କରାଚି: ପାକିସ୍ତାନ ସେନାକୁ ଲଗାତାର ଭାବେ ଆତଙ୍କବାଦୀ ସଂଗଠନ ଟାର୍ଗେଟ କରୁଛନ୍ତି। ଆଜି ବେଲୁଚିସ୍ତାନର ଏକାଧିକ ସ୍ଥାନରେ ଘଟିଥିବା ବିସ୍ଫୋରଣରେ ୫ ସୈନ୍ୟ ନିହତ ହୋଇଥିବା ବେଳେ ୧୨ରୁ ଅଧିକ ସାଧାରଣ ଲୋକ ଓ ପୁଲିସ ଆହତ ହୋଇଛନ୍ତି।
ସୂଚନା ମୁତାବକ ଆତଙ୍କବାଦୀମାନେ ବେଲୁଚିସ୍ତାନର କାହାନ୍ରେ ଆଇଇଡି ବିସ୍ଫୋରଣ କରି ପାକିସ୍ତାନର ୫ ଯବାନଙ୍କ ଜୀବନ ନେଇଛନ୍ତି। ଯାହା ଭିତରେ ଜଣେ ସେନା କମାଣ୍ଡର ରହିଛନ୍ତି। ଏହି ଘଟଣାରେ ପାକିସ୍ତାର ଅନେକ ଯବାନ ଆହତ ମଧ୍ୟ ହୋଇଛନ୍ତି। ବେଲୁଚିସ୍ତାନ ଲେବରେସନ ଆର୍ମି ଏହି ଆକ୍ରମଣ ଘଟାଇଥିବା ଦାବି କରିଛି।
ସେହିପରି ଅନ୍ୟଏକ ଘଟଣାରେ ଜଣେ ଅଜଣା ବ୍ୟକ୍ତି କ୍ୱିତା ସାଟେଲାଇଟ୍ ଟାଉନ୍ର ପୁଲିସ ଚେକ୍ପୋଷ୍ଟ ଉପରେ ଗ୍ରେନେଡ୍ ମାଡ଼ କରିଥିଲେ। ଯେଉଁଥିରେ ୮ ଜଣ ଲୋକଙ୍କ ସମେତ ୩ ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ଏହି ଘଟଣାର ଘଣ୍ଟାକ ପୂର୍ବରୁ କ୍ୱିତା ନିକଟରେ ଘଟିଥିବା ଅନ୍ୟଏକ ଗ୍ରେନେଡ୍ ବିସ୍ଫୋରଣରେ ୪ ଜଣ ଆହତ ହୋଇଥିଲେ। ଦେଶରେ ବଡ଼ଦିନ ସେଲିବ୍ରେସନ୍ ଚାଲିଥିବା ବେଳେ ଏକାଧିକ ବିସ୍ଫୋରଣ ସୁରକ୍ଷା ବାହିନୀ ନିଦ ହଜାଇ ଦେଇଛି।
ସୂଚନା ଥାଉକି, କୁଖ୍ୟାତ ଆତଙ୍କବାଦୀ ସମ୍ମୁହ ତେହରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି) ଗତ ଦୁଇଦିନ ଭିତରେ ବେଲୁଚିସ୍ତାନ ସୀମାରେ ଅନେକ ବିସ୍ଫୋରଣ ଘଟାଇଛି। ରବିବାର ପାକିସ୍ତାନ ସେନା ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି। ସୂଚନା ମୁତାବକ କୋହଲୁ ଜିଲ୍ଲାର କହନ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିବା ପରେ ଗତ ୨୪ ତାରିଖରୁ ଅପରେସନ ଚାଲିଥିଲା। ଏହି ସମୟରେ ବିସ୍ଫୋରଣ ଘଟଣାମାନ ସାମ୍ନାକୁ ଆସୁଛି।