ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବଚନ ବାଚସ୍ପତି ମୁବାରକ ଗୁଲ ଏବଂ ନ୍ୟାଶନାଲ କନଫରେନସର ନେତା ତନଭୀର ସାଦିକ ଆଜି ଗୃହବନ୍ଦୀରୁ ମୁକ୍ତ ହୋଇଛନ୍ତି। ଗତବର୍ଷ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ଅନେକ ଜମ୍ମୁ କଶ୍ମୀର ନେତାଙ୍କୁ ଗୃହବନ୍ଦୀ କରି ରଖିଥିଲେ ସୁରକ୍ଷା କାରଣରୁ। ଏବେ କିଛି ସର୍ତ୍ତ ଆଧାରରେ ଧୀରେ ଧୀରେ ଗୃହବନ୍ଦୀ ଥିବା ନେତାଙ୍କୁ ଛାଡ଼ୁଛନ୍ତି କେନ୍ଦ୍ର ସରକାର। ଏହି କ୍ରମରେ ଆଜି ଏହି ଦୁଇ ନେତାଙ୍କ ଉପରୁ ଗୃହବନ୍ଦୀରୁ ମୁକ୍ତ କରିଛି ପ୍ରଶାସନ। ଶ୍ରୀନଗରର ଏମଏଲଏ ହୋଟେଲରେ ଗୃହବନ୍ଦୀ ରହିଥିଲେ ଏହି ଦୁଇ ନେତା।
ନିକଟରେ ପିପୁଲ କନଫରେନସର ସଭାପତି ସଇଦି ଲୋନ୍ ଏବଂ ପିଡିପେ ନେତା ଓ୍ୱାହିଦ ପରାଙ୍କୁ ଜେଲରୁ ଛାଡ଼ିଥିଲା ପୁଲିସ। ତେବେ ଅଗଷ୍ଟ ୪ରୁ ଅଟକ ଥିବା ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କ ନାଁରେ ଗୁରୁବାର ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍ଏ) ଲଗାଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ସେମାନେ ଦୀର୍ଘ ୬ ମାସ ହେଲା ଷ୍ଟେଟ ଗେଷ୍ଟ ହାଉସରେ ଅଟକ ଥିବା ବେଳେ ଏବେ ସେମାନଙ୍କ ନାଁରେ ପିଏସଏ ଲାଗୁ ହୋଇଛି। ଏହାର ଅର୍ଥ ପ୍ରଶାସନ ପିଏସଏ ବଳରେ ଅଟକ ରହୁଥିବା ଲୋକଙ୍କୁ ୨ ବର୍ଷ ଯାଏ ନ୍ୟାୟିକ ପ୍ରକ୍ରିୟା ସାମିଲ କରିବ ନାହିଁ। ଅର୍ଥାତ ୨ ବର୍ଷ ଯାଏ ବିନା ଶୁଣାଣିରେ ଏମାନେ ଗୃହବନ୍ଦୀ ହୋଇ ରହିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।