ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ କାୟା ବିସ୍ତାର କରି ଚାଲିଛି। ହେଲେ ଜାତୀୟ ସ୍ତରରେ କରୋନା ଯେଉଁ ହାରରେ ଦୁଇ ଗୁଣ ହେଉଛି, ସେହି ହାରରେ ୧୯ଟି ରାଜ୍ୟରେ ବହୁତ କମ ବେଗରେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଏଥିସହ ପୂର୍ବରୁ ଦେଶରେ ଯେଉଁ ବେଗରେ କରୋନା ସଂଖ୍ୟା ଦୁଇ ଗୁଣ ହେଉଥିଲା ଏବେ ଦ୍ୱିଗୁଣିତ ହାର ହ୍ରାସ ପାଇଛି।
ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ଓଡ଼ିଶାରେ କରୋନା ପଜିଟିଭର ଦ୍ୱିଗୁଣିତ ହାର ଯଥେଷ୍ଟ କମ ରହିଛି। ଓଡ଼ିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ପଜିଟିଭି ଦ୍ୱିଗୁଣିତ ହେବାର ହାର ଜାତୀୟ ହାର ତୁଳନାରେ କମ।
ସେହି ରାଜ୍ୟ ଗୁଡ଼ିକ ହେଲା, ଓଡ଼ିଶା, କେରଳ, ଉତ୍ତରାଖଣ୍ଡ, ହରିଆଣା, ଲଦାଖ, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ପୁଡୁଚେରୀ, ବିହାର, ତେଲେଙ୍ଗାନା, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ଉତ୍ତର ପ୍ରଦେଶ, ଜମ୍ମୁ-କଶ୍ମୀର, ଆସାମ ଓ ତ୍ରିପୁରା। ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ହେବାରେ ବହୁତ ସମୟ ଲାଗୁଛି। ତେଣୁ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସେ କହିଛନ୍ତି, ଦେଶରେ କରୋନା ଅଭିବୃଦ୍ଧି ହାର ୪୦% ହ୍ରାସ ପାଇଛି। ମାର୍ଚ୍ଚ ୧୩ରୁ ୧୫ ମଧ୍ୟରେ କରୋନା ବଢ଼ିବାର ୨.୧% ରହିଥିଲା। ହଲେ ଏପ୍ରିଲ ୧ରୁ ଏହା ୧.୨% ହାରରେ ବଢ଼ୁଛି। ତେଣୁ ହାରାହାରି ୪୦% ହ୍ରାସ ପାଇଛି। ମାର୍ଚ୍ଚ ମାସରେ କରୋନା ପ୍ରତି ୩ ଦିନରେ ଡବଲିଂ ହେଉଥିଲା। ହେଲେ ଏବେ ଏହା ୬.୧ ଦିନରେ ଦ୍ୱିଗୁଣିତ ହେଉଛି। ଲକଡାଉନ ପୂର୍ବରୁ ଦ୍ୱିଗୁଣିତ ହାର ୩ ଦିନ ଥିଲେ। ହେଲେ ଗତ ୭ ଦିନର ତଥ୍ୟ ଦେଖିଲେ ଦ୍ୱିଗୁଣିତ ହାର ୬.୨ ଦିନ ରହିଛି।
ଅନ୍ୟପକ୍ଷରେ ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ୩,୧୯,୪୦୦ ଟି ନୁମନା ପରୀକ୍ଷା କରାଯାଇଛି। ଗତକାଲି ଗୋଟିଏ ଦିନରେ ୨୮,୩୪୦ ନମୁନା ପରୀକ୍ଷା କରାଯାଇଥିଲା। ଆଗକୁ ଏହି ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।