ଆବଶ୍ୟକ ସାମଗ୍ରୀ: କ୍ଷୀର ବା ସଜ ଛେନା, ଚିନି, ଲେମ୍ବୁ କିମ୍ବା ଭିନେଗାର, ସୁଜି, ଚିନି, ପାଣି, ଖାଇବା ସୋଢ଼ା, ଗୁଜରାତି ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲିରେ ଏକ ଡେକ୍ଚିରେ କ୍ଷୀର ବସାନ୍ତୁ। କ୍ଷୀର ଫୁଟିଯିବା ପରେ ଛେନା ପ୍ରସ୍ତୁତ କରିବା ପାଇଁ ସେଥିରେ ଭିନେଗାର କିମ୍ବା ଲେମ୍ବୁ ରସ ପକାନ୍ତୁ। କ୍ଷୀର ଛିଣ୍ଡି ଯିବା ପରେ ପ୍ରସ୍ତୁତ ହୋଇଥିବା ଛେନାକୁ ଏକ ସଫା କପଡ଼ାରେ ରଖନ୍ତୁ। ତା’ପରେ ତାକୁ ସେହି କପଡ଼ାରେ ରଖି ଧୋଇ ଦେଇ ଭଲ ଭାବେ ଚିପୁଡ଼ି ପାଣି ବାହାର କରି ଦିଅନ୍ତୁ। ନହେଲେ ଆପଣ ସଜ ଛେନା ସିଧାସଳଖ କିଣି ଆଣିପାରିବେ।
ଏବେ ଏକ ପାତ୍ରରେ ଛେନାକୁ ରଖି ସେଥିରେ ଗୁଜରାତି ଗୁଣ୍ଡ, ଅଳ୍ପ କିଛି ଖାଇବା ସୋଢ଼ା ଓ ଅଳ୍ପ ସୁଜି ପକାଇ ଭଲ ଭାବରେ ଚକଟି କିଛି ସମୟ ରଖିଦିଅନ୍ତୁ। ପରେ ଚକଟା ଛେନାକୁ ରସଗୋଲା ପରି ଗୋଲ ଗୋଲ କରନ୍ତୁ। ଏହାକୁ ଏକ ପ୍ଲେଟ୍ରେ ରଖନ୍ତୁ।
ଶିରା ପ୍ରସ୍ତୁତ କରିବାକୁ ଚୁଲାରେ ଏକ ପ୍ୟାନ୍ ବସାଇ ସେଥିରେ ଆବଶ୍ୟକ ମୁତାବକ ପାଣି ଗରମ କରି ଚିନି ପକାନ୍ତୁ। ତାକୁ ଗୋଳେଇ ଗୋଳେଇ ଶିରା ପ୍ରସ୍ତୁତ କରନ୍ତୁ। ଏହାପରେ ସେଥିରେ ଗୁଜରାତି ଗୁଣ୍ଡ ପକାନ୍ତୁ। ଶିରା ଟିକେ ବହଳିଆ ହୋଇ ଆସିଲେ ସେଥିରେ ରସଗୋଲା ପକାଇ ଏପଟ ସେପଟ କରି ଲେଉଟାନ୍ତୁ। ଏବେ ଢାଙ୍କୁଣୀ ଦେଇଦିଅନ୍ତୁ।
ଶିରା ରସଗୋଲାରେ ଭଲ ଭାବେ ମିଶିଯିବା ପରେ ତାକୁ ପ୍ଲେଟ୍କୁ କାଢ଼ି ଆଣି ଥଣ୍ଡା କରନ୍ତୁ। ପ୍ରସ୍ତୁତ ହୋଇଗଲା ରସଗୋଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।