‘ସାର’ର ସାର କଥା

ଜାନକୀଶ ବଡ଼ପଣ୍ଡା

ନୋବେଲ ପୁରସ୍କାର ବିଜେତା କୃଷି ବୈଜ୍ଞାନିକ ନର୍ମାନ ବୋରଲଗ କହିଥିଲେ ଯେ, ବିନା ସାରରେ ଆମେ ପୃଥିବୀର ୪୦୦ କୋଟି ଲୋକଙ୍କ ପାଇଁ ଖାଦ୍ୟ ଉତ୍ପାଦନ କରି ପାରିବା; କିନ୍ତୁ ୬୯୦ କୋଟି ଲୋକଙ୍କ ପାଇଁ କରି ପାରିବା ନାହିଁ। ୨୦୫୦ ମସିହା ବେଳକୁ ବିଶ୍ୱର ଲୋକ ସଂଖ୍ୟା ୯୦୦ କୋଟିରୁ ଅଧିକ ହୋଇଯାଇଥିବ। ସେତେବେଳେ ଆମେ ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା କିପରି ଦେବା? ଏହା ଅନସ୍ୱୀକାର୍ଯ୍ୟ ଯେ ରାସାୟନିକ ସାର, ରୋଗ ଓ କୀଟନାଶକ ଔଷଧ ପ୍ରୟୋଗ ନକରି ‘ଜୈବିକ କୃଷି’ ମାଧ୍ୟମରେ ଉତ୍ପାଦିତ ଫସଲ ଉଭୟ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ନିରାପଦ। କିନ୍ତୁ ଏହି ପ୍ରଣାଳୀରେ ଚାଷ କରାଯାଉଥିବା ଫସଲର ଉଚ୍ଚ ଗୁଣାତ୍ମକ ମାନ ସତ୍ତ୍ୱେ ଅପେକ୍ଷାକୃତ ସ୍ୱଳ୍ପ ଅମଳ କାରଣରୁ ଖାଦ୍ୟ ନିରାପତ୍ତା ଦେବା ପାଇଁ ଯଥେଷ୍ଟ ନୁହେଁ।

ଜୈବିକ କୃଷିପାଇଁ ଏକ ଏକର ଜମିରେ ଅନ୍ତତଃ ୨ ଟନ ଖତ ବା କମ୍ପୋଷ୍ଟ ଆବଶ୍ୟକ ହୁଏ। ଏତେ ପରିମାଣର ଖତ ଓ କମ୍ପୋଷ୍ଟ ପ୍ରସ୍ତୁତ କରିବା ଏକ ଅସମ୍ଭବ ବ୍ୟାପାର। ପ୍ରାୟତଃ ବିଭିନ୍ନ ପ୍ରକାର ଫସଲ ଉଣା ଅଧିକେ ୧୪ ଗୋଟି ଉପାଦାନ ଆବଶ୍ୟକ କରନ୍ତି। ଗୋଟିଏ ଉପାଦାନର ଅଭାବ ଅନ୍ୟ କେହି ପୂରଣ କରି ପାରନ୍ତି ନାହିଁ। ଏଣୁ, ଉଭୟ ଖତ ଓ ସାର ସମନ୍ୱିତ ଭାବେ ପ୍ରୟୋଗ କଲେ ହିଁ ଫସଲକୁ ସୁଷମ ପୋଷଣ ମିଳିଥାଏ। ଯଦିଓ ଭାରତ ସରକାର ମୃତ୍ତିକା ପରୀକ୍ଷା ସମେତ ଅନେକ ଯୋଜନା କରି ଅର୍ଥ ବ୍ୟୟ କରିବା ସହ ଜୈବିକ କୃଷି, ଏପରିକି ଖର୍ଚ୍ଚଶୂନ୍ୟ କୃଷି ବା ‘ଜିରୋ ବଜେଟ ଫାର୍ମିଙ୍ଗ’ ପାଇଁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି, ତେବେ ପ୍ରତ୍ୟେକ ଦେଶ ନିଜ ନାଗରିକଙ୍କର ତଥା ବିଶ୍ୱର ଭୋକିଲା ଲୋକଙ୍କ ଖାଦ୍ୟ ନିରାପତ୍ତା ପାଇଁ ଅଧିକ ପରିମାଣର ଫସଲ ଅମଳ କରିବା ଆବଶ୍ୟକ ଓ ସେଥିପାଇଁ ସୁଷମ ସାର ବ୍ୟବହାର କରିବାକୁ ବାଧ୍ୟ।

ଆମର ଚାଷୀ ତଥା ଅଣଚାଷୀ ଜନ ସାଧାରଣଙ୍କ ଅବଗତି ପାଇଁ ରାସାୟନିକ ସାର ବିଷୟରେ କିଛି ସୂଚନା ଦେବା ଉଚିତ ହେବ। ବଜାରରେ ମିଳୁଥିବା ସାର ଉପରେ ସରକାର ରିହାତି ଦେଉନଥିଲେ, ସାରର ମୂଲ୍ୟ ଏତେ ଅଧିକ ହୋଇଥାଆନ୍ତା ଯେ, ଚାଷୀମାନେ ସାର କିଣିପାରୁ ନଥାନ୍ତେ। ଦେଶ ଯେଉଁ ରିହାତି ବା ସବସିଡି ଦିଏ, ତାହା ଉଭୟ ଉତ୍ପାଦନକାରୀ ଓ ଆମଦାନୀକାରୀଙ୍କୁ ସିଧାସଳଖ ଦେଇଥାଏ। ଏହି ରିହାତି ମୁଖ୍ୟତଃ ଦୁଇ ଶ୍ରେଣୀର ସାର ଉପରେ ଦିଆଯାଇଥାଏ।  ପ୍ରଥମଟି ହେଲା ଯବକ୍ଷାରଯାନରୁ ପ୍ରସ୍ତୁତ ୟୁରିଆ ଓ ନାଇଟ୍ରେଟ ଜାତୀୟ ‘N’, ଓ ଦ୍ୱିତୀୟଟି ହେଲା ଫସଫେଟ ‘P’ ଓ ପଟାସ ‘K’। ଏହି ଦୁଇ ଶ୍ରେଣୀକୁ ଆମେ ଯଥାକ୍ରମେ ୟୁରିଆ ଓ ଅଣୟୁରିଆ ସାର କହି ପାରିବା। ତେବେ, ଦିନକୁ ଦିନ ବ୍ୟବହୃତ ସାରର ପରିମାଣ ଓ ଉତ୍ପାଦନମୂଲ୍ୟ ବଢ଼ି ଚାଲିଥିବାରୁ ଆମେ ରିହାତି ପରିମାଣକୁ କ୍ରମାଗତ ଭାବେ ବଢ଼ାଇ ଚାଲିଛେ ଓ ସର୍ବାଧିକ ବିକ୍ରି ମୂଲ୍ୟ ବା ଏମଆରପି ସ୍ଥିର କରୁଛେ, ଯାହାଫଳରେ ଚାଷୀ ସାର କିଣି ପାରିବେ।

ୟୁରିଆ କଥାକୁ ଲକ୍ଷ୍ୟ କଲେ, ଆମେ ଦେଖିବା ଯେ ସରକାର ‘ନୂତନ ଦର ନିର୍ଦ୍ଧାରଣ ଯୋଜନା’ ବା new pricing scheme ‘ଏନପିଏସ’ ଅନୁସାରେ ଉତ୍ପାଦାନକାରୀଙ୍କ ଦ୍ୱାରା ନିର୍ଧାରିତ ମୂଲ୍ୟ ଓ ସର୍ବାଧିକ ବିକ୍ରୟ ମୂଲ୍ୟ ମଧ୍ୟରେ ଥିବା ଫରକ ଅର୍ଥକୁ ରିହାତି ଆକାରରେ ପ୍ରଦାନ କରିବା ଓ ତାହାକୁ ୟୁରିଆ ଶ୍ରେଣୀର ସାର ଉପରେ ଲାଗୁ କରନ୍ତି ଯାହା ଏକ ପ୍ରକାର ‘ବାଧ୍ୟବାଧକତା’। ଅଥଚ, ଅଣୟୁରିଆ ସାର ଉପରେ ସରକାର ପୋଷକ ଭିତ୍ତିକ ଯୋଜନା ବା ନ୍ୟୁଟ୍ରିଏଣ୍ଟ ବେସଡ ସ୍କିମ ‘ଏନବିଏସ’ ଜରିଆରେ ଯେଉଁ ରିହାତି ଦିଅନ୍ତି, ତାହାର ପରିମାଣ ପୋଷକତତ୍ତ୍ୱ ଭିନ୍ନତା ଅନୁଯାୟୀ ନିର୍ଦିଷ୍ଟ ଓ ସ୍ଥିର। ସେହି କାରଣରୁ ୟୁରିଆ ଶ୍ରେଣୀ ସାରର ଖୁଚୁରା ମୂଲ୍ୟ ପ୍ରାୟତଃ ସ୍ଥିର ରହିଲା ବେଳେ ଅଣୟୁରିଆ ଓ ମିଶ୍ରିତ ସାର ମୂଲ୍ୟ ବଢ଼ି ଚାଲିଥାଏ। ୟୁରିଆ ଶ୍ରେଣୀର ସାର ମୂଲ୍ୟ ପ୍ରାୟତଃ ସ୍ଥିର ରହେ ବୋଲି ଏକ ବିଶ୍ୱାସ ସରକାର ଚାଷୀମାନଙ୍କୁ ଦେଇଥାଆନ୍ତି।

ଉଭୟ ସରକାରୀ ଓ ଘରୋଇ ସାର ଉତ୍ପାଦକ ଶିଳ୍ପ ସଂସ୍ଥା ଯେଉଁ ମୂଲ୍ୟରେ କାରଖାନାରୁ ମାଲ ଛାଡ଼ନ୍ତି, ସେହି ମୂଲ୍ୟ ଉପରେ ସରକାର ରିହାତି ଦେଇ ବଜାର ମୂଲ୍ୟକୁ ସ୍ଥିର ରଖିବାକୁ ସବୁବେଳେ ଚେଷ୍ଟା କରିଥାଆନ୍ତି। ଏହି କାରଣରୁ, ସରକାରଙ୍କୁ ସବୁବେଳେ ରିହାତି ପରିମାଣକୁ ପରିବର୍ତ୍ତନ କରିବାକୁ ପଡ଼େ, ଯାହା ସାଧାରଣତଃ ବଢ଼ି ଚାଲିଥାଏ। ବିଦେଶରୁ ଆମଦାନୀକରା ୟୁରିଆ ସାର ଉପରେ ବି ସମାନ ରିହାତି ନିୟମ ଲାଗୁ କରାଯାଇଥାଏ ଓ ଆମଦାନୀକାରୀଙ୍କ ଉପରେ ସରକାର ନିୟନ୍ତ୍ରଣ ରଖିଥାଆନ୍ତି। ଅଣୟୁରିଆ ସାର ଉତ୍ପାଦନ ଓ ଆମଦାନୀ କ୍ଷେତ୍ରରେ ରିହାତି ପରିମାଣ ସ୍ଥିର ଓ ନିର୍ଦିଷ୍ଟ ଥିବାରୁ ଉତ୍ପାଦନ ତଥା ଆମଦାନୀ ଖର୍ଚ୍ଚ ବଢ଼ିଗଲେ, ସର୍ବୋଚ୍ଚ ବିକ୍ରୟ ମୂଲ୍ୟ ମଧ୍ୟ ବଢ଼ିଯାଇଥାଏ। ଏହି କାରଣରୁ, ଫସଫେଟ ଓ ପଟାସ ଜାତୀୟ ମୌଳିକ, ମିଶ୍ରିତ ଓ ଯୌଗିକ ସାର ମୂଲ୍ୟ କ୍ରମାଗତ ଭାବେ ବଢିଚାଲିଥିଲା ବେଳେ, ୟୁରିଆ ସାର ମୂଲ୍ୟ ପ୍ରାୟତଃ ସ୍ଥିର ରହିଛି।  ସମସ୍ତେ ନିଶ୍ଚୟ ଲକ୍ଷ କରିଥିବେ ଯେ, ଡିଏପି ନାମରେ ଲୋକପ୍ରିୟ ଫସଫେଟ ସାର, ଉଭୟ ୟୁରିଆ ଓ ଅଣୟୁରିଆ ଶ୍ରେଣୀ ଦ୍ଵୟର ଯୌଗିକ ସାର ହୋଇଥିବା ସତ୍ତ୍ୱେ ୟୁରିଆ ମୂଲ୍ୟ ଅପେକ୍ଷା ପ୍ରାୟ ୪.୫ ଗୁଣ ଅଧିକ ମୂଲ୍ୟରେ ବିକ୍ରି ହୁଏ। ଏଣୁ ଚାଷୀମାନେ ବର୍ଦ୍ଧିତ ମୂଲ୍ୟ କାରଣରୁ ଡିଏପି ବଦଳରେ ୟୁରିଆ ସାର ଜମିରେ ପ୍ରୟୋଗ କରୁଛନ୍ତି। ଏହା ଫଳରେ, ଚାଷ ଜମିର ସ୍ୱାସ୍ଥ୍ୟ ବିଗୁଡୁଛି, ଅମଳ କମୁଛି, ଅଧିକ ରୋଗ ପୋକ ହେଉଛି ଓ ପରିବେଶ ପ୍ରଭାବିତ ହେଉଛି। ଏହାର ମୁକାବିଲା କରି ଅଣୟୁରିଆ ସାର ପାଇଁ ମଧ୍ୟ ‘ଏନପିଏସ’ ଲାଗୁ କରିବାକୁ ସରକାର ଗତବର୍ଷ ଚାହିଁଥିଲେ। କିନ୍ତୁ, ଅଣୟୁରିଆ ଶ୍ରେଣୀର ପିଓକେ ସାରଗୁଡିକର ଅନ୍ତର୍ଜାତୀୟ ବଜାର ମୂଲ୍ୟ ଏତେ ଅଧିକ ହୋଇଗଲା ଯେ ରିହାତି ପରିମାଣକୁ ନୂତନ ଦର ନିର୍ଦ୍ଧାରଣ ଯୋଜନା ‘ଏନପିଏସ’ ଅନୁଯାୟୀ ଲାଗୁ କରିପାରିଲେ ନାହିଁ। ଭାରତ ବିଦେଶରୁ ପିଓକେ – ଏହି ଦୁଇ ଜାତୀୟ ଅଣୟୁରିଆ ସାର ଓ କଞ୍ଚାମାଲ ଆମଦାନୀ କରିବାକୁ ବାଧ୍ୟ। କାହିଁକି ନା, ଆମଦେଶରେ ଏହି ଦୁଇ ଜାତୀୟ ସାର ଉପଲବ୍ଧ ନୁହେଁ। ଆମେ ମଧ୍ୟ ବିଦେଶରୁ ଆବଶ୍ୟକତା ଅନୁସାରେ ୟୁରିଆ ଶ୍ରେଣୀର ସାର ଆମଦାନୀ କରିଥାଉ। ତେବେ, ଏହି ଦୁଇ ଶ୍ରେଣୀୟ ଆମଦାନୀକରା ସାର ମୂଲ୍ୟ ଦୁଇରୁ ତିନି ଗୁଣା ବଢ଼ିଯିବା କାରଣରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଆମେ କେବଳ ଅଣୟୁରିଆ ସାର କ୍ଷେତ୍ରରେ ପ୍ରଚଳିତ ‘ଏନବିଏସ’ ଯୋଜନାରେ ସୀମିତ ରହିବାକୁ ବାଧ୍ୟ ହୋଇଥିଲେ ଓ ଦେଶରେ ଅଣୟୁରିଆ ସାର ମୂଲ୍ୟ ଅସମ୍ଭବ ଭାବେ ବଢ଼ିଗଲା।

ସରକାର ଯେ ଅଣୟୁରିଆ ଶ୍ରେଣୀର ସାର ପାଇଁ ରିହାତି ପରିମାଣ ବଢ଼ାଇ ନାହାନ୍ତି, ତାହା ନୁହେଁ। ଗତ ବର୍ଷ ଏହି ମଇ  ମାସରେ ପ୍ରତି ଟନ ଡିଏପି  ଉପରେ ‘ଏନବିଏସ’ ଯୋଜନାରେ ଦିଆ ଯାଉଥିବା ରିହାତି ପରିମାଣକୁ ୧୦ ହଜାର ଟଙ୍କାରୁ ବଢ଼ାଇ ୨୪ ହଜାର ତାଙ୍କ କରିବା ସଙ୍ଗେ ସଙ୍ଗେ ଅକ୍ଟୋବର ମାସରେ ରିହାତି ପରିମାଣକୁ ୩୨,୭୬୦ ଟଙ୍କାକୁ ବଢ଼ାଇ ଦେଇଥିଲେ। ଅନ୍ୟାନ୍ୟ ୩ ପ୍ରକାର ଅଣୟୁରିଆ ସାର ଉପରେ ମଧ୍ୟ ରିହାତି ପରିମାଣକୁ ଟନ ପିଛା ୨୦୦୦ ଟଙ୍କା ବଢ଼ାଇ ଦେଇଥିଲେ। ପରିଣାମ ହେଲା ଏଇଆ ଯେ, ଅଣୟୁରିଆ ସାର ଉପରେ ରିହାତି ପରିମାଣ ବଜେଟରେ ଅଟକଳ କରାଯାଇଥିବା ୩୬ ହଜାର କୋଟିରୁ ବଢି ୫୭ ହଜାର କୋଟି ପାର କରିଗଲା। ୟୁରିଆ ଉପରେ ରିହାତି ପରିମାଣ ମଧ୍ୟ ବରାଦ ହୋଇଥିବା ୫୯ ହଜାର କୋଟି ଟଙ୍କା ଉପରେ ଅଧିକ ୪୬ ହଜାର କୋଟି ବୋଝ ହୋଇ ପହଞ୍ଚିଗଲା ୧୦୫ କୋଟି ଟଙ୍କାରେ। ମୋଟାମୋଟି ଦେଖିଲେ, ୨୦୨୧-୨୨ ଆର୍ଥିକ ବର୍ଷରେ ସାର ଉପରେ ରିହାତି ବାବଦକୁ କେନ୍ଦ୍ର ସରକାର ୧୬୨ କୋଟି ଟଙ୍କା ଦେଇଛନ୍ତି ଯାହା ଚାଷୀଙ୍କୁ ପରୋକ୍ଷରେ ପ୍ରଦାନ କରାଯାଇଛି। ଏହି କଥାଟି ହୁଏତ ଅନେକେ ଜାଣନ୍ତି ନାହିଁ।

୨୦୨୨-୨୩ ବର୍ଷ ପାଇଁ ବଜେଟ ପ୍ରସ୍ତାବ ଆଗତ କଲାବେଳେ ଅର୍ଥମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ଯେ, ଅନ୍ତର୍ଜାତୀୟ ବଜାରରେ ସାରମୂଲ୍ୟ କମିଯିବ। ସେହି ଆଶାରେ ସେ ୟୁରିଆ ସାର ରିହାତି ବାବଦକୁ ୬୦ ହଜାର କୋଟି ଓ ଅଣୟୁରିଆ ବାବଦକୁ ୪୫ ହଜାର କୋଟି – ଏପରି ୧୦୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏତେ ସପନକୁ ରାତି ନିଅଣ୍ଟ କରିଦେଇଛି ରୁଷ-ୟୁକ୍ରେନ ଯୁଦ୍ଧ। ଏବେ ଅଣୟୁରିଆ ସାର ମୂଲ୍ୟ ବଢିଯାଇଛି କାହିଁରେ କ’ଣ। ଆମଦାନୀକରା ୟୁରିଆ ମୂଲ୍ୟ ମଧ୍ୟ ବଢ଼ିଯାଇ ଘୋଷିତ ରିହାତି ପରିମାଣକୁ ଉପହାସ କରିଚାଲିଛି। ଚଳିତ ଖରିଫ ଋତୁ ପାଇଁ ଆବଶ୍ୟକ ଅଣୟୁରିଆ ସାର ଉପରେ ରିହାତି ଭାବେ ୬୦,୯୩୯ କୋଟି ଟଙ୍କା ପ୍ରଦାନ କରିବାକୁ କେନ୍ଦ୍ର ସ୍ଥିର କରିଥିବା ଉଲ୍ଲେଖଯୋଗ୍ୟ। ଏବେ, ସୁପର ଓ ଡିଏପି ସାର ବସ୍ତା ପିଛା ରିହାତି ପରିମାଣ ୧,୬୫୦ ଟଙ୍କାରୁ ବଢ଼ି ୨,୫୦୦ ଟଙ୍କା  ହେବାକୁ ଯାଉଛି। ପରିଣାମରେ, ଚଳିତ ଖରିଫ ଋତୁରେ କେବଳ ଅଣୟୁରିଆ ସାର ଉପରେ ରିହାତି ବାବଦକୁ ଖର୍ଚ୍ଚ ହେବ ୬୦,୯୩୯ କୋଟି ଟଙ୍କା। ଆଗକୁ ଅନ୍ତର୍ଜାତୀୟ ବଜାରରେ ଯେତେ ଅଧିକ ମୂଲ୍ୟବୃଦ୍ଧି ହେବ, ତାହାକୁ ଅଲଗା ଭରଣା କରିବେ କେନ୍ଦ୍ର ସରକାର। ଆଗାମୀ ରବି ଋତୁରେ ଅଣୟୁରିଆ ସାର ଉପରେ ମଧ୍ୟ ରିହାତି ଦେବେ, ଯାହାର ପରିମାଣ ହେବ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ। ୟୁରିଆ ଉପରେ ଦିଆଯାଉଥିବା ରିହାତି ମିଶିଗଲେ, ଏହା ୨ ଲକ୍ଷ କୋଟି ଟଙ୍କା ଛୁଇଁବା ଥୟ। ଆମେ ଆମର ଆବଶ୍ୟକତାର ୯୦ ପ୍ରତିଶତ ଫସଫରସ ଓ ଶତ ପ୍ରତିଶତ ପଟାସ ଆମଦାନୀ କରୁ। ସେହିପରି, ୟୁରିଆ ୩୩ ପ୍ରତିଶତ ଓ ୫୦ ପ୍ରତିଶତ ଗ୍ୟାସ ଆମଦାନୀ କରୁ। ଏଥିପାଇଁ ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼େ।

ଚାଷୀଙ୍କୁ ପରୋକ୍ଷ ଭାବେ ସାର ଉପରେ ରିହାତି ଦିଆଯାଉ ନଥିଲେ, ଆମର ସବୁଜ ବିପ୍ଲବ ସମ୍ଭବ ହୋଇପାରି ନଥାନ୍ତା ଓ ଆମେ ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରି ନଥାନ୍ତେ। ଆମେ ତଥାପି ଆହୁରି ଅନେକ ବାଟ ଯିବାର ଅଛି। ରିହାତି ସାର କିଣି ଅନେକେ ଏହାକୁ ନଷ୍ଟ କରୁଛନ୍ତି ଓ ଅନାବଶ୍ୟକ ଭାବେ ଅଧିକ ବ୍ୟବହାର କରୁଛନ୍ତି ଓ କୃଷି କ୍ଷେତ୍ରରେ ବ୍ୟବହାର ନକରି ଅଣକୃଷି କର୍ମରେ ବ୍ୟବହାର କରୁଛନ୍ତି। ଏକ ହିସାବ ଅନୁସାରେ, କେବଳ କ୍ଷୁଦ୍ର ଚାଷୀଙ୍କୁ ରିହାତି ସାର ପ୍ରଦାନ, ସାରକୁ ଦକ୍ଷ ବ୍ୟବହାର କରି ଆମେ ବାର୍ଷିକ ପ୍ରାୟ ୫୮,୫୦୦ କୋଟି ରିହାତି ଟଙ୍କା ବଞ୍ଚାଇ ପାରିବା। ଆମକୁ ଯୋଗାଣ ଓ ବଣ୍ଟନ ଶୃଙ୍ଖଳାରେ ସୁଧାର ଆଣିବାକୁ ପଡ଼ିବ। ଆମଦାନୀକାରୀ ଓ ଉତ୍ପାଦନକାରୀଙ୍କୁ ରିହାତି ଦେବା ବଦଳରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ରିହାତି ପ୍ରଦାନ ହେଲେ, ସାର ବଜାର ଅଧିକ ପ୍ରତିଯୋଗିତା ମୂଳକ ହେଲେ, ସାର ଉପରେ ଜିଏସଟି  ଉଚ୍ଛେଦ ହେଲେ ଓ କଞ୍ଚାମାଲ ଆମଦାନୀ ଉପରେ କର ଓ ସେସ ହାର କମାଇଲେ, ଭାରତୀୟ କୃଷି ଅଧିକ ପାରଙ୍ଗମ ହୁଅନ୍ତା।

ଫୋ- ୯୪୩୮୨୯୯୦୩୭

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।