ନୂଆଦିଲ୍ଲୀ: କରୋନା ଭାଇରସ୍ ଏବଂ ଲକ୍ଡାଉନ୍ କାରଣରୁ ଅର୍ଥନୀତିକ କ୍ଷତି ସହୁଛନ୍ତି ବିଭିନ୍ନ ମିଡିଆ କମ୍ପାନୀ। ଏହାର ପ୍ରଭାବ ଦିଲ୍ଲୀର କିଛି କମ୍ପାନୀ ଉପରେ ପଡ଼ିସାରିଲାଣି। ଅନ୍ୟପକ୍ଷରେ ଗଣମାଧ୍ୟମର ତଥ୍ୟ ଆଧାରରେ ହିଁ ଗୁଗଲ୍ ଏବଂ ଫେସବୁକ୍ ଖବର ପ୍ରସାରଣ କରିଥା’ନ୍ତି। ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଉକ୍ତ ଗଣମାଧ୍ୟମ ସବୁର ପ୍ରତିନିଧି ବା କର୍ମଚାରୀ ହିଁ ଗୁଗଲ ଏବଂ ଫେସବୁକ୍ର ଉତ୍ସ ହୋଇଥା’ନ୍ତି। ଏମାନେ ଏହି ତଥ୍ୟ ଓ ଟେକ୍ସଟ ଆଦିକୁ ବ୍ୟବହାର କରି କୋଟି କୋଟି ଟଙ୍କା କମାଉଛନ୍ତି। କିନ୍ତୁ ଏଥିପାଇଁ ସେମାନଙ୍କୁ କେବଳ ଟ୍ରାଫିକ୍ ବ୍ୟତୀତ ପ୍ରତିବଦଳରେ କିଛି ଦେବାକୁ ପଡ଼େନି।
ଏଭଳି ସ୍ଥିତି ସାରା ଦେଶରେ ଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ କିଛି ଦେଶ ହସ୍ତକ୍ଷେପ କରିବା ଆରମ୍ଭ କରିଛନ୍ତି। ପ୍ରଥମେ ଫ୍ରାନ୍ସ, ପରେ ସ୍ପେନ୍ ଏବଂ ଏବେ ଅଷ୍ଟ୍ରେଲିଆ ଗୁଗଲ ଏବଂ ଫେସବୁକ୍ ପରି ପ୍ଲାଟଫର୍ମକୁ ନିର୍ଦ୍ଦେଶ ଦେଇଛନ୍ତି ଏହା ମିଡିଆ ହାଉସ୍ରୁ ନେଉଥିବା ଖବର ବଦଳରେ ଅର୍ଥ ଦେବାକୁ ହେବ।
ଏପରି ବ୍ୟବସ୍ଥା ଗୁଗଲ୍ ପାଇଁ ମଧ୍ୟ ଲାଭଜନକ ହୋଇଛି। ଗୁଗଲ ‘ଗୁଗଲ୍ ନ୍ୟୁଜ୍’ ଏବଂ ‘ଗୁଗଲ୍ ଆମ୍ପ’ରେ ଏହି ଖବର ସବୁ ବ୍ୟବହାର କରୁଛି। ଏଥିପାଇଁ ପାରମ୍ପରିକ ଗଣମାଧ୍ୟମର ଖବର ବା ତଥ୍ୟକୁ ଆଧାର କରିବାକୁ ପଡ଼ୁଛି। ସେହିଭଳି ଫେସବୁକ୍ ମଧ୍ୟ ନିଜର ରେଭେନ୍ୟୁ ମଡେଲ ଆରମ୍ଭ କରିଛି। ଏଥିରେ ମିଡିଆ କମ୍ପାନୀଗୁଡ଼ିକ ସୋଶାଲ ମିଡିଆ ପୃଷ୍ଠାରେ କଣ୍ଟେଣ୍ଟ ପୋଷ୍ଟ କରିବେ। କିନ୍ତୁ ଫେସବୁକ୍ ନିଜ ଇଛା ଅନୁସାରେ ବିଜ୍ଞାପନ ଦେବ। ଏହି ବିଜ୍ଞାପନର କିଛି ଅଂଶ ଗଣମାଧ୍ୟମ କମ୍ପାନୀକୁ ଯିବ।
କିନ୍ତୁ ଏଥିରେ ଏକ ଗୋଳମାଳିଆ ପ୍ରସଙ୍ଗ ରହିଛି। କୁହାଯାଉଛି ଫେସବୁକ୍ ଏବଂ ଗୁଗଲ୍ ନିଜେ ଆଦୌ ପ୍ରସ୍ତୁତ କରିନଥିବା କଣ୍ଟେଣ୍ଟର ପ୍ରାୟ ପୂରା ଲାଭ ହାତେଇ ନେଉଛନ୍ତି। କିନ୍ତୁ ଗଣମାଧ୍ୟମ କମ୍ପାନୀ ଭାଗକୁ ଅଳ୍ପ କିଛି ପଡ଼ୁଛି। ଅନ୍ୟପକ୍ଷରେ ଏପଟେ ଗଣମାଧ୍ୟମ ସଂସ୍ଥା ସାମ୍ବାଦିକ ଓ ଟେକ୍ନିକାଲ ଷ୍ଟାଫ୍ ନିୟୋଜିତ କରିବା ସହ ଲକ୍ଷ ଲକ୍ଷ ଟଙ୍କା ନିବେଶ କରୁଛନ୍ତି। ଅନ୍ୟପକ୍ଷରେ ଏଜେନ୍ସିଠାରୁ ଖବର କିଣିବାକୁ ହୁଏ। କିନ୍ତୁ ଗୁଗଲ ଏବଂ ଫେସବୁକ୍ ପାଇଁ ଏତେ କିଛି ସମସ୍ୟା ନୁହେଁ। ଏପରି ଭାବେ ଡିଜିଟାଲ ଗଣମାଧ୍ୟମ ରେଭେନ୍ୟୁ ମଡେଲ୍ରେ ଅସମାନତା ସୃଷ୍ଟି ହୋଇଛି।
ତେବେ କରୋନା ଜନିତ ଦୁଃସ୍ଥିତି ଉପୁଜିବା ପରେ ଫ୍ରାନ୍ସ ପ୍ରଥମେ ସର୍ଚ୍ଚ, ପେଜ୍ ସଜେସନ୍ ଏବଂ ନ୍ୟୁଜ୍ ବିଭାଗୀକରଣ ଆଦି ପାଇଁ ଗଣମାଧ୍ୟମ କମ୍ପାନୀଙ୍କୁ ଗୁଗଲ ଏବଂ ଫେସବୁକ୍ ଆର୍ଥିକ ଭାଗ ଦେବାକୁ କହିଥିଲା। ସ୍ପେନ୍ ମଧ୍ୟ ଏହି ପ୍ରୟାସ ଆରମ୍ଭ କରିଥିଲା। ସ୍ପେନ୍ କରୋନା ପୂର୍ବଅରୁ ହିଁ ଅର୍ଥନୈତିକ କ୍ଷତି ସହି ଆସୁଛି। ସେହିଭଳି ଅଷ୍ଟ୍ରେଲିଆ ମଧ୍ୟ ନୂଆ ନୀତି ଆଣି ଏହି ସମସ୍ୟାର ସମାଧାନ କରିବାକୁ ପଦକ୍ଷେପ ନେଉଛି।
ଭାରତ ପାଇଁ ମଧ୍ୟ ଏହା ଅନୁକରଣୀୟ ମଡେଲ୍ ହୋଇପାରିବ। ଦିଲ୍ଲୀର ଉଦାହରରଣ ହେଉ କିମ୍ବା ଖବରସଂସ୍ଥା ଅନ୍ୟ ଉପରେ କମ୍ ନିର୍ଭର କରିବା ପାଇଁ ହେଉ, ଏହା ଭାରତୀୟ ଗଣମାଧ୍ୟମ ପାଇଁ ଜରୁରୀ ହୋଇପଡ଼ିଛି। ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବାରୁ, ଏହାର ଆର୍ଥିକ ସ୍ୱାଧୀନତା ବଢ଼ିବା ସହ ଏହାର ପ୍ରକୃତ ସ୍ୱାଧୀନତା ହାସଲ କରିହେବ।