ପାକିସ୍ତାନ ଦେବାଳିଆ ହେବାକୁ ଯାଉନି, ବରଂ ଦେବାଳିଆ ହୋଇସାରିଲାଣି । ଏଭଳି କହିଛନ୍ତି ଖୋଦ୍ ଜଣେ ପାକିସ୍ତାନୀ ମନ୍ତ୍ରୀ। ତାଙ୍କର ଏଭଳି ସ୍ୱୀକାରୋକ୍ତି ଜମାରୁ ଅଜବ ନୁହେଁ । କାରଣ ପାକିସ୍ତାନର ଆର୍ଥିକ ସ୍ଥିତି ହିଁ, ଏବେ କିଛି ସେହିଭଳି । ଘୋର ଅର୍ଥ ସଂକଟର ଅଡ଼ୁଆ ସୂତାରୁ ମୁକୁଳିବାକୁ ଶେହବାଜ ସରିଫ୍ ସରକାର ଯେତେ ଛଟପଟ ହେଉଛି, ସେତେ ଅଧିକରୁ ଅଧିକ ଛନ୍ଦି ହୋଇଯାଉଛି। ଏସବୁ ଭିତରେ ସାମ୍ନାକୁ ଆସିଛି ଏକ ରୋଚକ ଚର୍ଚ୍ଚା। ପାକିସ୍ତାନ ଗତବର୍ଷ ତୁର୍କୀରୁ ପାଇଥିବା ରିଲିଫକୁ ଏବର୍ଷ ନିଜ ନାଁରେ ପ୍ୟାକେଜିଂ କରି ପୁଣିଥରେ ତୁର୍କୀ ପଠାଇ ଦେଇଥିବା କୁହାଯାଉଛି।ସିଆଲକୋଟର ଏକ କାର୍ଯ୍ୟକ୍ରମରେ ଜଣେ ପାକ୍ ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି ଯେ, ଆମେ ଏକ ଦେବାଳିଆ ଦେଶର ବାସିନ୍ଦା। ଏଥିପାଇଁ ସରକାର, ଅମଲା ଓ ରାଜନେତାମାନେ ଦାୟୀ।ପାକିସ୍ତାନ ସମସ୍ୟାର ସମାଧାନ ଆଇଏମଏଫ ବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାଖରେନାହିଁ । ଏହା ଆମ ଦେଶ ଭିତରେ ଅଛି । ଆଉ ଏକ ରୋଚକ କଥା ହେଉଛି, ଏହି ଅଭିଭାଷଣ ବେଳେ ସମାଧାନର ସୂତ୍ର ବତାଇବାକୁ ଯାଇ, ଦାମୀ ସରକାରୀ ଜମି ଉପରେ ନିର୍ମିତ ୨ଟି ଗଲ୍ଫ କ୍ଲବ୍ ବିକିଦେଲେ ଆମର ଏକ-ଚତୁର୍ଥାଂଶ ଋଣ ଶୁଝିଯିବ ବୋଲି ପରାମର୍ଶ ଦେଇଛନ୍ତି ଖ୍ୱାଜା ଆସିଫ୍ ।
ପାକିସ୍ତାନରେ ଏବେ କ୍ଷୀର ଲିଟର ୨୫୦ ଟଙ୍କା ଓ ଚିକେନ୍ କେଜି ୭୮୦ ଟଙ୍କା । ପେଟ୍ରୋଲ ଲିଟର ୨୭୨କୁ ଡିଜେଲ୍ ୨୮୦ ଟଙ୍କା । ମୁଦ୍ରାସ୍ପୀତି ଚଳିତ ସପ୍ତାହରେ ପ୍ରାୟ ୪୦ ପ୍ରତିଶତକୁ ବଢ଼ିଛି । ୧ ଡଲାରର ବିନିମୟ ମୂଲ୍ୟ ପ୍ରାୟ ୨୬୩ ପାକିସ୍ତାନୀ ଟଙ୍କା ରହିଛି। ପାକ୍ ବୈଦେଶିକ ମୁଦ୍ରା ଭଣ୍ଡାରରେ ଯେତିକି ଅର୍ଥ ଅଛି, ସେଥିରେ ୩ ସପ୍ତାହ ବି ଆମଦାନୀ ଜାରି ରଖିବା ସମ୍ଭବ ନୁହେଁ। ଅର୍ଥ ସଂକଟରୁ ମୁକୁଳିବା ପାଇଁ ଶେଷ ଆଶ୍ରା ପାଲଟିଥିବା ଆଇଏମଏଫର ୭ ବିଲିୟନ୍ ଡଲାର ଜରୁରୀକାଳୀନ ଋଣ ପ୍ୟାକେଜ୍ ବି ପଦ୍ମ ଘୁଞ୍ଚିଲା ଭଳି ଘୁଞ୍ଚି ଘୁଞ୍ଚି ଯାଉଛି।
ଆଇଏମଫକୁ ସନ୍ତୁଷ୍ଟ କରିବା ପାଇଁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ୧୭୦ ବିଲିୟନ ଡଲାରର ମିନି ବଜେଟ୍ ଘୋଷଣା କରିଥିଲେ। ଫଳରେ ବିଭିନ୍ନ ସାମଗ୍ରୀ ଉପରେ ଆଶାତୀତ ଟିକସ ବୃଦ୍ଧି ସହିତ, ତୈଳଦର ଲିଟର ପ୍ରତି ପ୍ରାୟ ୨୦ ଟଙ୍କା ବଢ଼ି ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଏସବୁ ଭିତରେ ସାମ୍ନାକୁ ଆସିଛି କାଙ୍ଗାଳ ପାକିସ୍ତାନର ଏକ ଅତି ଚାଲାକିଆପଣ। ନିଜ ଦେଶର ଲୋକ ଭୋକରେ ଡହଳବିକଳ ହେଉଥିବା ବେଳେ, ଭାବମୂର୍ତ୍ତି ରକ୍ଷା ପାଇଁ ତୁର୍କୀ ଭୂକଂପ ବିପନ୍ନଙ୍କ ଲାଗି ରିଲିଫ ସାମଗ୍ରୀ ପଠାଇଛି ପାକିସ୍ତାନ ସରକାର। ତେବେ ରୋଚକ କଥା ହେଉଛି, ସେହି ରିଲିଫ୍ ସାମଗ୍ରୀ ଗୁଡ଼ିକ ଗତବର୍ଷ ବନ୍ୟା ବିପତ୍ତି ବେଳେ ନିଜେ ତୁର୍କୀ ପାକିସ୍ତାନକୁ ପଠାଇଥିଲା । ଏବେ ପାକିସ୍ତାନ ତାକୁ ଆଉଥରେ ନିଜ ନାଁରେ ପ୍ୟାକିଂ କରି ତୁର୍କୀକୁ ପଠାଇ ଦେଇଛି । ଜଣେ ପାକିସ୍ତାନୀ ସାମ୍ବାଦିକ ଏହି ଖୁଲାସା କରିବା ପରେ, ଇସଲାମାବାଦକୁ ବିଶ୍ୱସ୍ତରରେ ଲଜ୍ଜିତ ହେବାକୁ ପଡ଼ିଛି ।