ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଉଚିତ। ତେବେ ପୁଷ୍ଟିକର ଯୁକ୍ତ ଖାଦ୍ୟ ଖାଉଥିବା ବେଳେ କିଛି ଏଭଳି କଥା ରହିଛି ଯାହା ଉପରେ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ । ନଚେତ ଏହା ଲାଭ ପରିବର୍ତ୍ତେ ଶରୀରକୁ କ୍ଷତି ପହଞ୍ଚାଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ?
- ଚେରି ମଞ୍ଜି: ଚେରି ହୃଦରୋଗ ଜନିତ ସମସ୍ୟାକୁ କମ୍ କରିବା ସହ ପାଚନ କ୍ରିୟାକୁ ସଠିକ୍ ରଖିଥାଏ । କିନ୍ତୁ ଏହାର ମଞ୍ଜି ଶରୀର ପାଇଁ କ୍ଷତିକାରକ ହୋଇପାରେ । ଚେରି ମଞ୍ଜି ବହୁତ କଠିନ ଏବଂ ଏଥିରେ ପ୍ରୁସିକ୍ ଏସିଡ୍ ଥାଏ, ଯାହା ଅତ୍ୟଧିକ ବିଷାକ୍ତ ବୋଲି ଧରାଯାଏ । ତେଣୁ ଚେରି ଖାଇବା ସମୟରେ ଏହାର ମଞ୍ଜି ଚୋବାଇବା ଠାରୁ ଦୂରେଇ ରୁହନ୍ତୁ ।
- ନୀଳ ଆଳୁ: ନୀଳ ବା ସବୁଜ ଆଳୁ ମଧ୍ୟ ଶରୀର ପାଇଁ ବିଷାକ୍ତ । ନୀଳ ଆଳୁରେ ଗ୍ଲାଇକୋସାଇଡ ନାମକ ଏକ ବିଷାକ୍ତ ପଦାର୍ଥ ରହିଛି । ତେଣୁ ନୀଳ ଆଳୁ ଖାଇବା ଦ୍ୱାରା ବାନ୍ତି, ଝାଡା ଏବଂ ମୁଣ୍ଡବିନ୍ଧାର ସମସ୍ୟା ଦେଖାଦେଇପାରେ ।
- ସେଓ ମଞ୍ଜି: ସେଓ ମଞ୍ଜିରେ କିଛି ପରିମାଣର ସିଆନାଇଡ୍ ଥାଏ, ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ଏହି କାରଣରୁ, ନିଶ୍ୱାସ ନେବା ଠାରୁ ଆରମ୍ଭ କରି ହାର୍ଟ ଆଟାକ ପର୍ଯ୍ୟନ୍ତ ସମସ୍ୟା ହୋଇପାରେ । ତଥାପି, ଯଦି ଆପଣ ଏହାକୁ ଭୁଲରେ ଖାଇଛନ୍ତି, ତେବେ ଚିନ୍ତା କରିବାର କିଛି ନାହିଁ । ସେଓ ମଞ୍ଜିରେ ଏକ ପ୍ରତିରକ୍ଷା ଆବରଣ ଅଛି ଯାହା ସିଆନାଇଡ୍ ଶରୀରରେ ପ୍ରବେଶ କରିବାରେ ରୋକିଥାଏ । ସେଓ ଖାଇବା ସମୟରେ ସାବଧାନ ରୁହନ୍ତୁ ଏବଂ ଏହାର ମଞ୍ଜି ବାହାର କରି ଖାଆନ୍ତୁ ।
- କଷା ବାଦାମ: କଷା ବା ପିତା ଯୁକ୍ତ ଆଲମଣ୍ଡ ତଥା ବାଦାମ ମଧ୍ୟ ଶରୀର ପାଇଁ କ୍ଷତି ହୋଇପାରେ । ଏହି ଭଳି ବାଦାମରେ ଆମିଗଡାଲିନ ନାମକ ଏକ ରାସାୟନିକ ପଦାର୍ଥ ରହିଛି । ଏହା ଶରୀରରେ ସିଆନାଇଡ୍ ତିଆରି କରିଥାଏ । ଏହାକୁ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ବାନ୍ତି ଏବଂ ଝାଡା ହୋଇପାରେ। ତେଣୁ କଷା ବାଦାମ ଖାଇବା ଠାରୁ ଦୂରେଇ ରୁହନ୍ତୁ ।
- ଜାଇଫଳ: ଜାଇଫଳ ପାଉଡରକୁ ସାଧାରଣତଃ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଏହି ଜାଇଫଳ ପାଉଡରର ମାତ୍ରା ଅଧିକ ହେଲେ ଶରୀର ପାଇଁ କ୍ଷତିକାରକ ହୋଇପାରେ । ଜାଇଫଳରେ ଅଧିକ ମାତ୍ରାରେ ମିରାଇଷ୍ଟାଇସିନ୍ ନାମକ ଏକ ରାସାୟନିକ ପଦାର୍ଥ ରହିଛି । ଯାହା ଦ୍ୱାରା ମୁଣ୍ଡ ବୁଲାଇବା, ହେଲୁସିନେସନ, ଆଟାକ ଭଳି ସମସ୍ୟା ଦେଖାଦେଇପାରେ ।
- କଞ୍ଚା କାଜୁ: ସାଧାରଣତଃ ବଜାରରେ ମିଳଥିବା ପ୍ୟାକେଟ କାଜୁ କଞ୍ଚା ନଥାଏ । କିନ୍ତୁ ବିକ୍ରି ପୂର୍ବରୁ କାଜୁକୁ ଗରମ କରି ଫୁଟା ଯାଇଥାଏ । ସେତେବେଳେ ଏଥିରୁ ଉରିଶିଓଲ ନାମକ ଏକ ବିଷାକ୍ତ ପଦାର୍ଥ ବାହାରିଥାଏ, ଯାହା ଶରୀର ପାଇଁ ହାନୀକାରକ । ଏଭଳି କଞ୍ଚା କାଜୁ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ଦେଖାଦେଇପାରେ ।
- ଛତୁ: ଛତୁ ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟରୁ ଗୋଟିଏ । ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । କିନ୍ତୁ କେଉଁ ଛତୁ ଖାଇବା ଶରୀର ପାଇଁ ଲଭାଦାୟକ ତାକୁ ଚିହ୍ନି ରଖିବା ଉଚିତ । ଜଙ୍ଗଲି ଛତୁ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ବାନ୍ତି, ଝାଡା, ଡିହାଇଡ୍ରେସନ ଏବଂ ଯକୃତ ସମସ୍ୟା ଦେଖା ଦେଇପାରେ।
- କଞ୍ଚା ଆମ୍ବ: କଞ୍ଚା ଆମ୍ବ, ଚୋପା ଏବଂ ଏହାର ପତ୍ରରେ ବିଷାକ୍ତ ପଦାର୍ଥ ରହିଥାଏ । ଯଦି ଆପଣଙ୍କୁ ଆଲର୍ଜି ସମସ୍ୟା ଥାଏ ତେବେ ଏଥିରୁ ଦୂରେଇ ରହିବା ଉଚିତ । ନଚେତ କୁଣ୍ଡେଇ ହେବା କିମ୍ବା ଗୋଡ ହାତ ଫୁଲିବା ଭଳି ସମସ୍ୟା ଦେଖାଦେଇପାରେ ।
- କଞ୍ଚା ରାଜମା: ବିନ୍ସର ସମସ୍ତ ପ୍ରଜାତିରେ ସବୁଠୁ ଅଧିକ ଲ୍ୟାକ୍ଟିନ କଞ୍ଚା ରାଜମାରେ ହିଁ ମିଳିଥାଏ । ଲ୍ୟାକ୍ଟିନ ଏକ ଏଭଳି ବିଷାକ୍ତ ପଦାର୍ଥ ଯାହା ପେଟ ସମସ୍ୟା ସୃଷ୍ଟି କରିପାରେ । କଞ୍ଚା ରାଜମା ଖାଇବା ଦ୍ୱାରା ବାନ୍ତି ମଧ୍ୟ ହୋଇପାରେ । ତେଣୁ ରାଜମା ଖାଇବା ପୂର୍ବରୁ ଏହାକୁ ଭଳ ଭାବେ ସିଝାଇ ଖାଇବା ଉଚିତ ।
- କରମଙ୍କା: ଯଦି ଆପଣଙ୍କ କିଡନୀ ଜନିତ ସମସ୍ୟା ରହିଛି ତେବେ କରମଙ୍କା ଠାରୁ ଦୂରେଇ ରୁହନ୍ତୁ । କିଡନୀ ଖରାପ ଥିବା ବ୍ୟକ୍ତି କରମଙ୍କା ଖାଇବା ଦ୍ୱାରା କିଡନୀ ଆହୁରି ନଷ୍ଟ ହୋଇଯିବା ଆଶଙ୍କା ରହିଥାଏ । ଏଥିସହ ମାନିସିକ ଭ୍ରମ ଏବଂ ହାର୍ଟଆଟାକ ଭଳି ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇପାରେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।