍ଣର ଉର୍ଦ୍ଧ୍ଵରେ ସମାନତା ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନ ଲାଗି ସରକାର ଯୋଜନା ପ୍ରସ୍ତୁତ କରିବେ। ଏହି ହେତୁ ସମ୍ବିଧାନର ଧାରା ୪୪ରେ ସରକାରଙ୍କ ଲାଗି ନିର୍ଦ୍ଦେଶ ରହିଛି ଯେ, ସରକାର “ଦେଶର ସମସ୍ତ ନାଗରିକଙ୍କ ଲାଗି ସମାନ ନାଗରିକ ସଂହିତା ପ୍ରଣୟନ କରିବେ।“
ସ୍ଵାଧୀନତାର ଠିକ ପୂର୍ବରୁ ସମ୍ବିଧାନ ପ୍ରସ୍ତୁତି ସମୟରେ ଯଦିଓ ଏହାର ସଦସ୍ୟମାନେ ସମାନ ନାଗରିକ ସଂହିତାର ଆବଶ୍ୟକତା ଅନୁଭବ କରିଥିଲେ ମାତ୍ର ଅନେକ ଧାର୍ମିକ କଟ୍ଟରବାଦୀ ସଦସ୍ୟ ସମାନ ନାଗରିକ ସଂହିତାକୁ ବିରୋଧ ମଧ୍ୟ କରିଥିଲେ। ଏଥିରେ ସହମତି ନ ଆସିପାରିବାରୁ ଭବିଷ୍ୟତରେ ସରକାର ଯେପରି ସମାନ ନାଗରିକ ସଂହିତା ଆଇନ ପ୍ରଣୟନ କରନ୍ତି, ସେହି ବ୍ୟବସ୍ଥା ସମ୍ବିଧାନରେ ଧାରା ୪୪ରେ ରଖିଦିଆଯାଇଥିଲା। ପରେ ଆମ୍ବେଦକର ହିନ୍ଦୁ କୋଡ଼ ବିଲ ସଂସଦରେ ୧୯୫୧ରେ ଉପସ୍ଥାପନ କରିଥିଲେ। ସେଥିରେ ମଧ୍ୟ କେତେକ ହିନ୍ଦୁ ଧାର୍ମିକ ରୂଢିବାଦୀ ସଦସ୍ୟ ଏହାକୁ ପାଶ୍ଚାତ୍ୟ ଚିନ୍ତାଧାରା କହି ବିରୋଧ କରିବା କାରଣରୁ ଆମ୍ବେଦକର କଂଗ୍ରେସ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ। କିନ୍ତୁ, ୧୯୫୫-୫୬ରେ ହିନ୍ଦୁ ପର୍ସନାଲ କୋଡ଼ ପରିବର୍ତ୍ତନ ହୋଇ ହିନ୍ଦୁମାନଙ୍କ କ୍ଷେତ୍ରରେ ହିନ୍ଦୁ ବିବାହ ଆଇନ, ୧୯୫୫; ହିନ୍ଦୁ ଉତ୍ତରାଧିକାରୀ ଆଇନ, ୧୯୫୬; ହିନ୍ଦୁ ନାବାଳକ/ଳିକା ଓ ଅବିଭାବକ ଆଇନ, ୧୯୫୬ ଓ ହିନ୍ଦୁ ପୋଷ୍ୟ ଓ ଭରଣପୋଷଣ ଆଇନ, ୧୯୫୬ ଭଳି ଚାରୋଟି ଆଇନ ପ୍ରଣୟନ ହୋଇଛି।
ବିଭିନ୍ନ ସମୟରେ ସୁପ୍ରିମ କୋର୍ଟ, ସାହାବାନୋ କେସ (୧୯୮୫)ଠାରୁ ସାଏରା ବାନୋ କେସ (୨୦୧୭) ପର୍ଯ୍ୟନ୍ତ, ଅନେକ ଥର କେନ୍ଦ୍ର ସରକାରଙ୍କୁ ସମାନ ନାଗରିକ ସଂହିତାକୁ ସୁହାଇଲା ଭଳି ଆଇନ ପ୍ରଣୟନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟ ହିନ୍ଦୁ ପର୍ସନାଲ ଆଇନ ଆଧାରରେ ଅନେକ ଉଲ୍ଲେଖନୀୟ ରାୟ ଦେଇ ହିନ୍ଦୁ ମହିଳାଙ୍କ ସ୍ଥିତିରେ କେତେକ ଉନ୍ନତି ଆଣିପାରିଛନ୍ତି। ଅବଶ୍ୟ, ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଭିନ୍ନ କଥା ଯେମିତି କି ଆଇନ ଥିବା ସତ୍ତ୍ୱେ ହିନ୍ଦୁ ବିବାହିତା ମହିଳା ପୈତୃକ ସମ୍ପତ୍ତି ଉପରେ ଅଧିକାର ୨୦୦୫ ମସିହାରେ ପାଇଲେ।
ଜାନୁଆରୀ ୨୦୨୨ରେ ସର୍ବୋଚ୍ଚ କୋର୍ଟ ରାୟ ଦେଇଛନ୍ତି ଯେ, ବାପାଙ୍କ ନିଜସ୍ଵ ଓ ପୂର୍ବ ପିଢିରୁ ମିଳିଥିବା ସମ୍ପତ୍ତି ଉପରେ ମଧ୍ୟ ଝିଅର ଅଧିକାର ରହିଛି। ଅଗଷ୍ଟ ୨୦୨୦ରେ କୋର୍ଟ ରାୟ ଦେଲେ ଯେ, ହିନ୍ଦୁ ଯୌଥ ପରିବାରରେ ଝିଅର ସେହି ସମସ୍ତ ଅଧିକାର ରହିଛି ଯାହା ପୁଅର ରହିଛି। ଅନ୍ୟ ଧର୍ମାବଲମ୍ବୀ ମହିଳା ଓ ଦୁଇ ଭିନ୍ନ ଭିନ୍ନ ଧର୍ମରେ ବିବାହ କରିଥିବା ମହିଳାଙ୍କ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଯିବା କାରଣରୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ସମାନ ନାଗରିକ ସଂହିତା ପ୍ରଣୟନ ଲାଗି ନିର୍ଦ୍ଦେଶ ଦେଉଛନ୍ତି।
ଗଲା ଅକ୍ଟୋବର ୨୦୨୨ରେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟ ସାମ୍ନାରେ ସଙ୍କଳ୍ପନାମା ରଖିଥିଲେ ଯେ, ସମାନ ନାଗରିକ ସଂହିତା କହିଲେ ଦେଶର ସମସ୍ତ ନାଗରିକଙ୍କ ଲାଗି ସମାନ ବ୍ୟକ୍ତିଗତ ଆଇନ ପ୍ରଣୟନ କରିବା ଯେଉଁଥିରେ ବିବାହ, ବିଚ୍ଛେଦ, ଭରଣପୋଷଣ, ସମ୍ପତ୍ତିର ଉତ୍ତରାଧିକାରୀ ଚୟନ, ନାବାଳକ ଅଥବା ନାବାଳିକା ପିଲାର ପ୍ରତିପୋଷଣ, ସମ୍ପତ୍ତିର ପ୍ରକୃତ ଉତ୍ତରାଧିକାରୀ ଚୟନ ଓ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବନ୍ଧିତ ଆଇନ ରହିବ।
ପ୍ରଧାନମନ୍ତ୍ରୀ ମଧ୍ୟ ସମାନ ନାଗରିକ ସଂହିତାର ଆବଶ୍ୟକତା ଅନୁଭବ କରିଛନ୍ତି। ଧର୍ମ, ଭାଷା ଓ ଜାତିର ଭେଦଭାବ ଭୁଲି ସମସ୍ତେ ଏକ ପରିବାରର ସଦସ୍ୟ ହେବା ଲାଗି ସେ ଆହ୍ଵାନ ଦେଇଛନ୍ତି। ସେଥିଲାଗି ସେ ଭୋପାଳଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ “ମେରା ବୁଥ ସବସେ ମଜଭୁତ” କାର୍ଯ୍ୟକ୍ରମରେ ନିଜର କର୍ମୀମାନଙ୍କୁ ଆହ୍ଵାନ ଦେଇ କହିଛନ୍ତି, “ସମଗ୍ର ଦେଶ ଏକ ପରିବାର। ଗୋଟିଏ ପରିବାରରେ ରହୁଥିବା ସଦସ୍ୟମାନଙ୍କ ପାଇଁ ଅଲଗା ଅଲଗା ନିୟମ କାହିଁକି ରହିବ? ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଗୋଟିଏ ନିୟମ ହେବା କଥା।“
କିନ୍ତୁ, ପ୍ରଧାନମନ୍ତ୍ରୀ ସମ୍ବିଧାନରେ ଉଲ୍ଲେଖ ରହିଥିବା ଏଭଳି ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସଂସଦ ମଧ୍ୟରେ ଆଲୋଚନା ନକରି ଭାରତୀୟ ଜନତା ପାର୍ଟିର କର୍ମୀମାନଙ୍କୁ ଉଦବୋଧନ ଦେବା ସମୟରେ କାହିଁକି ଉଲ୍ଲେଖ କଲେ? ଏହା ସହିତ ସେ ସମାନ ନାଗରିକ ସଂହିତାର ରୂପରେଖ କ’ଣ ରହିବ ତାହା ପାର୍ଟି କର୍ମୀଙ୍କ ପାଖରେ ରଖିବାକୁ କାହିଁକି ଭୁଲିଗଲେ?
ତାଙ୍କର ଏହି ଆଚରଣ ଓ ତାଙ୍କ ଦଳର ଧାର୍ମିକ ଅସହିଷ୍ଣପଣ ଓ ହିନ୍ଦୁ ରାଷ୍ଟ୍ର ଗଠନର ଉଦ୍ଦେଶ୍ୟ ସମାନ ନାଗରିକ ସଂହିତାକୁ ବିତର୍କିତ କରିଛି। ଆଗାମୀ ବର୍ଷ ନିର୍ବାଚନ ହେଉଥିବା କାରଣରୁ ବିଜେପି ପୁଣି ଧର୍ମ ଆଧାରରେ ବିଭାଜନର ଚାଲ ଖେଳୁନାହିଁ ତ? ଏହା ହିଁ ଅନେକଙ୍କ ମଧ୍ୟରେ ଆଶଙ୍କା। ଆଜି ପର୍ଯ୍ୟନ୍ତ ଦେଶର ଏକ ଧାର୍ମିକ ଗୋଷ୍ଠୀ ମୁସଲମାନଙ୍କ ମଧ୍ୟରେ ବହୁ ବିବାହ ପ୍ରଥାକୁ “ଜନସଂଖ୍ୟାରେ ବୃଦ୍ଧି ଓ ହିନ୍ଦୁ ଧର୍ମ ପାଇଁ ବିପଦ” ଆକ୍ଷେପ କରି ଅନେକ ହିଂସାର ସୂତ୍ରପାତ କରିଛି। ଅଥଚ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ (୨୦୧୯-୨୧) ଅନୁସାରେ ୧.୯ ପ୍ରତିଶତ ମୁସଲମାନ ମହିଳା ସେମାନଙ୍କ ସ୍ଵାମୀ ଦ୍ଵିତୀୟ ବିବାହ କରିଥିବା କହିଥିବା ବେଳେ ୧.୩ ପ୍ରତିଶତ ହିନ୍ଦୁ ମହିଳା ସେମାନଙ୍କ ସ୍ଵାମୀ ଦ୍ଵିତୀୟ ବିବାହ କରିଥିବା କଥା କହିଛନ୍ତି। ଉକ୍ତ ରିପୋର୍ଟ ପୁଣି ଉଲ୍ଲେଖ କରୁଛି ଯେ, ୨୦୦୫-୦୬ରୁ ୨୦୧୯ -୨୧ ମଧ୍ୟରେ ସମସ୍ତ ଧର୍ମରେ ବହୁ ବିବାହ ଅଭ୍ୟାସ କମିବାରେ ଲାଗିଛି। ତଥାପି, ଦେଶର ବିଭିନ୍ନ ଗୋଷ୍ଠୀ ମାଧ୍ୟମରେ ଆଜି ବି ବହୁବିବାହ ପ୍ରଥା ବିଶେଷକରି ଅନେକ ଜନଗୋଷ୍ଠୀ ମଧ୍ୟରେ ରହିଛି। ଏହାସତ୍ତ୍ୱେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦେଶର ଜନସଂଖ୍ୟା ବୃଦ୍ଧି ଲାଗି ସଂଖ୍ୟାଲଘୁ ମୁସଲମାନଙ୍କୁ ଦୋଷ ଦେବାକୁ ପଛାଉନାହିଁ।
ଭାରତର ସଂସ୍କୃତି କହିଲେ ହିନ୍ଦୁ ଧର୍ମର ବିଶ୍ଵାସକୁ ବୁଝାଏ। ହିନ୍ଦୁ ଧର୍ମର ଧାର୍ମିକ ରୀତିନୀତି ଓ ସଂସ୍କୃତିକୁ ଦେଶର ସଂସ୍କୃତି କହିବା ଦ୍ଵାରା ସମାଜରେ ଜାତିପ୍ରଥା ଆଜି ବି ଦୃଢ଼ ହୋଇରହିଛି। ଆଜିର କେନ୍ଦ୍ର ସରକାର ହିନ୍ଦୁ ଧର୍ମର ସୁରକ୍ଷା ଲାଗି ଅଧିକ ତତ୍ପର ରହିଆସିଛନ୍ତି। ଏହି କାରଣରୁ ଗଣତାନ୍ତ୍ରିକ ଅଧିକାର ଲାଗି ଦେଶରେ କାର୍ଯ୍ୟରତ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଶଙ୍କା ରହୁଛି ଯେ, ସମାନ ନାଗରିକ ସଂହିତା ନାମରେ କେନ୍ଦ୍ର ସରକାର ହିନ୍ଦୁ ଧର୍ମର ଆଇନକୁ କାର୍ଯ୍ୟକାରୀ କରିବେ ନାହିଁ ତ? ଏହା ହେଲେ, ଦଳିତ ବର୍ଗଠାରୁ ଆରମ୍ଭ କରି ଆଦିବାସୀ, ମୁସଲମାନ, ଖ୍ରୀଷ୍ଟିୟାନ, ପାର୍ସି ଧର୍ମାବଲମୀମାନେ ନିଜକୁ ଦେଶରୁ ବିଚ୍ଛିନ୍ନ ଅନୁଭବ କରିବେ। ଏହା ଗଣତନ୍ତ୍ର ଲାଗି ବିରାଟ କୁଠାରଘାତ ହେବ।
ସୁପ୍ରିମ କୋର୍ଟ ସୀମା ବନାମ ଅଶ୍ଵିନୀ କୁମାର କେସରେ (୨୦୦୬) ସମସ୍ତ ବିବାହକୁ, ସେ କୌଣସି ଧର୍ମର ହୋଇଥାଉନା କାହିଁକି, ପଞ୍ଜୀକରଣ ବାଧ୍ୟତାମୂଳକ କରିଥିଲେ। କ୍ରମଶଃ, ଏହି ପଞ୍ଜୀକରଣ ଉଦ୍ୟମ ହେତୁ ଦେଶରେ ନାବାଳିକା ବିବାହ, ନାରୀର ଇଚ୍ଛା ବିରୁଦ୍ଧରେ ବିବାହ, ବହୁ ବିବାହ, ମହିଳାଙ୍କ ଭରଣପୋଷଣ ଅଧିକାର, ମନଇଚ୍ଛା ବିବାହ ପରେ ମହିଳାଙ୍କୁ ଛାଡ଼ିଦେଇ ଅନ୍ୟତ୍ର ବିବାହ କରିବା ଭଳି ଅମାନବୀୟ ପରମ୍ପରାରେ କିଛିଟା ବିରାମ ଆସିପାରିଛି। ତଥାପି, ତାହା ଯଥେଷ୍ଟ ନୁହେଁ।
ହିନ୍ଦୁ ବିବାହ ଆଇନରେ ପୁଅ ଝିଅ ସାବାଳକ ହୋଇଥିବା ଆବଶ୍ୟକ। କିନ୍ତୁ କାହିଁକି ଝିଅକୁ ଶୀଘ୍ର (୧୮ ବର୍ଷ) ଓ ପୁଅକୁ ବିଳମ୍ବରେ (୨୧ ବର୍ଷ) ଅନୁମତି ଦିଆଯାଇଛି ତାହା ବର୍ଣ୍ଣନା କରାଯାଇନାହିଁ। ମୁସଲିମ ପର୍ସନାଲ ଆଇନ ଆଜି ବି ମହିଳାଙ୍କୁ ସମାନ ଦୃଷ୍ଟିରେ ଦେଖିପାରିନାହିଁ। ମୁସଲିମ ମହିଳାମାନେ ଅନେକ ଅଧିକାରରୁ ଏବେ ବି ବଞ୍ଚିତ ହେଉଛନ୍ତି। ମୁସଲମାନ ଧର୍ମରେ ନାବାଳିକା ବିବାହ ବ୍ୟବସ୍ଥା ରହିଛି। ଆଦିବାସୀ ମହିଳାଙ୍କ କ୍ଷେତ୍ରରେ ବିଚ୍ଛେଦ ଓ ପୁନଃ ବିବାହ ସହଜ ହୋଇଥିଲେ ବି ଭରଣପୋଷଣ ସମ୍ପର୍କରେ ନିର୍ଦ୍ଦିଷ୍ଟ ଆଇନ ନାହିଁ।
ଏ କ୍ଷେତ୍ରରେ ଗଣତାନ୍ତ୍ରିକ ଅଧିକ ସୁରକ୍ଷା ସମିତି ବା ‘ଗାସ’ ଆଇନ କମିଶନ ଓ କେନ୍ଦ୍ର ସରକାରଙ୍କ ସାମ୍ନାରେ କିଛି ପ୍ରସ୍ତାବ ରଖିଛି-
୧. ଆଇନ କମିଶନ ନିଜେ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରି ସେ ସମ୍ପର୍କରେ ଦେଶବାସୀଙ୍କ ମତାମତ ଆହ୍ଵାନ କରନ୍ତୁ। ଦେଶର ବିଭିନ୍ନ ମହିଳା, ଆଦିବାସୀ ଓ ଦଳିତ ସଂଗଠନର ମତକୁ ଗୁରୁତ୍ଵର ସହିତ ବିଚାର କରନ୍ତୁ।
୨. ସମାନ ନାଗରିକ ସଂହିତା ପ୍ରସ୍ତୁତି ସମୟରେ ପ୍ରତି ଧର୍ମରେ ରହିଥିବା ଲିଙ୍ଗ ଭେଦକୁ କିପରି ଦୂର କରାଯାଇପାରିବ ତାହାକୁ ମୁଖ୍ୟ ଉଦ୍ଦେଶ୍ୟ ରଖାଯାଉ।
୩. ସମାନ ନାଗରିକ ସଂହିତା ପ୍ରସ୍ତୁତି ସମୟରେ ଆଦିବାସୀଙ୍କ ସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରାଯାଉ।
୪. ଏହା ଅତି ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା କାରଣରୁ ବହୁସଂଖ୍ୟକବାଦକୁ ଗୁରୁତ୍ଵ ନଦେଇ କେନ୍ଦ୍ର ସରକାର ଏ ସମ୍ପର୍କରେ ସଂସଦରେ ଓ ସଂସଦ ବାହାରେ ଦୀର୍ଘ ଆଲୋଚନା କରି ସମସ୍ତଙ୍କ ସହମତିରେ ସମାନ ନାଗରିକ ସଂହିତା ପ୍ରଣୟନ କରନ୍ତୁ।
୫. ଦେଶ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବା କାରଣରୁ ଧାର୍ମିକ ପରମ୍ପରା ବ୍ୟକ୍ତିଗତ ବ୍ୟାପାର ଭାବରେ ଗଣନା କରାଯାଉ ଓ ଧାର୍ମିକ ଅନୁଷ୍ଠାନମାନଙ୍କ ପ୍ରଭାବରୁ ସର୍ବସାଧାରଣଙ୍କ ବିବାହ ଭଳି ସାମାଜିକ କାର୍ଯ୍ୟକୁ ମୁକ୍ତ ରଖାଯାଉ। ଏଥିଲାଗି ଆବଶ୍ୟକୀୟ ପଦକ୍ଷେପ ସରକାର ନିଅନ୍ତୁ।
୬. ଦେଶରେ ଅନୁଷ୍ଠିତ ସମସ୍ତ ଧର୍ମାବଲମ୍ବୀଙ୍କ ବିବାହକୁ ପ୍ରଥମେ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଉ। ସମାଜରେ ଜାତିପ୍ରଥାର ବିଲୋପନ ଲାଗି ବିବାହ ଭଳି ସାମାଜିକ କାର୍ଯ୍ୟକ୍ରମରେ ବ୍ରାହ୍ମଣର ଆବଶ୍ୟକତାକୁ ଗୌଣ କରିବା ଭଳି ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରାଯାଉ। ସେହି ସମାନ ଆଭିମୁଖ୍ୟ ଅନ୍ୟ ଧର୍ମ ଅନୁଷ୍ଠାନ କ୍ଷେତ୍ରରେ ମଧ୍ୟ ରହୁ।
‘ଗାସ’ର ଉକ୍ତ ପ୍ରସ୍ତାବ ସୀମିତ ଅନୁଭୂତି ଆଧାରରେ ପ୍ରସ୍ତୁତ। କେନ୍ଦ୍ର ସରକାର, ସମାନ ନାଗରିକ ସଂହିତା ଲାଗି ବିସ୍ତୃତ ଡ୍ରାଫ୍ଟ ପ୍ରସ୍ତୁତ କରନ୍ତୁ ଓ ଦେଶବାସୀଙ୍କ ମତାମତ ଏଥିଲାଗି ଆହ୍ଵାନ କରନ୍ତୁ।
ଦେବ ରଞ୍ଜନ , ଗୋଲକ ବିହାରୀ ନାଥ
ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡ଼ିଶା, ଯୋଗାଯୋଗ: gassbhubaneswara@gmail.com