ଇସାଲାମାବାଦ: ୨୬/୧୧ ମୁମ୍ୱାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ତଥା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜାମାତ୍ ଉଦ୍ ଦୁଓ୍ୱାର ମୁଖ୍ୟ ହାଫିଜ୍ ସୟିଦ୍ ଗିରଫ ହୋଇଛି। ଲାହୋରରୁ ଗୁଜରନଓ୍ୱାଲା ଯାଉଥିବା ବେଳେ ହାଫିଜକୁ ପାକିସ୍ତାନର କାଉଣ୍ଟର ଟେରରିଜିମ୍ ଡିପାର୍ଟମେଣ୍ଟ ଓ ପଞ୍ଜାବ (ପାକିସ୍ତାନ) ପୁଲିସ୍ ଗିରଫ କରିଛନ୍ତି। ଏହାପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି।
୨୦୦୯ରେ ଏକ ମାମଲାରେ ହାଫିଜକୁ ଗିରଫ କରାଯାଇଥିବାର ସୂଚନା ରହିଛି। ତେବେ ହାଫିଜ ଉପର କୋର୍ଟରେ ଜାମିନ୍ ପାଇଁ ଆବେଦନ କରିବ ବୋଲି ସୂଚନା ରହିଛି।
ସୂଚନାଯୋଗ୍ୟ, ଗତବର୍ଷ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଟିଏଫ) ଏହି କୁଖ୍ୟାତ ଆତଙ୍କବାଦୀଙ୍କୁ ବାନ୍ଧିବା ପାଇଁ ପାକିସ୍ତାନ ସରକାର ଉପରେ ଚାପ ପକାଇଥିଲା। କାରଣ ପାକିସ୍ତାନରେ ଆତଙ୍କବାଦୀ ସକ୍ରିୟ ରହୁଥିବାରୁ ଦେଶରେ ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି। ଆତଙ୍କବାଦୀଙ୍କୁ ଦମନ ନକଲେ କୌଣସି ଦେଶ ପାକିସ୍ତାନ ସହ କୌଣସି ସମ୍ପର୍କ ରଖିବେନି ବୋଲି ଆଶଙ୍କା କରି ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଭେଟଘାଟ ହେବ। ଏହା ପୂର୍ବରୁ ହଠାତ୍ ହାଫିଜକୁ ଗିରଫ କରିବା ପଛରେ କିଛି ଅଲଗା ଉଦ୍ଦେଶ୍ୟ ଥାଇପାରେ ବୋଲି ଜଣାପଡ଼ିଛି।
ନିକଟରେ ୧୨ଟି ଆତଙ୍କବାଦୀ ସଂଗଠନ ପାଖରୁ ହାଫିଜ ଚାନ୍ଦା ଆଣି ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଯୋଗାଉଥିବା ଅଭିଯୋଗରେ ୨୩ଟି ମାମଲା ରୁଜୁ ହୋଇଥିଲା। କିନ୍ତୁ ପାକିସ୍ତାନ ସରକାର ଏହାକୁ ପ୍ରମାଣ ନକରିପାରିବାରୁ ହାଫିଜକୁ ଜାମିନ୍ ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।