ରାଜ୍ୟରେ ଆଗାମୀ ୫୦ବର୍ଷର ରାସ୍ତା ନିର୍ମାଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ସ୍ୱତନ୍ତ୍ର ସଡ଼କ ନୀତି’ ପ୍ରସ୍ତୁତ କରିବେ । ଗମନାଗମନର ସୁଦୃଢ଼ୀକରଣ ଓ ନିର୍ମାଣଜନିତ ପ୍ରତିବନ୍ଧକକୁ ଦୂର କରି ରାଜ୍ୟରେ ରାସ୍ତା ନିର୍ମାଣ ପାଇଁ ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ ନିମନ୍ତେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଆଜି ଏନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ହୋଇଥିବା ଆଲୋଚନା ଅନୁସାରେ, ଅନେକ ସମୟରେ ସମନ୍ୱୟ ଅଭାବ ଯୋଗୁ ରାସ୍ତା ନିର୍ମାଣ ଓ ମରାମତି ନେଇ ସମସ୍ୟା ଉତ୍ପନ୍ନ ହେଉଛି । ଏହାର ନିରାକରଣ ସହିତ ଆଗାମୀ ୫୦ବର୍ଷକୁ ଦୃଷ୍ଟିରେ ରଖି ରାସ୍ତାନିର୍ମାଣକୁ ନେଇ ଏକ ସ୍ୱତନ୍ତ୍ର ନୀତି ପ୍ରଣୟନର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ମିଶାଇ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ, ପଂଚାୟତିରାଜ ଓ ବିଭିନ୍ନ ମହାନଗର ନିଗମ ଅଧୀନରେ ଅନେକଗୁଡ଼ିଏ ରାସ୍ତା ରହିଛି । ଏହି ସମସ୍ତ ରାସ୍ତାକୁ ଦୃଷ୍ଟିରେ ରଖି ଏହି ନୀତି ପ୍ରଣୟନ କରାଯିବ । ବିଭିନ୍ନ ରାସ୍ତାଗୁଡ଼ିକର ସ୍ଥିତି ନେଇ ଏକ ଡାଟାବେସ୍ ପ୍ରସ୍ତୁତ, ଆଗାମୀ ଦିନରେ ହେବାକୁ ଥିବା ଟ୍ରାଫିକ ସମସ୍ୟାର ସମାଧାନ ନେଇ ରୋଡମ୍ୟାପ୍ , ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ରାସ୍ତା ନିର୍ମାଣ, ପୁରଣା ରାସ୍ତାର ମରାମତି, ସେତୁ ନିର୍ମାଣ, ଘରୋଇ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ଅଧିଗ୍ରହଣ ଉପରେ ଦୃଷ୍ଟି ଦେଇ ନୀତି ପ୍ରଣୟନ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି ।
ଏହାସହିତ ପ୍ଲାଷ୍ଟିକ ଭଳି ବର୍ଜ୍ୟବସ୍ତୁକୁ ବ୍ୟବହାର କରି ରାସ୍ତା ନିର୍ମାଣ, କଂଚାମାଲର ବ୍ୟବହାର କରି ରାସ୍ତା ନିର୍ମାଣ, ଗୁଣବତ୍ତା ସହ ରକ୍ଷଣାବେକ୍ଷଣ ପାଇଁ ସ୍ୱତନ୍ତ୍ର କର୍ପସ ପାଣ୍ଠି ଗଠନ ନେଇ ନୀତିରେ ସ୍ପଷ୍ଟତା ରହିବା ଉପରେ ଆଲୋଚନା ହୋଇଥିଲା । ସେହିପରି ରାସ୍ତାରେ କେବୁଲ ବିଛାଇବା, ଡ୍ରେନ ଓ ସ୍ୱେରେଜ୍ ନିର୍ମାଣ ପାଇଁ ବିଭିନ୍ନ ସଂସ୍ଥା ସରକାରଙ୍କ ବିନା ଅନୁମତିରେ ରାସ୍ତାଗୁଡ଼ିକୁ ଖୋଳି ଦେଉଥିବାରୁ ଏହାର ନିରାକଣ ପାଇଁ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ବିରୁଦ୍ଧରେ ଜୋରିମାନା ଲାଗୁ ପାଇଁ ମଧ୍ୟ ନୀତିରେ ଉଲ୍ଲେଖ ରହିବ ବୋଲି ଜଣାପଡ଼ିଛି ।
୨୦୨୯ ମସିହା ସୁଦ୍ଧା ୧୦୦ଜନସଂଖ୍ୟା ବିଶିଷ୍ଟ ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣକୁ ସୁନିଶ୍ଚିତ କରିବା ସହ ଉତ୍ତମ ମାନବସମ୍ବଳ ଅଭାବ ପୂରଣ ଓ ନିର୍ମାଣ ସମୟରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା ।
ଆଜିର ଏହି ବୈଠକରେ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ, ପୂର୍ତ୍ତ ସଚିବ ଭିଭି ଯାଦବ, ଗ୍ରାମ୍ୟ ଉନ୍ନୟନ ସଚିବ ସଞ୍ଜୟ ସିଂଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ ।