Advertisment

ଲୋକହସା ହେଲେ ସରକାର; ନିଲାମ ପାଇଁ ଆସିବାରୁ ଟଙ୍କା ସୁଝିଲେ

୧୯୭୪ ମସିହାରେ ନଅ ତାଲା ନିର୍ମାଣ କରିଥିବା ଠିକାସଂସ୍ଥା କଷ୍ଟ୍ରକସନ ଇଣ୍ଡିଆର ୬ ଲକ୍ଷ ଟଙ୍କା ବାକି ରଖିଥିଲେ ରାଜ୍ୟ ସରକାର।

9 Tala

9 Tala

Advertisment

ନିର୍ମାଣ ସୌଧରେ ହଇଚଇ। କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ ଅଫିସରେ ପଶିଲେ କୋର୍ଟ କର୍ମଚାରୀ। କିଏ ବିରାଟକାୟ ଟିଭିକୁ ଖୋଲିଦେଲେ ତ ଆଉ କିଏ କମ୍ପ୍ୟୁଟର ସହ ଚେୟାର, ଟେବୁଲ, ପ୍ରିଣ୍ଟର, ଏସିକୁ ଉଠାଇ ନେଲେ। ଏପରିକି ଛୋଟ ମୋଟ ଫ୍ୟାନକୁ ଛାଡ଼ିଲେନି। କୋର୍ଟଙ୍କ ନିର୍ଦ୍ଦେଶ ଯେତେବେଳେ ଅଛି, କିଏ ବା କାହିଁକି ବିଳମ୍ବ କରିବ।

Advertisment

ଯୁଦ୍ଧକାଳୀନ ଭିତରେ ଯିଏ ଯେମିତି ପାରିଲା, ଗାଡ଼ିରେ ବୋହି ନେବା ପାଇଁ ଆସବାବପତ୍ରକୁ ଏଭଳି ଖୋଲି ପକାଇଲେ। କାରଣ ଠିକାସଂସ୍ଥା କଷ୍ଟ୍ରକସନ ଇଣ୍ଡିଆର ୧୮ଲକ୍ଷ ଟଙ୍କା ରାଜ୍ୟ ସରକାର ସୁଝିବାରେ ଅକ୍ଷମ ହେବାରୁ ଏସବୁ ଆସବାବପତ୍ରର ନିଲାମ ହୋଇଥାନ୍ତା। ଆଉ ସେହି ଟଙ୍କାକୁ ଦିଆଯାଇଥାନ୍ତା ସଂପୃକ୍ତ ଠିକାସଂସ୍ଥାକୁ। ଯିଏ ନଅ ତାଲା ବିଲଡିଂ ତିଆରି କରି ଆଜିକୁ ୪୦ ବର୍ଷରୁ ଅଧିକ ସମୟ ଧରି ବକେୟା ଟଙ୍କା ପାଇଁ ଦୌଡୁଥିଲେ କୋର୍ଟ କଚେରୀ। ଶେଷରେ ଲୋକହସା ହେବା ପରେ ରାଜ୍ୟ ସରକାର ମୂଳ ୬ ଲକ୍ଷ ଓ ସୁଧ ପ୍ରାୟ ୧୨ ଲକ୍ଷକୁ ମିଶାଇ ୧୮ ଲକ୍ଷରୁ ଅଧିକ ଟଙ୍କା ଗଣିବା ପରେ ଥମିଥିଲା ସ୍ଥିତି। ଆଉ ସମସ୍ତ ଆସବାବପତ୍ରକୁ ଛାଡ଼ି ଫେରିଯାଇଥିଲେ କୋର୍ଟରୁ ଆସିଥିବା କର୍ମଚାରୀ।

୧୯୭୪ ମସିହାରେ ନଅ ତାଲା ନିର୍ମାଣ କରିଥିବା ଠିକାସଂସ୍ଥା କଷ୍ଟ୍ରକସନ ଇଣ୍ଡିଆର ୬ ଲକ୍ଷ ଟଙ୍କା ବାକି ରଖିଥିଲେ ରାଜ୍ୟ ସରକାର। ବାରମ୍ବାର ବକେୟା ଟଙ୍କା ମାଗିବା ସତ୍ତ୍ୱେ ନଦେବାରୁ ୧୯୮୨ରେ ଭୁବନେଶ୍ୱର ସିଭିଲ୍‌ ଜଜ୍‌ ସିନିୟର ଡିଭିଜନ କୋର୍ଟରେ କେସ୍‌ କରିଥିଲେ ଠିକାସଂସ୍ଥାର ତତ୍କାଳୀନ ମୁଖ୍ୟ ବୀରେନ୍ଦ୍ର କୁମାର ପାଠକ। ୧୯୯୮ ମସିହାରେ ଠିକା ସଂସ୍ଥା ସପକ୍ଷରେ ରାୟ ଦେଇ ବକେୟା ଟଙ୍କା ପୈଠ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। କିନ୍ତୁ ମାତ୍ରାଧିକ ଅଟକଳ କରି ବିଲ୍‌ କରାଯାଇଥିବା ଦର୍ଶାଇ ରାଜ୍ୟ ସରକାର ହାଇକୋର୍ଟ ଓ ସୁପ୍ରିମକୋର୍ଟ ଯାଇଥିଲେ।

Advertisment

୨୦୨୨ରେ ଏହାର ବିଚାର କରି ତଳ କୋର୍ଟଙ୍କ ରାୟକୁ କାୟମ ରଖିଥିଲେ ସୁପ୍ରିମକୋର୍ଟ। ଏହାପରେ ଟଙ୍କା ସୁଝିବା ପାଇଁ ଗତ ବର୍ଷେ ହେଲା ଭୂଆଁ ବୁଲାଇ ଆସୁଥିଲେ ରାଜ୍ୟ ସରକାର। ଶେଷରେ ଗତ ୯ ତାରିଖରେ କୋର୍ଟ ବିରକ୍ତି ପ୍ରକାଶ କରିବା ସହ ନିର୍ମାଣ ସୌଧ କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ ଅଫିସର ସବୁ ଆସବାବପତ୍ରର ନିଲାମ ନିର୍ଦ୍ଦେଶ ଦେଇଥିଲେ। ଆଉ ସେହି ନିର୍ଦ୍ଦେଶନାମା ଧରି ଆଜି କୋର୍ଟର କର୍ମଚାରୀ ସକାଳ ସାଢ଼େ ୧୧ଟାରେ ପହଞ୍ଚିଥିଲେ କାର୍ଯ୍ୟାଳୟରେ। ଶେଷରେ କାନମୁଣ୍ଡା ଆଉଁଷି ରାଜ୍ୟ ସରକାର ତୁରନ୍ତ କୋର୍ଟଙ୍କ ଆକାଉଣ୍ଟକୁ ଅନଲାଇନରେ ବକେୟା ୧୮ ଲକ୍ଷ ୪୬ ହଜାର ୬୪୩ ଟଙ୍କା ଗଣିଥିଲେ। ତାହାର ପ୍ରମାଣ ଆଣି ଦେଖାଇବା ପରେ ସ୍ଥଗିତ ରହିଲା ନିଲାମ ପ୍ରକ୍ରିୟା।

୧୯୯୮ ମସିହାରେ ଠିକାସଂସ୍ଥାର ମୁଖ୍ୟ ବୀରେନ୍ଦ୍ର କୁମାର ପାଠକଙ୍କ ଦେହାନ୍ତ ହୋଇଥିଲା। ତା’ପରେ ବାପାଙ୍କ ପକ୍ଷରୁ ନିଜେ ମାମଲା ଲଢୁଥିଲେ ତାଙ୍କ ପୁଅ ଦିନେଶ ପାଠକ। ଶେଷରେ ଆଜି ୪୧ ବର୍ଷ ପରେ ବିବାଦର ଅବସାନ ଘଟିଥିଲା।

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe