ବିଜେଡି ସରକାର ଶାସନରେ ରାଜ୍ୟରେ ମନଇଚ୍ଛା ଲଘୁ ଖଣିଜ ସମ୍ପଦ ଲୁଟ୍ ହୋଇଛି । ଲଘୁ ଖଣିଜ ସାମଗ୍ରୀକୁ ଲୁଟ୍ କରିବା ଓ ଚୋରି ରୋକିବା ପାଇଁ ସରକାରୀ କଳ କୌଣସି ପ୍ରକାରର ଯାଂଚ କିମ୍ବା ତଦାରଖ କରିବାକୁଂ ମଧ୍ୟ ଆଗ୍ରହ ଦେଖାଇନାହିଁ । ଖଣିଜ ସମ୍ପଦ ଲୁଟେରାଙ୍କ ପ୍ରଭାବ ଏତେ ଅଧିକ ଥିଲା ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଡଙ୍କାରୀ ପାହାଡ଼ରୁ କଳାପଥର ଲୁଟିଥିବା ଜଣେ ଲିଜଧାରୀଙ୍କଠୁ ୫୮.୬୩କୋଟି ଟଙ୍କାର ଜୋରିମାନା ଆଦାୟ କରାଯାଇପାରିନାହିଁ ।
ଏପରିକି ଅଧିକ କଳାପଥର ଚୋରି ଯୋଗୁ ୯୮.୩୦କୋଟି ଟଙ୍କାର ରାଜସ୍ୱ କ୍ଷତି ମଧ୍ୟ ହୋଇଛି । ଏସବୁ ବ୍ୟତୀତ ପ୍ରାଧିକୃତ ସଂସ୍ଥା ଦ୍ୱାରା ଲଘୁ ଖଣିଜ କ୍ରୟ ଟ୍ରାନଜିଟ୍ ପାସ୍ ନଦେବା ଯୋଗୁ ୨୦୧୫ରୁ ୨୦୨୨ ମସିହା ମଧ୍ୟରେ ମୋଟ ୮୬୪.୪୫କୋଟି ଟଙ୍କାର ଖଣିଜ ରାଜସ୍ୱ ବାଟମାରଣା ମଧ୍ୟ ହୋଇଛି । ବୁଧବାର ବିଧାନସଭାରେ ସିଏଜିଙ୍କ ଦ୍ୱାରା ଉପସ୍ଥାପିତ ରିପୋର୍ଟରୁ ରାଜ୍ୟର ଲଘୁ ଖଣିଜ ସମ୍ପଦକୁ କିଭଳି ଲୁଟ୍ କରାଯାଇଛି ଓ କୋଟିକୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ତା’ର ନଗ୍ନ ଚିତ୍ର ପଦାକୁ ଆସିଛି ।
୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ବର୍ଷ ପାଇଁ ପ୍ରସ୍ତୁତ ଏହି ଅଡିଟ୍ ରିପୋର୍ଟରେ ୨୦୧୫-୨୨ ମସିହା ମଧ୍ୟରେ ଲଘୁ ଖଣିଜରୁ ମୋଟ ୨୯.୬୮.୭୫କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଥିବାବେଳେ ଅନିୟମିତତା ଓ ଦୁର୍ବଳ ବ୍ୟବସ୍ଥା ତଥା ତଦାରଖ ଅଭାବରୁ ରାଜ୍ୟକୁ ଶହ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି ।
ସିଏଜିଙ୍କ ଅଡିଟ୍ ରିପୋର୍ଟରେ କ’ଣ ମିଳିଛି?
୨୦୨୧ ଅଗଷ୍ଟରୁ ୨୦୨୨ ସେପ୍ଟେମ୍ବର ମାସ ମଧ୍ୟରେ କରାଯାଇଥିବା ଏହି ଅଡିଟରେ ୨୨ଟି ତହସିଲର ୫୨୦ଟି ଲଘୁ ଖଣିଜ ଉତ୍ସର ଯାଂଚ କରାଯାଇଥିଲା । ଏଥିରୁ ୧୪୭ଟି(୨୮.୨୭%) ଉତ୍ସ କାର୍ଯ୍ୟକ୍ଷମ ଥିବାବେଳେ ୩୭୩ଟି(୭୧.୭୩%) ଉତ୍ସ ଅଚଳ ରହିଥିଲା । ସିଏଜି ତାଙ୍କ ଅଡିଟ୍ରେ ଦର୍ଶାଇଛନ୍ତି ଯେ, ବିଡିଂ ପ୍ରକ୍ରିୟାରେ ତ୍ରୁଟି, ପରିବେଶ ମଞ୍ଜୁରୀରେ ବିଳମ୍ବ, ପୁରୁଣା ଦର ଲାଗୁ, ବକେୟା ଆଦାୟରେ ଅନାଗ୍ରହ, ଅବୈଧ ଖନନ, ଜଙ୍ଗଲ ଜମିରେ ଖନନ ସହ ଅତିରିକ୍ତ ଖନନ ଯୋଗୁ ବ୍ୟାପକ ରାଜସ୍ୱ କ୍ଷତି ହୋଇଛି ।
ବିଡିଂ ବା ନିଲାମୀ ପ୍ରକ୍ରିୟାରେ ତ୍ରୁଟି : ପ୍ରଥମେ ସର୍ବୋଚ୍ଚ ବିଡର ଅନିଚ୍ଛା ପ୍ରକାଶ କରିବା ପରେ ବିଡ଼ର ଚୂଡ଼ାନ୍ତ ଚୟନରେ ଅନିୟମିତତା ଯୋଗୁ ୬.୨୧କୋଟି ଟଙ୍କା ରାଜସ୍ୱ କ୍ଷତି । ଉଦାହରଣ ସ୍ୱରୂପ ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ଓ ବୃନ୍ଦାଦେଇପୁରଠାରେ ବ୍ରାହ୍ମଣୀ ନଦୀର ବାଲି ନିଲାମୀ ପାଇଁ ସର୍ବୋଚ୍ଚ ବିଡର ନବଘନ ଜେନା ଓ ଦ୍ୱିତୀୟ ସର୍ବୋଚ୍ଚ ବିଡର ତାଙ୍କ ସମ୍ପର୍କୀୟ ଜୟନ୍ତ କୁମାର ଜେନା ରହିଥିଲେ । ଉଭୟ ଭିନ୍ନ ଭିନ୍ନ ଦରରେ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିଲେ । କିନ୍ତୁ ସର୍ବୋଚ୍ଚ ବିଡର ନବଘନ ଜେନା ଉଦ୍ଦେଶ୍ୟମୂଳକ ଭାବେ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଟେଣ୍ଡର ପ୍ରକ୍ରିୟାରୁ ଓହରିଗଲେ ଓ ପ୍ରଶାସନ ସବୁ ଜାଣି ମଧ୍ୟ ତାଙ୍କର ସମ୍ପର୍କୀୟଙ୍କୁ ଏହି ବାଲିଘାଟର ଟେଣ୍ଡର ଦେଲେ । ନିଲାମରେ ଚୂଡ଼ାନ୍ତ ଚୟନ ପରେ ସେଥିରୁ ଓହରିଯିବା ପାଇଁ କୌଣସି ଦଣ୍ଡ ଓ ଜୋରିମାନର ପ୍ରାବଧାନ ନଥିବା ଯୋଗୁ ଏଭଳି ଅନିୟମିତତା ହୋଇଛି । ଏଥିରେ ରାଜ୍ୟ ସରକାରଙ୍କୁ ମଧ୍ୟ ରାଜସ୍ୱ କ୍ଷତି ସହିବାକୁ ପଡ଼ିଲା ।
ପରିବେଶ ମଞ୍ଜୁରୀରେ ବିଳମ୍ବ: ଜଗତସିଂହପୁର, ଜଳେଶ୍ୱର ଓ ଗୁରୁଣ୍ଡିଆ ତହସିଲରେ ଲଘୁ ଖଣିଜ ଯୋଜନା ଅନୁମୋଦନ ପରେ ତୁରନ୍ତ ପରିବେଶ ମଞ୍ଜୁରୀ(ଇସି) ପାଇଁ ସମ୍ପୃକ୍ତ ତହସିଲଦାର ଆବେଦନ ନକରିବା ଯୋଗୁ ପ୍ରାୟ ୨୦.୧୦କୋଟି ଟଙ୍କା ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି ।
ବେଆଇନ ଖନନ ଓ ଜଙ୍ଗଲ ଜମିରେ ଖନନ: ଲିଜ୍ ଚୁକ୍ତି ଓ ପରିବେଶ ମଞ୍ଜୁରୀ ବିନା ଖନନ ଯୋଗୁ ୪.୩୮କୋଟି ଟଙ୍କାର ଖଣିଜ ମୂଲ୍ୟ ଆଦାୟ ହୋଇପାରିନାହିଁ । କେନ୍ଦ୍ର ସରକାରଙ୍କ ଅନୁମୋଦନ ବିନା ଜଙ୍ଗଲ ଜମିରେ ଖନନ ଯୋଗୁ ୫୧.୬୯ କୋଟି ଟଙ୍କାର ଖଣିଜ ରାଜସ୍ୱ ରାଜ୍ୟ ସରକାର ହରାଇଛନ୍ତି । ଅନୁମୋଦିତ ଯୋଜନାଠାରୁ ଅଧିକ ଖନନ ଓ ତହସିଲଦାରଙ୍କ ଦ୍ୱାରା ‘ୱାଇ’ ଫର୍ମ ଯାଂଚ ନହେବା ଯୋଗୁ ୩୩.୫୦କୋଟି ଟଙ୍କାର ଖଣିଜ ରାଜସ୍ୱ ଆଦାୟ ହୋଇପାରିନାହିଁ ।
ନିୟମରେ ତ୍ରୁଟି : ଟ୍ରାନଜିଟ୍ ପାସ୍ ବିନା ଲଘୁ ଖଣିଜ ସାମଗ୍ରୀ କ୍ରୟ କ୍ଷେତ୍ରରେ କେବଳ ରୟାଲିଟି କାଟିବାର ବ୍ୟବସ୍ଥା ଯୋଗୁ ୮୬୪.୪୫ କୋଟି ଟଙ୍କା ରାଜସ୍ୱ କ୍ଷତି ହୋଇଛି ।
ପୁରୁଣା ଦର ଲାଗୁ: ଓଡ଼ିଶା ଲଘୁ ଖଣି ନିୟମ-୨୦୧୬ ଅନୁସାରେ ସଂଶୋଧିତ ଦର ପରିବର୍ତ୍ତେ ପୁରୁଣା ଦର ଲାଗୁ କରିବା ଯୋଗୁ ୮.୪୦କୋଟି ଟଙ୍କା ରାଜସ୍ୱ କ୍ଷତି ହୋଇଛି।ସେହିପରି ବକେୟା ଆଦାୟରେ ଆନ୍ତରିକତା ନଦେଖାଇ ଯୋଗୁ ଲିଜଧାରୀଙ୍କଠୁ ୯୨.୧୮ଲକ୍ଷ ଟଙ୍କା ବକେୟା ଓ ସୁଧ ଆଦାୟ ହୋଇପାରିନାହିଁ ।
ଅଡିଟରେ ସ୍ପଷ୍ଟ ଭାବେ ସିଏଜି କହିଛନ୍ତି ଯେ, ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଂଟର ମାଧ୍ୟମରେ ସାଟେଲାଇଟ୍ ଆଧାରିତ ନିରୀକ୍ଷଣ ଗ୍ରହଣ କରାଯାଇ ନାହିଁ । ଖଣିଜ ସାମଗ୍ରୀ ଚୋରି ରୋକିବା ଓ ଅବୈଧ ଖନନ ବିରୋଧରେ ଯୋଜନାକୁ କାର୍ଯ୍ୟକାରିତା ମଧ୍ୟ ମନ୍ଥର ରହିଥିଲା । ନିୟମିତ ପରିଦର୍ଶନ ଓ ନିରୀକ୍ଷଣ ବ୍ୟବସ୍ଥା ମଧ୍ୟ ଦୁର୍ବଳ ଥିଲା, ଯାହାର ସୁଯୋଗ ନେଇ ମନଇଚ୍ଛା ଲଘୁ ଖଣିଜ ସମ୍ପଦ ଲୁଟ୍ ହୋଇଥିବା ଜଣାପଡ଼ିଛି ।
ଧର୍ମଶାଳା ତହସିଲରେ ବ୍ୟାପକ ଅନିୟମିତତା
ବାଲି ଓ କଳାପଥର ଖନନରେ ଧର୍ମଶାଳା ତହସିଲରେ ବ୍ୟାପକ ଅନିୟମିତତା ହୋଇଛି । ଟେଣ୍ଡର ପ୍ରକ୍ରିୟାରେ ତ୍ରୁଟି, ସଠିକ ମାପ ବ୍ୟବସ୍ଥା ନଥିବା, ଅତିରିକ୍ତ ଓ ବେଆଇନ ଖନନର ସବୁ ସୀମାକୁ ଏଠାରେ ଅତିକ୍ରମ କରାଯାଇଛି । ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଡଙ୍କାରୀ ପାହାଡ଼ର କଳାପଥର ଖଣିରେ ଅତିରିକ୍ତ ଖନନ ପରିମାଣର ପୁନଃମୂଲ୍ୟାୟନ ନହେବା ଓ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜଣେ ଲିଜଧାରୀଙ୍କଠୁ ୫୮.୬୩କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ନିମନ୍ତେ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇନାହିଁ । ସେହିପରି ଲଘୁ ଖଣିଜ ଦ୍ରବ୍ୟର ଖନନ ଆରମ୍ଭ ଓ ଲିଜ୍ ସମାପ୍ତି ସମୟରେ ମାପ ନକରିବା ଯୋଗୁ ୮.୫୦ଲକ୍ଷ ଘନମିଟର କଳାପଥର ଚୋରି ହୋଇଛି, ଯାହାର ମୂଲ୍ୟ ୯୮.୩୦କୋଟି ଟଙ୍କା ବୋଲି ସିଏଜି ତାଙ୍କ ଅଡିଟରେ ଉଲ୍ଲେଖ କରିଛନ୍ତି ।
ଡଙ୍କାରୀ ଖଣି କେଳେଙ୍କାରୀରେ ଆୟକର ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ
କେବଳ ସିଏଜି ଡଙ୍କାରୀ ପାହାଡ଼ରେ ଖଣିଜ ସାମଗ୍ରୀ ଲୁଟର ଅନିୟମିତତା ଧରିନାହାନ୍ତି । ଆୟକର ବିଭାଗ ମଧ୍ୟ ଗତ ସପ୍ତାହରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଚଢ଼େଇଧରାସ୍ଥିତ ଡଙ୍କାରୀ ପାହାଡ଼ରୁ ବିନା ଲାଇସେନ୍ସରେ ପଥର ଖଣି ପରିଚାଳନା କରାଯିବା ସହ ପ୍ରାୟ ୨୦୦କୋଟି ଟଙ୍କାର କେଳେଙ୍କାରୀ ମାମଲାରେ ଟ୍ର୍ୟୁଜିମ୍ ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଟ୍ରୁ ଏଡ୍ ଫାଉଣ୍ଡେସନ ନାମକ ଦୁଇଟି ସଂସ୍ଥାର ବହୁ ସମ୍ପତ୍ତିକୁ ଆଟାଚ କରିଛନ୍ତି । ଭୁବନେଶ୍ୱର ଉପକଣ୍ଠ ଘାଟିକିଆ କଳିଙ୍ଗନଗରରେ ଏକ ଆପାର୍ଟମେଂଟରେ ଥିବା ୧୦ଟି ଦାମୀ ଫ୍ଲାଟ, ଆଠଗଡ଼ରେ ଥିବା ୧୧.୨ଏକର ଜମି ସହ ରାଜ୍ୟ ବାହାରେ ଥିବା କିଛି ସମ୍ପତ୍ତିକୁ ମଧ୍ୟ ଆୟକର ବିଭାଗ ଆଟାଚ୍ କରିଥିବା ଜଣାପଡ଼ିଛି । ଏହି ଦୁଇ ସଂସ୍ଥାର ନିର୍ଦ୍ଦେଶକ ଭାବେ ସୁଧାଂଶୁ ପଣ୍ଡା ଓ ଲକ୍ଷ୍ୟାଂଶୁ ରଞ୍ଜନ ପଣ୍ଡା ରହିଛନ୍ତି ।