ଡେଙ୍ଗୁକୁ ଭୟ କରନ୍ତୁ ନାହିଁ; ଲକ୍ଷଣ ଓ ଚିକିତ୍ସା ପଦ୍ଧତି ବିଷୟରେ ଜାଣିନିଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡେଙ୍ଗୁ ଜ୍ୱର ଏକ ଭୂତାଣୁଜନିତ ରୋଗ। ଏଡିସ୍‌ ମଶା ବା ଟାଇଗର୍‌ ମସ୍କିଟୋ କାମୁଡ଼ିବା ଦ୍ୱାରା ଏହି ଜ୍ୱର ହୋଇଥାଏ। ତେବେ ଦିନ ବେଳେ ଏହି  ମଶା କାମୁଡ଼ିଲେ ଡେଙ୍ଗୁ ଜ୍ୱର ହୋଇଥାଏ।  ୨୦୦୮ ଓ ୨୦୦୯ ପରେ ଓଡ଼ିଶାରେ ଏହି ରୋଗ ଅଧିକ ପରିମାଣରେ ଦେଖା ଦେଇଛି। ତେଣୁ ଡେଙ୍ଗୁ ଜ୍ୱରର ଲକ୍ଷଣ କ’ଣ, ଡେଙ୍ଗୁ ହେଲେ କାହା ପ୍ରତି ଅଧିକ ବିପଦ ଥାଏ, ଏହାର ପ୍ରତିକାର କ’ଣ ଓ କେମିତି ଚିକିତ୍ସା କରାଯାଏ, ସଂପର୍କରେ ସମସ୍ତଙ୍କର କିଛି କିଛି ଜ୍ଞାନ ରହିବା ଜରୁରୀ। ତା’ହେଲେ ଡେଙ୍ଗୁରୁ ନିଜକୁ ରକ୍ଷା କରିପାରିବେ ଓ ଡେଙ୍ଗୁ ହେଲେ ବି ଭୟ କରିବେ ନାହିଁ। ତା’ହେଲେ ଏସବୁ ନେଇ ପ୍ରଫେସର ଡକ୍ଟର ଶ୍ରୀକାନ୍ତ କୁମାର ଧର କ’ଣ କହିଛନ୍ତି, ଆସନ୍ତୁ ଜାଣିବା।

ଡେଙ୍ଗୁ ଜ୍ୱରର ଲକ୍ଷଣ
– ଦେହହାତ ଦରଜ ହେବା
– ମୁଣ୍ଡ ବଥାଇବା
– ପେଟ କାଟିବା
– ଗଣ୍ଠି ଦରଜ ହେବା
– ପେଟ ଫୁଲିଯିବା ବା ଦେହରେ କୌଣସି ସ୍ଥାନରେ ପାଣି ଜମା ହୋଇ ରହିବା
– ଦେହରେ ଲାଲ୍‌ ଲାଲ୍‌ ହୋଇ ଫଳିଯିବା
– ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା ହେବା
– ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ହେବା
– ଆଖି ପଛପଟ ପ୍ରବଳ ଯନ୍ତ୍ରଣା ହେବା
– ଜ୍ୱର ଲାଗି ରହିବା ସହିତ ବାନ୍ତି ହେବା
– ଦୁର୍ବଳ ଲାଗିବା

କାହାକୁ ଅଧିକ ବିପଦ ଥାଏ
– ମଶାଠାରୁ ଦୂରେଇ ରହିଲେ ଡେଙ୍ଗୁ ଜ୍ୱର ହେବ ନାହିଁ। ତେବେ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ, ସେମାନଙ୍କୁ ଡେଙ୍ଗୁ ଜ୍ୱର ଅଧିକ ହେବାର ଆଶଙ୍କା ରହିଛି। ଛୋଟଛୁଆ, ଗର୍ଭବତୀ, ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ଡେଙ୍ଗୁ ଜ୍ୱରକୁ ହାଇ ରିସ୍କ ବୋଲି କୁହାଯାଏ।

– ଗର୍ଭବତୀଙ୍କ ଉପରେ ଡେଙ୍ଗୁର ପ୍ରଭାବ ପଡ଼ିଲେ ଗର୍ଭ ନଷ୍ଟ ହେବାର ଆଶଙ୍କା ରହିଥାଏ। ତେଣୁ ଛୋଟଛୁଆ ଓ ଗର୍ଭବତୀଙ୍କ କ୍ଷେତ୍ରରେ ସମସ୍ତେ ସତର୍କ ରହିବା ଆବଶ୍ୟକ।

ଡେଙ୍ଗୁ ହେଲେ ଅନ୍ୟ କୌଣସି ରୋଗ ହୋଇଥାଏ କି ?
ପ୍ରାୟତଃ ନାହିଁ। କିନ୍ତୁ ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି କମ୍‌ ଅଛି, ଯେପରିକି ଡାଇବେଟିସ୍‌ ରୋଗୀ, ସେମାନଙ୍କର ବିଭିନ୍ନ ଅଙ୍ଗ ଯେପରିକି କିଡ୍‌ନୀ ଆଦି ଫେଲ୍‌ ହେବାର ଆଶଙ୍କା ରହିଥାଏ। ତେଣୁ ଡେଙ୍ଗୁର ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ଡେଙ୍ଗୁ ଜ୍ୱରର ଚିକିତ୍ସା ପଦ୍ଧତି
ଏଥିପାଇଁ କୌଣସି ସ୍ୱତନ୍ତ୍ର ଚିକିତ୍ସା ପଦ୍ଧତି ନାହିଁ। ଲକ୍ଷଣ ଅନୁସାରେ ଏହାର ଚିକିତ୍ସା କରାଯାଇଥାଏ। ବେଳେବେଳେ ରକ୍ତଚାପ ବହୁତ ପରିମାଣରେ କମିଗଲେ କିମ୍ୱା ରକ୍ତସ୍ରାବ ହେଲେ ରୋଗୀକୁ ହସ୍ପିଟାଲରେ ଭର୍ତ୍ତି କରି ଲିଟର ଲିଟର ପର୍ଯ୍ୟନ୍ତ ସାଲାଇନ୍‌ ଦେବାକୁ ପଡ଼ିଥାଏ।

ଜଣେ ସୁସ୍ଥ ମଣିଷର ଶରୀରର ରକ୍ତରେ ପ୍ଲେଟ୍‌ଲେଟ୍‌ର ପରିମାଣ ୧.୫ ରୁ ୪.୫ ଲକ୍ଷ ରହିଥାଏ। ୨୦ ହଜାରରୁ ତଳକୁ ପ୍ଲେଟଲେଟ୍‌ ଖସିଲେ ଏହା ଶରୀର ପାଇଁ ବିପଦପୂର୍ଣ୍ଣ। ଏପରିକି ୧୦ ହଜାର ତଳକୁ ପ୍ଲେଟଲେଟ୍‌ କମିଲେ ରୋଗୀ ଶରୀରରୁ ଅନବରତ ରକ୍ତସ୍ରାବ ହୋଇଥାଏ। ଏହି ସମୟରେ ରୋଗୀକୁ ହସ୍ପିଟାଲରେ ଭର୍ତ୍ତି କରି ପ୍ଲେଟ୍‌ଲେଟ୍‌ ଦେବା ଆବଶ୍ୟକ ହୋଇଥାଏ।

ଏହି ସମୟରେ ରୋଗୀ ଶରୀରରୁ ଜଳୀୟଂଶ କମି ଯାଏ। ତେଣୁ ଡିହାଇଡ୍ରେସନ୍‌ ହୋଇଥାଏ। ତେଣୁ ବହୁତ ପରିମାଣରେ ଓଆର୍‌ଏସ୍‌ ଓ ପାଣି ରୋଗୀକୁ ଦିଆଯାଇଥାଏ। ଜ୍ୱର ପାଇଁ ପାରାସିଟାମଲ୍‌ ଦିଆଯାଇଥାଏ।

କେଉଁ ପ୍ରକାର ଔଷଧ ଖାଇବା ଦରକାର ଓ କେଉଁଟି ନୁହେଁ ?
– ଆଣ୍ଟିବାୟୋଟିକ୍‌ ଖାଆନ୍ତୁ ନାହିଁ। କାହିଁକି ନା ଏହା ଏକ ଭୂତାଣୁଜନିତ ରୋଗ। ଆଇଭିପ୍ରୋଫେନ୍‌ ଓ ଆସ୍ପିରିନ୍‌ ପରି ମେଡିସିନ୍‌ ବି ଖାଆନ୍ତୁ ନାହିଁ।

– ଜ୍ୱର ପାଇଁ କେବଳ ପାରାସିଟାମଲ୍‌ ଖାଆନ୍ତୁ ଓ ପ୍ରଚୁର ପରିମାଣରେ ଓଆର୍‌ଏସ୍‌ ପିଅନ୍ତୁ।

– ଅଧିକ କମ୍ପ୍ଲିକେସନ୍‌ ଥିଲେ କିମ୍ୱା ପ୍ଲେଟ୍‌ଲେଟ୍‌ ବହୁତ ପରିମାଣରେ କମିଲେ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥାଏ। ନଚେତ୍‌ ଡେଙ୍ଗୁ ଜ୍ୱରରେ ଭୟଭୀତ ହେବାର କୌଣସି କାରଣ ନାହିଁ।

ଡେଙ୍ଗୁରୁ ଦୂରେଇ ରହିବାର ଉପାୟ
– ଘର ଆଖପାଖ ପରିଷ୍କାର ରଖନ୍ତୁ।
– କୌଣସି ସ୍ଥାନରେ ଯେପରି ପାଣି ଜମି ନରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
– ଅତ୍ୟଧିକ ପରିମାଣର ପାଣି ପିଅନ୍ତୁ।
– ଭିଟାମିନ୍‌ଯୁକ୍ତ ଖାଦ୍ୟ, ଫଳ ଓ ପନିପରିବା ଅଧିକ ଖା’ନ୍ତୁ।
– ମଶାରୀ ନିଶ୍ଚିତ ବ୍ୟବହାର କରନ୍ତୁ।
– ଛୋଟଛୁଆଙ୍କ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।
– ଜ୍ୱର ହୋଇ ଦେହ ଘୋଳା ବିନ୍ଧା ହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
– ଅଯଥା ଭୟଭୀତ ହୁଅନ୍ତୁ ନାହିଁ।
– ଅନେକ କ୍ଷେତ୍ରରେ କୁହାଯାଇଥାଏ ଯେ, ଅମୃତଭଣ୍ଡା ପତ୍ରର ରସ ପିଇବା ଦ୍ୱାରା ଡେଙ୍ଗୁ ଜ୍ୱରକୁ ନିୟନ୍ତ୍ରଣ କରାଯାଇପାରିବ। କିନ୍ତୁ ବିଜ୍ଞାନ ଦୃଷ୍ଟିକୋଣରୁ ଏପର୍ଯ୍ୟନ୍ତ ଏହା ପ୍ରମାଣିତ ହୋଇନାହିଁ। ମାତ୍ର କୁହାଯାଏ ଯେ ଅମୃତଭଣ୍ଡା ପତ୍ରରେ ‘କ୍ରୁସେଟିନ୍‌’ ନାମରେ ଏକ କମ୍ପୋନେଣ୍ଟ ଅଛି, ଯାହା ଡେଙ୍ଗୁର ଭୂତାଣୁକୁ ବୃଦ୍ଧି କରିବାକୁ ଦେଇ ନଥାଏ। ତେଣୁ ଚିକିତ୍ସା ପଦ୍ଧତିରେ ଏହାକୁ ଗ୍ରହଣ କରାଯାଉଛି। ତେଣୁ ଡେଙ୍ଗୁ କୌଣସି ମାରାତ୍ମକ ରୋଗ ନୁହେଁ। ଡେଙ୍ଗୁର କୌଣସି ଲକ୍ଷଣ ଦେଖା ଦେଲେ ଡାକ୍ତରଙ୍କ ସହିତ ପରାମର୍ଶ କରି ଏହାର ନିରାକରଣ କରାଯାଇପାରିବ।