ଦିନକୁ ଦିନ ବଦଳି ଯାଉଛି ମଣିଷର ଜୀବନଶୈଳୀ । ଆଧୁନିକ ମଣିଷର ଜୀବନ ହୋଇଯାଉଛି ବ୍ୟସ୍ତବହୁଳ । ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର, ମୋବାଇଲ ଆଗରେ ବସି ରହିବା, ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା, ଦିନରେ ବିଳମ୍ବରେ ଉଠିବା, ଏକ୍ସରସାଇଜରୁ ଦୂରେଇ ରହିବା, ଅତ୍ୟଧିକ ତେଲ, ମସଲା ଖାଇବା ଦ୍ୱାରା ମଣିଷକୁ ଗ୍ରାସ କରୁଛି ଅନେକ ରୋଗ । ସେଥିମଧ୍ୟରୁ ସର୍ବାଧିକ ଲୋକଙ୍କୁ ଆକ୍ରାନ୍ତ କରୁଥିବା ରୋଗ ଭାବେ ପରିଚିତ ମଧୁମେହ । କେବଳ ବୟସ୍କ ନୁହନ୍ତି, ଯୁବପିଢ଼ି ଏପରିକି କମ୍ ବୟସର ପିଲା ବି ଏହା ଦ୍ୱାରା ଖୁବ୍ କମ୍ ବୟସରୁ କବଳିତ ହେଉଛନ୍ତି।
ମଧୁମେହ ରୋଗର ଡାକ୍ତରୀ ନାମ ହେଉଛି ଡାଇବେଟିସ ମେଲିଟସ୍। ଗ୍ରୀକ୍ ଭାଷାରେ ‘ମେଲିଟସ୍’ ଶବ୍ଦର ଅର୍ଥ ହେଉଛି ମହୁ ଓ ଡାଇବେଟିସ ଶବ୍ଦର ଅର୍ଥ ନଳୀ । ପରିସ୍ରା ନଳୀରେ ମହୁ ଭଳି ମିଠାଯୁକ୍ତ ପରିସ୍ରା ହେଉଥିବାରୁ ଏହାର ନାମ ‘ଡାଇବେଟିସ ମେଲିଟସ୍’ ବୋଲି କୁହାଗଲା।
ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ମହର୍ଷି ଶୁଶ୍ରୁତ ଏହାର ନାମ ମଧୁମେହ ରଖିଥିଲେ। ମଧୁ ଅର୍ଥ ମହୁ ଓ ମେହ ଅର୍ଥ ପରିସ୍ରା ଦୋଷ । ତେଣୁ ଗ୍ରୀକ୍ମାନଙ୍କଠାରୁ ବହୁ ପୂର୍ବରୁ ଶୁଶ୍ରୁତ ଏହାର ନାମକରଣ କରି ସାରିଥିଲେ।
ରକ୍ତରେ ଶର୍କରା ପରିମାଣ ବୃଦ୍ଧି ପାଇଲେ ଡାଇବେଟିସ ରୋଗ ନିରୂପଣ କରାଯାଇଥାଏ । ଡାଇବେଟିସ ସାଧାରଣତଃ ୨ ପ୍ରକାରର । ଟାଇପ-୧ ଓ ଟାଇପ୍-୨ ଡାଇବେଟିସ । ଟାଇପ୍-୧ ଡାଇବେଟିସ ଶତକଡ଼ା ୫ ଭାଗ ଥିବା ବେଳେ ଟାଇପ୨- ଡାଇବେଟିସ ଶତକଡ଼ା ୯୫ ଭାଗ ରହିଛି।
ଟାଇପ-୧ ଡାଇବେଟିସ ଶୈଶବ, କିଶୋର ଓ ଆଦ୍ୟ ଯୌବନରେ ମୁଖ୍ୟତଃ ୨୫ ବର୍ଷରେ ହୋଇଥାଏ । ଏ କ୍ଷେତ୍ରରେ ହଠାତ୍ ରୋଗର ଲକ୍ଷଣ ଦେଖାଯାଏ। ଟାଇପ୍-୨ ଡାଇବେଟିସ ସାଧାରଣତଃ ୪୦ ବର୍ଷ ପରେ ହୋଇଥାଏ। ଏମାନଙ୍କ ପରିବାର ଓ ନିକଟ ସମ୍ପର୍କୀୟଙ୍କର ଡାଇବେଟିସ ରୋଗର ଇତିହାସ ଥାଏ। ରକ୍ତ ଶର୍କରା ଅଧିକ ରହିଲେ, ଭୋକ, ଶୋଷ ଓ ପରିସ୍ରା ଅଧିକ ହୁଏ ।
ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ୱ ଡାଇବେଟିସ ଡେ ଭାବେ ପାଳନ କରାଯାଉଛି। ଇନସୁଲିନ ଆବିଷ୍କାର କରିଥିବା ଡ. ବ୍ୟାଣ୍ଟିଙ୍ଗଙ୍କ ଜନ୍ମ ତାରିଖ ଅନୁସାରେ ଜନସଚେତନା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଏହି ଦିନକୁ ବିଶ୍ୱ ମଧୁମେହ ଦିବସ ଭାବେ ପାଳନ କରାଯାଏ ।
ମଧୁମେହ ରୋଗ ହେଉଛି ନୀରବ ଘାତକ । ଏପରିକି ଏହାକୁ ଆଧୁନିକ ସଭ୍ୟତାର ଅଭିଶାପ ବୋଲି ବି କୁହାଯାଏ । ପୂର୍ବରୁ ସାଧାରଣତଃ ୪୦ ବର୍ଷରରୁ ଅଧିକ ବର୍ଷର ଲୋକ ଡାଇବେଟିସରେ ଆକ୍ରାନ୍ତ ହୋଇଥାନ୍ତି। ମାତ୍ର ଏବେ ଯୁବ ପିଢ଼ି ଓ କୁନି କୁନି ପିଲା ବି ଏହାର ପଞ୍ଝାରୁ ରକ୍ଷା ପାଇପାରୁ ନାହାନ୍ତି।
ଡାଇବେଟିସ ରୋଗକୁ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇ ପାରିଲେ, ସଠିକ୍ ସମୟରେ ତାର ଚିକିତ୍ସା କରାଯାଇପାରିବ। ଚିକିତ୍ସା, ଜୀବନଶୈଳୀରେ ପରିବର୍ତ୍ତନ ସହ ନିୟନ୍ତ୍ରଣରେ ରହିଲେ ଜଣେ ମଧୁମେହ ରୋଗୀ ସୁସ୍ଥ ଜୀବନଯାପନ କରିପାରିବ ।
ମୁଖ୍ୟତଃ ଖାଇବା ପିଇବାରେ ଅନିୟମିତତା, ତନ୍ତୁଜାତୀୟ ଖାଦ୍ୟର ଅଭାବ ଡାଇବେଟିସ ବୃଦ୍ଧିର ମୁଖ୍ୟ କାରଣ ବୋଲି ବିଶେଷଜ୍ଞଙ୍କ ମତ । ଇଣ୍ଟରନ୍ୟାସନାଲ ଡାଇବେଟିସ ଫେଡେରେସନ ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ୨୦ରୁ ୭୯ ବର୍ଷ ମଧ୍ୟରେ ୪୩ ମିଲିଅନ ଲୋକ ଡାଇବେଟିସରେ ଆକ୍ରାନ୍ତ । ଚୀନ, ଭାରତ ଓ ଆମେରିକାରେ ଅଧିକ ସଂଖ୍ୟକ ଡାଇବେଟିସ ରୋଗୀ ଥିବା ସର୍ଭେରୁ ଜଣାଯାଇଛି।
ଶରୀରରେ ଇନସୁନିଲ ସ୍ତର କମିଲେ ମଧୁମେହ ହୋଇଥାଏ। ବିଶେଷତଃ ଏହା ବଂଶାନୁକ୍ରମିକ, ବୟସ ବଢ଼ିଲେ ଓ ଶରୀରର ମୋଟାପଣ ବଢ଼ିଲେ ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ୨୦୧୯ ମସିହା ପର୍ଯ୍ୟନ୍ତ ଭାରତରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ୭୭ ମିଲିଅନ ଅର୍ଥାତ ୭ କୋଟି ୭୦ ଲକ୍ଷ ଥିଲା। ୨୦୩୦ ସୁଦ୍ଧା ଏହା ୧୦୧ ମିଲିଅନ ହୋଇପାରେ ବୋଲି ଆକଳନ କରାଯାଉଛି। ଭାତରେ ୨୦ରୁ ୭୯ ବର୍ଷ ବୟସର ଅଧିବ ବ୍ୟକ୍ତି ଡାଇବେଟିସରେ ଆକ୍ରାନ୍ତ ହେଉଛନ୍ତି।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ମଧୁମେହ କାରଣରୁ ବିଶ୍ୱରେ ପ୍ରାୟ ୧.୫ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ବିଶ୍ୱର ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି ମଧୁମେହ ।
ସାରା ବିଶ୍ୱରେ ବଡ଼ ସମସ୍ୟା ହେଊଛି, ଡାଇବେଟିସକୁ ଚିହ୍ନଟ କରାଯାଇପାରୁ ନାହିଁ। ଭାରତରେ ପ୍ରାୟ ୪୩.୯ ମିଲିଅନ ଲୋକ ଡାଇବେଟିସରେ ଆକ୍ରାନ୍ତ ବୋଲି ଜାଣି ନାହାନ୍ତି। ଆମେରିକାରେ ଏହି ସଂଖ୍ୟା ୧୧.୮ ମିଲିଅନ ଓ ଚାଇନାରେ ଏହି ସଂଖ୍ୟା ୬୫.୨ ।
ମଧୁମେହ ରୋଗକୁ ନିୟନ୍ତ୍ରଣକୁ ଆଣିବା ନିମନ୍ତେ ଖାଦ୍ୟପେୟ ଉପରେ ରୋଗୀ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ । ଖାଦ୍ୟପେୟ, ବ୍ୟାୟାମ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ମଧୁମେହ ରୋଗୀ ଆଦୌ ଔଷଧ ଖାଇବା ବନ୍ଦ କରିବା କଥା ନୁହେଁ।
ମଧୁମେହ ରୋଗୀ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଖାଦ୍ୟପେୟରେ ଟିକେ ବି ଅବହେଳା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ମଧୁମେହ ରୋଗୀ ସବୁ ପ୍ରକାର ଖାଦ୍ୟ ଖାଇପାରି ନ ଥାନ୍ତି। ସେମାନେ ଖାଉଥିବା ଖାଦ୍ୟ ଯେପରି ରକ୍ତ ଶର୍କରା ପରିମାଣ ନ ବଢ଼ାଇବ, ସେ ଦିଗରେ ସେମାନେ ଯତ୍ନବାନ ହେବା ଆବଶ୍ୟକ ।
ମଧୁମେହ ରୋଗୀ ତନ୍ତୁଜାତୀୟ ଖାଦ୍ୟ, କମ୍ପ୍ଲେକ୍ସ କାର୍ବୋହାଇଡ୍ରେଡ ତଥା ମିଲେଟ, ସବୁଜ ପନିପରିବା ଓ ଫଳ ବି ଖାଇପାରିବେ। ଯେଉଁ ସବୁ ଖାଦ୍ୟ ପଦାର୍ଥରେ ଗ୍ଲାଇସେମିକ ଇଣ୍ଡେକ୍ସ କମ୍ ରହୁଛି, ସେମାନଙ୍କୁ ସେସବୁ ଖାଇବା ଦରକାର।
ଏହି ରୋଗୀ ଏକକାଳୀନ ବେଶି ପରିମାଣର ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ । ସେମାନେ ପ୍ରତି ୨ ଘଣ୍ଟାରେ ଅଳ୍ପ ଅଳ୍ପ ଖାଦ୍ୟ ଅଧିକ ଥର ଖାଇପାରିବେ। ଖାଦ୍ୟ ସହ ମଧୁମେହ ରୋଗୀ ପାଣି ବି ଠିକ୍ ଭାବେ ପିଇବା ଆବଶ୍ୟକ ।
ଅନେକ ସମୟରେ ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରାର ପରିମାଣ କମିଯାଏ। ଫଳରେ ସେମାନଙ୍କ ମୁଣ୍ଡ ବୁଲାଏ, ଦେହହାତ ଥରେ ଓ ଶରୀରରୁ ଝାଳ ବୁହେ। ଏସବୁ ସମସ୍ୟା ଦେଖାଦେଲେ ସେମାନଙ୍କୁ ସଙ୍ଗେ ସଙ୍ଗେ ଶର୍କରା, ଗ୍ଲୁକୋଜ ଦେଇପାରିବେ। ଅଳ୍ପ ଅଳ୍ପ ଖାଦ୍ୟ ବହୁ ଥର ଖାଆନ୍ତୁ । ଉପବାସ କରନ୍ତୁ ନାହିଁ ।
ମଧୁମେହ ରୋଗୀଙ୍କ ପାଇଁ ମିଠାର ବିକଳ୍ପ ପାଲଟିଛି ସୁଗାର ଫ୍ରି । ତେବେ ଆବଶ୍ୟକତାଠାରୁ ଏହାର ଅଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ବିବେଚନା କରାଯାଏ। ମଧୁମେହକୁ ନିୟନ୍ତ୍ରଣରେ ରଖି ମିଠା ଖାଇବାର ଲାଳସାକୁ ପୂରଣ କରିବାକୁ ବହୁ ଜଣ ସୁଗାର ଫ୍ରି ଟାବଲେଟ ଖାଉଥିବା ବେଳେ ଏହା ଶତ ପ୍ରତିଶତ ଫଳପ୍ରଦ ନୁହେଁ । କାରଣ ସୁଗାର ଫ୍ରି ସମ୍ପୂର୍ଣ୍ଣ କ୍ୟାଲୋରି ଫ୍ରି ନୁହେଁ। କୌଣସି ସୁଗାର ଫ୍ରି ଟାବେଲଟକୁ କିଣିବା ବେଳେ ସେଥିରେ ବ୍ୟବହୃତ ଜିନିଷ ସମ୍ପର୍କରେ ଜାଣିବା ଜରୁରୀ। ଯଦି ଏଥିରେ ସ୍ୟାକାରିନ, ରେବିୟାନ ବା ସୁକ୍ରୋଜ ଆଜି ଉଲ୍ଲେଖ ଥାଏ ତାହା କ୍ଷତିକାରକ ।
ମଧୁମେହ ରୋଗୀ ମହୁ, ଖଜୁରି, ଗୁଡ଼ ଆଦି ବ୍ୟବହାର କରିବା ଦରକାର। ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଓ ଉତ୍ତମ ବିକଳ୍ପ । ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖେ। ମଧୁମେହ ରୋଗୀଙ୍କୁ ଭାତ ଖାଇବାକୁ ମନା କରାଯାଇଥାଏ। ତେବେ ସେଥିପାଇଁ ଗ୍ଲାଇସେମିକ ଇଣ୍ଡେକ୍ସ କମ୍ ଥିବା ଚାଉଳ ବାଛିବା ଦରକାର। ଉଷୁନା ଚାଉଳ ହେଉଛି ସବୁଠୁ ଭଲ ବିକଳ୍ପ । ଏହାବାଦ ବାସୁମତୀ, ବ୍ରାଉନ୍ ଓ ୱାଇଲ୍ଡ ରାଇସ୍ରେ ବି ଜିଆଇ କମ୍ ଥାଏ ।
ଗ୍ରୀନ ଟି ଟାଇପ୍-୧ ଓ ଟାଇପ୍-୨ ମଧୁମେହ ରୋଗୀଙ୍କ ଲାଗି ଖଉବ୍ ହିତକର । ଏହି ଚା’ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖେ। ଏଣୁ ମଧୁମେହ ରୋଗୀ ଡାଏଟରେ ଗ୍ରୀନ୍-ଟି ସାମିଲ କରିବା ଉଚିତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।