ବେଙ୍ଗାଲୁରୁ: ଚାଇନାରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ବିଶ୍ୱର ପ୍ରାୟ ଅଧିକାଂଶ ରାଷ୍ଟ୍ରକୁ କବଳିତ କରିଛି। ବର୍ତ୍ତମାନ ବିଶ୍ୱର ୨୧୦ଟି ଦେଶରେ ନିଜର ଉପସ୍ଥିତି ଜାହିର କରି ଆତଙ୍କ ରଚିଥିବା କରୋନା କିଛି ରାଷ୍ଟ୍ରରେ ଆଦୌ ପ୍ରବେଶ କରିପାରିନାହିଁ। ଏବେ ବି ପ୍ରାୟ ୧୫ଟି ରାଷ୍ଟ୍ର କରୋନା ବିପଦରୁ ଦୂରେଇ ରହିଛନ୍ତି।
ଏଠାରେ ଜଣେ ହେଲେ ବି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ଜନ ହୋପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଏସିଆ, ଆଫ୍ରିକା ଏବଂ ଓସେନିଆର ୧୫ଟି ରାଷ୍ଟ୍ରରେ ଏଯାଏ କରୋନା ଭୂତାଣୁ ଠାବ ହୋଇନାହିଁ। ଏହି ଦେଶଗୁଡ଼ିକରେ ଜଣେ ହେଲେ ବି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ଭାଇରସ ଆଣ୍ଟ୍ରାଟିକାରେ ମଧ୍ୟ ପହଞ୍ଚିନି। ଅବଶ୍ୟ ଏଠାରେ ସ୍ଥାୟୀ ଭାବେ କେହି ବି ରୁହନ୍ତି ନାହିଁ।
ତେବେ ଏସିଆ ମହାଦେଶର ଯେଉଁ ସବୁ ରାଷ୍ଟ୍ରରେ କରୋନା ପ୍ରବେଶ କରିନାହିଁ ବୋଲି କୁହାଯାଉଛି, ତା’କୁ କେହି ବି ସହଜରେ ବିଶ୍ୱାସ କରିପାରୁନାହାନ୍ତି। କାରଣ ଏହାର ସୀମାବର୍ତ୍ତୀ ରାଷ୍ଟ୍ରରରେ କରୋନା ବ୍ୟାପିଥିବା ବେଳେ ଏଠାରେ କେମିତି ଭାଇରସ ପ୍ରବେଶ କଲା ନାହିଁ, ତା’ହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
ଉତ୍ତର କୋରିଆରେ କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି। ଏହି ରାଷ୍ଟ୍ରକୁ କିମ ଜଙ୍ଗ ଉନ ଶାସନ କରୁଛନ୍ତି। ସେ ନିଜ ରାଷ୍ଟ୍ରକୁ ଅନ୍ୟମାନଙ୍କ ଠାରୁ ଅଲଗା କରି ରଖିବା ସହ ନିଜ ଇଚ୍ଛାରେ ଶାସନ କରୁଛନ୍ତି। ଏଠାରୁ ତଥ୍ୟ ମଧ୍ୟ ବାହାରକୁ ଆସୁନାହିଁ। ତେଣୁ ଏଠାରେ କରୋନା ବ୍ୟାପିଛି କି ନାହିଁ ଜଣାପଡ଼ିନାହିଁ।
ଏକ ରିପୋର୍ଟରେ ୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା କୁହାଯାଇଥିଲା। ହେଲେ ସମସ୍ତଙ୍କୁ ସରକାରଙ୍କ ପକ୍ଷରୁ ଗୁଳି କରି ମାରି ଦିଆଯାଇଥିଲା। ହେଲେ ଏଥିରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ଉତ୍ତର କୋରିଆ ସୀମାନ୍ତକୁ ଚାଇନା ଓ ରୁଷ ସୀମା ଲାଗିଛି। ସେହିପରି ଦକ୍ଷିଣ ଭାଗରେ ଦକ୍ଷିଣ କୋରିଆ ରହିଛି।
ଆଉ ଏକ ଦେଶ ହେଲା ତାଜିକିକିସ୍ତାନ। ଏହା ସେଣ୍ଟ୍ରାଲ ଏସିଆର ଦେଶ। ଏହାର ସୀମାକୁ ଆଫଗାନିସ୍ତାନ, ଉଜବେକିସ୍ତାନ, କିର୍ଗିଜିସ୍ତାନ ଓ ଚାଇନା ଲାଗିଛି। ମାର୍ଚ୍ଚ ମାସରୁ ତାଜିକିସ୍ତାନ ୩୫ଟି କରୋନା ସଂକ୍ରମିତ ଦେଶରୁ ଲୋକଙ୍କ ପ୍ରବେଶ ଉପରେ ବ୍ୟାନ ଲଗାଇଥିଲା। ତେବେ ଏହାକୁ ପ୍ରତ୍ୟାହାର କରି ନେଇଥିଲା। ବିଦେଶରୁ ଆସିଥିବା ଲୋକଙ୍କ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରିଥିଲା। ତଥାପି ଦେଶରେ କୌଣସି କଟକଣା ଲଗାଯାଇନାହିଁ କିମ୍ବା ଜନା ସମାବେଶ ଉପରେ ରୋକ ଲଗାଯାଇନାହିଁ।
କାସପିଆନ ସମୁଦ୍ର କୂଳରେ ଥିବା ତୁର୍କିମେନିସ୍ତାନରେ ବି କରୋନା ଭୂତାଣୁ ଠାବ ହୋଇନାହିଁ। ଏଠାରେ ଜନସଂଖ୍ୟା ମାତ୍ର ୫.୬ ମିଲିୟନ। ଏହି ଦେଶରେ ମାନବାଧିକାରର ମୂଲ୍ୟ କିଛି ନାହିଁ। ବାହାରୁ ସୂଚନା ଯିବା ବେଶ କଷ୍ଟକର।
ଆଫ୍ରିକାର ଦୁଇ ଦେଶ ଲେସୋଥୋ ଓ କୋମୋରୋସରେ ବି କରୋନା ଏଯାଏ ପହଞ୍ଚି ପାରିନାହିଁ। କୋମୋରୋସ ଏକ ଦ୍ୱୀପପୁଞ୍ଜ। ଗୋଟିଏ ସମୟରେ ଏଠାରେ ୨୫୦ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲେ। ହେଲେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ଦେଶରେ ଆଶିଂକ ଲକଡାଉନ ଲାଗୁ ହୋଇଛି।
ଦକ୍ଷିଣ ଆଫ୍ରିକା ମଧ୍ୟରେ ଲେସୋଥୋ ଦେଶ ରହିଛି। ଭାଟିକାନ ସିଟି ଓ ସାନ ମାରିନୋ ଭଳି ଏହାର ଚାରିପାଖରେ ଆଉ ଗୋଟିଏ ଦେଶ ଘେରି ରହିଛି। ସମୁଦ୍ର ପତନ ଠାରୁ ଲେସୋଥୋ ୧୦୦୦ ମିଟର ଉପରେ ଅବସ୍ଥିତ।
ଓସେନିଆର ୮ ଦେଶରେ କରୋନା ପହଞ୍ଚି ପାରିନାହିଁ। ସେଗୁଡ଼ିକ ହେଲା କିରିବତୀ, ତୁଭାଲୁ, ଟୋଙ୍ଗା, ସାମୋଆ, ମାର୍ଶଲ ଦ୍ୱୀପପୁଞ୍ଜ, ସୋଲୋମୋନ ଦ୍ୱୀପପୁଞ୍ଜ, ନାଉରୁ, ପାଲାଉ, ଭାନୁଆତୁ ଓ ଫେଡେରେଟେଡ ଷ୍ଟେଟ୍ସ ଅଫ ମିକ୍ରୋନେସିଆ। ଏହି ସବୁ ଦ୍ୱୀପପୁଞ୍ଜରେ ଜନସଂଖ୍ୟା ୭୦ ଲକ୍ଷ ମଧ୍ୟରେ ରହିଛି।
କରୋନା ବ୍ୟାପୁଥିବା ଜଣାପଡ଼ିବା ପରେ ଏହି ଦେଶଗୁଡ଼ିକ ତୁରନ୍ତ ଜାତୀୟ ବିପତ୍ତି ଘୋଷଣା କରିଦେଇଥିଲେ। ତେଣୁ ଏଠାରେ କରୋନା ଏଯାଏ ପହଞ୍ଚି ପାରିନାହିଁ।