Advertisment

କେୟାର ଅଫ୍

ଅଜୟ ମହାନ୍ତି। କେୟାର ଅଫ୍ ଆଲୋକ ବିଟିଲ୍ ସପ୍। ଆଟ୍/ପୋ: ପୀରହାଟ ବଜାର, ଜି: ଭଦ୍ରକ, ପିନ୍ ନଂ: ୭୫୬୧୩୧। ଚିଠି ଆସେ ଏଇ ଠିକଣାରେ। ପୋଷ୍ଟ ପିଅନ ରାଧୁଆ ଭାଇ ମାଡ଼ି ଆସେ ହରକୁଲେସ୍ ସାଇକେଲ୍ ଘଣ୍ଟି ବଜେଇ। ଅଜୟ ଲୁଚିଯାଏ। କାଳେ ଯଦି ବଜାର ମଝିରେ ସେ ତା’ ହାତକୁ ବଢ଼େଇ ଦିଏ ଚିଠି ! କଥା ସରିଲା ଜାଣ। ଯୋଡ଼ା ଯୋଡ଼ା ସନ୍ଦେହୀ ଆଖିକୁ କେମିତି ଫାଙ୍କି ପାରିବ ବା ସେ? ବରଂ […]

କେୟାର ଅଫ୍
Advertisment

ଅଜୟ ମହାନ୍ତି। କେୟାର ଅଫ୍ ଆଲୋକ ବିଟିଲ୍ ସପ୍। ଆଟ୍/ପୋ: ପୀରହାଟ ବଜାର, ଜି: ଭଦ୍ରକ, ପିନ୍ ନଂ: ୭୫୬୧୩୧। ଚିଠି ଆସେ ଏଇ ଠିକଣାରେ। ପୋଷ୍ଟ ପିଅନ ରାଧୁଆ ଭାଇ ମାଡ଼ି ଆସେ ହରକୁଲେସ୍ ସାଇକେଲ୍ ଘଣ୍ଟି ବଜେଇ। ଅଜୟ ଲୁଚିଯାଏ। କାଳେ ଯଦି ବଜାର ମଝିରେ ସେ ତା' ହାତକୁ ବଢ଼େଇ ଦିଏ ଚିଠି ! କଥା ସରିଲା ଜାଣ। ଯୋଡ଼ା ଯୋଡ଼ା ସନ୍ଦେହୀ ଆଖିକୁ କେମିତି ଫାଙ୍କି ପାରିବ ବା ସେ? ବରଂ ଆତ୍ମଗୋପନ ଶ୍ରେୟସ୍କର। ରାଧୁଆ ଭାଇ ପାନ ଭାଙ୍ଗେ ଆଲୋକ ଭାଇ ଦୋକାନରୁ। ପୁଣି ଛୁଟିଚାଲେ ଗାଁରୁ ଗାଁ। ସେ ଗଲା ପରେ ଅଜୟ ଯାଇ ଗୋଡ଼ଭାଙ୍ଗି ଠିଆହୁଏ ଆଲୋକ ଭାଇ ଦୋକାନ ସାମ୍ନାରେ। ସବୁ ତ ଚିହ୍ନାଲୋକ। ଆଖପାଖ ଗାଁ ଲୋକ। ଫାଙ୍କା ହେଲେ ସିନା ସେ କହିବ- ‘ମୋର କିଛି ଚିଠିପତ୍ର ଆସିଥିଲା କି ଆଲୋକ ଭାଇ?’

Advertisment

ଗହଳି ଭାଙ୍ଗିଲେ ଆଲୋକ ଭାଇ ତା ନଇଁ ଆସୁଥିବା ଅଣ୍ଟାକୁ ସଳଖ କରେ। ପଚାରେ- କ'ଣ କିରେ? ସେତେବେଳୁ ଠିଆ ହେଇଛୁ କ'ଣ କିଛି ନବୁ କି? ଆଲୋକ ଭାଇ ବି ତା’ ସହ ଟିକେ ଖେଳେ। ରହସ୍ୟ ଉପନ୍ୟାସର ସେ ଗୋଲ୍ ଟୋପି ପିନ୍ଧା ଡିଟେକ୍ଟିଭ‌ ନାୟକ ଭଳି। ଅଜୟ ଲାଜ ଲାଜ ହୁଏ। ଆଲୋକ ଭାଇ ପାନପିଢା ତଳୁ ବାହାର କରେ ଚିଠି। କେବେ ନାଲି ତ କେବେ ନାରଙ୍ଗୀ, କେବେ ନୀଳ ତ କେବେ ଗୋଲାପୀ। ସିଏ ବି ସେମିତି। କେତେବେଳେ ବି ସେ ମାଟିଆ ଏନ୍‌ଭଲପ୍‌ରେ ଚିଠି ଦିଏ ନାହିଁ। ଆଲୋକ ଭାଇ କହେ- ‘ ଆଛା ତା'ହେଲେ ପୁଅ ଆମର ବଡ଼ ହେଇଗଲାଣି। ତା ନାଁରେ ଚିଠି ଆସିଲାଣି, ହଉ ହଉ ରହ କହୁଛି ରହ ତୋ ବାପାକୁ।

ଅଜୟ ଜାଣେ ଆଲୋକଭାଇ କେବେ ବି ତା' ବାପାଙ୍କୁ କହିବ ନାହିଁ। ବାପାଙ୍କୁ କ'ଣ କାନକୁ ଦି'କାନ ବି କରିବ ନାହିଁ। ଭାରି ବଢିଆ ଲୋକ। ସେତେବେଳେ ସେ ମାଟ୍ରିକ‌ ପାସ୍। ବଢିଆ ଜ୍ଞାନ। ପରିବାରର ବୋଝ ବୋହୁ ବୋହୁ ସେ ନିଘା ଦେଇନି ତା ନିଜର ଭବିଷ୍ୟତକୁ। ଅଜୟଠୁ ବୟସରେ ଦି' ତିନି ବର୍ଷ ବଡ଼ ହେବ। ସୁନ୍ଦର ବ୍ୟବହାର ଯୋଗୁଁ ତା ଦୋକାନରେ ସବୁବେଳେ ଭିଡ଼। ଯେମିତି କୌତୁକିଆ ସେମିତି ଜ୍ଞାନୀ, ହେଲେ ଜ୍ଞାନର ଗର୍ବ ନାହିଁ ତା ମନରେ। ଅଜୟ ଜାଣେ ଏ ସବୁକୁ। ସେଇଥିପାଇଁ ସେ ତାକୁ କେୟାର୍ ଅଫ୍ କରିଥିଲା।

Advertisment

ଅଜୟ ଚିଠି ନେଇ ଧାଇଁଯାଏ ନିରୋଳାକୁ। ଚିଠିର ଖୋଳ ଚିରିଲେ ବହିଆସେ ଅତରର ବାସ୍ନା। ଅଜୟ ଆଖିରେ ଜକେଇ ଆସେ ଲୁହ। ଆହାଃ ! ବିଚାରୀ କେତେ କଷ୍ଟରେ ଲେଖିଥିବ ଏ ଚିଠି। ତାକୁ ପୁଣି କେତେ କଷ୍ଟରେ ପକେଇଥିବ ଡ଼ାକ ବାକ୍ସରେ। ନିପଟ ମଫସଲର ସୁକୁମାରୀ ଝିଅଟିଏ। ବଜାର କିଏ ନା ସେ କିଏ? ହେଲେ ତା ଭଲ ପାଇବା, ତା ପ୍ରେମ ପାଇଁ ସେ ଆସିଥିବ ବଜାରକୁ। ଅନେକ ସନ୍ଦେହର ବଳୟ ପାର ହୋଇ।

ଚିଠିର ପ୍ରଥମ ଶବ୍ଦ "ପ୍ରାଣପ୍ରିୟ ପ୍ରିୟତମ ମୋର ମଥାନତ ପ୍ରଣାମ ଗ୍ରହଣ କରିବ'। ଅଜୟ ଆଖିରେ ଭାସି ଉଠିବ ଗୋଟେ କଅଁଳ ପାତଳ ଗୋରା ତକତକ ମୁହଁ। ଯୋଡେ଼ ଢଳଢଳ ଛଳଛଳ କଥାକୁହା ଆଖି। ଆଉ ଆଗକୁ ବଢ଼ିବାକୁ ଇଛା ହେବନାହିଁ ଅଜୟର। ସେ ଚିଠିକୁ ଛାତିରେ ଚାପି ଧରି ଚାହିଁବ ନୀଳ ଆକାଶ ଆଡ଼େ। ଫଟ୍‌କିନି କିଏ ଗୋଟେ ଝିଙ୍କିନେବ ତା' ହାତରୁ ସେ ଅଧାପଢା ଚିଠିଟାକୁ। ଅଜୟ କ୍ରୋଧରେ ଜଳି ଉଠିବ। ମାତ୍ର ପରମୁହୂର୍ତ୍ତରେ ଅସହାୟ ହୋଇ ଅନୁନୟ ବିନୟ ହେବ।

‘ଓ! ଏଠି ତାହେଲେ ଏଇ ଖେଳ ଚାଲିଚି? ଶଳା ବେଇମାନ୍ ନିମକହାରାମ୍। ଆମକୁ ଲୁଚଉଛୁ? ତୋ ମୁହଁକୁ ଲଜ୍ଜା ନାହିଁ। ଶଳା ଆମକୁ ପର ଭାବୁଛୁ?’

ଅଜୟର ଶତ ବିରୋଧ ସତ୍ତ୍ୱେ ବଡ଼ପାଟିରେ ପଢ଼ାଯିବ ସେ ଚିଠି। ଗୋପନୀୟତା ସାର୍ବଜନୀନ ହେବ। ଲାଜରେ ଜଳି ଯାଉଥିବ ଅଜୟର ମୁହଁ। ଅସହାୟତା କ୍ରମେ ସାଲିସ୍ କରିବ ସତ୍ୟ ସହ। ହଅ! ଏମାନେ ତ ଆଉ କେହି ନୁହଁନ୍ତି ତା' ସାଙ୍ଗ। ତା' ପିଲାଦିନର ବନ୍ଧୁ। ଏମାନଙ୍କୁ ଭୟ କ'ଣ? ଚିଠି ପଢ଼ାର ସ୍ୱର କ୍ରମଶଃ ଧୀର ହେଇ ଆସିବ ଝିଅଟିର ନାନାଦି ଅଭାବ ଅସୁବିଧା ସାମ୍ନାରେ। ତା ପ୍ରେମ ଓ ନିରୀହ ବିଶ୍ୱାସର ଅକପଟ ବର୍ଣ୍ଣନା ଆଗରେ, ତା' ଅସହାୟତା ଆଗରେ ନିରବି ଯିବେ ସମସ୍ତେ।

ତା' ବାହଘର ଠିକ୍ ହେଇଯାଇଛି। ସେ ଆଉ ଅଳ୍ପ କେତେ ଦିନର କୁଣିଆଁ ତାଙ୍କ ଘରେ, ତାଙ୍କ ଗାଁରେ। ଅନୁରୋଧ କରିଛି ଶେଷଦେଖା ପାଇଁ। ସେ ଗାଁ ଯୋଉ ଗାଁ। ଧରା ପଡ଼ିଲେ ମାଡ଼ରେ ପିଠି ସିଝିଯିବ। ତଥାପି ଭାବଗ୍ରାହୀ ପହଞ୍ଚାଇ ଦେବ ଅଜୟର ଶେଷଚିଠି ଓ ନିଶ୍ଚିତ ଦେଖା ହବାର ପୂର୍ଣ୍ଣ ପ୍ରତିଶ୍ରୁତି। ଚିଠି ଦେଇ ଆସି ନିଜ ବାହାଦୂରୀର କାହାଣୀ ଗପିବ ଭାବଗ୍ରାହୀ। ଅଜୟ ଚାହିଁଥିବ ଭାବଗ୍ରାହୀ କେତେବେଳେ କହିବ ତା ପ୍ରିୟତମା ଅତସୀର କଥା। ସେ ତାକୁ ଏକାନ୍ତରେ ଡ଼ାକି କହିବ- ଅଜୟ! ସେ ତୋତେ ଦେଖା କରିବାକୁ ଚାହୁଁଛିରେ। କହିଛି, ତାଙ୍କୁ କହିବ ଭୂଆସୁଣି ପଡ଼ିଆକୁ କ୍ରିକେଟ ଖେଳିବାକୁ ଆସିଲେ ମୋତେ ଟିକେ ଦେଖା କରିବେ। ଏ ଜନ୍ମରେ ମୁଁ ସିନା ତାଙ୍କର ହେଇ ପାରିଲିନି, ହେଲେ ଆର ଜନ୍ମରେ ତାଙ୍କଠୁ ମୋତେ କେହି ଅଲଗା କରି ପାରିବେନି।

ଅଜୟ ଛାତିରୁ କ'ଣ ଗୋଟେ ଖସି ପଡ଼ିବ ଧସ୍‌‍ କିନା। ଦୀର୍ଘଶ୍ୱାସଟିଏ ପବନରେ ମିଶିଯିବ। ଖାଁ ଖାଁ ନୀରବତାକୁ ଭାଙ୍ଗି ରନ୍ଥା କହିବ- ଆବେ! ଆସବେ କେତେ ଫୁସୁରୁଫାସୁରୁ ହେଉଛ? ଖାଇବାକୁ ଦେ ଅଜୁ। ଶଳା ଭାବିଛୁ ଏଇମିତି ମୁହଁ ଶୁଖେଇ ଖସିଯିବୁ? ଚାଲ୍ ଚାଲ୍ ପୁରିଆ ଗୁଡ଼ିଆ ଦୋକାନକୁ ଚାଲ୍।

ତା ପରଦିନ ଆଉ କାହାର ପାଳି ପଡ଼ିବ। ବନ୍ଧୁତ୍ୱର ନିବଡ଼ପଣ, ଅଧିକାରବୋଧରେ, ମିଠାମିଠା ଘଟଣା ଦୁର୍ଘଟଣାକୁ ନେଇ ସମୟ ମସଗୁଲ ଥିବ । ତ୍ୟାଗ, ବଳିଦାନ, ବିପ୍ଳବ, ପ୍ରେମ ଓ ବିରହ ମିଶାମିଶି ହେଇ ତିଆରି ହେବ ଗୋଟେ ଭିନ୍ନ ପୃଥିବୀ।

ଅତସୀ। ସେ ଗାଁର ନିରିମାଖୀ ସୁନ୍ଦରୀ, ତନୁପାତେଳି। ଭେଟ ହେଇଥିଲା ଅଜୟ ସହ। ଯେବେ ଅଜୟ ଯାଇଥିଲା ତାଙ୍କ ଗାଁକୁ ବରଯାତ୍ରୀ ହେଇ। ସେତେବେଳେ ବାହାଘର କହିଲେ ଆଜି କାଲିକା ବାହାଘର ଭଳି ଖାଲି ଖାଇଦେଇ ପଳେଇ ଆସିବା ନୁହେଁ। ବରଯାତ୍ରୀ ମାନେ ରୀତିମତ ଦୁଇଦିନିଆ କାର୍ଯ୍ୟକ୍ରମ। ବର ବାହାରିବ ଠିକ୍ ରାତି ଏଗାର କି ବାରରେ। ନିଜ ଗାଁରେ ବୁଲି ବଜାର ବା ଛକ ଧରିଲା ବେଳକୁ ଗୋଟେ କି ଦି'ଇଟା। ପୁଣି କନିଆଁ ଗାଁରେ ପହଞ୍ଚିଲା ବେଳକୁ ଭୋର୍ ଚାରିଟା। ତା’ପରେ ପ୍ରସେସନ୍‌। ପ୍ରସେସନ୍‌ କନିଆଁ ଘର ପାଖରେ ପହଞ୍ଚିଲା ବେଳକୁ ମୁହଁକୁ ମାରୁଥିବ ସକାଳର ଖରା। ବାଟବରଣୀ ପରେ ଗୋଡ଼ଧୁଆ, ନିର୍ମାଲ୍ୟ ସେବନ। ଦାନ୍ତକାଠି, ତେଲ ସାବୁନ୍ ଆଉ ତଉଲିଆ ଥୁଆ ହେଇଥିବ ମାଟି ପିଣ୍ଡା ଉପରେ। ଗାଧୁଆ ପାଧୁଆ ପରେ ଜଳଖିଆ। ତା'ପରେ ବିଶ୍ରାମ। ସାହିର ପ୍ରତିଟି ଦାଣ୍ଡଘରେ ହେଁସ ଉପରେ ପଡ଼ିଥିବ କନ୍ଥା ଓ ଛିଟକରା ନୂଆ ବେଡ଼ସିଟ୍ ତକିଆ। ତକିଆ ଖୋଳରେ ମୟୂର ଓ ସ୍ୱାଗତମ୍। ଓଡ଼ିଆ ଘର ଝିଅର ହାତବୁଣା କଳା କୌଶଳ। ବରଯାତ୍ରୀ ହେଉଛନ୍ତି ଅତିଥି। ଅତିଥି ଭଗବାନ। ବାହା ହେଉଥିବା ଝିଅ ପ୍ରତିଟି ଘରର ଝିଅ। ତାଙ୍କ ସାହି ଝିଅ, ତାଙ୍କ ଗାଁର ଝିଅ। ତା'ର ସମ୍ମାନ ତାଙ୍କ ଗାଁର ସମ୍ମାନ। ତେଣୁ ବରଯାତ୍ରୀଙ୍କ ସେବାରେ ହେଳା କରାଯିବା ଧର୍ତ୍ତବ୍ୟ ଅପରାଧ। ଅଜୟ ଗାଁର ଶିବଅଜା, ବରଯାତ୍ରୀ ଦଳର ମାମଲତକାର। ପୁଅ କାହାର ମାମଲତି କିଏ କରୁଛି? ସେ ଅଜୟ ଗାଁର ମୂରବୀ। ଗାଁର ସବୁ ପୁଅ ଝିଅଙ୍କର ବାହା ଦାୟିତ୍ୱ ତା' ମୁଣ୍ଡରେ। କେହି କିଛି କହିପାରିବେନି ତା ସାମ୍ନାରେ। ଗୋଟି ଗୋଟି କରି ବିଧି ବିଧାନ ମାଲୁମ ତାଙ୍କୁ। ଟିକେ ବି ଉନିଶ୍ ବିଶ୍ ହେବନି।

- ଏ ଅଜୁ ! ଶଳା ଖରାବେଳରେ କୁଆଡେ଼ ଯାଉଛୁ? ଯା ବିଶ୍ରାମ ନେବୁ ଯା।

ଶଳା ବୁଢ଼ାଟାର କି ତୀକ୍ଷ୍ଣ ନଜର କିହୋ !

- ନା ମ! ଅଜା, ରନ୍ଥାର ପେଟ ଟିକେ ଖରାପ ତ ସେ ପଦାକୁ ଯିବ।

- ପେଟ ଖରାପ! ସେ କଥା ମୋତେ କହୁନୁ!

ଶିବଅଜା କନିଆଁ ଘରର କାହାକୁ ଗୋଟେ ବରାଦ କଲା ଲେମ୍ୱୁପାଣି ପାଇଁ। ରନ୍ଥା ଇଛା ନଥାଇ ବି ପିଇଲା।

- ଶୁଣ! ଇଆଡେ଼ ସିଆଡେ଼ ଯାଇ ଗାଁର ନାଁ ପକେଇବନି କହି ଦଉଛି। ଯାଉଛ ଯଦି ଯାଅ ହେଲେ ଶିଘ୍ର ପଳେଇ ଆସିବ। କହୁଛି ପରା ଏ ଶଳା ଟୋକାଙ୍କୁ ବେଶି ଆଣନି। କେହି କ'ଣ ମୋ କଥା ଶୁଣିବେ। ଶଳା ଛତରା ଦଳଙ୍କୁ ମୋର ଟିକେ ହେଲେ ବିଶ୍ୱାସ ନାହିଁ।

ଆହୁରି କ'ଣ ସବୁ ବରବର ହେଉଥିଲା ଶିବଅଜା। ଅଜୟ ଓ ତା ସାଙ୍ଗମାନେ ସେସବୁକୁ ଶୁଣି ନଶୁଣିଲା ପରି ଖସିଗଲେ ସେଠୁ। ଟିୱେଲ ମୂଳେ ହସାହସି। ପୋଖରୀ ତୁଠରେ କନକନ ଚାହାଁଣି। ଶଳା ଶିବବୁଢା ଏ ମଜା କୁଆଡୁ ପାଇବ? ହେଲେ ସିଏ କାହିଁ ? ଅଜୟର ଆଖି ଦରାଣ୍ଡି ଆସୁଥିଲା ସବୁଆଡେ଼। ନା ସେ ଝିଅ ଏ ନୁହେଁ। ଯିଏ ବାଉଁଶ ଖୁଣ୍ଟକୁ ଧରି ନୁଆଣିଆଁ ଚାଳଘର ପିଣ୍ଡାକୋଣରୁ ପ୍ରସେସନ୍ କମ୍ ବେଶି ଚାହୁଁଥିଲା ତାକୁ। ମିଛରେ ଝାଡ଼ା ବସିଲା ରନ୍ଥା। ଘଞ୍ଚ କିଆବୁଦା ଆଢୁଆଳରେ। ପକେଟରୁ କାଢିଲା କୋଉ ଛଟକରେ ପାନ ଟ୍ରେରୁ ଶିବଅଜା ଆଖିକୁ ଚ୍ୟାଲେଞ୍ଜ କରି ମାରି ଆଣିଥିବା ଚାରମିନାର ସିଗାରେଟ୍। ସେତେବେଳର ବାହାଘର ସମୟରେ ଏଇଟା ଥିଲା ସର୍ବଶେଷ ଅପରାଧ। ଏଇ ଅପରାଧ ଟିକକ କରିବାର ଲୋଭ ହିଁ ଥିଲା ଗାଁ ଟୋକାଙ୍କର ବରଯାତ୍ରୀ ଆସିବାର ଅନ୍ୟତମ କାରଣମାନଙ୍କ ମଧ୍ୟରୁ ଗୋଟିଏ। ଝାଡ଼ା ଫେରି ଉଠିଲା ବେଳକୁ ଦିଶିଲା ଦକ୍ଷିଣା ପବନରେ କାନି ଖାଉଥିବା ଚିତ୍ରିତ ଶାଢି କାନି।

- ଆବେ! ରନ୍ଥା ଏଇବେ ସେ ଝିଅ।

- ତୁ ଏତେ ଦୂରରୁ ଚିହ୍ନି ନେଉଛୁ ଶଳା ତୋ ଆଖି ନା ବାଇନାକୁଲାର? ହେ ଶଳା ତୋତେ ସବୁ ସେଇଭଳି ଦିଶୁଛି।

- ନା ନା ରନ୍ଥା, ଇୟେ ସେଇ ଝିଅ। ମୁଁ ଚାଲିଲି ତୁ ଆ।

ଘଞ୍ଚ କିଆବୁଦା ଭିତରେ ହଜିଗଲା ଯେମିତି ଝିଅଟି। ତା ପଛେପଛେ ଯାଉ ଯାଉ ବି ତାକୁ ଧରି ପାରିଲାନି ଅଜୟ। ପବନରେ ମିଳେଇ ଗଲାକି ଆଉ? ନିରାଶ ହେଇ ଫେରି ଆସୁଥିଲା ଅଜୟ। ଆରେ! ଏଇତ ସେ ଝିଅ। ଏଇଠି ବସିଛି। ଏକାନ୍ତରେ ପୋଖରୀ କୂଳରେ। ଝିଅଟି ଅଜୟକୁ ଦେଖି ଠିଆ ହେଇ ପଡ଼ିଲା। ତଳକୁ ମୁହଁ ପୋତି ନଖରେ ଗାର ଟାଣିଲା। ଅଜୟ କହି ପାରିଲାନି କୁଆଡେ଼ ହଜିଗଲ ଯେ ତୁମେ? କେତେ ଖୋଜିଲିଣି ମୁଁ ତମକୁ? ଏକଥା କ'ଣ କହି ହୁଏ ଏତେ ଶିଘ୍ର ? ବାକ୍ୟଟିଏ ଫିଟୁନି କାହାରି ମୁହଁରୁ। ହେଲେ ଅନେକ କଥା କହିବାର ଅଛି ଉଭୟ ଉଭୟଙ୍କୁ। ଦେଖା ହେବାଠୁ ଭାବିଥିବା ଅସୁମାରି କଥା ହଠାତ ଉଭାନ୍ ହେଇଗଲା କେମିତି? ଝିଅଟି କିନ୍ତୁ ବୁଝିଥିଲା ସେସବୁ। ଖାଲି ଅଜୟକୁ ଚାହୁଁଥିଲା କଣେଇ କଣେଇ। ଦେଖୁଥିଲା ତା ପ୍ରିୟ ମଣିଷଟିକୁ ବାରମ୍ୱାର। ଏଇ ସମୟରେ ଶୁଭିଲା କାହାର ଗୋଟେ ପାଦଶବ୍ଦ। ମୁଁ ଯାଉଛି ଡେରି ହେଇଗଲାଣି ତମେ ଯାଅ। ବାସ୍ ଏତିକି କଥା। ଝିଅଟି ଗଲାପରେ ଆହୁରି ସୁନ୍ଦର ଦିଶିଲା ତା ମୁହଁ। ତା ଘୂମନ୍ତ ଆଖିର କଟାକ୍ଷ ଘାଇଲା କଲା ଅଜୟକୁ। ତା'ବିନା ବଂଚିବା ଅସମ୍ଭବ ଲାଗିଲା ତାକୁ। ଇୟେ କି ମାୟା? ଝିଅଟି ଯିବା ପରେ ସେ ଠିଆ ହେଇଥିବା ଗଛମୂଳରୁ ଅଜୟ ପାଇଥିଲା ତା ହାତଲେଖା ପ୍ରଥମ ପ୍ରେମଚିଠି। ଯାହା ଆଜି ବି ସାଇତି ରଖିଛି ସେ ତା' ପର୍ସରେ।

ଆଜି ଅତସୀ କୋଉଠି ସେ ଜାଣେନା। ସେମାନେ ଭାବିଥିବା କଥା ସବୁ ସତ ହେଲାନାହିଁ। ମିଛିମିଛିକା ସ୍ୱପ୍ନ ପାଲଟି ଗଲା। ଅତରବୋଳା ସେ ଚିଠିଟିକୁ ଅଜୟ କାଢିଲା ଅତି ସନ୍ତର୍ପଣରେ। ମଳି ଧୂଳି ଲାଗି ସେଇଟା ଚିରି ଚିରି ଗଲାଣି। ନାକ ପାଖରେ ନେଇ ଶୁଙ୍ଘିଲା। ଆ! କି ବାସ୍ନା। ପ୍ରାପ୍ତି ଅପ୍ରାପ୍ତିର ଛୋଟଛୋଟ ସ୍ୱାର୍ଥ ଆଉ ସର୍ତ୍ତକୁ ଏଡ଼େଇ ବହି ଆସୁଥିବା ବାସ୍ନା। ପ୍ରେମ ଆଉ କ'ଣ କି? ମୁଠାଏ ଝୁରିହେବାର ମହକ ତ ଆଉ? ତଥାପି ଅଜୟ ଖୋଲିଲା ସେ ଚିଠି। ଡଙ୍କେଇ ଯାଉଥିବା ଲତା, ଟିକିଟିକି ହାତଅଙ୍କା ଫୁଲ, କୁନିକୁନି ପ୍ରଜାପତି ଓ ସେଇ ପ୍ରିୟତମ ପ୍ରଥମ ଧାଡ଼ି.... ‘ପ୍ରାଣପ୍ରିୟ ପ୍ରିୟତମ ମୋର।’ ଯେହେତୁ ଚିଠିଟି ହାତରୁ ହାତକୁ ଆସିଥିଲା, ତେଣୁ ସେହି ପ୍ରଥମ ଚିଠିର ଖୋଳ ନଥିଲା। ପରବର୍ତ୍ତୀ ଚିଠିମାନଙ୍କର ଖୋଳ ଭିତରୁ ଗୋଟିଏ ଗୋଲାପୀ ରଙ୍ଗର ଖୋଳରେ ଭରି ଦେଇଥିଲା ଅଜୟ ତା' ଜୀବନର ପ୍ରଥମ ପ୍ରେମ ଚିଠିକୁ। ସେ ଖୋଳ ଉପରେ କ୍ରମଶଃ ଲିଭିଲିଭି ଆସୁଥିବା ଅକ୍ଷରରେ ଲେଖା ଯାଇଥିଲା ଅଜୟର ସେତେବେଳର ଠିକଣା। ‘ଅଜୟ କୁମାର ମହାନ୍ତି ଓ ତା ତଳକୁ କେୟାର ଅଫ୍ ଆଲୋକ ବିଟିଲ୍ ସପ୍, ଆଟ୍/ପୋଷ୍ଟ ପୀରହାଟ ବଜାର।’

ମୋବାଇଲ୍: ୯୭୭୮୦୩୫୭୬୭

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe