ଅମିତ ଶାହଙ୍କୁ ଭେଟି ବିଜେପିରେ ମିଶିଲେ ୫ ଟିଏମସି ନେତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ମମତା ସରକାରଙ୍କୁ ପୁଣିଥରେ ଝଟକା ଲାଗିଛି। ଦଳର ୫ ବରିଷ୍ଠ ନେତା ଆଜି କୋଲକାତାରୁ ଆସି ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ସେମାନେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ଠାରୁ ଅମିତ ଶାହ କୋଲକାତା ଗସ୍ତରେ ଯିବାର ଥିଲା। ତାଙ୍କ ଉପସ୍ଥିତରେ ଏହି ୫ ଟିଏମସି ନେତା ବିଜେପିରେ ମିଶିଥାଆନ୍ତେ। କିନ୍ତୁ ସେ ଶେଷ ମୁହୂର୍ତ୍ତରେ ଗସ୍ତ ବାତିଲ କରିବାରୁ […]

cv

Hemant Lenka
  • Published: Saturday, 30 January 2021
  • , Updated: 30 January 2021, 09:55 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ମମତା ସରକାରଙ୍କୁ ପୁଣିଥରେ ଝଟକା ଲାଗିଛି। ଦଳର ୫ ବରିଷ୍ଠ ନେତା ଆଜି କୋଲକାତାରୁ ଆସି ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ସେମାନେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଗତକାଲି ଠାରୁ ଅମିତ ଶାହ କୋଲକାତା ଗସ୍ତରେ ଯିବାର ଥିଲା। ତାଙ୍କ ଉପସ୍ଥିତରେ ଏହି ୫ ଟିଏମସି ନେତା ବିଜେପିରେ ମିଶିଥାଆନ୍ତେ। କିନ୍ତୁ ସେ ଶେଷ ମୁହୂର୍ତ୍ତରେ ଗସ୍ତ ବାତିଲ କରିବାରୁ ଆଜି ୫ ଜଣ ଯାକ ଟିଏମସି ନେତା ଦିଲ୍ଲୀ ଆସି ପଦ୍ମ ଧରିଛନ୍ତି।

ସେମାନେ ଦିଲ୍ଲୀରେ ପହଞ୍ଚିବା ପରେ ଅମିତ ଶାହଙ୍କ ଘରକୁ ଯାଇଥିଲେ। ଏହି ସମୟରେ ବେଙ୍ଗଲ ନିର୍ବାଚନର ମଙ୍ଗ ଧରିଥିବା ମୁକୁଲ ରୟ ଓ କୈଳାସ ବିଜୟଭର୍ଗିୟା ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଦୁଇ ନେତା ହିଁ ୫ ଟିଏମସି ନେତାଙ୍କୁ ସ୍ୱତନ୍ତ୍ର ବିମାନରେ କୋଲକାତାରୁ ଦିଲ୍ଲୀ ଆଣିଥିଲେ। ସେଠାରେ ଆଲୋଚନା କରିବା ପରେ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି।


ବିଜେପିରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ପଶ୍ଚିମବଙ୍ଗର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ, ଟିଏମସି ବିଧାୟକ ବୈଶାଳୀ ଡାଲମିୟା, ପବୀର ଘୋଶାଲ, ହାୱାଡା ମେୟର ରଥିନ ଚକ୍ରବର୍ତ୍ତୀ ଓ ପୂର୍ବତନ ବିଧାୟକ ସାରଥୀ ଚାଟାର୍ଜୀ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ କରି ଏମାନେ ବିଜେପିରେ ମିଶିଥିବା କଥା କହିଛନ୍ତି। ଏମାନଙ୍କ ମିଶ୍ରଣ ଯୋଗୁ ଦଳ ଆହୁରି ସଶକ୍ତ ହେବ ବୋଲି ମଧ୍ୟ ସେ କହିଛନ୍ତି।

ଗତକାଲି ଟିଏମସିରୁ ଇସ୍ତଫା ଦେଇଥିବା ପୂର୍ବତନ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ କହିଛନ୍ତି, ଅମିତ ଶାହ ମୋତେ ନିଜେ ଫୋନ କରି ଡାକିଛନ୍ତି। ସେ ମୋତେ ଦଳୀୟ ପତାକା ଦେବାକୁ ଚାହୁଁଥିବାରୁ ଦିଲ୍ଲୀ ନିମନ୍ତ୍ରଣ କରିଛନ୍ତି। ଏଥିପାଇଁ ସେ ଚାର୍ଟାର୍ଡ ବିମାନ ମଧ୍ୟ ପଠାଇଥିଲେ। ରାଜୀବଙ୍କ ସହ ଟିଏମସି ବିଧାୟକ ବୈଶାଳୀ ଡାଲମିୟା, ପବୀର ଘୋଶାଲ, ହାୱାଡା ମେୟର ରଥିନ ଚକ୍ରବର୍ତ୍ତୀ ଓ ପୂର୍ବତନ ବିଧାୟକ ସାରଥୀ ଚାଟାର୍ଜୀ ମଧ୍ୟ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଆସିଥିଲେ।

ଅନ୍ୟପକ୍ଷରେ ହାୱାଡାରେ ଥିବା ଡୁମୁରଜୋଲାରେ ଆସନ୍ତାକାଲି ବିଜେପିର ମେଗା ରାଲି ଅନୁଷ୍ଠିତ ହେବ। କିନ୍ତୁ ଏଥିରେ ଶାହ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବେ। ସେଠାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅନ୍ୟ ରାଜ୍ୟସ୍ତରୀୟ ନେତାଙ୍କ ସହ ଷ୍ଟେଜ ଉପରେ ଉପସ୍ଥିତ ରହି ଲୋକଙ୍କୁ ସମ୍ବୋଧନ କରିବେ।

Related story