ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଜାଣିଛନ୍ତି, ଭାରତରେ ଏଚ୍ଆଇଭି, ମ୍ୟାଲେରିଆ ଓ ଡେଙ୍ଗୁରେ ଯେତିକି ଲୋକଙ୍କ ମୃତ୍ୟୁ ହୋଇଥାଏ, ତା’ଠାରୁ ଅଧିକ ମୃତ୍ୟୁ ହେପାଟାଇଟିସ୍ ରୋଗରେ ହୋଇଥାଏ। ଆଉ ଦୁଃଖର କଥା, ଏଯାଏ ଲୋକେ ଏହା ବିଷୟରେ ଭଲ ଭାବେ ଅବଗତ ହୋଇନାହାନ୍ତି କି ସେହି ଅନୁସାରେ ସଚେତନ ହୋଇନାହାନ୍ତି। ସେଥିପାଇଁ ହେପାଟାଇଟିସ୍ ରୋଗର ଲକ୍ଷଣ ବିଷୟରେ ଜାଣିପାରନ୍ତି ନାହିଁ ଓ ଜାଣିବା ବେଳକୁ ରୋଗ ବିପତ୍ତି ଆଡ଼କୁ ଗତି କରି ସାରିଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଫ୍ୟାଶନ୍ ଓ ଷ୍ଟାଇଲ୍ ପାଇଁ ଶରୀରରେ କରାଯାଉଥିବା ଟାଟୁ ଯୋଗୁ ବି ହେପାଟାଇଟିସ୍ ଇନ୍ଫେକ୍ସନ୍ ହୋଇଥାଏ।
ଟାଟୁରୁ କେମିତି ବ୍ୟାପେ ହେପାଟାଇଟିସ୍
ଟାଟୁ କରିବା ପାଇଁ ଛୁଞ୍ଚି ବ୍ୟବହାର କରାଯାଏ। ଛୁଞ୍ଚିରେ ଇଙ୍କ୍ ଭରି ସ୍କିନ୍ରେ ଫୁଟା ଯାଇ ଟାଟୁ କରାଯାଇଥାଏ। ଏହି ଛୁଞ୍ଚି ସିଧାସଳଖ ରକ୍ତ ସମ୍ପର୍କରେ ଆସିଥାଏ। ଯଦି ଏହି ଛୁଞ୍ଚି ପ୍ରଥମରୁ କୌଣସି ହେପାଟାଇଟିସ୍ ରୋଗୀଙ୍କ ଶରୀରରେ ବ୍ୟବହାର ହୋଇଥାଏ, ତା’ହେଲେ ସେଥିରେ ଅନ୍ୟମାନେ ଟାଟୁ କଲେ ସେମାନେ ମଧ୍ୟ ହେପାଟାଇଟିସ୍ ‘ବି’ କିମ୍ବା ‘ସି’ରେ ସଂକ୍ରମିତ ହେବାର ଆଶଙ୍କା ବହୁତ ଅଧିକ ଥାଏ। ଏଥିଯୋଗୁ ଏଚ୍ଆଇଭିରେ ସଂକ୍ରମିତ ହେବାର ବି ଆଶଙ୍କା ଥାଏ।
ଟାଟୁ କଲା ବେଳେ କେଉଁ କଥା ପ୍ରତି ଧ୍ୟାନ ଦେବେ?
୧. ଟାଟୁ କରିବା ସମୟରେ ଆର୍ଟିଷ୍ଟ୍ ନୂଆ ଛୁଞ୍ଚି ବ୍ୟବହାର କରୁଛନ୍ତି କି ନାହିଁ, ତା’ ଉପରେ ଧ୍ୟାନ ଦିଅନ୍ତୁ।
୨. ଏପରି କୌଣସି ପାର୍ଲରରେ ଟାଟୁ କରନ୍ତୁ ନାହିଁ, ଯେଉଁ ପାର୍ଲରକୁ ଲାଇସେନ୍ସ ମିଳିନାହିଁ।
୩. ସାଧାରଣତଃ ଅନେକ ଆର୍ଟିଷ୍ଟ ଟାଟୁ କରିବା ସମୟରେ ଗ୍ଲୋଭ୍ସ ବ୍ୟବହାର କରିଥା’ନ୍ତି। କିନ୍ତୁ ସେ ନୂଆ ଗ୍ଲୋଭ୍ସ ବ୍ୟବହାର କରୁଛନ୍ତି କି ନାହିଁ, ସେଥିପ୍ରତି ବି ଧ୍ୟାନ ଦିଅନ୍ତୁ।
୪. ଟାଟୁ ମେସିନ୍କୁ କେବଳ ସଫା କରିଦେଲେ ହେବ ନାହିଁ। ଏହାକୁ ପ୍ରତ୍ୟେକ ଥର ଷ୍ଟେରିଲାଇଜ୍ଡ କରିବା ଜରୁରୀ ହୋଇଥାଏ। ଷ୍ଟେରିଲାଇଜେସନ୍ ପ୍ରକ୍ରିୟାରେ ବ୍ୟବହୃତ କେମିକାଲ୍ ବା ଅଧିକ ଉତ୍ତାପ ଯୋଗୁ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଆନ୍ତି।
୫. ମନେରଖନ୍ତୁ ଶରୀରର ଯେଉଁ ସ୍ଥାନରେ ଟାଟୁ କରୁଛନ୍ତି, ତାହାକୁ ଷ୍ଟେରିଲିୟମ୍ ସାହାଯ୍ୟରେ ସଫା କରନ୍ତୁ। ଏସବୁ ପ୍ରତି ଧ୍ୟାନ ଦେଲେ ଆପଣ ହେପାଟାଇଟିସ୍ ରୋଗର ଇନ୍ଫେକସନ୍ରୁ ରକ୍ଷା ପାଇପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।