Advertisment

କାଳବୈଶାଖୀ

ଖରାଦିନେ ମୋର ପ୍ରାୟେ ସମୟ ଛାତ ଉପରେ କଟେ । କାରଣ ଏସିର କୃତ୍ରିମ ଥଣ୍ଡା ପରିବେଶ ତା ଆଡକୁ କେବେ ଆକର୍ଷିତ କରିପାରେନି ମତେ। କିନ୍ତୁ ଘର ଚାରିପାଖରେ ଥିବା ନିମ୍ବ, ପଣସ, ଚାକୁଣ୍ଡା, ଓଉ ଇତ୍ୟାଦି ଗଛଗୁଡିକ ସାମୂହିକ ବଳ ପ୍ରୟୋଗ କରି ଟାଣି ଆଣନ୍ତି ମତେ। ସବୁବେଳେ ତ ପ୍ରାକୃତିକ ଜିନିଷ ଗୁଡିକର ଆକର୍ଷଣ ଅଧିକ ଥାଏ। ଏଇ ଯେମିତି ସକାଳୁ ପରିବା ବିକି ଆସୁଥିବା ବୁଢା ମଉସାଟିର ହସ, ମତେ ଆମ […]

ଅଦ୍ୟତନ ହୋଇଛି
କାଳବୈଶାଖୀ
Advertisment

[caption id="attachment_161945" align="alignleft" width="145"]publive-imageଦେବଯାନୀ ମିଶ୍ର[/caption]

Advertisment

ଖରାଦିନେ ମୋର ପ୍ରାୟେ ସମୟ ଛାତ ଉପରେ କଟେ । କାରଣ ଏସିର କୃତ୍ରିମ ଥଣ୍ଡା ପରିବେଶ ତା ଆଡକୁ କେବେ ଆକର୍ଷିତ କରିପାରେନି ମତେ। କିନ୍ତୁ ଘର ଚାରିପାଖରେ ଥିବା ନିମ୍ବ, ପଣସ, ଚାକୁଣ୍ଡା, ଓଉ ଇତ୍ୟାଦି ଗଛଗୁଡିକ ସାମୂହିକ ବଳ ପ୍ରୟୋଗ କରି ଟାଣି ଆଣନ୍ତି ମତେ। ସବୁବେଳେ ତ ପ୍ରାକୃତିକ ଜିନିଷ ଗୁଡିକର ଆକର୍ଷଣ ଅଧିକ ଥାଏ। ଏଇ ଯେମିତି ସକାଳୁ ପରିବା ବିକି ଆସୁଥିବା ବୁଢା ମଉସାଟିର ହସ, ମତେ ଆମ ସାମ୍ନା ଘରେ ରହୁଥିବା ପଡ଼ୋଶୀଙ୍କ କୃତ୍ରିମ ହସ ଠାରୁ ବେଶୀ ଆପଣାର ଲାଗେ। ଘରେ ଲାଗିଥିବା ବୈଦ୍ୟୁତିକ ବଲ୍ବର ଆଲୋକ ଅପେକ୍ଷା ପୁର୍ଣିମା ରାତିର ଜହ୍ନର ଆଲୋକ କେତେ ମନ ମତାଣିଆ ନୁହେଁ ସତରେ। ଅତଏବ ନିଜର ବ୍ୟସ୍ତ ଜୀବନଚର୍ଯାକୁ ଛାଡି ପ୍ରକୃତି ସହ କିଛି ସମୟ ବିତେଇବାର ମୋହ ହିଁ ମତେ ଟାଣି ଆଣେ ଛାତ ଉପରକୁ।

ଆଜି ପୁଣି ରବିବାର। ଘର କାମ ଆଠଟା ସୁଧା ସାରିଦେଇ ଛାତ ଉପରେ ବୁଲି କିଶୋର କୁମାର, ମନ୍ନା ଦେ, ଲତା ମଙ୍ଗେସ୍କର, ଆଶା ଭୋସଲେ ଇତ୍ୟାଦୀଙ୍କର ପୁରୁଣା ଗୀତ ସବୁ ଶୁଣିବାକୁ ମତେ ଭାରି ଭଲ ଲାଗେ। କିନ୍ତୁ ଆଜି ଛାତ ଉପରକୁ ଆସିବା ପରେ ସବୁଦିନ ଅପେକ୍ଷା ନିଆରା ଲାଗୁଥିଲା। ଗଛଗୁଡିକ ପରସ୍ପରକୁ ଅନାଇ ଖୁବ ଜୋରରେ ନାଚି ନାଚି ଗୀତ ଗାଉଥିଲେ ଆଉ ସେ ସ୍ଵର ର ମଧୁରତା ମତେ ସେମାନଙ୍କ ସହ ବାନ୍ଧି ରଖିବା ପାଇଁ ଯଥେଷ୍ଟ ଥିଲା। ଆକାଶକୁ ଚାହିଁଲି ମୁଁ। କଳାହାଣ୍ଡିଆ ମେଘର ସମ୍ଭାର। କାଳବୈଶାଖୀ ନିଜର କାୟା ବିସ୍ତାର କରୁଥିଲା। ଆଉ ଟିକେ ସମୟ ପରେ ମେଘ ବର୍ଷାରେ ପରିଣତ ହୋଇ ଛୁଇଁଯିବ ପୃଥିବୀ କୁ ଏକ ଗଭୀର ଆବେଗ ଓ ଆଶ୍ୱାସନା ସହ। ଏବେ ଗଛଗୁଡିକ ଆହୁରି ଜୋରେ ଗୀତ ଗାଇବାକୁ ଲାଗିଲେ। ସେ ଗୀତରେ ମଧୁବନ୍ତୀ ରାଗ ର ଛିଟା ଥିଲା ଯେମିତି ସେମାନେ ଏ ମହାମିଳନକୁ ସ୍ଵାଗତ ଜଣେଇବା ପାଇଁ ବ୍ୟାକୁଳ। ସେ ବ୍ୟାକୁଳତା ଧୀରେ ଧୀରେ ସଂକ୍ରମିତ ହେଉଥିଲା ମୋ ଆଡକୁ। ବର୍ଷାରେ ଓଦା ହୋଇ ମୁଁ ବି ସାକ୍ଷୀ ହେବାକୁ ଚାହୁଁଥିଲି ସେ ମିଳନର। ଭାରି ରୋମାଞ୍ଚକର ଲାଗୁଥିଲା ପରିବେଶଟି।

Advertisment

ବର୍ଷାର ବରଷି ଯିବାକୁ ଅପେକ୍ଷା କରୁଥିଲୁ ଆମେ ସମସ୍ତେ - ମୁଁ, ଚାରିପାଖରେ ଥିବା ଗଛ ଓ ପୃଥିବୀ। ଉପରୁ ଆଖି ଫେରାଇ ଘରର ବାମ ପଟକୁ ଚାହିଁଲି ମୁଁ। ଆମ ଘରର ଏଇ ପାଖରେ ଦୁଇ ତିନଟି ପ୍ଲଟ ଖାଲି ପଡିଛି। ତା ପର ଘରଟି ରୂପସୀ ଭାଉଜଙ୍କର। ଅନ୍ୟ ଦିନେ ଟି.ଭି. ସିରିଏଲରେ ବୁଡି ରହୁଥିବା ଭାଉଜ ଆଜି କିନ୍ତୁ ଉପଭୋଗ କରୁଥିଲେ ପ୍ରକୃତିକୁ ନିଜ ସ୍ଵାମୀ ରୂପେଶଙ୍କ ସହ। ରୂପେଶ ଭାଇଙ୍କ ବ୍ୟସ୍ତବହୁଳ ଜୀବନ ରେ ସେ ଯଥେଷ୍ଟ ସମୟ ଦେଇ ପାରନ୍ତିନି ଭାଉଜଙ୍କୁ। ଛୁଟିଦିନ ମାନଙ୍କରେ ବି କ୍ରିକେଟ, ସମ୍ବାଦ ରେ ବୁଡି ରୁହନ୍ତି ବୋଲି ଭାଉଜ ଦିନେ ଅଭିମାନରେ କହୁଥିଲେ ମତେ ଯେ ଏ ପୁଅଗୁଡାକ ବାହାଘର ପୂର୍ବରୁ ପ୍ରଚୁର ସମୟ ଦିଅନ୍ତି କିନ୍ତୁ ବାହାଘରର ଅଳ୍ପ ଦିନ ପରେ ଜମା ଧରାଛୁଆଁ ଦିଅନ୍ତିନି। ଜମା ବିଶ୍ବାସ ନାହିଁ ହେ ଏ ପୁଅ ଜାତିଟାକୁ। ଆଜି କିନ୍ତୁ କାଳବୈଶାଖୀ ଏକ ପରିବେଶଟିଏ ଯୋଗାଇ ଦେଇଛି ସେମାନଙ୍କୁ ସାଙ୍ଗ ହୋଇ ସମୟ କାଟିବା ପାଇଁ। ଏଥିପାଇଁ ରୂପସୀ ଭାଉଜଙ୍କ ମୁହଁରେ ଆତ୍ମତୃପ୍ତିର ଏକ ଭାବ ସହଜରେ ବାରି ହେଇ ପଡୁଥିଲା। ତାଙ୍କ ଘରଠାରୁ ଅଳ୍ପ ଦୂରରେ ଥିବା ପଣସ ଗଛରୁ ଶୁଖିଲା ପତ୍ରଗୁଡ଼ିକ ଉଡି ରୂପସୀ ଭାଉଜ ଓ ରୂପେଶ ଭାଇଙ୍କ ଦେହରେ ବାଜିବାକୁ ଲାଗିଲା। ପରେ ପରେ ମୁଷଳ ଧାରାରେ ବର୍ଷା ଆରମ୍ଭ ହୋଇଗଲା। ରୂପେଶ ଭାଇ ଭାଉଜଙ୍କ ହାତ ଟିକୁ ଜୋରରେ ଜାବୁଡି ଧରି ଜଲତା ହେ ଜିୟା ମେରା ଭିଗି ଭିଗି ରାତୋ ମେ ଗାଈ ଉଠିଲେ। ଭାଇଙ୍କ ଗୀତ ଓ ଭାଉଜଙ୍କ ହସ ଏତେ ବର୍ଷା ରେ ବି ଶୁଣାଯାଉଥିଲା ସ୍ପଷ୍ଟ ଭାବେ। ଆଉ କାହାର ଆବେଗମୟ ମୁହୂର୍ତ୍ତ ସବୁକୁ ମୁଁ ଚାହିଁ ରହିବାଟା ଅଶାଳୀନ ଭାବି ଆଖି ଫେରାଇ ଆଣିଲି ମୁଁ। କିନ୍ତୁ ବର୍ଷା ରେ ଭିଜିବାକୁ ଭଲ ଲାଗୁଥିଲା ମତେ। ମୋ ସହ ଗଛ ଆଉ ପୃଥିବୀ ବି ଭିଜୁଥିଲେ ଜଡସଡ ହୋଇ। ଭିଜା ମାଟିର ବାସ୍ନା ଭାରି ମିଠା ଲାଗୁଥିଲା। କାରଣ ପ୍ରେମରେ ମିଳନ ର ସ୍ଵାଦ ତ ସବୁବେଳେ ମିଠା ହିଁ ତ ହୋଇଥାଏ।

ସେମିତି ଭିଜୁ ଭିଜୁ ଆରପଟକୁ ଆଖି ପକେଇଲି ମୁଁ। ଆମ ଘରକୁ ବାସନ ମାଜିବାକୁ ଆସୁଥିବା ଅରୂପାର ପଲିଥିନ ଘେରା ଘରଟିରୁ ଜରି ଉଡି ଯାଇଥିଲା। ଚୁଲି ରେ ଆଣ୍ଠୁଏ ପାଣି ଠିଆ ହୋଇଥିଲା। ଛୋଟ ଛୁଆଟିକୁ ଧରି ସେ ସେମିତି ବସିଥାଏ ମାଟିର ଦରଭଙ୍ଗା କାନ୍ଥକୁ ଆଉଜି। ଠିକ ଏତିକି ବେଳେ ସଜନା ଗଛଟିର ଡାଳ ଭାଙ୍ଗି ତା ଚୁଲି ପାଖରେ ଥିବା ଚାଉଳ ବସ୍ତାରେ ପଡିଲା ଆଉ ବସ୍ତା ଟି ଫିଟି ଚାଉଳ ସବୁ ତ ଆଖି ସାମ୍ନା ରେ ଭିଜି ଯାଉଥିଲା। ମିଶିଯାଉଥିଲା ବର୍ଷା ପାଣିରେ, କାଦୁଅରେ। ମାସସକର ଦାନା କେତେ କଷ୍ଟ ରେ ମୁଣ୍ଡ ଝାଳ ତୁଣ୍ଡରେ ମାରି। ଅରୂପା ବୁକୁଫଟା କୋହ ଓ ଗୁମୁରା କାନ୍ଦଣା ବର୍ଷାଭିଜା ପବନରେ ଉଡିଆସି ବାଜୁଥିଲା ମୋ କାନରେ। ମୁଁ ବଧିର ହେଇଯାଉଥାଏ କ୍ରମଶଃ। ପୁଣି ଥରେ ଆରପଟକୁ ଚାହିଁଲି ମୁଁ। ରୂପସୀ ଭାଉଜ ସେମିତି ଭିଜୁଥାନ୍ତି ଭାଇଙ୍କ ହାତ ଧରି। ଆଉ ଚାଉଳଗୁଡିକୁ ଗୋଟାଉ ଗୋଟାଉ ବିଳପୁଥାଏ ଅରୂପା । ଗୋଟେ ପଟେ ରୋମାଞ୍ଚ ଆଉ ଗୋଟେ ପଟେ କୋହ । ବର୍ଷାରେ ଭିଜିବା ଭାଇ,ଭାଉଜ ଆଉ ମୋ ପାଇଁ ସଉକ ହୋଇଥିବା ବେଳେ ଅରୂପା ପାଇଁ ତାହା ଥିଲା ସତରେ “କାଳବୈଶାଖୀ”। ମୁଁ ସେମିତି ସ୍ଥାଣୁ ହୋଇ ଠିଆ ହୋଇଥିଲି। ବର୍ଷା ଛିଟା ଦେହର ପ୍ରତ୍ୟେକ ଅଙ୍ଗକୁ ଛୁଉଁଥିଲା, ହେଲେ ଏଇ ଟିକକ ପୂର୍ବରୁ ମାଟିକାନ୍ଥ ପରି ଗଳି ପଡିଥିବା ମୋ ଭିତରର ଅବେଗକୁ ମୁଁ ଆଉ ଠିଆ କରେଇ ପାରୁନଥିଲି।

ଫୋନ-୮୨୪୯୮୯୦୮୬୩

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe