ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ମାର୍ଟ ସିଟି ସହ ୩ଟି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିରେ ଅମୃତ (ଅଟଳ ମିଶନ ଫର ରିଜୁଭେନେସନ ଆଣ୍ଡ ଟ୍ରାନସଫରମେସନ) ଓ ହାଉସିଂ ଫର ଅଲର ଯୋଜନା ଶୁଭାରମ୍ଭ ହୋଇଛି । ଏହାସହ ପ୍ରଧାନମନ୍ତ୍ରୀ ସ୍ମାର୍ଟ ସିଟି ଯୋଜନା ଲୋଗୋ ଉନ୍ମୋଚନ କରିଛନ୍ତି । ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ଦେଶରେ ଦ୍ରୁତଗତିରେ ସହର ବୃଦ୍ଧି ପାଉଛି । ତେଣୁ ସହର ବିକାଶ ଓ ନବୀକରଣ ଲାଗି ଏହି ଯୋଜନା କରାଯାଇଛି । ଦେଶର ୪୦ ପ୍ରତିଶତରୁ ଅଧିକ ଲୋକ ସହର ଉପରେ ନିର୍ଭର କରୁଛନ୍ତି । ଏଣୁ ସହରୀ ଜୀବନରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ସହରୀକରଣକୁ ଗୁରୁତ୍ୱ ଦେଲେ ଦେଶର ବିକାଶ ହୋଇପାରିବ । ପ୍ରତୋକ ନାଗରିକଙ୍କୁ ଭିତ୍ତି କରି ଯୋଜନା ପ୍ରସ୍ତୁତ କରାଯିବ । ସହରର ବିକାଶ କରିବାକୁ ହେଲେ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଏକ ମଡେଲ ପ୍ରସ୍ତୁତ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭିତ୍ତିଭୂମୀର ବିକାଶ ପାଇଁ ଏଫଡିଆଇର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଶହେ ସ୍ମାର୍ଟ ସିଟି ପ୍ରତିଷ୍ଠା ଲାଗି ଲକ୍ଷ୍ୟ ରଖାଯାଇଛି। ପିପିପି ମୋଡରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଯୋଜନାରେ ଓଡିଶାର ଦୁଇଟି ସହର ରହିଥିବା ବେଳେ ଉତ୍ତର ପ୍ରଦେଶର ସର୍ବଧିକ ୨୨ଟି ସହର ରହିଛି । ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶର ୫ଶହ ସହରକୁ ଅମୃତ ଯୋଜନାରେ ସାମିଲ କରାଯିବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।