ବିଶ୍ୱ ଲିଙ୍ଗଗତ ବ୍ୟବଧାନ ସୂଚକାଙ୍କ ଓ ଭାରତ

୨୦୨୨ରେ ପ୍ରକାଶିତ ସୂଚକାଙ୍କରେ ଭାରତ ୦.୬୨୯ ଅଙ୍କ ସହ ୧୪୬ଟି ଦେଶର ତାଲିକାରେ ୧୩୫ତମ ସ୍ଥାନରେ ରହିବା ନିରାଶାଜନକ। ଭାରତର ମହିଳା ଜନସଂଖ୍ୟା ୬୬ କୋଟିରୁ ଅଧିକ, ଯାହା ବିଶ୍ୱ ମହିଳା ଜନସଂଖ୍ୟାର ପ୍ରାୟ ୨୦ ପ୍ରତିଶତ ହୋଇଥିବାରୁ ଏହି ସୂଚକାଙ୍କରେ ଭାରତର ନିମ୍ନ ପ୍ରଦର୍ଶନ ସାମଗ୍ରିକ ଭାବେ ଦକ୍ଷିଣ ଏସିଆ ତଥା ବିଶ୍ୱ ସ୍ତରରେ ଲିଙ୍ଗଗତ ବ୍ୟବଧାନକୁ ପ୍ରଭାବିତ କରୁଛି। ତେଣୁ ବିଶ୍ୱ ଲିଙ୍ଗଗତ ବ୍ୟବଧାନ ସୂଚକାଙ୍କରେ ଭାରତର ପ୍ରଦର୍ଶନକୁ ବୁଝିବାର ଆବଶ୍ୟକତା ରହିଛି।

world gender gap

Debendra Prusty
  • Published: Tuesday, 31 January 2023
  • , Updated: 31 January 2023, 01:15 PM IST

ବିକାଶର ଲାଭ ଉଭୟ ପୁରୁଷ ଓ ମହିଳାଙ୍କଠାରେ ସମାନ ଭାବେ ନ ପହଞ୍ଚିଲା ଯାଏଁ ପ୍ରକୃତ ଅର୍ଥରେ ବିକାଶ ହୋଇଛି ବୋଲି କହିହେବ ନାହିଁ କି ବିକାଶର ସ୍ଥାୟିତ୍ୱକୁ ସୁନିଶ୍ଚିତ କରିହେବ ନାହିଁ। ତେଣୁ ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣକୁ ସତତ ବିକାଶ ଲକ୍ଷ୍ୟ (ଏସଡ଼ିଜି)ର ୫ମ ଲକ୍ଷ୍ୟ ଭାବେ ଗ୍ରହଣ କରାଯାଇଛି। ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ଅସମାନତାକୁ ଦୂର କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆହେଉଥିଲେ ବି ବାସ୍ତବତା ହେଉଛି ଆଜି ମଧ୍ୟ ପୃଥିବୀର ପ୍ରାୟ ସବୁ ଦେଶରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଲିଙ୍ଗଗତ ଅସମାନତା ଲାଗି ରହିଛି।

ସାମାଜିକ, ରାଜନୈତିକ, ବୌଦ୍ଧିକ, ସାଂସ୍କୃତିକ ବା ଅର୍ଥନୈତିକ ଉପଲବ୍ଧି ବା ଆଭିମୁଖ୍ୟରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଥିବା ତାରତମ୍ୟକୁ ଲିଙ୍ଗଗତ ବ୍ୟବଧାନ କୁହାଯାଇଥାଏ। ୨୦୦୬ ମସିହାରୁ ବିଶ୍ୱ ଅର୍ଥନୈତିକ ଫୋରମ ଦ୍ୱାରା ବିଶ୍ୱ ଲିଙ୍ଗଗତ ବ୍ୟବଧାନ ସୂଚକାଙ୍କ ପ୍ରସ୍ତୁତ ହୋଇଆସୁଛି। ଏହି ସୂଚକାଙ୍କ ପ୍ରସ୍ତୁତିରେ ଯେଉଁ ଚାରିଟି ମୁଖ୍ୟ ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଥାଏ ସେଗୁଡ଼ିକ ହେଲା, ଅର୍ଥନୈତିକ ଭାଗିଦାରୀ ଓ ସୁଯୋଗ, ଶିକ୍ଷାଗତ ଉପଲବ୍ଧି, ସ୍ୱାସ୍ଥ୍ୟ ଓ ଜୀବନ ପ୍ରତ୍ୟାଶା ଏବଂ ରାଜନୈତିକ ସଶକ୍ତିକରଣ। ଏହି ସୂଚକାଙ୍କ ପ୍ରସ୍ତୁତ ହେବା ଆରମ୍ଭରୁ ଏ ପର୍ଯ୍ୟନ୍ତ ଯେଉଁ ୧୦୨ଟି ଦେଶର ତଥ୍ୟ ଲଗାତର ବିବେଚନାକୁ ନିଆ ହୋଇଆସିଛି ତନ୍ମଧ୍ୟରେ ଭାରତ ଅନ୍ୟତମ। ୧୬ ବର୍ଷ ମଧ୍ୟରେ ଭାରତ ଏହି ସୂଚକାଙ୍କରେ ୦-୧ ମାପକାଠିରେ ସର୍ବନିମ୍ନ ୦.୫୯୩ରୁ ସର୍ବାଧିକ ୦.୬୮୨ ଅଙ୍କ ଲାଭ କରି ଆସିଛି। ୨୦୨୨ରେ ପ୍ରକାଶିତ ସୂଚକାଙ୍କରେ ଭାରତ ୦.୬୨୯ ଅଙ୍କ ସହ ୧୪୬ଟି ଦେଶର ତାଲିକାରେ ୧୩୫ତମ ସ୍ଥାନରେ ରହିବା ନିରାଶାଜନକ। ଭାରତର ମହିଳା ଜନସଂଖ୍ୟା ୬୬ କୋଟିରୁ ଅଧିକ, ଯାହା ବିଶ୍ୱ ମହିଳା ଜନସଂଖ୍ୟାର ପ୍ରାୟ ୨୦ ପ୍ରତିଶତ ହୋଇଥିବାରୁ ଏହି ସୂଚକାଙ୍କରେ ଭାରତର ନିମ୍ନ ପ୍ରଦର୍ଶନ ସାମଗ୍ରିକ ଭାବେ ଦକ୍ଷିଣ ଏସିଆ ତଥା ବିଶ୍ୱ ସ୍ତରରେ ଲିଙ୍ଗଗତ ବ୍ୟବଧାନକୁ ପ୍ରଭାବିତ କରୁଛି। ତେଣୁ ବିଶ୍ୱ ଲିଙ୍ଗଗତ ବ୍ୟବଧାନ ସୂଚକାଙ୍କରେ ଭାରତର ପ୍ରଦର୍ଶନକୁ ବୁଝିବାର ଆବଶ୍ୟକତା ରହିଛି।

ବିଶ୍ୱ ଲିଙ୍ଗଗତ ବ୍ୟବଧାନ ସୂଚକାଙ୍କରେ ଥିବା ୪ଟି ଉପସୂଚକାଙ୍କରେ ଦେଶୱାରି ପ୍ରଦର୍ଶନକୁ ମାପିବା ପାଇଁ ଭିନ୍ନ ଭିନ୍ନ ସୂଚକର ସହାୟତା ନିଆଯାଇଛି। ଯେପରି ‘ଅର୍ଥନୈତିକ ଭାଗିଦାରୀ ଓ ସୁଯୋଗ’ ଉପସୂଚକକୁ ମାପିବା ପାଇଁ ମହିଳାଙ୍କ ଶ୍ରମଶକ୍ତି ଭାଗିଦାରୀ ହାର, ସମାନ କାମ ପାଇଁ ସମାନ ପାରିଶ୍ରମିକ, ଆନୁମାନିକ ଅର୍ଜିତ ଆୟ, ସାଂସଦ, ବରିଷ୍ଠ ଅଧିକାରୀ ଓ ପ୍ରବନ୍ଧକଙ୍କ ଭାଗିଦାରୀ ତଥା ପେଷାଦାର ଓ ବୈଷୟିକ ଶ୍ରମିକଙ୍କ ଭାଗିଦାରୀକୁ ବିଚାରକୁ ନିଆଯାଉଥିବା ବେଳେ ଶିକ୍ଷାଗତ ଉପଲବ୍ଧି ଉପସୂଚକକୁ ମାପିବା ପାଇଁ ମହିଳାଙ୍କ ସାକ୍ଷରତା ହାର, ପ୍ରାଥମିକ, ମାଧ୍ୟମିକ ଓ ତୃତୀୟ ପର୍ଯ୍ୟାୟ ଶିକ୍ଷାରେ ନାମଲେଖାକୁ ବିଚାର ଅନ୍ତର୍ଗତ କରାଯାଇଥାଏ। ସେହିପରି ‘ସ୍ୱାସ୍ଥ୍ୟ ଓ ଜୀବନ ପ୍ରତ୍ୟାଶା’ ଉପସୂଚକରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ ଓ ସୁସ୍ଥ ଜୀବନ ପ୍ରତ୍ୟାଶାକୁ ବିଚାର କରାଯାଉଥିବା ବେଳେ ‘ରାଜନୈତିକ ସଶକ୍ତିକରଣ’ ଉପସୂଚକରେ ସଂସଦରେ ମହିଳା, ମନ୍ତ୍ରୀସ୍ତରରେ ଥିବା ମହିଳା ତଥା ବିଗତ ୫୦ ବର୍ଷ ମଧ୍ୟରେ କେତେ ବର୍ଷ ଧରି ମହିଳା ରାଷ୍ଟ୍ରମୁଖ୍ୟ ଭାବେ ରହିଛନ୍ତି ସେଗୁଡ଼ିକୁ ବିଚାର କରାଯାଇଥାଏ। ଏ ସମସ୍ତ ତଥ୍ୟ ଆଇଏଲଓ, ଡବଲ୍ୟୁଏଚଓ, ୟୁନେସ୍କା, ଡବଲ୍ୟୁଇଏଫ, ବିଶ୍ୱ ବ୍ୟାଙ୍କ, ଆଇପିୟୁ ଆଦି ଆନ୍ତର୍ଜାତିକ ସଂଗଠନଙ୍କ ନିକଟରୁ ସଂଗ୍ରହ କରାଯାଇଥାଏ।

ରିପୋର୍ଟ ଅନୁଯାୟୀ ୨୦୨୨ରେ ସାରା ବିଶ୍ୱରେ ଲିଙ୍ଗଗତ ବ୍ୟବଧାନ ୬୮.୧ ପ୍ରତିଶତ ରହିଛି, ଯାହା ୨୦୨୧ରେ ଥିବା ୬୮ ପ୍ରତିଶତ ତୁଳନାରେ ମାତ୍ର ୦.୧ ପ୍ରତିଶତ ଅଧିକ। ଏହି ହାରରେ ଅଗ୍ରଗତି ହେଲେ ସାରା ବିଶ୍ୱରେ ଲିଙ୍ଗଗତ ବ୍ୟବଧାନ ସମ୍ପୂର୍ଣ୍ଣ ଦୂର ହେବାକୁ ଆହୁରି ୧୩୨ ବର୍ଷ ଲାଗିଯିବ ବୋଲି ପୂର୍ବାନୁମାନ କରାଯାଇଛି। ଏ ଦିଗରେ ୨୦୨୦ ପର୍ଯ୍ୟନ୍ତ ଅପେକ୍ଷାକୃତ ଦ୍ରୁତ ଅଗ୍ରଗତି ହୋଇଥିଲା ଓ ଲିଙ୍ଗଗତ ବ୍ୟବଧାନ ଆସନ୍ତା ୧୦୦ ବର୍ଷ ମଧ୍ୟରେ ସମାପ୍ତ ହୋଇଯିବ ବୋଲି ଆଶା ବ୍ୟକ୍ତ କରାଯାଉଥିଲା। ହେଲେ ୨୦୨୧ ଓ ୨୦୨୨ରେ ତାହା ଯଥେଷ୍ଟ ଧିମେଇ ଯାଇଥିବାର ପରିଲକ୍ଷିତ ହୋଇଛି। କୌଣସି ଦେଶ ଏହି ବ୍ୟବଧାନକୁ ସମାପ୍ତ କରିବାକୁ ସମର୍ଥ ହୋଇ ନଥିବା ବେଳେ ଆଇସଲାଣ୍ଡ ୯୦.୮ ପ୍ରତିଶତ ସହ ଏ ଦିଗରେ ସର୍ବାଧିକ ଅଗ୍ରଗତି କରିଛି। ୮୦ ପ୍ରତିଶତରୁ ଅଧିକ ସ୍ତରରେ ପହଞ୍ଚିଥିବା ଅନ୍ୟ ଦେଶଗୁଡ଼ିକ ହେଲେ ଫିନଲାଣ୍ଡ, ନରୱେ, ନିଉଜିଲାଣ୍ଡ, ସ୍ୱିଡ଼େନ, ରୱାଣ୍ଡା, ନିକାରାଗୁଆ, ନାମ୍ୱିୟା, ଆୟର୍ଲାଣ୍ଡ ଓ ଜର୍ମାନୀ। ତେବେ ରାଜନୈତିକ ସଶକ୍ତିକରଣ ଉପସୂଚକରେ ସର୍ବାଧିକ ୭୭.୬ ପ୍ରତିଶତର ଲିଙ୍ଗଗତ ବ୍ୟବଧାନ ରହିଛି, ଯାହା ପୂରଣ କରିବା ଲାଗି ବର୍ତ୍ତମାନ ହାରରେ ଆହୁରି ୧୫୫ ବର୍ଷ ଲାଗିଯାଇପାରେ। ଦ୍ୱିତୀୟ ବୃହତ୍ ଆହ୍ୱାନଟି ଅର୍ଥନୈତିକ ଭାଗିଦାରୀ ଓ ସୁଯୋଗ ପ୍ରଦାନ ଉପସୂଚକ ଆଡ଼ୁ ରହିଛି। ଏଥିରେ ୪୦ ପ୍ରତିଶତ ବ୍ୟବଧାନ ରହିଛି ଯାହା ୧୫୧ ବର୍ଷରେ ପୂରଣ ହୋଇପାରେ। ଶୈକ୍ଷିକ ଉପଲବ୍ଧିରେ ଥିବା ୪.୭ ପ୍ରତିଶତ ବ୍ୟବଧାନକୁ ପୂରଣ କରିବା ଲାଗି ଆଉ ମାତ୍ର ୨୨ ବର୍ଷ ଲାଗିପାରେ। ସ୍ୱାସ୍ଥ୍ୟ ଓ ଜୀବନ ପ୍ରତ୍ୟାଶା କ୍ଷେତ୍ରରେ ବ୍ୟବଧାନ ମାତ୍ର ୪.୩ ପ୍ରତିଶତ ଥିଲେ ବି ପ୍ରତ୍ୟେକ ଦେଶ ତରଫରୁ ପ୍ରୟାସକୁ ତ୍ୱରାନ୍ୱିତ କରା ନ ଗଲେ ଏହି ବ୍ୟବଧାନ କେବେ ପୂରଣ ହେବ ତାହା କହିବା ସମ୍ଭବପର ନୁହେଁ।

‘ଅର୍ଥନୈତିକ ଭାଗିଦାରୀ ଓ ସୁଯୋଗ’ ଉପସୂଚକରେ ୦-୧ର ମାପକାଠିରେ ୧୪୬ଟି ଦେଶ ମଧ୍ୟରେ ଭାରତ ୦.୩୫ ଅଙ୍କ ସହ ୧୪୩ତମ ସ୍ଥାନରେ ରହିଛି। ଏଥିରେ ଭାରତ ତଳେ ଥିବା ଦେଶଗୁଡ଼ିକ ହେଲେ ଇରାନ, ପାକିସ୍ତାନ ଓ ଆଫଗାନିସ୍ଥାନ। କେବଳ ଶ୍ରମଶକ୍ତିରେ ମହିଳାଙ୍କ ଭାଗିଦାରୀକୁ ଛାଡ଼ି ‘ଅର୍ଥନୈତିକ ଭାଗିଦାରୀ ଓ ସୁଯୋଗ’ ଉପସୂଚକର ସ୍ଥିତି ନିର୍ଦ୍ଧାରଣ କରୁଥିବା ଅନ୍ୟ ସୂଚକଗୁଡ଼ିକରେ ଗତ ବର୍ଷ ତୁଳନାରେ ଉନ୍ନତି ପରିଲକ୍ଷିତ ହୋଇଛି। ଶ୍ରମଶକ୍ତି ଭାଗିଦାରୀ ହାରରେ ମହିଳାଙ୍କ ଭାଗିଦାରୀ ଗତ ବର୍ଷ ତୁଳନାରେ ପ୍ରାୟ ୩ ପ୍ରତିଶତ ସଙ୍କୁଚିତ ହୋଇଛି। ବସ୍ତୁତଃ ଶ୍ରମଶକ୍ତିରେ ପୁରୁଷ ଓ ମହିଳାଙ୍କ ଭାଗିଦାରୀ ହାର ମଧ୍ୟରେ ପ୍ରାୟ ୫୧ ପ୍ରତିଶତ ବ୍ୟବଧାନ ରହିଛି। କିପରି ଅଧିକ ମହିଳା ଶ୍ରମଶକ୍ତିର ଅଂଶବିଶେଷ ହୋଇପାରିବେ ସେଥିପ୍ରତି ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ଭାରତରେ କମ୍ପାନିଗୁଡ଼ିକର ବୋର୍ଡ଼ରେ ୧୭ ପ୍ରତିଶତ ମହିଳା ଥିବାବେଳେ ମାତ୍ର ୨.୮ ପ୍ରତିଶତ ସଂସ୍ଥା ମହିଳାଙ୍କ ମାଲିକାନାରେ ଚାଲିଛି। ବିଭିନ୍ନ ସଂସ୍ଥାର ଉଚ୍ଚ ପ୍ରବନ୍ଧକଙ୍କ ମଧ୍ୟରେ ମାତ୍ର ୯ ପ୍ରତିଶତ ମହିଳା ସ୍ଥାନ ପାଇଛନ୍ତି। ତେବେ ଅଣଆନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ମଧ୍ୟରେ ପ୍ରାୟ ୮୯ ପ୍ରତିଶତ ମହିଳା ଅଟନ୍ତି।

‘ଶିକ୍ଷାଗତ ଉପଲବ୍ଧି’ ଉପସୂଚକରେ ଭାରତ ୦.୯୬୧ ଅଙ୍କ ସହ ୧୦୭ତମ ସ୍ଥାନରେ ରହିଛି। ଏଥିରେ ଭାରତର ପ୍ରଦର୍ଶନ ଅପେକ୍ଷାକୃତ ଭଲ ହୋଇଥିଲେ ବି ତୁଳନାତ୍ମକ ଭାବେ ଅନ୍ୟ କିଛି ଦେଶଙ୍କର ପ୍ରଦର୍ଶନ ତାଠାରୁ ଭଲ ରହିଛି। ଏ କ୍ଷେତ୍ରରେ ପୂର୍ଣ୍ଣ ୧ ଅଙ୍କ ସହ ଆର୍ଜେଣ୍ଟିନା, ବ୍ରାଜିଲ, କାନାଡ଼ା, ଫ୍ରାନ୍ସ, ଜାପାନ, ନିଉଜିଲାଣ୍ଡ, ଆୟର୍ଲାଣ୍ଡ, ନେଦରଲାଣ୍ଡସ୍, ସ୍ୱିଡ଼େନ ପରି ୨୧ଟି ଦେଶ ପ୍ରଥମ ସ୍ଥାନରେ ରହିଛନ୍ତି। ଭାରତରେ ପୁରୁଷ ଓ ମହିଳାଙ୍କ ସାକ୍ଷରତା ହାରରେ ଖୁବ ଅନ୍ତର ଦେଖିବାକୁ ମିଳେ। ପୁରୁଷଙ୍କ ସାକ୍ଷରତା ହାର ୮୪.୭ ପ୍ରତିଶତ ହୋଇଥିବା ବେଳେ ମହିଳା ସାକ୍ଷରତା ମାତ୍ର ୭୦.୩ ପ୍ରତିଶତ ଅଟେ। ସାକ୍ଷରତା ବ୍ୟବଧାନ ଦୃଷ୍ଟିରୁ ଭାରତ ୧୨୧ତମ ସ୍ଥାନରେ ରହିଛି। ମହିଳାଙ୍କ ଉଭୟ ପ୍ରାଥମିକ ଏବଂ ବୈଷୟିକ ଓ ବୃତ୍ତିମୂଳକ ଶିକ୍ଷା ଭଳି ତୃତୀୟ ପର୍ଯ୍ୟାୟର ଶିକ୍ଷାରେ ନାମଲେଖା ଦୃଷ୍ଟିରୁ ଭାରତ ପୂର୍ଣ୍ଣ ୧ ଅଙ୍କ ଲେଖାଏଁ ଲାଭ କରି ପ୍ରଥମ ସ୍ଥାନରେ ରହିବା ଉତ୍ସାହଜନକ। ତେବେ ମାଧ୍ୟମିକ ଶିକ୍ଷା ନାମଲେଖାରେ ୦.୯୯୫ ଅଙ୍କ ଲାଭ କରିଥିଲେ ବି ଅନ୍ୟ ଦେଶଗୁଡ଼ିକର ଉନ୍ନତ ପ୍ରଦର୍ଶନ ଯୋଗୁଁ ଭାରତ ୭୯ତମ ସ୍ଥାନରେ ରହିଛି।

ସ୍ୱାସ୍ଥ୍ୟ ଓ ଜୀବନ ପ୍ରତ୍ୟାଶା’ ଉପସୂଚକରେ ଭାରତ ୦.୯୩୭ ଅଙ୍କ ସହ ସବା ତଳେ ରହିବା ଦୁର୍ଭାଗ୍ୟଜନକ। ଏହି ଉପସୂଚକରେ ପ୍ରଦର୍ଶନ ମନ୍ଦ ନହେଲେ ବି ଭାରତର ସବାତଳେ ରହିବାର କାରଣ ହେଉଛି ଅନ୍ୟ ସବୁ ଦେଶ ଏଥିରେ ୦.୯୪ ବା ତା’ଠାରୁ ଅଧିକ ଅଙ୍କ ହାସଲ କରିଛନ୍ତି। ଜନ୍ମବେଳେ ଲିଙ୍ଗ ଅନୁପାତ ଦୃଷ୍ଟିରୁ ଭାରତ ୦.୯୦୮ ଅଙ୍କ ସହ ୧୪୨ତମ ସ୍ଥାନରେ ଥିବା ବେଳେ ଜୀବନ ପ୍ରତ୍ୟାଶାରେ ୧୩୭ତମ ସ୍ଥାନରେ ରହିଛି। ୨୮.୭ ପ୍ରତିଶତ ମହିଳା ତାଙ୍କ ଜୀବଦ୍ଦଶାରେ କେବେହେଲେ ଲିଙ୍ଗଗତ ହିଂସାର ଶିକାର ହୋଇଛନ୍ତି। ଏବେ ମଧ୍ୟ ପ୍ରାୟ ୧୮ ପ୍ରତିଶତ ପ୍ରସବ ସଂସ୍ଥାଗତ କୁଶଳୀ କର୍ମଚାରୀଙ୍କ ଦ୍ୱାରା ନ ହୋଇ ଘରୋଇ ଭାବେ ହେଉଛି ଯଦ୍ଦ୍ୱାରା ମାତୃମୃତ୍ୟୁହାର ପ୍ରତି ୧ ଲକ୍ଷ ପ୍ରସବରେ ୧୪୫ ରହିଛି। ଏ ସମସ୍ତ ମହିଳାଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପ୍ରତ୍ୟାଶା ଉପରେ ପ୍ରତିକୁଳ ପ୍ରଭାବ ପକାଉଛି। ଜନ୍ମବେଳେ ଲିଙ୍ଗ ଅନୁପାତକୁ ସୁଧାରି ହେଲେ ଭାରତ ଏହି ଉପସୂଚକରେ ଉନ୍ନତ ସ୍ଥାନ ଦଖଲ କରିପାରିବ।

‘ରାଜନୈତିକ ସଶକ୍ତିକରଣ’ ଉପସୂଚକରେ ଭାରତ ୦.୨୬୭ ଅଙ୍କ ସହ ୪୮ତମ ସ୍ଥାନରେ ରହିଛି। ଏହି ଉପସୂଚକରେ କେବଳ ଆଇସଲାଣ୍ଡକୁ ବାଦ ଦେଲେ ଅନ୍ୟ କୌଣସି ଦେଶର ପ୍ରଦର୍ଶନ ଭଲ ନୁହେଁ, କାରଣ ଆଉ କୌଣସି ଦେଶ ୭୦ ପ୍ରତିଶତ ଅଙ୍କ ବି ଛୁଇଁ ପାରିନାହାନ୍ତି। ତେଣୁ ଭାରତର କମ ଅଙ୍କ ପ୍ରାପ୍ତି ସତ୍ତ୍ୱେ ସଂଖ୍ୟାଧିକ ଦେଶର ପ୍ରଦର୍ଶନ ଯଥେଷ୍ଟ ଖରାପ ହୋଇଥିବାରୁ ଭାରତ ଅପେକ୍ଷାକୃତ ଭଲ ସ୍ଥାନରେ ରହିପାରିଛି। ତେବେ ସଂସଦରେ ମହିଳା ସାଂସଦଙ୍କ ପ୍ରତିଶତ ଅନୁଯାୟୀ ଭାରତ ୧୧୮ତମ ସ୍ଥାନରେ ଅଛି। ଉଲ୍ଲେଖଯୋଗ୍ୟ ଯେ ଚଳିତ ଲୋକସଭା ଓ ରାଜ୍ୟସଭାରେ ଯଥାକ୍ରମେ ୭୮ ଓ ୨୪ ଜଣ ମହିଳା ବା ୧୪ ଓ ୧୧ ପ୍ରତିଶତ ମହିଳା ସାଂସଦ ଅଛନ୍ତି। ସେହିପରି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସମୁଦାୟ ୭୮ ଜଣ ମନ୍ତ୍ରୀଙ୍କ ମଧ୍ୟରେ ୧୧ ଜଣ ବା ୧୪ ପ୍ରତିଶତ ଅଛନ୍ତି। ମହିଳା ମନ୍ତ୍ରୀଙ୍କ ପ୍ରତିଶତ ଅନୁଯାୟୀ ଭାରତ ୧୨୬ତମ ସ୍ଥାନରେ ରହିଛି। ବିଗତ ୫୦ ବର୍ଷ ମଧ୍ୟରେ କେତେ ବର୍ଷ ମହିଳା ରାଷ୍ଟ୍ରାଧ୍ୟକ୍ଷ ଅଛନ୍ତିକୁ ବିଚାରକୁ ନେଇ ଭାରତ ୮ମ ସ୍ଥାନ ପାଇଛି। ତେଣୁ ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରିବା ଲାଗି ମହିଳା ଆରକ୍ଷଣ ବିଲ୍ ପାରିତ ହେଲେ ମହିଳାଙ୍କ ରାଜନୈତିକ ସଶକ୍ତିକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ।

ଯେଉଁ ଦେଶରେ ଲିଙ୍ଗଗତ ବ୍ୟବଧାନ ଯେତେ କମ ସେ ଦେଶରେ ବିକାଶ ସେତେ ଅଧିକ ହୋଇଥାଏ। ଲିଙ୍ଗଗତ ବ୍ୟବଧାନ କମ ଥିବା ଦେଶଗୁଡ଼ିକରେ ମୁଣ୍ଡପିଛା ଆୟ ଅଧିକ ଥିବା ଦେଖାଯାଏ। ଭାରତ ତା’ର ବିଶାଳ ଜନସଂଖ୍ୟା ଯୋଗୁଁ ଏକ ଅର୍ଥନୈତିକ ଶକ୍ତି ଭାବେ ଉଭା ହେବା ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ବି ଯଦି ଜନସଂଖ୍ୟାର ୫୦ ପ୍ରତିଶତ ଥିବା ମହିଳାମାନେ ସେହି ବିକାଶର ଲାଭାର୍ଥୀ ହୋଇ ନ ପାରିଲେ ତେବେ ଦେଶର ସନ୍ତୁଳିତ ବିକାଶ ହୋଇଛି ବୋଲି କହିହେବ ନାହିଁ। ତେଣୁ ଭାରତର ଉତ୍କଟ ଲିଙ୍ଗଗତ ବ୍ୟବଧାନକୁ ଯଥାଶୀଘ୍ର ହ୍ରାସ କରିବାପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ପ୍ରକାର ପ୍ରୟାସ ହେବା ଆବଶ୍ୟକ।

ସରଳ କୁମାର ଦାସ

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

Related story