ଗୁରୁଗ୍ରାମ: ବିଚ୍ ରାସ୍ତାରେ ଘଟିଛି ବଡ଼ ଅଘଟଣ। ଜଣେ ୨୬ ବର୍ଷୀୟ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କାର୍ରେ ଯାଉଥିବା ବେଳେ ୩ ଜଣ ଯୁବକ ବାଇକରେ ଆସି ସେମାନଙ୍କୁ ଗୁଳି କରିଛନ୍ତି। ଗୁଳିମାଡ଼ରୁ ପୁରୁଷ ବନ୍ଧୁ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ଯୁବତୀଙ୍କ ମୁଣ୍ଡରେ ଏହା ମାଡ଼ ହୋଇଛି। ଏବେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗୁରୁଗ୍ରାମର ସେକ୍ଟର ୬୫ର ଗଲ୍ଫ କୋର୍ସ ଏକ୍ସଟେସନ ରୋଡ୍ରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁତର ଆହତ ଯୁବତୀଙ୍କ ନାଁ ପୂଜା ଶର୍ମା। ସେ ତାଙ୍କ ପୁରୁଷ ବନ୍ଧୁ ସାଗର ମନଚାନ୍ଦାଙ୍କ ସହ କାରରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି।
ସାଗର ପୁଲିସ୍କୁ ଦେଇଥିବା ସୂଚନା ଅନୁଯାୟୀ, ସେ ଓ ପୂଜା କାର୍ରେ ଯାଉଥିଲେ। ଏହି ସମୟରେ ୩ ଜଣ ଯୁବକ ଗୋଟିଏ ବାଇକ ନେଇ କାର ପାଖରେ ପହଞ୍ଚିଥିଲେ। ଏଥିସହ ସେମାନେ କାର୍ର କାଚ ଖୋଲିବାକୁ ବାରମ୍ବାର କହିଥିଲେ। ହେଲେ ସାଗର କିମ୍ବା ପୂଜା କେହି ବି ସେମାନଙ୍କ କଥାକୁ ଶୁଣି ନଥିଲେ।
ଶେଷରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ବନ୍ଧୁକ କାଢ଼ି ଦୁଇ ଥର ଗୁଳି ମାଡ଼ କରିଥିଲେ। ଗୋଟିଏ ଗୁଳି କାର୍ର କାଚ ଭାଙ୍ଗି ସିଧା ପୂଜାଙ୍କ ମୁଣ୍ଡରେ ବାଜିଥିଲା। ଘଟଣା ପରେ ୩ ଜଣ ଯାକ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ସାଗର ପ୍ରଥମେ ପୂଜାଙ୍କ ଘରକୁ ଏ ସମ୍ପର୍କରେ ସୂଚନା ଦେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ପୂଜାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପୁଲିସ୍ ୩ ଅଜଣା ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।