ସେଦିନ ମାତ୍ର କେଇ ମୂହୂର୍ତ୍ତ ମଧ୍ୟରେ ଭାରତୀୟ କ୍ରିକେଟ୍ ପ୍ରେମୀ ନିଜ ଆଖି ଆଗରେ ଭରତର ପ୍ରସିଦ୍ଧ ବ୍ୟାଟିଂ ଲାଇନ୍ ଅପ୍କୁ ତାସ ଘର ଭଳି ଭୁଷୁଡିବାର ଦେଖିଲେ। ମାତ୍ର କେଇ ଓଭର ତଳେ ବିଜୟ ଆଶାରେ ମସଗୁଲ ଥିବା ଭାରତୀୟ ଦର୍ଶକଙ୍କ ମନରେ ହତାଶା ଭାବ ଦେଖାଦେଲା। ଆଉ ଏହି ହତାଶା ଭାବ ବନାଗ୍ନି ପରି ତୁରନ୍ତ ଚାରିଆଡ଼କୁ ବ୍ୟାପିଗଲା। ଆଖି ପିଛୁଳାକେ ଷ୍ଟାଡିୟମରେ ନିଆଁ ଲାଗିବାର ଦେଖାଗଲା। ଭାରତୀୟ ଦଳ ଏକ ଲଜ୍ଜାଜନକ ପରାଜୟ ବରଣ କରିବା ସହ ବିଶ୍ୱକପରୁ ବିଦାୟ ନେବା ବେଳକୁ ଭାରତର ପ୍ରତିଷ୍ଠା ବିଶ୍ୱ କ୍ରିକେଟ୍ ଦରବାରରେ ଭୁଲୁଣ୍ଠିତ ହୋଇ ସାରିଥିଲା। ଭାରତୀୟ କ୍ରିକେଟର ମକ୍କା କୁହାଯାଉଥିବା ସିଟି ଅଫ ଜୟ କୋଲକାତାର ଇଡେନ ଗାର୍ଡେନରେ ଦର୍ଶକୀୟ ବିଶୃଙ୍ଖଳା ଭାରତର ନାକ କାଟିବାକୁ ଯଥେଷ୍ଟ ଥିଲା।
ପୂର୍ବ ଭାରତର ଅନ୍ୟତମ ସହର କୋଲକାତା କ୍ରିକେଟ୍ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସିଦ୍ଧ। ଏଠାରେ କ୍ରିକେଟ୍ କେବଳ ଗୋଟିଏ କ୍ରୀଡ଼ା ନୁହେଁ, ବରଂ ଏକ ଆବେଗ କହିଲେ ଠିକ୍ ହେବ। ଭାରତୀୟ କ୍ରିକେଟର ଅନ୍ୟତମ ପୁରାତନ ଷ୍ଟାଡିୟମ ଇଡେନ୍ ଗାର୍ଡେନ ଏଠାରେ ଅଛି। ଏହି ଷ୍ଟାଡିୟମ ସହ ଭାରତର ଅନେକ ତିକ୍ତ ଓ ମଧୁର ସ୍ମୃତି ଜଡ଼ିତ ଅଛି। କେତେବେଳେ ଭାରତ ଏଠି ବିଜୟ ଲାଭ କରି ସଗର୍ବେ ଛାତିଫୁଲାଇ ଚାଲିଛି ତ ଆଉ କେତେବେଳେ ପରାଜୟ ଗ୍ଲାନିରେ ଜର୍ଜରିତ ହୋଇଛି।
୧୯୯୬ରେ ଭାରତ, ପାକିସ୍ତାନ ଏବଂ ଶ୍ରୀଲଙ୍କା ମିଳିତ ଭାବେ ବିଶ୍ୱକପ୍ ଆୟୋଜନ କରୁଥାଆନ୍ତି। ଭାରତ ସେମିଫାଇନାଲରେ ଭେଟୁଥାଏ ଶ୍ରୀଲଙ୍କାକୁ ୧୩ ମାର୍ଚ୍ଚ ୧୯୯୬ରେ। ସନତ୍ ଜୟସୂର୍ଯ୍ୟା, ଅରବିନ୍ଦ ଡି ସିଲ୍ଡା, ଅଶାଙ୍କ ଗୁରୁସିଂହେ, ମାର୍ଭନ ଆଟ୍ଟାପଟ୍ଟୁ, କାଲୁବିତରଣା, ମୂରଲୀଧରନଙ୍କ ପରି ଖେଳାଳୀ ଥିଲେ ବି କାହିଁକି କେଜାଣି ଭାରତୀୟ ମାନସିକତାରେ ଗୋଟିଏ ଏମିତି ଦଳର ମାନ୍ୟତା ପାଇଥିଲା ଯାହାକୁ ସହଜରେ ହରାଇ ହେବ। ଏହି ସେମିଫାଇନାଲ ଦେଖିବାକୁ ସେଦିନ ଇଡେନରେ ସମବେତ ହୋଇଥାଆନ୍ତି ପ୍ରାୟ ଏକ ଲକ୍ଷ ଦଶ ହଜାରରୁ ଅଧିକ କ୍ରୀଡ଼ାପ୍ରେମୀ।
ଭାରତ ଟସ ଜିତି ବୋଲିଂ ନେଇଥିଲା ଏବଂ ପ୍ରଥମ ଓଭର ଶେଷ ସୁଦ୍ଧା ଶ୍ରୀଲଙ୍କାର ଦୁଇ ଧୂଆଁଧାର ଓପନର ପାଭଲିୟନ ଫେରି ସାରିଥିଲେ। ତେବେ ଡି ସିଲଭାଙ୍କର ଅର୍ଦ୍ଧ ଶତକ ବଳରେ ଏକଦା ୮୫ ରନରେ ତିନି ୱିକେଟ୍ ହରାଇଥିବା ଶ୍ରୀଲଙ୍କା ୮ ୱିକେଟ୍ ବିନିମୟରେ ୨୫୧ ରନ୍ କରିପାରିଥିଲା। ଏହି ଲକ୍ଷ୍ୟ ସେତେବେଳକୁ ବେଶ୍ ଛୋଟିଆ ମନେ ହେଇଥିଲା। କାରଣ ସେତେବେଳକୁ ଭାରତର କୋହିନୁର ସଚିନ୍ ଫର୍ମରେ ଥିଲେ ଏବଂ ଭାରତ ନିଜ ଘରେ ଲକ୍ଷାଧିକ ଦର୍ଶକଙ୍କ ଆଗରେ ଖେଳୁଥିଲା। ଅନେକ ସମୟରେ ଘରୋଇ ଦର୍ଶକ ଦଳ ପାଇଁ ଦ୍ୱାଦଶତମ ଖେଳାଳୀର ଭୂମିକା ନିର୍ବାହ କରନ୍ତି ଆଉ ଦର୍ଶକଙ୍କ ସମର୍ଥନ ଏବଂ ଜୋଶ ପାଇଁ ଅନେକ ସମୟରେ ପରାଜୟ ଲାଭ କରିବାକୁ ଯାଉଥିବା ଘରୋଇ ଦଳ ବି ବାଜି ଓଲଟାଇ ଦେଇପାରେ। ତେବେ ଯାହା ସମସ୍ତେ ଲକ୍ଷ୍ୟ କରିପାରିନଥିଲେ ତାହା ହେଉଛି ପିଚର ମାନ ବେଶ୍ ଖରାପ ହୋଇ ସାରିଥିଲା ଏବଂ ଏହା ଯେ ସ୍ଲୋ ଏବଂ ଟର୍ନ ନେଇ ବ୍ୟାଟରମାନଙ୍କ ପାଇଁ କବରସ୍ଥଳି ପାଲଟିବ ତାହା ଅନେକଙ୍କ କଳ୍ପନା ବାହାରେ ଥିଲା।
ଭାରତର ଆରମ୍ଭ ବେଶ୍ ଭଲ ଥିଲା ଏବଂ ଏକ ସମୟରେ ଦଳର ରନ୍ ଥିଲା ଗୋଟିଏ ୱିକେଟ୍ ବିନିମୟରେ ୯୮ ରନ୍। କିନ୍ତୁ ତା’ ପରେ ସବୁ ବଦଳି ଗଲା। ଜଣଙ୍କ ପରେ ବ୍ୟାଟର ଆଉଟ୍ ହୋଇ ପାଭଲିୟନ ଫେରି ଚାଲିଲେ। ହଠାତ୍ ଦେଖୁ ଦେଖୁ କେଇ ଓଭର ମଧ୍ୟରେ ଦଳର ସ୍କୋର ୮ ୱିକେଟ୍ ବିନିମୟରେ ୧୨୦ ରନରେ ପହଁଚିଲା। କାମ୍ବଲୀଙ୍କ ବ୍ୟତୀତ ଅନ୍ୟ ସବୁ ଆଗଧାଡ଼ିର ବ୍ୟାଟର ଆଉଟ୍ ହୋଇ ପାଭଲିୟନ ଫେରି ସାରିଥିଲେ।
ଦର୍ଶକମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା। ନିଜେ ଦେଖିଥିବା ସ୍ୱପ୍ନ ସବୁ ମରୀଚିକା ପରି ଦୂରେଇ ଯାଇଥିଲା। ଭାରତର ଆସନ୍ନ ପରାଜୟ ଦର୍ଶକଙ୍କୁ ଆତଙ୍କିତ କଲା। ଖେଳ ହେଲେ ଭାରତ ହାରିବ ତାହା ଏକ ରକମ୍ ନିଶ୍ଚିତ ଥିଲା। ଏପରି ଏକ ଲଜ୍ଜାଜନକ ପରାଜୟକୁ ହଜମ କରିବା ଇଡେନ୍ର ଦର୍ଶକଙ୍କ ମିଜାଜ ବାହାରେ ଥିଲା। ପ୍ରଥମେ ଦର୍ଶକ ଗ୍ୟାଲେରୀରୁ ଖେଳାଳୀମାନଙ୍କ ଉପରକୁ ବୋତଲମାଡ଼ ହେଲା। ତା’ ପରେ ଦର୍ଶକମାନେ ସିଟ୍ରେ ନିଆଁ ଲଗାଇଦେଲେ। ଷ୍ଟାଡିୟମର ବିଭିନ୍ନ କୋଣରୁ ନିଆଁର ସ୍ପୁଲିଙ୍ଗ ଉଠିଲା। ଖେଳାଳୀମାନେ ପଡ଼ିଆ ମଝିରେ ସମବେତ ହେଲେ। ଶ୍ରୀଲଙ୍କାର ଖେଳାଳୀମାନେ ସ୍ତବ୍ଧ ହୋଇଗଲେ। ଭାରତକୁ ଭାରତରେ ବାଜିମାତ କରିବାର ସଫଳ ଚେଷ୍ଟା କରିବାରେ ଶ୍ରୀଲଙ୍କା ଦଳର କଣ ଭୂଲ୍ ରହିଲା ତାହା ଶ୍ରୀଲଙ୍କାର ଖେଳାଳୀମାନେ ଚିନ୍ତା କରିପାରୁନଥିଲେ। ଖେଳ ଆଉ ଖେଳ ପରି ହେବାର ସମ୍ଭାବନା ନଥିଲା। କାରଣ ଷ୍ଟାଡିୟମରେ ଉପସ୍ଥିତ କେଇ ଶହ ପୋଲିସ କର୍ମୀ କିଛି କରିବା ସ୍ଥିତିରେ ନଥିଲେ। ସେମାନେ ଏ ଦର୍ଶକୀୟ ଦଙ୍ଗାକୁ କିଂକର୍ତ୍ତବ୍ୟବିମୂଢ଼ ହୋଇ ଦେଖୁଥିଲେ କେବଳ।
ଶେଷରେ ଏକ ସଠିକ୍ ନିଷ୍ପତ୍ତି ନେଇ ମ୍ୟାଚ୍ ରେଫରୀ କ୍ଲାଇଭ୍ ଲଏଡ୍ ମ୍ୟାଚରେ ଶ୍ରୀଲଙ୍କା ବିଜୟୀ ହେବା ସହ ଅରବିନ୍ଦ ଡି ସିଲଭାଙ୍କୁ ମ୍ୟାନ ଅଫ ଦ ମ୍ୟାଚ୍ ଘୋଷଣା କଲେ। ଏହି ଘୋଷଣାକୁ ନେଇ କାହାର କିଛି ଅଭିଯୋଗ ନଥିଲା। ଭାରତର ପରିଚୟକୁ ବିଶ୍ୱପଟଳରେ ଧୂମିଳ କରିସାରିବା ପରେ ବି ଦର୍ଶକଙ୍କ ରାଗ ଶାନ୍ତ ହୋଇନଥିଲା। ପୁରସ୍କାର ବିତରଣ ସଭାରେ ଆଝାରୁଦ୍ଦିନଙ୍କୁ ମଧ୍ୟ ଦର୍ଶକମାନେ ତିରସ୍କାର କରିଥିଲେ। କ୍ରିକେଟକୁ ପୂଜା କରୁଥିବା ଭାରତୀୟ ଦର୍ଶକଙ୍କ ଆଖିରେ ସେଦିନ ଭାରତୀୟ ଖେଳାଳୀମାନେ ଯେମିତି ଜଣେ ଜଣେ ଖଳନାୟକ ପାଲଟିଯାଇଥିଲେ। ତା ପରଦିନ ଅନେକ ସ୍ଥାନରେ ଖେଳାଳୀଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ଖେଳାଳୀଙ୍କ ଘର ଉପରକୁ ଆକ୍ରମଣ କରାଯାଇଥିଲା।
ଭାରତୀୟ କ୍ରିକେଟ୍ରେ ଷ୍ଟାଡିୟମରେ ବିଶୃଙ୍ଖଳା କିଛି ନୂଆକଥା ନୂହେଁ। କେବଳ ଭାରତ କାହିଁକି ପଡ଼ୋଶୀ ପାକିସ୍ତାନରେ ମଧ୍ୟ ଅତୀତରେ ଏପରି ପରିସ୍ଥିତି ଦେଖିବାକୁ ମିଳିଛି। ଏହା ପୂର୍ବରୁ ୩୧ ଡିସେମ୍ବର ୧୯୬୭ରେ ମଧ୍ୟ ଇଡେନ ଗାର୍ଡେନରେ ଦର୍ଶକୀୟ ବିଶୃଙ୍ଖଳା ଘଟିଥିଲା। ଭାରତ ଏବଂ ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ଘଟିଥିବା ମ୍ୟାଚ୍ରେ ପ୍ରାୟ ୨୦୦୦୦ ଟିକେଟ୍ ଅଧିକ ବିକ୍ରୀ ହୋଇଥିବାରୁ ଷ୍ଟାଡିୟମରେ ଆବଶ୍ୟକତାଠାରୁ ଅଧିକ ଦର୍ଶକ ଯୋଗୁଁ ପ୍ରବଳ ଭିଡ଼ ହୋଇ ଦର୍ଶକ ଏବଂ ପୋଲିସ୍ ମଧ୍ୟରେ ଠେଲାପେଲା, ଏପରିକି ଲୁହବୁହା ବାଷ୍ପ ପ୍ରୟୋଗ ଯାଏ କଥା ଯାଇଥିଲା। ଏଥିରେ ଶତାଧିକ ଆହତ ହୋଇଥିବାବେଳେ ଦର୍ଶକମାନେ ବାଉଁଶ ଖୁଂଟ ଏବଂ ପାଲରେ ନିଆଁ ଲଗାଇ ଦେଇଥିଲେ। ଭାରତୀୟ ଖେଳାଳୀମାନେ ପାଭିଲିୟନରେ ଲୁଚିଥିବାବେଳେ ୱେଷ୍ଟ ଇଣ୍ଡିଜର ଖେଳାଳୀମାନେ ଷ୍ଟାଡିୟମ ବାହାରେ ରାସ୍ତାରେ ଦୌଡ଼ିଥିଲେ। ସେମାନଙ୍କୁ ପରେ ହୋଟଲେରେ ନିରାପଦରେ ଛଡ଼ା ଯାଇଥିଲା। ତେବେ ଖୁସିର କଥା ହେଉଛି ଯେ ତା’ ପରଦିନ ସେମାନେ ସେହି ଷ୍ଟାଡିୟମରେ ପୁଣିଥରେ ମ୍ୟାଚ୍ ଖେଳିବାକୁ ଆଦୌ କୁଣ୍ଠାବୋଧ କରିନଥିଲେ।
ସେମିତି ୧୯୯୯ରେ ମଧ୍ୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ କ୍ରିକେଟ୍ ବେଳେ ଦର୍ଶକୀୟ ବିଶୃଙ୍ଖଳା ଘଟିଥିଲା। ଭାରତର ତେନ୍ଦୁଲକର ପାକିସ୍ତାନର ସୋଏବ ଅଖତରଙ୍କ ସହିତ ଧକ୍କା ଖାଇ ରନ୍ ଆଉଟ୍ ହୋଇଥିଲେ। ୱାସିମ ଆକ୍ରମଙ୍କ ଏକ ବଲକୁ ତେନ୍ଦୁଲକର ଖେଳିସାରିଲା ପରେ ଦୁଇ ରନ୍ ନେଇସାରି ତୃତୀୟ ରନ୍ ନେଲାବେଳେ ନନ୍ ଷ୍ଟ୍ରାଇକର ପାଖକୁ ବଲ ସଂଗ୍ରହ କରିବାକୁ ଆସିଥିବା ସୋଏବ୍ ଅଖତରଙ୍କ ସହ ଧକ୍କା ଖାଇଲେ ଏବଂ ଏକ ସିଧାସଳଖ ଥ୍ରୋରେ ସଚିନ୍ ରନ୍ ଆଉଟ୍ ହୋଇଗଲେ।
ଯଦିଓ ରିପ୍ଲେରେ ଦେଖାଯାଇଥିଲା ଯେ ସୋଏବ୍ ଅଖତର ଏହାକୁ ଜାଣିଶୁଣି କରିନାହାନ୍ତି ଏବଂ ଏ ନେଇ ତେନ୍ଦୁଲକରଙ୍କର ମଧ୍ୟ କୌଣସି ଅଭିଯୋଗ ନଥିଲା ତଥାପି ଦର୍ଶକ ଏହାକୁ ବୁଝିବାକୁ ପ୍ରସ୍ତୁତ ନଥିଲେ। ଏସିୟାନ ଟେଷ୍ଟ ଚାମ୍ପିୟନଶିପର ଏହି ମ୍ୟାଚ୍ରେ ଦର୍ଶକମାନେ ପୁଣି ପଡ଼ିଆ ଭିତରକୁ ବୋତଲ ଫୋପାଡ଼ିବା ଆରମ୍ଭ କରିଦେଲେ। ଖେଳ ବନ୍ଦ ରହିଲା। ଦର୍ଶକ ଆଶା କରୁଥିଲେ ଯେ ଯେହେତୁ ସୋଏବଙ୍କ ସହ ଧକ୍କା ହେବା ଦ୍ୱାରା ସଚିନ୍ ବ୍ୟାଟ୍କୁ ଠିକ୍ ଭାବେ କ୍ରିଜ୍ରେ ଲଗାଇ ପାରିନାହାନ୍ତି ତେଣୁ ପାକିସ୍ତାନ ଉତ୍ତମ କ୍ରୀଡ଼ା ଭାବନାର ପରିଚୟ ଦେଇ ସଚିନଙ୍କ ଆଉଟ୍ ଆବେଦନକୁ ଫେରାଇ ଆଣି ତାଙ୍କୁ ଆଉଥରେ ବ୍ୟାଟିଂ କରିବାର ସୁଯୋଗ ଦେବ। ମାତ୍ର ପାକିସ୍ତାନର ଅଧିନାୟକ ୱାସିମ୍ ଆକ୍ରମ ଏପରି ମୁଡ୍ରେ ନଥିଲେ। ତେଣୁ ଦର୍ଶକମାନେ ରାଗରେ ପଡ଼ିଆକୁ ବୋତଲ ପକାଇବା ସହ ଖେଳରେ ବାଧା ସୃଷ୍ଟି କରିବାକୁ ଲାଗିଲେ। ଏପରି ହେବା ପରେ ସଚିନ୍ ନିଜେ ଆସି ପଡ଼ିଆ ଚାରିପଟେ ଦୌଡ଼ି ଦର୍ଶକମାନଙ୍କୁ ଶୃଙ୍ଖଳିତ ହେବା ସହ ଖେଳ ଜାରୀ ରଖିବା ପାଇଁ ବାତାବରଣ ତିଆରି କରିବାକୁ ଅନୁରୋଧ କଲେ। ହେଲେ ହାୟ ସେଦିନ ସଚିନଙ୍କ କଥା ଶୁଣିବାକୁ କେହି ନଥିଲେ।
ପରେ ସବୁ ଦର୍ଶକଙ୍କୁ ପଡ଼ିଆରୁ ବାହାର କଲାପରେ ଯାଇ ଖେଳ ହେଲା ଏବଂ ପାକିସ୍ତାନ ଏହି ଟେଷ୍ଟ ମ୍ୟାଚ୍ରେ ଭାରତକୁ ୪୩ ରନରେ ହରାଇଦେଲା।
ଏହି ସବୁ ଦର୍ଶକୀୟ ବିଶୃଙ୍ଖଳା ଏବଂ ତଦ୍ଜ୍ଜନିତ ଅଘଟଣକୁ ନଜରରେ ରଖି ପରବର୍ତ୍ତୀ ସମୟରେ ଷ୍ଟାଡିୟମ ଭିତରକୁ ଦର୍ଶକମାନଙ୍କୁ ପାଣି ବୋତଲ ନେବା ପାଇଁ ବାରଣ କରାଗଲା। ଏହା ଯୋଗୁଁ ଦର୍ଶକମାନଙ୍କୁ ଅସୁବିଧା ହେଉଛି ଏବଂ ସେମାନେ ଚଢ଼ା ଦରରେ ପାଣି କିଣି ପିଇବାକୁ ପଡୁଛି ସତ ହେଲେ ଏହା ଅନେକାଂଶରେ ଦର୍ଶକୀୟ ଗଣ୍ଡଗୋଳକୁ ରୋକିବା ସହ ଖେଳାଳୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିପାରୁଛି।
ରୁଦ୍ର ପ୍ରସନ୍ନ ରଥ
ଫୋ- ୭୯୭୮୬୭୧୭୭୬