ଚାଟୁକାରଙ୍କ ଜିଭ

ସୁଯୋଗ ଦେଖି କେହି ନଥିଲାବେଳେ ଅନେକ ସମୟରେ ନିଜ ଅଫିସ ଆଉ ଅଫିସରଙ୍କର ଚଉଦ ପୁରୁଷ ଉଦ୍ଧାର କରନ୍ତି। ନିଜ ଅଫିସ୍ ଆଉ ଅଫିସରଠାରୁ ନିଜର ସ୍ୱାର୍ଥ ସବୁ ହାସିଲ୍ କରି ସାରିଲା ପରେ ସେମାନଙ୍କୁ ମଦଘଡ଼ା ପରି ଗଡ଼ାଇ ଦିଅନ୍ତି। ସବୁ ମହୁ ଶୋଷି ସାରିଲା ପରେ ଗୋଟିଏ ଅଫିସ୍ ଛାଡ଼ି ଅନ୍ୟ ଅଫିସ୍ ପଳାଇ ଯାଆନ୍ତି। ଅଫିସର ଅବସର ନେଲା ପରେ ଏହି ଚାଟୁକାରମାନେ ତା ନାମ ହିଁ ଭୁଲି ଯାଆନ୍ତି।

Flatterer's Tongue

Debendra Prusty
  • Published: Friday, 03 February 2023
  • , Updated: 03 February 2023, 05:16 PM IST

News highlights

  • ଚାଟୁକାରଙ୍କ ଜିଭର ଶକ୍ତି ଅନେକ ଅଧିକ
  • ଚାଟୁକାରଙ୍କ ଯୋଗୁଁ ଆପଣଙ୍କ ଶିକ୍ଷା, ଦୀକ୍ଷା ଓ ଦକ୍ଷତା ମୂଲ୍ୟହୀନ ହୋଇଯାଇପାରେ
  • ଚାଟୁକାରଙ୍କ ଆକ୍ରମଣରୁ ବର୍ତ୍ତିବାର ସରଳ ଉପାୟ ଜାଣନ୍ତୁ

ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ହେଉଛି ଯେ କୌଣସି ମଣିଷର ମୌଳିକ ଆବଶ୍ୟକତା। ଏ ପୃଥିବୀରେ ବଂଚିବା ପାଇଁ ଏତିକି ନିହାତି ଆବଶ୍ୟକ। ତେବେ ମଣିଷ ଖାଲି ବଂଚି ରହିଲେ ଚଳିବ ନାହିଁ, ମଣିଷକୁ ପ୍ରଗତି ପଥରେ ଆଗକୁ ମଧ୍ୟ ବଢ଼ିବାକୁ ପଡ଼ିବ। ଆଉ ଏ ବଢ଼ିବା ପାଇଁ ଯାହା ଆବଶ୍ୟକ ତାହାହେଲା ବୁଦ୍ଧି, ଜ୍ଞାନ ଆଉ ବିବେକ। ଯଦି ଏ ତିନୋଟି ଆପଣଙ୍କ ପାଖରେ ଅଛି ତାହା ହେଲେ ଆପଣ କେବଳ ବଂଚିବେନି ବରଂ ମର୍ଯ୍ୟାଦାପୂର୍ଣ୍ଣ ଭାବେ ପ୍ରଗତିପଥରେ ଆଗକୁ, ବେଶ୍ ଆଗକୁ ବଢ଼ିପାରିବେ।

କିନ୍ତୁ ଆପଣ ସବୁବେଳେ ଭାଗ୍ୟବାନ ହୋଇନପାରନ୍ତି। ଆପଣଙ୍କ ପାଖରେ ସବୁ ଥାଇ ବି ଅନେକ ସମୟରେ ଆପଣ ପ୍ରଗତିର ସେ ଲମ୍ବା ଦୌଡ଼ରେ ନିଜର ସହକର୍ମୀଙ୍କଠାରୁ ବେଶ୍ ପଛରେ ପଡ଼ି ଯାଆନ୍ତି। ଆପଣଙ୍କଠାରୁ ଶିକ୍ଷା, ଦୀକ୍ଷା ଆଉ ଦକ୍ଷତାରେ କମ୍ ଥାଇ ବି ଅନେକ ସମୟରେ ଅନେକ ଲୋକ ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ମାତ୍ ଦେଉଥିବାର ଅନୁଭବ ଆପଣ କେତେବେଳେ ନା କେତେବେଳେ ନିଶ୍ଚେ କରିଥିବେ। ଯଦି ଆପଣ କେବେ ନିଜକୁ ଏପରି ପରିସ୍ଥିତିରେ ପାଇଥିବେ ସେଥିପାଇଁ ଆପଣ କେବେହେଲେ ନିଜ ଭାଗ୍ୟକୁ ଦୋଷ ଦିଅନ୍ତୁ ନାହିଁ, ବରଂ ଏଥିପାଇଁ ଆପଣ ନିଜର ଜିଭକୁ ଦୋଷଦେଇ ପାରନ୍ତି। ହଁ, ଆପଣଙ୍କଠାରୁ ସବୁଥିରେ କମ୍ ଥାଇ ବି ଜୀବନ ହାଟରେ ବେଶ୍ ସୁରୁଖୁରରେ ସୌଦା କରୁଥିବା ସୌଦାଗରମାନଙ୍କ ପାଖରେ ଚାଟୁକାରିତା ଗୁଣ ଭରପୂର ହୋଇ ଅଛି ଏବଂ ତାଙ୍କ ଜିଭ ଏହି ଚାଟୁକାର ଯୁଦ୍ଧରେ ସେମାନଙ୍କର ପ୍ରମୁଖ ସାରଥି ସାଜିଛି ଏକଥା ଯଦି ଆପଣ ବୁଝି ନାହାନ୍ତି ତାହା ହେଲେ ଆପଣ ଦୁନିଆ ବିଷୟରେ ଅଧିକ ଜାଣି ନାହାନ୍ତି ବା ଦୁନିଆକୁ ବେଶ୍ ଭଲଭାବେ ବୁଝି ନାହାନ୍ତି ବୋଲି ଧରି ନିଅନ୍ତୁ।

ନିଜର କଥା କହିବାର ଅଦ୍ଭୁତ କଳା କୌଶଳ ଯୋଗୁଁ ଜୀବନ ହେଉ ବା କ୍ୟାରିୟର, ଏ ସବୁର ସିଡ଼ିକୁ ରକେଟ୍ ମାର୍କା ଗତିରେ ଚଢୁଥିବା ଏହି ଚାଟୁକାରମାନଙ୍କୁ ଆପଣ ସବୁଆଡ଼େ ପାଇବେ। ସରକାରୀ ହେଉ କି ବେସରକାରୀ ଅଫିସ୍, ଛୋଟ ଦୋକାନ ହେଉ କି ବଡ଼ କର୍ପୋରେଟ୍ ଅନୁଷ୍ଠା।ନ ସବୁଠି, ସବୁବେଳେ ଏହି ଚାଟୁକାର ଏବଂ ସେମାନଙ୍କର ଜିଭର କମାଲ ଆପଣ ଦେଖିବାକୁ ପାଇବେ। ନିଜର ଆତ୍ମ ପ୍ରଶଂସା କରି ଅନ୍ୟ ସହକର୍ମୀଙ୍କୁ ଛୋଟ କରି ବସ୍ ବା ଉପରିସ୍ଥ ଅଫିସରଙ୍କ ପ୍ରଶଂସା ତାଙ୍କ ମୁହଁ ଉପରେ କରି ଚାଟୁକାରମାନେ ନିଜର ରୋଜି ରୋଟି ଯୋଗାଡ଼ କରିଦିଅନ୍ତି। ଆଉ ଏ ଦିଗରେ, ଏ ଚାଟୁକାରଙ୍କ ଜିଭ ସବୁବେଳେ କର୍ମବ୍ୟସ୍ତ ଥାଏ। ଏହି ଚାଟୁକାରମାନଙ୍କୁ ଅନ୍ୟମାନେ ତେଲିଆ, ବରାଦିଆ ଯୋଗାଡ଼ିଆ ଆଦି ବିଶେଷଣ ସହ ସମ୍ବୋଧନ କରୁଥିଲେ ବି ଏମାନଙ୍କର ଏଥିପାଇଁ ପରବାୟ ନଥାଏ। ବରଂ ଏହି ଇଶ୍ୱରଦତ୍ତ ଜିଭ ଏବଂ ଚାଟୁକାରିତା ଗୁଣକୁ ବ୍ୟବହାର କରି ସେମାନେ ନିଜପାଇଁ ଗୋଟାଇ ଚାଲନ୍ତି ଐଶ୍ଚର୍ଯ୍ୟର ହାତିଘୋଡ଼ା ସବୁ। ନିଜ ମନ ମୁତାବକ ପୋଷ୍ଟିଂ ହେଉ ବା ନିଜ ବଦଳି ରୋକିବା, ପୁଣି କେତେବେଳେ ନିଜ ସହକର୍ମୀଙ୍କୁ ଖାଲରେ ପକାଇବା, ଏସବୁ ବେଶ୍ ସହଜରେ କରିପାରନ୍ତି ଏହି ଚାଟୁକାରମାନେ ନିଜ ଜିଭର ପ୍ରୟୋଗ କରି। ଅଫିସରଙ୍କ ଅନୁପସ୍ଥିତିରେ ନିଜକୁ ହିଁ ଏକମାତ୍ର ଇଶ୍ୱର ବୋଲି କଳେବଳେ କୌଶଳେ ପ୍ରମାଣ କରିବାକୁ ଲାଗିପଡ଼ନ୍ତି ଏହି ଚାଟୁକାରମାନେ। ନିଜ ଦଳର ସବୁ ଟିକିନିଖି ଖବର ନିଜ ସଂସ୍ଥାର ମାଲିକଙ୍କୁ କହିବା ସହ ମାଲିକଙ୍କ ନଜରରେ ଜଣେ ସୁନାପିଲା ହୋଇ ରହୁଥିବା କାରଣରୁ ଗୋଟା ଅଫିସ୍ ଏପରି ଚରିତ୍ରଙ୍କୁ ଭୟ ଏବଂ ଘୃଣା କରୁଥିଲେ ବି ଏମାନଙ୍କର ଜିଭର ଦାଉରୁ ବଂଚିବାର କୌଣସି ବାଟ ନଥାଏ। ଆଉ ଅଫିସ୍ ଏବଂ ମାଲିକ ବି ଚାହାନ୍ତି ଯେ ଅଧିକରୁ ଅଧିକ ଚାଟୁକାର ସେମାନଙ୍କର ଚାରିପଟେ ଘୂରି ବୁଲନ୍ତୁ। ସମୟ ଅସମୟରେ ନିଜର ପ୍ରଂଶସା ଆଉ କାନକୁ ଆରମ ଦେଉଥିବା ପରି ବାକ୍ୟ ଯଥା “ସାରଙ୍କ ପରି ଧର୍ମାତ୍ମା ମୁଁ କେଉଁଠି ଦେଖି ନାହିଁ”, “ ଆପଣଙ୍କଠାରୁ ଯାହା ଶିଖିଛି ଅନ୍ୟମାନଙ୍କଠାରୁ ତାହା ଶିଖିପାରିନଥାନ୍ତି”, “ ଆପଣ ଅଛନ୍ତି ବୋଲି ଆମେ ଅଛୁ ନ ହେଲେ କେବେଠାରୁ ଭାସି ଯାଆନ୍ତୁଣି” ପରି ବାକ୍ୟ କାହାକୁ ଶୁଣିବାକୁ ଭଲ ନଲାଗେ ଯେ?

ସବୁ ଚାଟୁକାର ଯେ ନିଜ ଅଫିସର, ନିଜ କମ୍ପାନୀ କିମ୍ବା ଅଫିସ୍ ପ୍ରତି ସମ୍ବେଦନଶୀଳ ବା ସେମାନଙ୍କର ଲକ୍ଷ୍ୟ ପ୍ରତି ସମର୍ପିତ ତାହା ନୁହେଁ। ସୁଯୋଗ ଦେଖି କେହି ନଥିଲାବେଳେ ଅନେକ ସମୟରେ ନିଜ ଅଫିସ ଆଉ ଅଫିସରଙ୍କର ଚଉଦ ପୁରୁଷ ଉଦ୍ଧାର କରନ୍ତି। ନିଜ ଅଫିସ୍ ଆଉ ଅଫିସରଠାରୁ ନିଜର ସ୍ୱାର୍ଥ ସବୁ ହାସିଲ୍ କରି ସାରିଲା ପରେ ସେମାନଙ୍କୁ ମଦଘଡ଼ା ପରି ଗଡ଼ାଇ ଦିଅନ୍ତି। ସବୁ ମହୁ ଶୋଷି ସାରିଲା ପରେ ଗୋଟିଏ ଅଫିସ୍ ଛାଡ଼ି ଅନ୍ୟ ଅଫିସ୍ ପଳାଇ ଯାଆନ୍ତି। ଅଫିସର ଅବସର ନେଲା ପରେ ଏହି ଚାଟୁକାରମାନେ ତା ନାମ ହିଁ ଭୁଲି ଯାଆନ୍ତି।

ଏ ଚାଟୁକାରମାନଙ୍କର ସଂଖ୍ୟା ଏବଂ ସେମାନଙ୍କର ଅଧିକାରୀମାନଙ୍କୁ ତୋଷ କରିବାର କୌଶଳ ବେଶ୍ ଚିନ୍ତା ଜନକଭାବେ ବଢ଼ି ଚାଲିଛି। ବସଙ୍କ ଶାଳୀଙ୍କୁ ସ୍କୁଟି ଶିଖାଇବାଠାରୁ ଆରମ୍ଭ କରି ଅଫିସରଙ୍କ ଘର ପାଇଁ ପନିପରିବା କିଣିଦେବା, ପୁଣି ସମୟ ଅସମୟରେ ଅଧିକାରୀଙ୍କ ମୋବାଇଲ ରିଚାର୍ଜ କରିବା ହେଉ କିମ୍ବା କେବଳ ଧର୍ମଘଟ ଦିନ ଆଗୁଆ ଅଫିସ୍ ପହଁଚିବା ହେଉ, ଏମାନଙ୍କର ଫନ୍ଦିଫିକର ଏତେ ବ୍ୟାପକ ଯେ ଆପଣ ସେ ଚାଟୁକାରଙ୍କୁ ଟକ୍କର ଦେବାକୁ ଚାହିଁଲେ ବି ପାରିବେନି। ଆପଣ ସେମାନଙ୍କ ସହ ଲାଗିଲେ କ୍ଷତାକ୍ତ ହେବେ, ଆପଣଙ୍କର ରକ୍ତଚାପ ବଢ଼ିବ, ଆଉ ଆପଣ ହିଁ ଅପଦସ୍ତ ହେବେ। ନିଜ ଜିଭର ଉପଯୋଗ କରି ବିଫଳତାକୁ ସଫଳତାରେ ଆଉ ସମସ୍ତଙ୍କର ଭାଗକୁ ନିଜ ଭାଗରେ ପରିବର୍ତ୍ତନ କରିବାରେ ଏମାନେ ସତରେ ମାହିର।

ଏଭଳି ଚାଟୁକାରଙ୍କଠୁ ତଥାପି ପାର ପାଇଯିବାର କିଛି ସରଳ ଉପାୟ ରହିଛି। ଯେମିତି ଅଫିସରେ ଏମାନଙ୍କ ପାଖରେ ନିଜର ବ୍ୟକ୍ତିଗତ ସମସ୍ୟା ନ ଗପିବା, ନିଜ ଅଧିକାରୀଙ୍କ ବିରୋଧରେ କାହା ପାଖରେ ନ କହିବା, ଏମିତି କି ଅଫିସର କୌଣସି ନିଷ୍ପତ୍ତି ବିରୋଧରେ କେବେ ନଯିବା ଆଦି କାମ କଲେ ଏହି ଚାଟୁକାରରୁପୀ ପଙ୍ଗପାଳମାନେ କେବେ ବି ଆପଣଙ୍କ ରାସ୍ତାର ପ୍ରତିବନ୍ଧକ ହୋଇପାରିବେ ନାହିଁ। ଆପଣ ପ୍ରଗତିର ରାସ୍ତାରେ ବେଶ୍ ଦ୍ରୁତ ଗତିରେ ଦୌଡ଼ି ପାରିବେ।

ରୁଦ୍ର ପ୍ରସନ୍ନ ରଥ

ଧବଳଗିରି, ଯାଜପୁର ରୋଡ୍

ଫୋ-୭୯୭୮୬୭୧୭୭୬

Related story