- ଶୁଭ୍ରାଂଶୁ ଶେଖର
ଅପରାଧୀଙ୍କୁ ସାବାଡ଼ କରି ଲୋକଙ୍କୁ ସୁରକ୍ଷା ଯୋଗାଇବା ହେଉଛି ପୁଲିସର କାମ। ପ୍ରତ୍ୟେକ ନାଗରିକ ସେତେବେଳେ ନିଜକୁ ସୁରକ୍ଷିତ ମନେ କରେ ଯେତେବେଳେ ପାଖରେ ଖାକି ପୋଷାକ ପିନ୍ଧି କେହି ଗୋଟିଏ ମଣିଷ ଛିଡ଼ା ହୋଇଥାଏ। କରୋନା ମହାମାରୀ ବେଳେ ପୁଲିସର କାମ ଖୁବ୍ ପ୍ରଶଂସନୀୟ। ନିଜ ଜୀବନକୁ ବାଜିରେ ଲଗାଇ ବିନା ଛୁଟିରେ ଯେଉଁଭଳି ଭାବରେ ପୁଲିସ କାମ କରିଛି ତାହା ଅବର୍ଣ୍ଣନୀୟ। କିନ୍ତୁ ଚଳିତ ବର୍ଷ ଅନେକ କିଛି ଘଟଣା ଘଟିଛି ଯାହାକି ଖାକି ପୋଷାକରେ ଦାଗ ଲଗାଇଛି।
ଦିଲ୍ଲୀ ଦଙ୍ଗା, ହାଥରସ ଦୁଷ୍କର୍ମ ମାମଲା, ବିକାଶ ଦୁବେ, ମୁମ୍ୱାଇରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ୍ ମାମଲା, ପୁରୀ ହେପାଜତ ମୃତ୍ୟୁ, ନୟାଗଡ଼ ପରୀ ଆଦି କେଶରେ ପୁଲିସ ତାଳି ପରିବର୍ତ୍ତେ ଗାଳି ଖାଉଛି। ହେଲେ କାହିଁକି ଏହି ସବୁ ମାମଲାର ପୁଲିସ ତଦନ୍ତ ଲୋକଙ୍କ ଭରସାଯୋଗ୍ୟ ହୋଇପାରିନି ତାହା ଜାଣିବା ପାଇଁ ପୁଲିସ କେବେ ଓ କେଉଁ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ଏବେ ପୁଲିସ କିଭଳି କାମ କରୁଛି ତା ବିଷୟରେ ଜାଣିବା ଉଚିତ୍। ଏଥିପାଇଁ ଇତିହାସ ପୃଷ୍ଠାକୁ ଓଲଟେଇବାକୁ ହେବ।
୧୮୫୭ରେ ଭାରତରେ ବ୍ରିଟିଶ ସରକାର ବିରୋଧରେ ସିପାହୀ ବିଦ୍ରୋହ ହୋଇଥିଲା। ଏହି ସମୟରେ ଦେଶରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ କରୁଥିଲା। ଲୋକଙ୍କ ଆକ୍ରୋଶ ଦେଖି ଗୋରାମାନେ ନିଜକୁ ସୁରକ୍ଷିତ ମନେ କରୁନଥିଲେ। ତେଣୁ ସେମାନଙ୍କୁ ଅଟକାଇବା ପାଇଁ ୧୮୬୧ରେ ପୁଲିସ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଉଦ୍ଦେଶ୍ୟ ଥିଲା ପୁଲିସ ରାଜନୀତିକ ଦୃଷ୍ଟିକୋଣରୁ ବ୍ରିଟିଶ ସରକାରଙ୍କ ପାଇଁ କାମ କରିବ। ପୁଲିସ ସଂସ୍କାର ଉପରେ ଗୁରୁତ୍ୱ ଦେଇଥିବା ଆସାମର ପୂର୍ବତନ ପୁଲିସ ଡିଜି ପ୍ରକାଶ ସିଂହ ଏକ ଟିଭି ଚ୍ୟାନେଲରେ ଏହା କହିଥିଲେ।
ଏହି ପୁଲିସ ଅମଲାତନ୍ତ୍ର ଏବଂ ରାଜନେତାଙ୍କ ଅଧୀନରେ ରହିଥିଲା। ଘଟଣା ଯାହା ହେଉ, ପୁଲିସର ସବୁବେଳେ ନେତା ଏବଂ ଅମଲାତନ୍ତ୍ରର ନିର୍ଦ୍ଦେଶ ଅନୁସାରେ କାମ କରିବ ବୋଲି ନିୟମ ରହିଥିଲା। ୧୯୦୨-୦୩ରେ ସାର୍ ଆଣ୍ଡ୍ର୍ୟୁ ଫ୍ରେଜର ଏବଂ କର୍ଜନଙ୍କୁ ନେଇ ଏକ କମିଶନ ଗଠନ ହୋଇଥିଲା। ଏହି କମିଶନ ପୁଲିସରେ କ’ଣ ତ୍ରୁଟି ରହିଛି ଜାଣିବାକୁ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟ ମଧ୍ୟ ଆସିଥିଲା ପୁଲିସ ଯେଉଁ ଭଳି କାମ କରୁଛି ତାହା ଲୋକଙ୍କ ଭରସାଯୋଗ୍ୟ ନୁହେଁ। ମାତ୍ରାଧିକ ଭାବରେ ପୁଲିସରେ ଅମଲାତନ୍ତ୍ର ଏବଂ ସରକାରୀ କଳର ଭୂମିକା ରହୁଥିବାରୁ ପୁଲିସ ଲୋକଙ୍କ ବିଶ୍ୱାସ ଯୋଗ୍ୟ ହୋଇପାରୁନି। କ୍ଷମତାରେ ଯିଏ ବି ଥାଉ ଲୋକଙ୍କ ଭରସା ନଜିତିବା ବଦନାମ ଛଡ଼ା ଆଉ କିଛି ନୁହେଁ ବୋଲି କମିଶନ କହିଥିଲେ। ପୁଲିସ ବ୍ୟବସ୍ଥା ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ପୁଲିସ ସୁଧାର ବା ସଂସ୍କାର ଉପରେ ଆଲୋଚନା ହୋଇଥିଲା। ହେଲେ ସୁଧାର ବାବଦରେ ଆଉ କିଛି ଅଗ୍ରଗତି ହୋଇନଥିଲା।
୧୯୪୭ରେ ଦେଶ ସ୍ୱାଧୀନ ହୋଇଥିଲା। ସେତେବେଳେ ପୁଲିସ ସୁଧାର ବାବଦରେ ଆଉ କୌଣସି ପ୍ରସଙ୍ଗ ଉଠିନଥିଲା। ସମସ୍ତେ ଭାବୁଥିଲେ ଯିଏ ଯାହା କାମ ଠିକ୍ ଭାବରେ କରିବେ। ଦେଶ ସ୍ୱାଧୀନ ହୋଇଛି ସମସ୍ତେ ନୁଆ ଆଶା, ନୂଆ ଉଦ୍ଦୀପନା ନେଇ ଦେଶ ପାଇଁ କାମ କରିବେ। ୧୯୭୦ ବେଳକୁ ଦେଶରେ ରାଜନୀତିର ମାନ ଖସି ଖସି ଆସୁଥିଲା। ଏହି ସମୟରେ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ ସରକାର କମିଟେଡ୍ ବ୍ୟୁରୋକ୍ରାସି ବା ପ୍ରତିଶ୍ରୁତିବଦ୍ଧ ଅମଲାତନ୍ତ୍ର ବ୍ୟବସ୍ଥା ଆରମ୍ଭ କରିଥିଲେ। ଅର୍ଥାତ୍ ସରକାରୀ କର୍ମଚାରୀ ସରକାରଙ୍କ ଅନୁଯାୟୀ କାମ କରିବେ ଏବଂ ସେ ଯେଉଁ ଦଳର ହୋଇଥିବେ ସେହି ଦଳର ରାଜନୀତିକ ଉଦ୍ଦେଶ୍ୟ ପ୍ରତି ନରମ ମନୋଭାବ ରଖିବେ। ଯାହାର ପରିଣାମ ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଲୋକମାନଙ୍କୁ ଭୋଗିବାକୁ ପଡ଼ିଥିଲା। ଯିଏ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲା ତାକୁ ଜେଲରେ ପୂରାଇ ଦିଆଯାଉଥିଲା। ସେହି ସମୟରେ ଲୋକମାନେ ହୃଦବୋଧ କରିଥିଲେ ପୁଲିସ ଉପରେ ଅଙ୍କୁଶ ଲାଗିବା ଦରକାର। ପୁଲିସ ରାଜନୀତି ଉର୍ଦ୍ଧ୍ୱରେ ରହିବା ଦରକାର।
ଜରୁରୀକାଳୀନ ପରିସ୍ଥିତି ପରେ ଦେଶରେ ଜନତା ସରକାର ଆସିଥିଲା। ଏମରଜେନ୍ସି ସମୟରେ ହୋଇଥିବା ଘଟଣାର ତଦନ୍ତ ପାଇଁ ଶାହା କମିଶନ ଗଢ଼ା ଯାଇଥିଲା। ଶାହ କମିଶନ ତାଙ୍କ ରିପୋର୍ଟରେ କହିଥିଲେ, ପୁଲିସକୁ ନେତାଙ୍କ କବଳରୁ ଉଦ୍ଧାର କରାଯିବା ଦରକାର। ନହେଲେ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ଯେ ନହେବ କହିହେବନି। ରିପୋର୍ଟ ଆସିବା ବେଳକୁ କିନ୍ତୁ ଜନତା ସରକାରର ପତନ ହୋଇସାରିଥିଲା। ଏହାରି ଭିତରେ କିନ୍ତୁ ଗଠିତ ହୋଇଥିଲା ନ୍ୟାଶନାଲ ପୁଲିସ କମିଶନ। ୧୯୭୯-୮୧ ମଧ୍ୟରେ କମିଶନ ୮ଟି ଭଲ୍ୟୁମର ରିପୋର୍ଟ ଦେଇଥିଲେ। ସ୍ୱାଧୀନ ଭାରତରେ ପୁଲିସ ସଂସ୍କାର ଦିଗରେ ଏହା ପ୍ରଥମ ପଦକ୍ଷେପ ଥିଲା। କମିଶନ ଦ୍ୱିତୀୟ ରିପୋର୍ଟରେ ପୁଲିସକୁ ରାଜନୀତିକ ପ୍ରଭାବରୁ ମୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ। ରିପୋର୍ଟ ଆସିବା ବେଳକୁ ଇନ୍ଦିରା କ୍ଷମତାକୁ ଫେରିଆସିଥିଲେ। ସେ ଦ୍ୱିତୀୟ ରିପୋର୍ଟକୁ ଗ୍ରହଣ କରିନଥିଲେ।
ଆସାମର ପୂର୍ବତନ ଡିଜିପି ପ୍ରକାଶ ସିଂହ ଏ ବାବଦରେ ମତ ରଖି କହିଥିଲେ, ଏକଜିକ୍ୟୁଟିଭ୍ ଅଧୀନରେ ପୁଲିସ ରହିଛି। ପୁଲିସ ସତ୍ୟ ନିଷ୍ଠାର ସହ କାମ କରିବା କଷ୍ଟକର। ଯଦି କରିବ ତାହେଲେ ନିଲମ୍ୱିତ ହେବା, ପଦୋନ୍ନତି ଓ ପେନସେନ ଅଟକିବା ଆଦି ଅସୁବିଧା ରହିଥିଲା। ପୁଲିସ ଠିକ୍ କାମ କରିଲେ ମଧ୍ୟ କୌଣସି ସଂସ୍ଥା ନାହିଁ ପିଠି ଦେଖାଇବାକୁ। ସେ ଅବସର ନେବା ପରେ ପୁଲିସ ସଂସ୍କାର ଉପରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ। ୨୦୦୬ରେ ସେ ଦାବି କରିଥିବା ସମସ୍ତ ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପୁଲିସ ସୁଧାର ବାବଦରେ କାମ କରିବାକୁ କହିଥିଲେ। ଏ ଦିଗରେ ସୁପ୍ରିମ କୋର୍ଟ ସରକାରଙ୍କୁ ୭ଟି ନିର୍ଦ୍ଦେଶ ଦେଇଥିଲେ।
୧. ରାଜ୍ୟ ସରକାର ରାଜ୍ୟ ସୁରକ୍ଷା ଆୟୋଗ (ଏସଏସସି) ଗଠନ କରିବା ଦରକାର। ରାଜନୀତିକ ଚାପ ପ୍ରୟୋଗ ନକରିବା ପାଇଁ ଏହି କମିଶନ ଗଠନ ହେବ। ୨. ଅଭିଜ୍ଞତା ଓ ଦକ୍ଷତା ଆଧାରରେ ଡିଜିପି ନିଯୁକ୍ତ ହେବେ। ତାଙ୍କର ସର୍ବନିମ୍ନ କାର୍ଯ୍ୟକାଳ ୨ ବର୍ଷ ହେବ। ୩. ତୃଣମୂଳ ସ୍ତରର ପୁଲିସ କର୍ମଚାରୀ ମଧ୍ୟ ଗୋଟିଏ ସ୍ଥାନରେ ସର୍ବନିମ୍ନ ୨ ବର୍ଷ କାମ କରିବେ। ୪. ତଦନ୍ତ ଓ ଆଇନ ଶୃଙ୍ଖଳା ଦୁଇଟି ଅଲଗା ବିଭାଗ ହେବା ଦରକାର। ୫. ବଦଳି, ପୋଷ୍ଟିଂ, ପଦୋନ୍ନତି ଏବଂ ଅନ୍ୟାନ୍ୟ ସେବା ସମ୍ବନ୍ଧୀୟ ବିଷୟ ଉପରେ ନିଷ୍ପତ୍ତି ନେବାକୁ ପୁଲିସ୍ ଏଷ୍ଟାବ୍ଲିସ୍ମେଣ୍ଟ ବୋର୍ଡ ଗଠନ ହେବା ଦରକାର। ୬. ପୁଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ପାଇଁ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ପୁଲିସ ଅଭିଯୋଗ ପ୍ରକୋଷ୍ଠ ରହିବା ଦରକାର। ୭. କେନ୍ଦ୍ରୀୟ ପୁଲିସ ସଂଗଠନର ମୁଖ୍ୟ ଚୟନ ଓ ନିଯୁକ୍ତି ପାଇଁ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସ୍ତରରେ ଜାତୀୟ ସୁରକ୍ଷା ଆୟୋଗ ଗଠନ କରିବା ଦରକାର।
ଇତି ମଧ୍ୟରେ ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟକୁ ୧୪ ବର୍ଷ ପୂରଣ ହୋଇଛି। ହେଲେ କୌଣସି ରାଜ୍ୟ ଏହି ସମସ୍ତ ନିର୍ଦ୍ଦେଶକୁ ସଂପୂର୍ଣ୍ଣରୂପେ କାର୍ଯ୍ୟକାରୀ କରିନାହାନ୍ତି। ୨୦୨୦ ସେପ୍ଟେମ୍ୱର ମାସରେ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁୟାୟୀ କେବଳ ଛଅଟି ରାଜ୍ୟ ସେମାନଙ୍କ ପୁଲିସ୍ ଡିଜିପିଙ୍କ କାର୍ଯ୍ୟକାଳର ଅବଧିକୁ ୨ ବର୍ଷ ସୁନିଶ୍ଚିତ କରିଛନ୍ତି। ସାତୋଟି ରାଜ୍ୟ ପୁଲିସ୍ ମୁଖ୍ୟ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱାଧୀନତା ଦେଇଛନ୍ତି। ଅନ୍ୟ ରାଜ୍ୟରେ ପୁଲିସ୍ ମୁଖିଆ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି। କେବଳ ୧୩ଟି ରାଜ୍ୟ ରାଜନୀତିକ ହସ୍ତକ୍ଷେପ ବିନା ରାଜ୍ୟ ପୁଲିସ୍ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ଉପରେ ନିଷ୍ପତ୍ତି ନେବାକୁ ପୁଲିସ୍ ନେତୃତ୍ୱକୁ ସୁଦୃଢ଼ କରିବା ପାଇଁ ଏକ ଆଭ୍ୟନ୍ତରୀଣ କମିଟି ପ୍ରତିଷ୍ଠା କରିଛନ୍ତି। ଆଠଟି ରାଜ୍ୟ ପୋଲିସ୍ ଅଭିଯୋଗ ସଂସ୍ଥାରେ ସ୍ୱାଧୀନ ସଦସ୍ୟ ନିଯୁକ୍ତ କରିବାକୁ ନିରପେକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜିଲ୍ଲା ପୁଲିସ ଅଭିଯୋଗ ସଂସ୍ଥା ପାଇଁ ଏକ ନିରପେକ୍ଷ ଚୟନ ବ୍ୟବସ୍ଥା କେବଳ ଦୁଇଟି ରାଜ୍ୟରେ ଆରମ୍ଭ ହୋଇଛି।
କମନଓ୍ୱେଲଥ ହ୍ୟୁମାନ ରାଇଟସ ଇନିସିଏଟିଭ୍ (ସିଏଚଆରଆଇ)ର ରିପୋର୍ଟ ଅନୁଯାୟୀ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ୨୬ଟି ରାଜ୍ୟ ପୁଲିସ୍ ଆଇନ କିମ୍ବା ସରକାରୀ ନିର୍ଦ୍ଦେଶ ମାଧ୍ୟମରେ ରାଜ୍ୟ ସୁରକ୍ଷା ଆୟୋଗ ବା ଏସଏସସି ଗଠନ କରିଛନ୍ତି। ତେଲେଙ୍ଗାନା ଓ ଓଡିଶା ଏଯାଏଁ ରାଜ୍ୟ ସୁରକ୍ଷା ଆୟୋଗ ଗଠନ କରିନାହାନ୍ତି। ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକ ଏସଏସସିର ସୁପାରିଶକୁ ବାଧ୍ୟତାମୂଳକ କରିଛନ୍ତି।
ଏବେ ଫେରିବା ମୂଳ ପ୍ରସଙ୍ଗକୁ। ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ମୃତକର ପରିବାର ଲୋକେ ପ୍ରଥମେ ଯେଉଁ ଅଭିଯୋଗ କରିଥିଲେ ସେଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ ବାବୁଲି ନାୟକର ନାମ ରହିଛି। ଏଫଆଇଆରରେ ବାବୁଲି ନାୟକ ନାଁ ଥିଲେ ମଧ୍ୟ ପୁଲିସ ତାଙ୍କୁ ଜେରା ନକରିବା ପୁଲିସର ତଦନ୍ତ ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଆଣିବା ସ୍ୱାଭାବିକ। ଯଦି ରାଜ୍ୟରେ ଏସଏସସି ଗଠିତ ହୋଇଥାନ୍ତା ତାହେଲେ ଏହି କୁନି ଝିଅ ମାମଲାର ତଦନ୍ତ ବହୁ ଆଗରୁ ତଥା ନିରପେକ୍ଷ ଭାବେ ହୋଇପାରିଥାନ୍ତା।
ସେହିପରି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କର ପୁଲିସ କ୍ଷମତା ନାହିଁ ବୋଲି କୁହାଯାଉଛି। ହାଇକୋର୍ଟର ଜଣେ ବିଚାରପତିଙ୍କ ତଦାରଖରେ ତଦନ୍ତ ହେବ ବୋଲି ରାଜ୍ୟ ସରକାର କହିଥିଲେ ମଧ୍ୟ କେଉଁ ବିଚାରପତି ଏହା କରୁଛନ୍ତି ତାଙ୍କ ନାମ ଜଣାପଡ଼ିନାହିଁ। ଯେଉଁଥିପାଇଁ ବୋଥ୍ରାଙ୍କ ତଦନ୍ତ ନେଇ ପ୍ରଶ୍ନ ଉଠିଛି।
ସେହିପରି ପୁରୀ ହାଜତରେ କେ. ରମେଶଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ମଧ୍ୟ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣାରେ ପୁଲିସ କର୍ମଚାରୀଙ୍କ ବିରୋଧରେ ଦଫା ୩୦୨ରେ ଏତଲା ରୁଜୁ ହୋଇଛି କି ନାହିଁ ବୋଲି ହାଇକୋର୍ଟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ହାଜତରେ କେ. ରମେଶଙ୍କ ମୃତ୍ୟୁକୁ ପୁରୀ ପୁଲିସ ଲୁଚାଇବାକୁ ଉଦ୍ୟମ କରୁଛି ବୋଲି ଜଣାପଡ଼ିଛି। ଏହା ଏକ ହାଜତ ମୃତ୍ୟୁ ଘଟଣା ବୋଲି ସ୍ପଷ୍ଟ ହୋଇଥିବାରୁ ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ କରାଯିବା ଆବଶ୍ୟକ ବୋଲି ଦାବି ହେଉଛି।
ୟୁପି ହାଥରସ ଦୁଷ୍କର୍ମ ମାମଲାରେ ୟୁପି ପୁଲିସର ତଦନ୍ତ ରିପୋର୍ଟରେ ଦୁଷ୍କର୍ମ ହୋଇନି ବୋଲି ଉଲ୍ଲେଖ ଥିଲାବେଳେ ସିବିଆଇ ତଦନ୍ତରେ ଦୁଷ୍କର୍ମ ହୋଇଥିବା କୁହାଯାଇଛି। ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଏନକାଉଣ୍ଟର ମଧ୍ୟ ୟୁପିର ଯୋଗୀ ସରକାର ଏବଂ ପୁଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛି। ମୁମ୍ୱାଇରେ ରିପବ୍ଲିକ ଟିଭିର ପ୍ରତିଷ୍ଠାତା ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୁଲିସ ଗିରଫ କରିଥିଲା। ସୁପ୍ରିମକୋର୍ଟ ଏ ନେଇ ରାୟ ଦେଇ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ରାଜ୍ୟର ଶାସକ ଦଳ ଏଭଳି କରିଛି ବୋଲି କହିଥିଲେ। ତାମିଲନାଡୁରେ ମଧ୍ୟ ପୁରୀ ଭଳି ଥାନାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଦିଲ୍ଲୀ ଦଙ୍ଗା ସମୟରେ ଦିଲ୍ଲୀ ପୁଲିସର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଏଭଳି ପରିସ୍ଥିତି ଲାଗି ରହିଥିବାରୁ ରାଜ୍ୟ ସରକାରଗୁଡ଼ିକ ସୁପ୍ରିମକୋର୍ଟଙ୍କ ୭ ସୂତ୍ରୀ ନିର୍ଦ୍ଦେଶକୁ ନିଷ୍କପଟ ଭାବେ କାର୍ଯ୍ୟକାରୀ କଲେ ପୁଲିସ ତଦନ୍ତ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ମଜବୁତ ହୋଇପାରନ୍ତା।