୨୦୨୩ ଏପ୍ରିଲ ମାସ ୧୯ ତାରିଖରେ ପ୍ରକାଶିତ 'ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି' (ୟୁନାଇଟେଡ଼ ନେସନ୍ସ ପପୁଲେସନ ଫଣ୍ଡ ବା ସଂକ୍ଷେପରେ (ୟୁଏନଏଫପି) ରିପୋର୍ଟରେ ଆକଳନ କରାଯାଇଛି ଯେ ଭାରତର ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷ ଛୁଇଁ ସାରିଛି ଓ ବିଶ୍ୱର ସବୁଠୁ ଅଧିକ ମଣିଷଙ୍କ ଦେଶଭାବେ ଉଭା ହୋଇଛି। ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବେ ପରିଗଣିତ ହୋଇଆସୁଥିବା ଚୀନ ଦେଶର ଲୋକସଂଖ୍ୟା ଭାରତଠାରୁ ପ୍ରାୟ ୨୯ ଲକ୍ଷ କମିଯାଇ ସୀମିତ ହୋଇଯାଇଛି ୧୪୨ କୋଟି ୫୭ ଲକ୍ଷରେ। ଆଜି ଭାରତ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଓ ସର୍ବାଧିକ ଲୋକ ବାସ କରୁଥିବା ରାଷ୍ଟ୍ର। ପୃଥିବୀର ଜନସଂଖ୍ୟା ସମ୍ପ୍ରତି ୮୦୦ କୋଟି ଅତିକ୍ରମ କରିଛି ଓ ଏହାର ୧୭.୬ ପ୍ରତିଶତ ଅଂଶ ଅଧିକାର କରିନେଇଛି ବିକାଶଶୀଳ ରାଷ୍ଟ୍ର ଭାରତ।
ଏହି ହିସାବ ଅନୁସାରେ ଭାରତର ସଦ୍ୟଜନ୍ମିତ ଶିଶୁଙ୍କଠାରୁ ୧୪ ବର୍ଷର ପିଲାଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୫ ପ୍ରତିଶତ, ୧୦ରୁ ୧୯ ବର୍ଷର ଲୋକସଂଖ୍ୟା ୧୮ ପ୍ରତିଶତ, ୧୦ରୁ ୨୪ ବର୍ଷର ଲୋକସଂଖ୍ୟା ୨୬ ପ୍ରତିଶତ ଓ ୧୫ ବର୍ଷରୁ ୬୪ ବର୍ଷ ଯାଏଁ ଲୋକସଂଖ୍ୟା ୬୮ ପ୍ରତିଶତ। ୬୫ ବର୍ଷ ଓ ତାହାଠୁ ଅଧିକ ବୟସର ଲୋକସଂଖ୍ୟା ମାତ୍ର ୭ ପ୍ରତିଶତ। ଭାରତରେ ୨୦୨୧ରେ ହେବାକୁ ଥିବା ଜନଗଣନା କାର୍ଯ୍ୟ କୋଭିଡ କାରଣରୁ ଆରମ୍ଭ ହୋଇ ନଥିବାରୁ ନୀତି ଆୟୋଗ ବହୁ ପୂର୍ବରୁ ଆଶଙ୍କା ପ୍ରକାଶ କରିଥିଲେ ଯେ, ୨୦୨୨ ସରିବା ବେଳକୁ ଭାରତ ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ପ୍ରଥମସ୍ଥାନ ନେଇସାରିଥିବ। ଜାତିସଙ୍ଘ ରିପୋର୍ଟରେ ଏଭଳି ତଥ୍ୟ ପ୍ରକାଶ ପାଇବାର ବହୁ ପୂର୍ବରୁ, ପରିସଂଖ୍ୟାନ ଓ ଗାଣିତିକ ନିୟମ ପ୍ରୟୋଗ କରି ଅନେକ ସଂସ୍ଥା ମଧ୍ୟ ଏପରି ଅନୁମାନ କରିଆସୁଥିଲେ। ଏହି ନିୟମ ବା ସୂତ୍ର ଆଧାରରେ ଅନୁମାନ କରାଯାଉଛି ଯେ, ୨୦୬୦ ସୁଦ୍ଧା ଭାରତର ଜନସଂଖ୍ୟା ବୃଦ୍ଧି ଶୀର୍ଷରେ ପହଞ୍ଚି ୧୬୫ କୋଟି ଛୁଇଁବ ଓ ତା’ ପରଠାରୁ କ୍ରମଶଃ କମି ଚାଲିବ। ସମ୍ଭବତଃ ଆଗାମୀ ଶତାବ୍ଦୀ ଆରମ୍ଭ ବେଳକୁ ଭାରତର ଜନସଂଖ୍ୟା ଆଜି ଭଳି ୧୪୦ କୋଟି ପାଖାପାଖି ହୋଇଥିବ। ଆମର ସମୁଦାୟ ଜନସଂଖ୍ୟାର ଅର୍ଦ୍ଧାଧିକ ହେଉଛନ୍ତି ୩୦ ବର୍ଷରୁ କମ ବୟସର; ଯେଉଁମାନଙ୍କୁ ଆମେ ସମ୍ପଦ କହି ପାରିବା। ଏବେ ଦେଶର କାର୍ଯ୍ୟକ୍ଷମ ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୯୦ କୋଟି। ଏମାନେ ବିକାଶର ନନ୍ଦିଘୋଷକୁ ଆଗକୁ ଟାଣିନେଇ ପାରିବେ। ଭାରତରେ ବୟସ୍କଙ୍କ ସଂଖ୍ୟା ମାତ୍ର ୭ ପ୍ରତିଶତ ଥିଲାବେଳେ ୟୁରୋପରେ ୧୯ ଓ ଉତ୍ତର ଆମେରିକାରେ ୧୭ ପ୍ରତିଶତ। ଜନସଂଖ୍ୟା ହ୍ରାସ ଓ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ଯେ କୌଣସି ଦେଶର ଆର୍ଥିକ ବିକାଶ ପାଇଁ ସହାୟକ ନୁହେଁ।
ଜନସଂଖ୍ୟା ଆକାର ଅଭିବୃଦ୍ଧି ସହ ତାଳଦେଇ ଭୂ-ରାଜନୀତି, ଅର୍ଥନୀତି ଓ ସାଂସ୍କୃତିକ ଶକ୍ତି ଭାବେ ଉଭା ହେବାକୁ ଆଶା କରିଆସିଛି ଭାରତ। ସୌଭାଗ୍ୟକୁ ଜନସଂଖ୍ୟା ଅପେକ୍ଷା ଭାରତର ଅର୍ଥନୀତି ଅଭିବୃଦ୍ଧି ହାର ବିଗତ କିଛି ଦଶନ୍ଧି ଧରି ବଢ଼ିଚାଲିଛି ଯାହାର ଫଳସ୍ୱରୂପ ଦେଶର ଗରିବ ଲୋକଙ୍କ ସଂଖ୍ୟାରେ ଆଖିଦୃଶିଆ ହ୍ରାସ ଘଟିଛି। ଆଜି ଭାରତର କର୍ମକ୍ଷମ ଯୁବଶକ୍ତି ବଢୁଥିଲା ବେଳେ ଅନେକ ଶିଳ୍ପୋନ୍ନତ ଦେଶରେ ବୟସ୍କମାନେ କାମ କରୁଛନ୍ତି, କର୍ମକ୍ଷମଙ୍କ ସଂଖ୍ୟା କମିଯାଉଛି। ଆମର ସେବା କ୍ଷେତ୍ର ଉନ୍ନତ। ଚୀନ ଅପେକ୍ଷା ଆମର ଏଠି ମଜୁରୀ ହାର କମ ଥିବାରୁ ଆମକୁ ଏସବୁର ଲାଭ ଉଠାଇବାକୁ ପଡ଼ିବ। ଏଠାରେ ଉନ୍ନତ ମାନର ବିକଳ୍ପ ଯନ୍ତ୍ରପାତିଠାରୁ ଉପକରଣ ଯାଏଁ ଉତ୍ପାଦନ କରିବାର ଅପୂର୍ବ ସୁଯୋଗ ରହିଛି। କେବଳ ସୁଯୋଗ ଭାବିନେଲେ ହେବନି। ସୁଯୋଗ ସହିତ ବହୁବିଧ ସମସ୍ୟା ମଧ୍ୟ ଆମକୁ ସାମ୍ନା କରିବାକୁ ପଡ଼ିବ। ଆଜି ବି ବୈଶ୍ଵିକ ମାପଦଣ୍ଡରେ ଅନେକ ଭାରତୀୟ ଗରୀବ ବୋଲି କୁହାଯାଇ ପାରିବ। ଅନେକ ଯୁବ-କର୍ମକ୍ଷମ ଲୋକ ଉପଯୁକ୍ତ ଓ ପର୍ଯ୍ୟାପ୍ତ ଶିକ୍ଷାରୁ ବଞ୍ଚିତ ହୋଇଥିବାରୁ ମନପସନ୍ଦ ନିଯୁକ୍ତି ସୁଯୋଗ ପାଉନାହାନ୍ତି। ମାତ୍ର ଏକ ପଞ୍ଚମାଂଶ ମହିଳା କାମକରି ରୋଜଗାର କରନ୍ତି। ଯଦିଓ ଉନ୍ନତ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆଜି ବି ଚାଲିଛି ଓ ଭାରତ ଦ୍ରୁତ ଧାବମାନ ଅଶ୍ୱ ଭଳି ଲକ୍ଷ୍ୟପଥରେ ଗତିଶୀଳ ରହିଛି, ତଥାପି ଲକ୍ଷ୍ୟସ୍ଥଳ ଅନେକ ଦୂର।
ବିଗତ କିଛି ଦଶନ୍ଧି ଧରି ଚୀନର ଆର୍ଥନୈତିକ ଏବଂ ଭୂ-ରାଜନୈତିକ ଉତ୍ଥାନ କାରଣରୁ ଆମେ ଏକ ବିବର୍ତ୍ତିତ ବିଶ୍ୱ ଦେଖିବାକୁ ପାଇଲେ। ଭାରତ ଭଳି ବିରାଟ ଭୂଖଣ୍ଡ ଯଦି ଚୀନର ଜନସଂଖ୍ୟା ହ୍ରାସକୁ ନିଜ ସପକ୍ଷରେ ବ୍ୟବହାର କରିପାରିବ ଆମେ ପୁଣି ଏକ ବିବର୍ତ୍ତିତ ବିଶ୍ୱ ସୃଷ୍ଟିକରି ପାରିବା। ଏହା ସତ୍ୟ ଯେ, ଭାରତ ଅପେକ୍ଷା ଚୀନ ବହୁଗୁଣରେ ବିତ୍ତଶାଳୀ। କିନ୍ତୁ, ତାହା ମୂଳରୁ ନଥିଲା। ବିଗତ କିଛି ଦଶନ୍ଧି ମଧ୍ୟରେ ଚୀନ ଏପରି ବିତ୍ତଶାଳୀ ହୋଇପାରିଛି। ୧୯୭୦ ବେଳକୁ ମୁଣ୍ଡପିଛା ଆୟ ହିସାବରେ ଚୀନ ଅପେକ୍ଷା ଭାରତ ଥିଲା ଅଧିକ ସମ୍ପନ୍ନ। ସେହି ସମୟରେ ଚୀନ ରାଷ୍ଟ୍ରପତି ଡେଙ୍ଗ ଜିଆଓପିଙ୍ଗ ଦେଶରେ ଅର୍ଥନୀତିକୁ ପ୍ରୋତ୍ସାହନ ଦେଲେ। ଫଳରେ ସେଠାକୁ ବିଦେଶୀ ପୁଞ୍ଜି ଆସିଲା ଏବଂ ରକ୍ଷଣଶୀଳ କମ୍ୟୁନିଷ୍ଟ ଶାସନ ବ୍ୟବସ୍ଥାର ଦୁର୍ବଳତା ଦୂରହେଲା। ଚୀନକୁ ବଡ଼ବଡ଼ କମ୍ପାନୀ ଆସିବାକୁ ଲାଗିଲେ, ସେଠାରେ ଉତ୍ପାଦନ କଲେ ଓ ସାମଗ୍ରୀ ବିଦେଶକୁ ରପ୍ତାନୀ କରିବା ସହ ସ୍ଥାନୀୟ ଚୀନ ଉତ୍ପାଦକଙ୍କୁ ବୈଷୟିକ ଜ୍ଞାନ କୌଶଳ ହସ୍ତାନ୍ତର କଲେ। ଆମେରିକାରେ ଯେଭଳି ବହୁ ପୂର୍ବରୁ ସରକାରୀ ଆଇନ ମାନି ବଜାର ପୁଞ୍ଜି ନିବେଶ ହୋଇପାରିଥିଲା, ସେହିପରି ନିୟନ୍ତ୍ରିତ ଢଙ୍ଗରେ ଛତୁ ଫୁଟିଲା ଭଳି ଚୀନରେ ଶିଳ୍ପସଂସ୍ଥାମାନେ କଳ କାରଖାନା କଲେ। ପରିଣାମରେ, କୃଷି କ୍ଷେତ୍ରରେ ନିଯୁକ୍ତ ଶ୍ରମଶକ୍ତି ସହରମୁହାଁ ହୋଇ କୌଶଳ ଶିକ୍ଷାକରି ଶିଳ୍ପଶ୍ରମିକ ହେଲେ। ଯାନ୍ତ୍ରିକ କୃଷି ପ୍ରବର୍ତ୍ତନ କରାଗଲା। ଗ୍ରାମୀଣ ଅର୍ଥନୀତି, ଗରୀବ ଲୋକଙ୍କ ଦେଶ ଚୀନ ଧୀରେ ଧୀରେ ରୂପାନ୍ତରିତ ହେବାକୁ ଲାଗିଲା ଏକ ଧନଶାଳୀ ସମୃଦ୍ଧ କ୍ଷମତାକେନ୍ଦ୍ର ଭାବେ। ଅନ୍ୟପକ୍ଷରେ, ଭାରତ କମ୍ୟୁନିଷ୍ଟ ଦେଶ ନଥିଲା। ପରାଧୀନତାର ବେଡ଼ିରୁ ମୁକ୍ତିଲାଭ କରି ଏକ ଦୁର୍ବଳ ସମାଜବାଦ ଅର୍ଥନୀତିରେ ବିଶ୍ୱାସ କରୁଥିବା ଦେଶ ଭାରତ କଚ୍ଛପ ଗତିରେ ଆଗକୁ ବଢ଼ୁଥିଲା। ଉଭୟ କୃଷକ ଓ ଶିଳ୍ପପତିଙ୍କ ସ୍ୱାର୍ଥରକ୍ଷା, ରାଜନୈତିକ ଅସ୍ଥିରତା, ବହୁଦଳୀୟ ଗଣତନ୍ତ୍ରର ଘନଘଟା ଭିତରେ ସରକାର ପରେ ସରକାର ଆସୁଥିଲେ ହେଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସହିତ ଶିଳ୍ପ ବିପ୍ଳବ ଭାରତରେ ଆସିପାରୁନଥିଲା। ବିମାନସେବା, ରେଳ, ସଡ଼କ ପରିବହନ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଆଜି ଚୀନ ଆମେରିକାଠାରୁ ବହୁତ ଆଗରେ - ଯାହା ଆମେ ଏବେ ଆରମ୍ଭ କରିଛେ।
ଦ୍ୱିତୀୟତଃ ଶିକ୍ଷା ବ୍ୟବସ୍ଥା। ଚୀନ ନାଗରିକ ଆମ ଅପେକ୍ଷା ଅନେକ ବର୍ଷତଳୁ ଶିକ୍ଷା କ୍ଷେତ୍ରରେ ଆଗୁଆ। ୧୯୪୦-୭୦ ମଧ୍ୟରେ ଅତ୍ୟାଚାରୀ ମାଓ ଜେଡୋଙ୍ଗ ଶାସନରେ ଭଲ କାମ ଥିଲା, ଉଭୟ ପୁଅ ଓ ଝିଅଙ୍କ ପାଇଁ ଶିକ୍ଷା। ପ୍ରଶିକ୍ଷିତ ଲୋକମାନେ ହିଁ ସବୁବେଳେ ଅଧିକ ଉତ୍ପାଦନ କରିବାକୁ ସମର୍ଥ, ଏହା ଚୀନ ପ୍ରମାଣ କରିଛି। ଭାରତ କିନ୍ତୁ ରହିଗଲା ପୁରୁଷ ପ୍ରଧାନ ହୋଇ; ମହିଳା ଶିକ୍ଷା ରହିଯାଇଥିଲା ସୁଦୂର ପରାହତ। ପରିଣାମରେ, ରୋଜଗାର କ୍ଷେତ୍ରରେ ପୁରୁଷ ଓ ନାରୀଙ୍କ ମଧ୍ୟରେ ଶୂନ୍ୟସ୍ଥାନ ସୃଷ୍ଟିହେଲା। ଶିକ୍ଷା ଓ ନିଯୁକ୍ତିଠାରୁ ଆରମ୍ଭ କରି ବିଭିନ୍ନ ମାପଦଣ୍ଡରେ ପଛୁଆ ରହିଗଲେ ମହିଳା। ପରିବର୍ତ୍ତିତ ପରିସ୍ଥିତିରେ, ସର୍ବାଧିକ ଯୁବକର୍ମୀଙ୍କ ଦେଶ ଭାରତର ମହିଳାମାନେ ଦେଶଗଠନରେ ସମାନୁପାତିକ ଭାଗ ନନେଲେ, ସର୍ବାଧିକ ଜନସଂଖ୍ୟାର ରାଷ୍ଟ୍ର ଭାରତ ଆଗକୁ ବଢ଼ିପାରିବନି।
ତୃତୀୟରେ କର୍ମକ୍ଷମ ଜନସଂଖ୍ୟା। ମରୁଡ଼ି ମୁକାବିଲା କରିବାକୁ ୧୯୬୦ ଦଶକରେ ତ୍ରୁଟିପୂର୍ଣ୍ଣ ଏକ ସନ୍ତାନ ନୀତି ପ୍ରବର୍ତ୍ତନ କାରଣରୁ 'ବୟସ୍କଙ୍କ ଦେଶ' ପାଲଟି ଯାଇଛି ଚୀନ। ସେଠାରେ ୨୦୫୦ ମସିହା ବେଳକୁ କର୍ମକ୍ଷମ ଜନସଂଖ୍ୟା ଥିବ ମାତ୍ର ୬୦ କୋଟି, ଯେତେବେଳେ କି ଭାରତରେ ଏହି ସଂଖ୍ୟା ପହଞ୍ଚିଥିବ ୮୦ କୋଟିରେ। ଏହାକୁ ଉପଯୋଗକରି ଭାରତ ନିଜର ଅର୍ଥନୀତି ଓ ବୈଶ୍ଵିକ ପତିଆରା ବୃଦ୍ଧି କରିପାରିବ। କିନ୍ତୁ, ଭାରତ ଯଦି ଏହି ଯୁବଶକ୍ତିର ଉପଯୁକ୍ତ ବିନିଯୋଗ କରି ନପାରେ, ତାହାର ସ୍ଥିତି ଯେ ଅକଳ୍ପନୀୟ ଭାବେ ଅବଦମିତ ହୋଇଯିବ, ତାହା ଭୟ ସୃଷ୍ଟି କରୁଛି। ଭାରତରେ ଏବେ ୩୫ ବର୍ଷରୁ କମ୍ ଯୁବକଙ୍କ ସଂଖ୍ୟା ୬୦%ରୁ ଅଧିକ। ସଠିକ୍ କାର୍ଯ୍ୟକ୍ରମ ଏବଂ ନୀତି ପ୍ରଣୟନ କରାଗଲେ ବର୍ଦ୍ଧିତ ଜନସଂଖ୍ୟା ଅର୍ଥନୈତିକ ଅଭିବୃଦ୍ଧିରେ ବାଧା ସୃଷ୍ଟି କରେ ନାହିଁ। ଏଣୁ ଭାରତ ଏହାର ବର୍ଦ୍ଧିତ ତରୁଣ-ଜନସଂଖ୍ୟାକୁ ସଠିକ କାର୍ଯ୍ୟକ୍ରମ ଓ ନୀତି ପ୍ରଣୟନ କରି ଦ୍ରୁତ-ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟବହାର କରିପାରିବ। ଦେଖିବାକୁ ଗଲେ ଭାରତ ପରି ବିକାଶଶୀଳ ଦେଶ ପାଇଁ ବର୍ଦ୍ଧିତ ଜନସଂଖ୍ୟା ଲାଭଜନକ ସାବ୍ୟସ୍ତ ହୋଇପାରେ।
ଚତୁର୍ଥରେ ଆମେରିକା ସମେତ ବିଭିନ୍ନ ଦେଶ ସହିତ ଭାରତର କୂଟନୈତିକ ସମ୍ପର୍କ ଚୀନ ଅପେକ୍ଷା ଅଧିକ ଦୃଢ଼ ଓ ପାରସ୍ପରିକ ସହଯୋଗ ଆଧାରିତ। ଚଳିତ ବର୍ଷ ଜି-୨୦ ରାଷ୍ଟ୍ର ସମୂହର ସଭାପତିତ୍ୱ କରୁଥିବାରୁ ଭାରତର ସମ୍ମାନ ବଢ଼ିଛି। ଦେଶର ଅଭିବୃଦ୍ଧି ହାର ସମସ୍ତଙ୍କୁ ପଛରେ ପକାଇ ଦେବା ଏକ ଭଲ ସଂକେତ।
ଜନସଂଖ୍ୟା ବୃଦ୍ଧିର ତୀବ୍ରତା ମାପିବାକୁ ଆମେ ମୋଟ ପ୍ରଜନନ ହାର ବା ଟୋଟାଲ ଫର୍ଟିଲିଟି ରେଟ ବା ସଂକ୍ଷେପରେ 'ଟିଏଫଆର'କୁ ଏକକ ରୂପେ ଗ୍ରହଣ କରୁ। ଆମ ଦେଶର ଜନଗଣନା ତଥ୍ୟ ଓ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରୁ ମିଳିଥିବା ତଥ୍ୟ ଅନୁଯାୟୀ ଅଧିକାଂଶ ରାଜ୍ୟର ‘ଟିଏଫଆର' ୧୯୯୪ ମସିହାରେ ୩.୪୦ ଥିଲେ ହେଁ ୨୦୧୫ ମସିହା ବେଳକୁ କମି ୨.୨୦କୁ ଖସି ଆସିଥିଲା ଓ ଏବେ ପହଁଚିଛି ୨.୧୦ରେ। କୌଣସି ଦେଶର ଜନସଂଖ୍ୟାକୁ ସ୍ଥିର ରଖିବାକୁ ହେଲେ ସେହି ଦେଶର ଟିଏଫଆର ୨.୧ ରହିବା ଦରକାର। ଅର୍ଥାତ୍, ୨.୧ରୁ କମ ହେଲେ ଜନସଂଖ୍ୟା ହ୍ରାସ ପାଇବା ସହ କର୍ମ ଉପଯୋଗୀ ବୟସ ବର୍ଗର ସଂଖ୍ୟା କମି ଯାଇଥାଏ। ବିଶ୍ୱର ୮୩ଟି ଦେଶରେ ଏବେ ଟିଏଫଆର ୨.୧ଠାରୁ ତଳେ ଥିବାରୁ ୨୦୫୦ ସୁଦ୍ଧା ସେହି ଦେଶଗୁଡ଼ିକରେ ବୟସ୍କ ଲୋକଙ୍କ ସଂଖ୍ୟା ଆନୁପାତିକ ଭାବେ ବଢ଼ିଯିବାର ଆଶଙ୍କା ଦେଖା ଦେଇଛି। ଆଫ୍ରିକାର କେତେକ ଦେଶରେ ବର୍ତ୍ତମାନ ଏହି ହାର ୩.୦ରୁ ଅଧିକ ହୋଇଥିବା ବେଳେ ତାଇୱାନରେ ଏହା ସର୍ବନିମ୍ନ ୧.୦୭ ଓ ଦକ୍ଷିଣ କୋରିଆ, ସିଙ୍ଗାପୁର, ଜାପାନ, ଜର୍ମାନୀ ଭଳି ଅନେକ ଉନ୍ନତ ଦେଶରେ ୧.୫୦ରୁ କମ। ପଚିଶଟି ଭାରତୀୟ ରାଜ୍ୟରେ ମହିଳାଙ୍କ ହାରାହାରି ପ୍ରଜନନ ହାର ୨.୧ରେ ସୀମିତ ରହିଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ଭାରତର ମୋଟ ପ୍ରଜନନ ହାର ୨୦୨୫ ସୁଦ୍ଧା ୧.୯୩ ଏବଂ ୨୦୩୦ ସୁଦ୍ଧା ୧.୮କୁ ହ୍ରାସ ପାଇପାରେ।
କିନ୍ତୁ ସମଗ୍ର ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା ଓ ଡିଜିଟାଲ ପ୍ରକ୍ରିୟା ଯେଉଁ ହାରରେ ବୃଦ୍ଧି ପାଉଛି ତାହା ଫଳରେ ଭବିଷ୍ୟତରେ ବର୍ଦ୍ଧିତ ତରୁଣ-ଜନସଂଖ୍ୟା ହୁଏତ ନିଯୁକ୍ତି ସୁଯୋଗରୁ ବଞ୍ଚିତ ରହିଯାଇ ପାରନ୍ତି। ଦ୍ଵିତୀୟରେ ପରିବେଶ ଦୃଷ୍ଟିରୁ ଦେଖିଲେ ପୃଥିବୀରେ ଯାହା କିଛି ପ୍ରାକୃତିକ ସମ୍ୱଳ ରହିଛି ସେଥିରେ ପରିବେଶ ପ୍ରତି ବିପଦ ସୃଷ୍ଟି ନ କରି ସର୍ବାଧିକ ୧୯୦ କୋଟି ଲୋକ ସ୍ଵଚ୍ଛନ୍ଦରେ ଚଳି ପାରିବେ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ପୃଥିବୀର ଜନସଂଖ୍ୟା ପ୍ରାୟ ୮୦୦ କୋଟି। ଏଣୁ ଆଗାମୀ ଦିନରେ ଏକ ବୃହତ ଶ୍ରମଶକ୍ତି ଅପେକ୍ଷା ଏକ କ୍ଷୁଦ୍ର ଅଥଚ ଅତ୍ୟଧିକ ଜ୍ଞାନସମ୍ପନ୍ନ କୁଶଳୀ ଶ୍ରମଶକ୍ତି ଅଧିକ ଲାଭଜନକ ସାବ୍ୟସ୍ତ ହୋଇପାରେ। ସେହି ଦୃଷ୍ଟିକୋଣରୁ ଭାରତର ଜନସଂଖ୍ୟା ନିଶ୍ଚିତ ଭାବେ ଉଦବେଗଜନକ।
ଆଗାମୀ ବର୍ଷଗୁଡ଼ିକ ଭାରତ ପାଇଁ ଆହ୍ୱାନଭରା। ଆମେ ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିରେ ପହଞ୍ଚିବା ସହ ସର୍ବାଧିକ କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତି ଭାବେ ପରିଗଣିତ ହେଉଛେ। ସାମରିକ ବ୍ୟୟ ଦୃଷ୍ଟିରୁ ତୃତୀୟ ସ୍ଥାନରେ ଅଛେ। ବିଶ୍ୱର ସର୍ବାଧିକ ଜନସଂଖ୍ୟା ଥିବା ରାଷ୍ଟ୍ରର ମାନ୍ୟତା ଦେଇଥିବା ଜାତିସଂଘ ଏହାକୁ ଏକ ସୁଯୋଗ ଭାବେ ଚିତ୍ରଣ କରିଛି। ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବା ଯାଏଁ ସମୟକୁ ଅର୍ଥାତ ଆଗାମୀ ୨୪ ବର୍ଷକୁ ଦେଶ ଅମୃତ କାଳ ଭାବେ ନାମିତ କରିଛି ଓ ଏହି ସମୟ ଅବଧିରେ ଆମକୁ ବିଶ୍ଵଗୁରୁ ହେବାକୁ ଆହ୍ୱାନ ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟରେ ଯେ କୌଣସି ଦଳ ଆଗାମୀ ବର୍ଷମାନଙ୍କରେ ସରକାର ଗଠନ କରିବେ, ସେମାନଙ୍କ ପାଇଁ ଆହ୍ୱାନ ସମାନ ରହିବ। ଆଶା, ଦେଶ ଓ ଦେଶବାସୀଙ୍କ ହିତରେ ସେମାନେ ନିଶ୍ଚୟ ନିର୍ଣ୍ଣୟ ନେବେ। ଆମକୁ କିନ୍ତୁ ସେହି ସମସ୍ତ ନିର୍ଣ୍ଣୟଗୁଡ଼ିକୁ ମାନି ଚାଲିବାକୁ ପଡ଼ିବ। ସେଥିରେ ସାମାନ୍ୟତମ ତ୍ରୁଟି ହୁଏତ ଏକ ବିଭିଷୀକାମୟ ଗୃହଯୁଦ୍ଧକୁ ନିମନ୍ତ୍ରଣ କରିବ।
ଜାନକୀଶ ବଡ଼ପଣ୍ଡା, ଫୋ- ୯୪୩୮୨୯୯୦୩୭