ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ଏମ୍ସରେ କୋରାନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ଦିଲ୍ଲୀ ସ୍ଥିତ ଏମ୍ସରେ କାର୍ଯ୍ୟ କରୁଥିବା ୧୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ରେସିଡେଣ୍ଟାଲ ଡାକ୍ତର ରହିଛନ୍ତି। ଏହାକୁ ମିଶାଇ ଦିଲ୍ଲୀ ଏମ୍ସର ୨୦୬ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହେଲେଣି।
ଏମ୍ସ ପକ୍ଷରୁ କୁହାଯାଇଛି ଯେ ଫେବୃଆରୀ ୧ରେ ହିଁ ଏମ୍ସରେ ପ୍ରଥମେ ଜଣେ କର୍ମଚାରୀଙ୍କୁ କରୋନା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୨୦୬ ରହିଛି। ଏମାନଙ୍କ ମଧ୍ୟରେ ୨ ଜଣ ପ୍ରଫେସର, ୧୦ ଜଣ ରେସିଡେଣ୍ଟାଲ ଡାକ୍ତର, ୨୬ ଜଣ ନର୍ସ, ୯ ଜଣ ଟେକ୍ନିସିଆନ, ୫ ଜଣ ମେସ ୱାର୍କର, ୪୯ ଜଣ ହସ୍ପିଟାଲ ଆଟେଣ୍ଡାଣ୍ଟ, ୩୪ ଜଣ ସାନିଟାଇଜର କର୍ମଚାରୀ ଓ ୬୯ ଜଣ ଗାର୍ଡଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।
ତେବେ ସେମାନଙ୍କ ମଧ୍ୟରୁ ୧୫୦ ଜଣ ସୁସ୍ଥ ହୋଇ ପୁଣିଥରେ କାର୍ଯ୍ୟରେ ଯୋଗଦେଇ ସାରିଲେଣି। ଗତ ୩ ଦିନରେ ୬୪ ଜଣ ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।