ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ମହିଳାଙ୍କ ପାଇଁ ଗର୍ଭାବସ୍ଥା ହେଉଛି ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏପରି ଅବସ୍ଥାରେ ମହିଳାଙ୍କର ସ୍ୱତନ୍ତ୍ର ଯତ୍ନ ନେବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟକର ଖାଦ୍ୟ ସହିତ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଏହି ସମୟରେ ନିତାନ୍ତ ଆବଶ୍ୟକ।
ଗର୍ଭାବସ୍ଥାରେ ହରମୋନ୍ ପରିବର୍ତ୍ତନ ଯୋଗୁ ମହିଳାମାନେ ଅନେକ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଯାହା ଯୋଗୁ ସେମାନଙ୍କୁ ଠିକ୍ ଭାବରେ ନିଦ ହୋଇ ନଥାଏ। ଏପରିକି ମହିଳାମାନେ ଏହି ସମୟରେ ଭୟଭୀତ ଅବସ୍ଥାରେ ରହିଥା’ନ୍ତି। ନିଦ ନହେଲେ ଗର୍ଭରେ ଥିବା ଶିଶୁ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ଆସନ୍ତୁ ଜାଣିବା କିଛି ଟିପ୍ସ, ଯାହାକୁ ଅନୁସରଣ କଲେ, ଗର୍ଭାବସ୍ଥା ସମୟରେ ଆପଣଙ୍କୁ ଭଲ ନିଦ ହୋଇପାରିବ।
୧. ଗର୍ଭାବସ୍ଥାର ତୃତୀୟ ମାସରେ ଗୋଟିଏ କଡ଼ ମାଡ଼ି ଶୁଅନ୍ତୁ ନାହିଁ। କିଛି କିଛି ସମୟ ବ୍ୟବଧାନରେ କଡ଼ ଲେଉଟାନ୍ତୁ। ବାମ ପଟ ମାଡ଼ି ଶୋଇବା ଅଭ୍ୟାସ କରନ୍ତୁ। ଏପରି ଶୋଇଲେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ।
୨. ରାତିରେ ହାଲ୍କା ଖାଦ୍ୟ ଖା’ନ୍ତୁ। ଛାତି ଜଳାପୋଡ଼ା ସମସ୍ୟାରୁ ରକ୍ଷା ପାଇବା ପାଇଁ ମସଲା ଜାତୀୟ ଓ ତୈଳଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।
୩. ସୁସ୍ଥ ରହିବା ପାଇଁ ନିୟମିତ ଯୋଗ କରନ୍ତୁ। ଏହାଦ୍ୱାରା ଆପଣଙ୍କ ପାଦ ଓ ଆଣ୍ଠୁ ଯନ୍ତ୍ରଣା କମ୍ ହେବ।
୪. ଦିନରେ ବାରମ୍ୱାର କିଛି ନା କିଛି ଖା’ନ୍ତୁ। ଖାଲି ପେଟରେ ରହିଲେ ବାନ୍ତି ହେବାର ସମ୍ଭାବନା ରହିଥାଏ।
୫. ଗର୍ଭାବସ୍ଥା ସମୟରେ ମହିଳାମାନେ ବେଡ୍ର ଦୁଇ ପଟରେ ତକିଆ ଦେଇ ଶୋଇବା ଉଚିତ୍।
୬. ଶୋଇବା ପୂର୍ବରୁ ଲଘୁ ସଙ୍ଗୀତ ଶୁଣନ୍ତୁ। ଏହାଦ୍ୱାରା ମନକୁ ଶାନ୍ତି ମିଳିବା ସହିତ ଭଲ ନିଦ ହୋଇଥାଏ।
୭. ଶୋଇବା ପୂର୍ବରୁ ଉଷୁମ ପାଣିରେ ଗାଧାନ୍ତୁ। ଏପରି କଲେ ଆପଣଙ୍କ ଶରୀର ରିଲାକ୍ସ ହୋଇଥାଏ ଏବଂ ନିଦ ମଧ୍ୟ ଭଲ ହୋଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।