Advertisment

ବଜେଟରେ ସମାବେଶୀ ଅଭିବୃଦ୍ଧିର ଆଭାସ ନାହିଁ

ଓଡ଼ିଶାରେ ମୁଣ୍ଡପିଛା ଆୟ ନବଢ଼ିବାର ଯେଉଁସବୁ କାରଣଗୁଡିକ ରହିଛି ସେଥିମଧ୍ୟରୁ କୃଷି ସହିତ ଓଡ଼ିଶାରେ ରହିଥିବା ଶତକଡ଼ା ୪୦ ଭାଗ ଅନୁସୂଚିତ ଜାତି ଓ ଜନଜାତିଙ୍କ ଆର୍ଥିକ ଅବସ୍ଥାରେ ଆଖିଦୃଶିଆ ପରିବର୍ତ୍ତନ ହୋଇପାରୁ ନାହିଁ। ଏହି ଶ୍ରେଣୀର ଲୋକମାନଙ୍କ ଆର୍ଥିକ ବିକାଶ ସମାବେଶୀ ଅର୍ଥନୀତି ଅନୁସାରେ ବିକଶିତ ହେଉନାହିଁ। ଯଦିଓ ଓଡ଼ିଶା ଯେଉଁ ଖଣିଜ ସଂପଦର ରାଜସ୍ୱ ଯୋଗୁ ବଳକା ରାଜସ୍ୱ ଆଦାୟ ଜରିଆରେ ବଜେଟ୍ ବ୍ୟୟବରାଦ ବଢ଼ାଇ ଭୋଟ ଦୃଷ୍ଟିରୁ ସବୁ ଶ୍ରେଣୀକୁ ଖୁସି କରିବା ପାଇଁ ବ୍ୟବସ୍ଥା କରୁଛି, ସେହି ଖଣିଜ ସଂପଦ ରହିଥିବା ଅଂଚଳରେ ହିଁ ମୁଖ୍ୟତଃ ଏହି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଜନସାଧାରଣ ବାସ କରୁଛନ୍ତି।

Odisha Budget

Odisha Budget 2023-24

Advertisment

ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଯେଉଁ ବଜେଟ୍ ଉପସ୍ଥାପିତ କରିଛନ୍ତି, ସେଥିରେ ସବୁ ଶ୍ରେଣୀର ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ବ୍ୟୟବରାଦ ସତ୍ତ୍ୱେ ଓଡ଼ିଶାର ଅନଗ୍ରସରତାକୁ ଦୂର କରିବା ପାଇଁ କୌଣସି ବଡ଼ ଧରଣର ସଂସ୍କାର ଉଦ୍ୟମ କରାଯାଇ ନାହିଁ। ବଜେଟରେ କୃଷି, ମହିଳା, ଶିକ୍ଷା, ସ୍ୱାସ୍ଥ୍ୟ, ଅନୁସୂଚିତ ଜାତି-ଜନଜାତି, ଭିତିଭୂମି ବିକାଶ ସହିତ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ନୂଆନୂଆ କାର୍ଯ୍ୟକ୍ରମର ସୂଚନା ଦିଆଯାଇଛି। ଗତ ୧୮ ବର୍ଷ ହେଲା ଓଡ଼ିଶା ବଜେଟରେ ରାଜସ୍ୱ ନିଅଂଟ ନାହିଁ। ଅର୍ଥାତ୍ ଓଡ଼ିଶା ହେଉଛି ଭାରତରେ ଏପରି ଏକ ରାଜ୍ୟ ଯେଉଁଠାରେ ରାଜସ୍ୱ ବଳକା ରହିଛି।

Advertisment

୨୦୧୩ ମସିହାରୁ ରାଜ୍ୟରେ କୃଷକମାନଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ କରାଯାଉଛି। ୧୦ ବର୍ଷ ଭିତରେ କୃଷି ବଜେଟ୍ ଆକାର ପ୍ରାୟ ୩.୩ ଗୁଣ ବଢ଼ିଛି। କିନ୍ତୁ ରାଜ୍ୟ ବଜେଟର ସାମୂହିକ ଚିତ୍ରକୁ ଦେଖିଲେ କୃଷି କ୍ଷେତ୍ରରେ ବ୍ୟୟବରାଦ ଆଶାନୁରୂପ ବଢ଼ିନାହିଁ। ସମ୍ଭବତଃ ସେଥିପାଇଁ ସାରା ଦେଶରେ କୃଷକମାନଙ୍କର ମୁଣ୍ଡପିଛା ଆୟରେ ଓଡ଼ିଶା ନିମ୍ନ ଆଡୁ ଦ୍ୱିତୀୟ ସ୍ଥାନରେ ରହିଛି। କୃଷି କ୍ଷେତ୍ର ଉପରେ ଏବେ ମଧ୍ୟ ରାଜ୍ୟର ୫୦ ଭାଗରୁ ଊର୍ଦ୍ଧ୍ୱ ଲୋକ ସଂପୂର୍ଣ୍ଣ ନିର୍ଭର କରି ଅଛନ୍ତି। କୃଷକମାନଙ୍କ ଆୟ ବଢ଼ୁନଥିବାରୁ ଖଣି ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଗତିରେ ରାଜ୍ୟର ସମ୍ବଳ ବୃଦ୍ଧି ସତ୍ତ୍ୱେ ମୁଣ୍ଡପିଛା ଆୟରେ ଓଡ଼ିଶା ଜାତୀୟ ହାରଠାରୁ ଏବେ ବି କମ୍ ରହିଛି।

ନିକଟରେ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ଜାତୀୟ ସ୍ତରରେ ହାରାହାରି ମୁଣ୍ଡପିଛା ଆୟ ୧ ଲକ୍ଷ ୭୦ ହଜାର ୭୨୦ ଟଙ୍କା ଥିବାବେଳେ ଓଡ଼ିଶାରେ ତାହା ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କାରେ ସୀମିତ ରହିଛି। ଯଦିଓ ଗତ କିଛିବର୍ଷ ହେଲା ବରାବର କୁହାଯାଉଛି ଯେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ରହିଛି। ଓଡ଼ିଶାରେ ମୁଣ୍ଡପିଛା ଆୟ ନବଢ଼ିବାର ଯେଉଁସବୁ କାରଣଗୁଡିକ ରହିଛି ସେଥିମଧ୍ୟରୁ କୃଷି ସହିତ ଓଡ଼ିଶାରେ ରହିଥିବା ଶତକଡ଼ା ୪୦ ଭାଗ ଅନୁସୂଚିତ ଜାତି ଓ ଜନଜାତିଙ୍କ ଆର୍ଥିକ ଅବସ୍ଥାରେ ଆଖିଦୃଶିଆ ପରିବର୍ତ୍ତନ ହୋଇପାରୁ ନାହିଁ। ଏହି ଶ୍ରେଣୀର ଲୋକମାନଙ୍କ ଆର୍ଥିକ ବିକାଶ ସମାବେଶୀ ଅର୍ଥନୀତି ଅନୁସାରେ ବିକଶିତ ହେଉନାହିଁ। ଯଦିଓ ଓଡ଼ିଶା ଯେଉଁ ଖଣିଜ ସଂପଦର ରାଜସ୍ୱ ଯୋଗୁ ବଳକା ରାଜସ୍ୱ ଆଦାୟ ଜରିଆରେ ବଜେଟ୍ ବ୍ୟୟବରାଦ ବଢ଼ାଇ ଭୋଟ ଦୃଷ୍ଟିରୁ ସବୁ ଶ୍ରେଣୀକୁ ଖୁସି କରିବା ପାଇଁ ବ୍ୟବସ୍ଥା କରୁଛି, ସେହି ଖଣିଜ ସଂପଦ ରହିଥିବା ଅଂଚଳରେ ହିଁ ମୁଖ୍ୟତଃ ଏହି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଜନସାଧାରଣ ବାସ କରୁଛନ୍ତି। କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ ବିଶ୍ୱକପ୍ ହକି ଜରିଆରେ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଯାହାସବୁ କରାଯାଉଛି ସେଥିରେ ସେମାନଙ୍କର ପ୍ରକୃତ ଆୟ ବୃଦ୍ଧି ଘଟୁନାହିଁ।

Advertisment

ଆଗାମୀ ବର୍ଷ ବଜେଟ୍ରେ ଏହି ଶ୍ରେଣୀକୁ ସନ୍ତୁଷ୍ଟ କରିବା ପାଇଁ ଶିକ୍ଷା କ୍ଷେତ୍ରରେ ବୃତ୍ତି ଓ ଅନ୍ୟକେତେକ ସୁବିଧା କରାଯାଇଥିଲେ ମଧ୍ୟ ରାଜ୍ୟ ଯେଉଁ କ୍ଷେତ୍ର ଯୋଗୁ ସମୃଦ୍ଧି ହାସଲ କରୁଛି ସେହି କ୍ଷେତ୍ରରେ ହଜାର ହଜାର ବର୍ଷ ଧରି ରହିଥିବା ଜନସାଧାରଣ କାହିଁକି ପଛରେ ରହିଛନ୍ତି, ତାହାର ପ୍ରକୃତ କାରଣ ଅନୁସନ୍ଧାନ କରାଯାଉ ନାହିଁ। ଯେପରି କୃଷି କ୍ଷେତ୍ରରେ କୌଣସି ସଂସ୍କାରମୂଳକ ପଦକ୍ଷେପ ନିଆଯାଉନାହିଁ, ଠିକ୍ ସେହିପରି ଅନୁସୂଚିତ ଜାତି ଓ ଜନଜାତି ବାସ କରୁଥିବା ଅଂଚଳରୁ ବିକାଶ ନାମରେ ଖଣିଜ ସଂପଦ ଓ ଜଙ୍ଗଲ ସଂପଦ ଲୁଟ ହେଉଥିଲେ ମଧ୍ୟ ସେମାନଙ୍କୁ ସେଥିରୁ କାଣିଚାଏ ଫାଇଦା ମିଳୁନାହିଁ। ଏହିସବୁ କ୍ଷେତ୍ରରେ ସେମାନଙ୍କ ନିଯୁକ୍ତି ପୂର୍ବାପେକ୍ଷା କମିବାରେ ଲାଗିଛି। କାରଣ ଅଧିକାଂଶ ଖଣିଜ କାର୍ଯ୍ୟ ଓ ଖଣିଭିତିକ ଶିଳ୍ପ ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ କରାଯାଉଛି। ଏଣୁ ସେହି ଅଂଚଳରେ ବାସ କରୁଥିବା ଲୋକମାନେ ଏହି ଶିଳ୍ପ ଦ୍ୱାରା ସିଧାସଳଖ ଭାବରେ ନିଯୁକ୍ତି ପାଉନାହାନ୍ତି। ଏ କ୍ଷେତ୍ରରେ ଯେଉଁ ସଂସ୍କାର ଆବଶ୍ୟକ ତାହା କରାଯାଇନାହିଁ। ବରଂ ‘ପେସା’ ଆଇନ୍ ଓ ‘ଜଙ୍ଗଲ ଅଧିକାର’ ଆଇନ୍ ବଳରେ ସେମାନଙ୍କୁ ମିଳିଥିବା ଅଧିକାରକୁ କିପରି ସଂକୁଚିତ କରାଯିବ ସେଥିପାଇଁ ଆଇନଶୃଙ୍ଖଳା ନାଁରେ କଠୋର ପୋଲିସ କାର୍ଯ୍ୟାନୁଷ୍ଠାନ କରାଯାଇ ସେମାନଙ୍କ ଅଭିଯୋଗକୁ ଦବେଇ ଦିଆଯାଉଛି।

କୃଷି କ୍ଷେତ୍ରରେ ଯେଉଁ ବ୍ୟୟବରାଦ ହୋଇଛି ତାହା ଯେପରି କୃଷକମାନଙ୍କ ପ୍ରକୃତ ଆୟ ବୃଦ୍ଧିରେ ସହାୟକ ହେଉନାହିଁ, ଠିକ୍ ସେହିପରି ଅନୁସୂଚିତ ଜାତି ଓ ଜନଜାତି କ୍ଷେତ୍ରରେ ବ୍ୟୟବରାଦ ସେମାନଙ୍କ ପ୍ରକୃତ ଆୟ ବଢ଼େଇ ପାରୁନାହିଁ। ସେମାନେ କୃଷି କାର୍ଯ୍ୟରେ ବେଶ୍ ଦକ୍ଷ ହୋଇଥିଲେ ମଧ୍ୟ ସେମାନଙ୍କ ହାତରେ ଚାଷ ଜମି ଯଥେଷ୍ଟ କମ୍ ରହିଛି। ଅପରପକ୍ଷରେ ଯେଉଁମାନଙ୍କ ହାତରେ ଚାଷ ଜମି ରହିଛି ସେମାନେ ଭାଗ ଦେଇ ଚାଷ କାର୍ଯ୍ୟ କରୁଛନ୍ତି। ଭାଗଚାଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଯେଉଁମାନେ କୃଷି ପାଇଁ ହେଉଥିବା ବ୍ୟୟବରାଦରୁ ଅଧିକାଂଶ ଭାଗ ପାଇବା ଅସମ୍ଭବ। ସେମାନଙ୍କୁ ଋଣ ମିଳେନାହିଁ ବା କ୍ଷତି ହେଲେ ତା’ର ଭରଣା ହୁଏନାହିଁ।

ଖାଦ୍ୟଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଥିବା କୁହାଯାଉଛି। କିନ୍ତୁ ବାସ୍ତବରେ ଦେଖିଲେ କେବଳ ଧାନ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ହୋଇଛି। ଏହାର ଏକମାତ୍ର କାରଣ ହେଲା ଯେ ଧାନ ଖର୍ଦ୍ଦି ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ଓ କେନ୍ଦ୍ର ସରକାର ଏହାର ସହାୟକ ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି। ଅନ୍ୟ କୌଣସି କୃଷିଜାତ ପଦାର୍ଥର ଖର୍ଦ୍ଦି ସର୍ବନିମ୍ନ ସହାୟକ ଦରରେ ହେବା ପାଇଁ ବ୍ୟବସ୍ଥା ନାହିଁ। ଏବେ ବାରମ୍ବାର ଦେଖାଯାଉଛି ଯେ ଧାନ ଖର୍ଦ୍ଦି ପାଇଁ ଯେଉଁ ମଣ୍ଡି ବ୍ୟବସ୍ଥା ରହିଛି, ତାହା ବ୍ୟବସ୍ଥିତ ନୁହେଁ। ସେଥିପାଇଁ ବୌଦ୍ଧର ଚାଷୀ ଧରଣୀଧର ମଣ୍ଡିକୁ ଆସି ଦିନଦିନ ଧରି ଧାନ ବିକ୍ରିକରି ନପାରି ସେଠାରେ ମୃତ୍ୟୁବରଣ କଲେ। ଟୋକନ୍ ବ୍ୟବସ୍ଥା ତାଙ୍କୁ ସାହାଯ୍ୟ କଲା ନାହିଁ। ଅପରପକ୍ଷରେ ଲୋକମାନେ ଯେଉଁ ପରିମାଣରେ ଧାନ ଉତ୍ପାଦନ କରୁଛନ୍ତି ସେହି ପରିମାଣରେ ସରକାର ଧାନ ଖର୍ଦ୍ଦି କରୁନାହାନ୍ତି। ବାସ୍ତବରେ ଉତ୍ପାଦିତ ଧାନର ପ୍ରାୟ ୫୦ ଭାଗ ଧାନ କମ୍ ମୂଲ୍ୟରେ ଚାଷୀ ବିକ୍ରି କରୁଛନ୍ତି।

ରାଜ୍ୟ ସରକାର ବଡ଼ବଡ଼ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରି ଓ ସେମାନଙ୍କୁ ବିଭିନ୍ନ ଖଣିଜ ପଦାର୍ଥର ଲିଜ୍ ଦେଇ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ସେମାନଙ୍କୁ ବିନିଯୋଗ କରିବା ପାଇଁ ନିବେଦନ କରୁଛନ୍ତି। ସେମାନଙ୍କ ପାଇଁ ଜମି, ବିଦ୍ୟୁତ ସଂଯୋଗ ସହ ଅନ୍ୟାନ୍ୟ ସମସ୍ତ ସୁବିଧା କରିବା ପାଇଁ ସରକାର ବ୍ୟଗ୍ରତା ପ୍ରକାଶ କରୁଛନ୍ତି। କିନ୍ତୁ ଓଡ଼ିଶାର ଯେଉଁ ଉଦ୍ୟୋଗୀମାନେ ବିଶେଷ ଭାବରେ କ୍ଷୁଦ୍ର, ମଧ୍ୟମ ଓ କୁଟୀରଶିଳ୍ପ ଉଦ୍ୟୋଗୀ ରାଜ୍ୟର ବିକାଶରେ ପ୍ରକୃତ ସହାୟକ ହେବେ ଏବଂ ଅଧିକ ନିଯୁକ୍ତି ସୃଷ୍ଟି କରିବେ, ସେମାନଙ୍କ ପାଇଁ ସେହି ଧରଣର ଆଗ୍ରହ ସରକାର ପ୍ରକାଶ କରୁନାହାନ୍ତି। କେନ୍ଦ୍ର ସରକାର ପୁଞ୍ଜି ବିନିଯୋଗକୁ ଗୁରୁତ୍ୱ ଦେଇ ଯେଉଁ ନୀତି ଗ୍ରହଣ କରିଛନ୍ତି, ସେଥିରେ ରାଜ୍ୟମାନେ ଏହି ପୁଞ୍ଜି ବିନିଯୋଗ ପାଇଁ ୫୦ ବର୍ଷ ନିମନ୍ତେ ବିନା ସୁଧରେ ଋଣ ପାଇବାର ବ୍ୟବସ୍ଥା କରିଛନ୍ତି। ଏହି ଋଣକୁ ରାଜ୍ୟ ସରକାର କିପରି ବ୍ୟବହାର କରୁଛନ୍ତି? ଏହି ଋଣର ଏକ ଅଂଶ ଯଦି ରାଜ୍ୟର କ୍ଷୁଦ୍ର, ମଧ୍ୟମ ଓ କୁଟୀରଶିଳ୍ପ ବିକାଶରେ ବିନିଯୋଗ କରନ୍ତେ ଓ ସେମାନଙ୍କୁ ପୁଞ୍ଜି ଉପଲବ୍ଧ କରିପାରନ୍ତେ ତେବେ ରାଜ୍ୟରେ ଏହି କ୍ଷେତ୍ରରେ ବିପୁଳ ନିଯୁକ୍ତି ସୃଷ୍ଟି ହୋଇପାରନ୍ତା।

ଦକ୍ଷତା ମିଶନ କଥା କୁହାଯାଉଛି ଓ ରାଜ୍ୟରେ ଦକ୍ଷତା ହାସଲ କରୁଥିବା ଲୋକ ବିଦେଶରେ ନିଯୁକ୍ତି ପାଉଥିବା ତଥ୍ୟ ବି ଦିଆଯାଉଛି। କିନ୍ତୁ ରାଜ୍ୟର ଏହି ବିକଶିତ ଦକ୍ଷ ଲୋକମାନେ କିପରି ରାଜ୍ୟରେ ଉଦ୍ୟୋଗ ପ୍ରତିଷ୍ଠା କରିବେ ସେଥିପାଇଁ ଠିକଣା ବ୍ୟବସ୍ଥା କରାଯାଉନାହିଁ। ଏହି କ୍ଷେତ୍ରରେ କୋଭିଡ୍ ସମୟରେ ବହୁ ଶିଳ୍ପ ବନ୍ଦ ହୋଇଯାଇଛି। ସେଗୁଡିକର ପୁନରୁଦ୍ଧାର ସହିତ ହଜାର ହଜାର ସଂଖ୍ୟାରେ ଏହି କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ହେଲେ ରାଜ୍ୟରେ ଆର୍ଥିକ ବିକାଶ ସହିତ ନିଯୁକ୍ତି ବୃଦ୍ଧି ପାଇପାରିବ। ଏହି କ୍ଷେତ୍ରରେ କେତେ ନିଯୁକ୍ତି ଅଛି ଓ କେତେ ନିଯୁକ୍ତିର ସମ୍ଭାବନା ଅଛି, ତାହା ବଜେଟରେ କୁହାଯାଉ ନାହିଁ। ସେହିପରି ଓଡ଼ିଶାର ପ୍ରାୟ ୯୦ ଭାଗରୁ ଊର୍ଦ୍ଧ୍ୱ ଜନସାଧାରଣ ଦଳିତ, ଆଦିବାସୀ ଓ ପଛୁଆବର୍ଗର ହୋଇଥିବାରୁ ସେମାନଙ୍କର ଆର୍ଥିକ ବିକାଶ ପାଇଁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଅର୍ଥ ନିଗମ ରହିବା କଥା। ବାସ୍ତବରେ ଓଡ଼ିଶାରେ ତାହା ଆରମ୍ଭ ହୋଇଥିଲା, କିନ୍ତୁ ଏହା ଅନେକ ଦିନ ହେଲା ସଂପୂର୍ଣ୍ଣ ବନ୍ଦ ରହିଛି। ଏହି କ୍ଷେତ୍ରରେ ଯଦି ବିନିଯୋଗ ହେବ, ତେବେ ଏହି ଶ୍ରେଣୀରୁ ଅନେକ ଦକ୍ଷ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ବହୁଗୁଡିଏ ଉଦ୍ୟୋଗ ସ୍ଥାପନରେ ସହାୟକ ହୋଇପାରିବେ। ରାଜ୍ୟ ବଜେଟରେ ଏ ସଂପର୍କରେ କିଛି କୁହାନଯିବା ସମସ୍ତଙ୍କୁ ବିସ୍ମିତ କରିଛି।

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

Naveen Patnaik Odisha Politics Odisha Budget 2023-24
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe