ଆଛା ଗୋଟେ କଥା କହିଲ। ଆକାଶରେ ତ ସୂର୍ଯ୍ୟ, ଚନ୍ଦ୍ର, ତାରା, ଦିନ, ରାତି କେହି ବଦଳି ନାହାନ୍ତି।
ପାହାଡ଼, ନଦୀ ଝରଣା, ଝରଣାର ପାଣି, କୁଳୁକୁଳୁ ନାଦ, ଧାନ କ୍ଷେତ, ଆମ୍ବ ବୁଉଳ, କୋଇଲିର କୁହୁକୁହୁ ଡାକ, ଗାଈଆଳ, ଗୋଧୂଳି ବାସ୍ନା, ଝିଙ୍କାରୀର ଝିଇଁ ଝିଇଁ ଶବ୍ଦ ଆଉ ପୁଳା ପୁଳା ରାତି। ଏମିତି କି ଗାଁ ଠାକୁରାଣୀ ବେଲ ବୁଢ଼ୀ।
ବିଗତ ଦଶବର୍ଷ କେହି ବି ବଦଳି ନାହାନ୍ତି। ସମସ୍ତେ ନିଜ ନିଜ ଜାଗାରେ ଯେମିତି ଥିଲେ। ଆଜି ବି ଠିକ୍ ସେମିତି ହିଁ ଅଛନ୍ତି। ହେଲେ ଏଇ ଗୋଟେ ଦଶନ୍ଧି ଭିତରେ, ତୁମେ କିନ୍ତୁ ବଦଳି ଯାଇଛ। ବୋଧେ ଧାରା ଶ୍ରାବଣ ପାଲଟି ଯାଇଛି ଖରା ଶ୍ରାବଣ। ଏମିତିକି ଶରତରେ କାଶତଣ୍ଡି ବି ଆଉ ଦେଖାଯାଉନି ନଇ ପଠାରେ ...........
ବଦଳି ଯାଇଛି ତୁମ ରହଣି ଶହଣି, କଥାବାର୍ତ୍ତା, ଚାଲି ଚଳଣି। ତୁମ ଦେହରେ ଆଉ ସେ ଗାଁର ମାଟି ବାସ୍ନା ବି ନାହିଁ। ଏବେ ତ କେବଳ ସହରୀ ପରଫ୍ୟୁମ୍ର ଭୁସ୍ ଭୁସ୍ ଗନ୍ଧ। କଥା କଥାକେ ଇଂରାଜୀ। ହାବାଇ ଚପଲ ବଦଳରେ ଆଡିଡାସ୍ର ଦାମୀ ଜୋତା। ଆଉ ମୁହଁରୁ ରସୁଣ ବସ୍ନା ବଦଳରେ ଇଲାଇଚିର ମହକ।
ବୋଧେ ତୁମେ ବଦଳି ଯାଇଛ। ନ ହେଲେ, ଏ ସମୟଟା ତୁମକୁ ବଦଳିବାକୁ କରିଦେଇଛି ବାଧ୍ୟ। କିନ୍ତୁ କାହିଁକି କି ଯେ ?? ବଦଳିବା ଟା କ’ଣ ଜରୁରୀ ଥିଲା ?
ମୁଁ ସେମିତି ହିଁ ଅଛି । ଖଇରୀ ନଦୀର ନଇ ପଠାର ସେଇ ବରଗଛ ମୂଳେ ସେମିତି ହିଁ ଛିଡା ହେଇଛି । ମୋତେ ସେଦିନ ସନ୍ଧ୍ୟାରେ ଶେଷଥର ପାଇଁ ଯେମିତି ଛାଡି ଯାଇଥିଲ। ଏ ଦେହକୁ ତ ତୁମ ପାଇଁ ହିଁ ସାଇତି ରଖିଛି। କାହିଁକି ନା ତୁମେ ହିଁ ଏ ଦେହର ପୂଜାରୀ। ଆଛା କହିଲ ବଦଳିବାଟା କ’ଣ ଜରୁରୀ ଥିଲା ??
ଏମିତି ଗୁଡ଼ାଏ ପ୍ରଶ୍ନ ଗୋଟେ ନିଶ୍ୱାସରେ କହିଗଲା ମୋ ଆଗରେ। ଆଖିରୁ ବି ଠପ୍ ଠପ୍ ହୋଇ ଝରୁଥିଲା ଲୁହ। ଲୁହ ତ ନୁହେଁ ଲହୁ । କୋହଭରା କଣ୍ଠରେ କହି ଚାଲିଥିଲା ଅନର୍ଗଳ। ଦୀର୍ଘବର୍ଷ ମନରେ ଚାପି ହୋଇ ରହିଥିବା କଥା। ମୁଁ ନୀରବରେ ଶୁଣୁଥିଲି । ଠିକ ଯେମିତି କୋର୍ଟର କାଠଗଡାରେ ଆସାମୀ ଠିଆ ହେଇ ଶୁଣେ ଦୋଷୀ ପରି। କାହିଁକି , କ’ଣ ପାଇଁ, କିପରି ? ଏମିତି କିଛି ଅଶମାହିତ ପ୍ରଶ୍ନ ବାଣ ମୋ ବଦଳି ଯିବାକୁ ନେଇ।
ତା ପ୍ରଶ୍ନର ଉତ୍ତର ବି ମୋ ପାଖେ ନ ଥିଲା । ଆଉ ଯଦିବା ଥିଲା, ମୁଁ ତାର ଉତ୍ତର ଜାଣିକି ବି ଦେଇ ପାରୁନଥିଲି। କାହିଁକି ନା ମୁଁ ନିଜେ ବି ଜାଣିପାରୁ ନ ଥିଲି। ସତରେ କ’ଣ ବଦଳି ଯାଇଛି। ତା କଥାକୁ ଗ୍ରହଣ କରି ପାରୁନଥିଲି। ତଥାପି ନିରବରେ ଥିଲି। କେବଳ ତାରି ପାଇଁ । କାହିଁକି ନା ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ। ବୋଧେ ମୁଁ ଦୋଷୀ।
ମୁଁ ବଦଳି ଯାଇଛି। କାହିଁ ନାଇଁ ତ। ମୁଁ ତ ସେମିତି ହିଁ ଅଛି । ଗାଁ ମାଟିର ବାସ୍ନା ଏବେ ବି ତାଜା ହୋଇ ରହିଛି ମୋ ଶିରା ପ୍ରଶିରା ଧମନୀରେ । ଠିକ୍ ଦଶବର୍ଷ ତଳେ ଯେମିତି ଥିଲା। ସେଇ ଧାନ ବିଲ। ସେଇ ନୁଆଁଣିଆ ଵରଗଛ। ପୁରୁଣା ଦିନର ସବୁ ସ୍ମୃତିଗୁଡିକ ଆଜି ବି ତାଜା ହୋଇ ରହିଛି ମୋ ଆଖି ଆଗରେ। ଯାହାକୁ ମୁଁ ପ୍ରତିଦିନ କବିତାରେ ରୂପ ଦେଉଛି । ଏୟା କ’ଣ ଯଥେଷ୍ଟ ନୁହେଁ କି ? ତଥାପି ପ୍ରଶ୍ନ ଯେ , ମୁଁ ବଦଳି ଯାଇଛି।
କାହିଁକି ଏଭଳି ଅଭିଯୋଗର ପାହାଡ଼ ମୋ ଉପରେ ଗଦେଇ ଦେଉଛି ସିଏ । ଭାବିଲା ବେଳକୁ ଭାରାକ୍ରାନ୍ତ ଲାଗୁଛି। ସତେ ଯେମିତି ମୁଁ ଦୋଷୀ ...... ?
ବାରମ୍ବାର ଗୋଟିଏ କଥା କାନରେ ଗୁଞ୍ଜରିତ ହେଲା। ତୁମେ ବଦଳି ଯାଇଛ .... ତୁମେ ପୁରାପୁରି ବଦଳି ଯାଇଛ .... ତୁମେ ଆଉ ତୁମେ ହେଇ ନାହଁ ...........ତୁମେ ଦୋଷୀ ଦୋଷୀ ଦୋଷୀ ....... ।।
ଗାଁର ମାଟି, ପାଣି, ପବନ ... ଖଇରୀ ନଦୀ .. ନଇଁ ଆସୁଥବା ସେ ସଞ୍ଜ... ସେ ଜଳିମୂଳ ...ସମସ୍ତେ ଏକାବେଳେକେ ଜଣେ ପରେ ଜଣେ ସେଇ ଗୋଟିଏ କଥା କହୁ ଥାଆନ୍ତି। ବଦଳି ଯାଇଛି ମୁଁ .....
ହଠାତ୍ ଘଣ୍ଟାର ଟଙ୍ଗ୍ ଟଙ୍ଗ୍ ଶବ୍ଦ ଏତେ ଜୋର ବାଜିଲା ଯେ, ଚାଉଁ କିନା ନିଦଟା ଭାଙ୍ଗି ଗଲା। ଧଡ୍ ପଡ୍ ହୋଇ ଉଠିପଡିଲି। ଚାରି ଆଡେ ଅନ୍ଧାର । ଆରେ ଏ କ’ଣ ? ମୁଁ କୋଉଠି ? ଆଖିରେ କେବଳ ସେଇ ଦୃଶ୍ୟ । କାନରେ ବି କେବଳ ସେଇ ଗୋଟିଏ ଧାଡି ଗୁଞ୍ଜରିତ ହେଉଥିଲା । ପ୍ରକୃତିସ୍ଥ ହେଲା ବେଳକୁ ମୁଁ ବିଛଣାରେ । ତାମାନେ ଏଇ କିଛି ସମୟ ପୂର୍ବରୁ ଯାହା ସବୁ ଦେଖିଲି । ତାହା କଣ ସ୍ୱପ୍ନ ଥିଲା। ଆଃ ....
ଘଣ୍ଟାଆଡେ ନଜରଟା ଗଲା, ୩ଟା ବାଜି ଗୋଟେ ମିନିଟ୍। ସକାଳ ହେବାକୁ ଆହୁରି ବହୁତ ସମୟ ବାକି ଥିଲା।
ସେଇ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ବିଛଣାରୁ ଉଠି ଝରକାଟି ଖୋଲିଲି। ଚାରି ଆଡ଼େ କିଟିମିଟି ଅନ୍ଧାର । ହଠାତ ଝର୍କା ଦେଇ ଦଲକାଏ ପବନ ବୋହି ଆସିଲା ରୁମ ଭିତରକୁ । ଶୀତରେ ଥରି ଉଠିଲା ଦେହ । ଏମିତି କି ମନ ପ୍ରାଣ ଆଉ ଆତ୍ମା ।
ଅନ୍ଧାରରେ ହ୍ୟାଙ୍ଗରରୁ ଗୋଟେ ଶାର୍ଟ ଆଣି ପିନ୍ଧିଲି । ଆଉ ବାଲକୋନି ଆଡେ ମାଡିଗଲି । ରାତ୍ରିର ଶେଷ ପହର । ଆକାଶରେ ବି ଜହ୍ନ । ବାଲକୋନିର ରେଲିଂକୁ ଧରି ଠିଆ ହେଇ ଭାବୁଥିଲି । ସ୍ୱପ୍ନରେ ଯାହା ସବୁ ଦେଖିଲି, ତାହା କ’ଣ ସତ । ସତରେ କ’ଣ ମୁଁ ବଦଳି ଯାଇଛି ?
ଏମିତି ଭାବୁଭାବୁ କ’ଣ ହେଲା କେଜାଣି ପିନ୍ଧିଥିବା ଶାର୍ଟ ଆଡ଼କୁ ହଠାତ ନଜର ଗଲା । ବୋଧେ କେମିତି କେଜାଣି ସଂଯୋଗ ନା କ’ଣ ? ଅନ୍ଧାରରେ ହ୍ୟାଙ୍ଗରରୁ ଆଣି ନୀଳରଙ୍ଗର ଶାର୍ଟଟି ହିଁ ପିନ୍ଧି ପକେଇଥିଲି । ଓଃ ଛାତି ଭିତରଟା ରୁନ୍ଧି ହେଇଗଲା। ଆଖି ଆଗରେ କେବଳ ସେଇ ଦୃଶ୍ୟ ....... ।
ଦଶ ବର୍ଷ ତଳର କଥା । ଆମର ବୋଧେ ଶେଷ ଦେଖା । ଖଇରୀ ନଦୀର ସେଇ ଗାଧୁଆ ତୁଠର ଵରଗଛ ମୂଳେ। ଗାଁ ଛାଡି କି ଯିବାର ପୂର୍ବ ସନ୍ଧ୍ୟା । ଝାପସା ଝାପସା ଅନ୍ଧାର । ସବୁଦିନ ଦୂରରୁ ଦେଖା ସାକ୍ଷାତ । କେବଳ ଆଖିରେ ଆଖିରେ । ହେଲେ ସେଦିନ ସାମ୍ନା ସାମ୍ନି । ପ୍ରଥମ ଆଉ ଶେଷଥର ପାଇଁ । କେତେ ଯେ କାନ୍ଦି ଥିଲା ମୋ ଛାତି ଉପରେ ମୁଣ୍ଡ ରଖି । ତାହା କେବଳ ସେଇ ଖଇରୀ ନଦୀ ଆଉ ସେଇ ମୁଖ ସଞ୍ଜ ହିଁ ମୂକସାକ୍ଷୀ।
ବାରମ୍ବାର ଗୋଟିଏ କଥାକୁ ହିଁ ଦୋହରଉ ଥିଲା ମୋ ଆଗରେ। ସହରକୁ ଯାଇ ଭୁଲି ଯିବନି ତ ? ପର କରି ଦେବନି ତ ? ........ଦୀର୍ଘ ସମୟର ନୀରବତା । ପୁଣି ପ୍ରଶ୍ନ ....ଯଦି ଏମିତି ପର କରିବାର ଥିଲା, ତାହେଲେ ନିଜର କରୁଥିଲ କାହିଁକି ଯେ ? ସବୁ ପୁଅ ସମାନ। ଧୋକାବାଜ୍। ଆଃ ଛାତି ଭିତରଟା ରୁନ୍ଧି ହେଇଗଲା । ଏମିତି କିଛି ଅଭିମାନ ଭରା କଣ୍ଠରେ ଅଭିଯୋଗ କରି ମୁଣ୍ଡ ଆଣି ଥୋଇଦେଲା ମୋ ଛାତିରେ । ସେତେବେଳକୁ ଜଡ ପାଲଟି ସାରିଥିଲି ମୁଁ । କାହିଁକି ନା ମୁଣ୍ଡ ପାତି ଦଶଫୁଟ, ଦଶହାତ ଦୂରରେ ଠିଆହୋଇ କଥା ହେଉଥିବା ଝିଅ, ସେଦିନ ମୋତେ ଆଲିଙ୍ଗନ କରି କଇଁ କଇଁ ହେଇ କାନ୍ଦୁଥିଲା, ଏମିତି କିଛି କଥା କହି । ମୋତେ ହରେଇବାର ଭୟ ତାକୁ ଅକ୍ତାମାକ୍ତା କରି ପକାଉଥିଲା ବୋଧେ।
କାନ୍ଦୁଥିଲା ଆଉ ବାରମ୍ବାର ଗୋଟିଏ କଥା କହୁଥିଲା । କାହିଁକି ଭଲ ପାଇଲି । କାହିଁକି ତୁମ ପ୍ରେମକୁ ସ୍ୱୀକୃତି ଦେଲି । ଯେଉଁଦିନ ପ୍ରେମ ନିବେଦନ କଲ। ସେଦିନ ତ ତୁମକୁ ମନା କରିଥିଲି ନା । ତଥାପି କାହିଁକି ତୁମେ ଭଲ ପାଇଲ । କ’ଣ ଏମିତି ଅଧାବାଟରେ ଦିନେ ଛାଡି ଯିବ ବୋଲି । ସେଦିନ ତା ଲୁହରେ ମୋ ନୀଳ ରଙ୍ଗର ଶାର୍ଟଟି ପୁରା ପୁରି ଓଦା ହୋଇଯାଇଥଲା । ବୋଧେ ତା ଆଖିରୁ ସେଦିନ ଲୁହ ନୁହେଁ, ଝରୁଥିଲା ଲହୁ। ବିରହର ବେଦନାର ଲହୁ। ସେଥିପାଇଁ ସେଇ ଦାଗ ଆଜି ବି ମୋ ନୀଳ ରଙ୍ଗ ଶାର୍ଟରେ ଅଲିଭା ଦାଗ ହୋଇ ରହିଛି।
ବିଶ୍ୱାସ କରିବେନି ଆଜି ସେଇ ନୀଳରଙ୍ଗର ଶାର୍ଟଟି ସେମିତି ଓଦା ହେଇ ରହିଛି । ତା ଲୁହର ଦାଗବି ଅକ୍ଷତ ହୋଇ ରହିଛି । ଆଉ କେଉଁଠି ନୁହେଁ । ମୁଁ ରହୁଥିବା କଂକ୍ରିଟ୍ ଜଙ୍ଗଲର ଗଡ଼ରେଜ ଭିତରେ।
ହେଲେ ସେଦିନ ସେଇ ସାର୍ଟ ପିନ୍ଧିଥିବା ମଣିଷଟି ସେମିତି ଅଛି କି ନାହିଁ ତାହା କିନ୍ତୁ ପ୍ରଶ୍ନବାଚୀ ??
ଗଲା ପୁରା ସପ୍ତାହଟି କଟିଲା ଗାଁରେ । ତେବେ କଂକ୍ରିଟ ସହରକୁ ଫେରିବାର ପୂର୍ବସନ୍ଧ୍ୟା । କାହିଁକି କେଜାଣି ମନ ହେଲା ଖଇରୀ ନଦୀପଠାଆଡେ ଟିକେ ବୁଲି ଆସିବାକୁ। ନଇଁ ଆସୁଥିଲା ସଞ୍ଜ। କାଳିଆଣୀ ହାୱା ବି ସେଦିନ ଧୀରେଧୀରେ ବହୁଥିଲା।
ହଠାତ ତାଜା ହେଇଗଲା ଦଶବର୍ଷ ତଳର ସ୍ମୃତି । ଆଉ କୋଉଠି ନୁହେଁ ସେଇ ଖଇରୀ ନଦୀ କୂଳେ। ସେଇ ଗାଧୁଆ ତୁଠର ଵରଗଛ ମୂଳେ। ସବୁ ଯେମିତି ସ୍ତବ୍ଧ ହୋଇଗଲା । ପବନର ବେଗ ବି କମିଗଲା । ମନେ ହେଲା ଯେମିତି ଏକ ଦଶନ୍ଧି ତଳେ ଅଧାବାଟରେ ଯାହାକୁ ଛାଡି ଯାଇଥିଲି । ସିଏ ମୋ ଆଖ ପାଖରେ । ଦୀର୍ଘ ଦିନର ଦୂରତା ଆଉ ମନରେ ଚାପି ହୋଇ ରହିଥିବା ବ୍ୟାକୁଳତା । ମୋ ଛାତି ଭିତରଟାକୁ ରୁନ୍ଧି ଦେଉଥିଲା । ସବୁଠୁ ବେଶି କଷ୍ଟ ଦେଲା ସେଇ ଗାଧୁଆ ତୁଠର ଵରଗଛ ମୂଳେ ସମାଧିକୁ ଦେଖି । କାହିଁକି କେଜାଣି ଏକ ଅଜଣା ଆକର୍ଷଣ ସେଠାକୁ ଟାଣୁଥିଲା ମୋତେ । ଦୌଡ଼ିଗଲି ସମାଧି ପାଖକୁ । ଝାପସା ଝାପସା ଅନ୍ଧାରରେ ସମାଧିରେ ଲେଖା ହୋଇଥିବା ନାଁଟିକୁ ପଢ଼ି....ମୁଁ ସ୍ତବ୍ଧ।
ଆଖିରୁ ଠପ୍ ଠପ୍ ହୋଇ ଝରୁଥିଲା ଲୁହ, ଲୁହ ତ ନୁହେଁ ଲହୁ। ବିରହ ବେଦନାର ଲହୁ। କୋହଭରା କଣ୍ଠରେ ବାରମ୍ବାର କହୁଥିଲି, ମୁଁ ବଦଳିନି। କେବେ ବି ବଦଳିବିନି। ଦେଖୁନ ଦେଖ। ସେଦିନ ବି ମୁଁ ନୀଳ ରଙ୍ଗର ଶାର୍ଟ ପିନ୍ଧିଥିଲି । ଆଜିବି ପିନ୍ଧିଛି । ସେଦିନ ବି ଲୁହ ଆଉ ଲହୁରେ ଓଦା ହେଇଥିଲା ସେଇ ନୀଳ ରଙ୍ଗର ଶାର୍ଟ। ଆଜି ବି ତ ଓଦା ହେଇଛି। ସେଦିନ ତୁମ ଲୁହରେ। ଆଉ ଆଜି ମୋ ଲୁହରେ।
ହେଲେ କିଏ ଦେଖିବ ଯେ ? ମୁଁ ତ ବଦଳି ଯାଇଛି...
ଦୁଷ୍ମନ୍ତ କୁମାର ବେହେରା
ଯଶୀପୁର
ମୟୁରଭଞ୍ଜ
ଫୋନ୍ - ୯୪୩୭୮୭୯୧୩୧