ଗୌହାଟି: ଆସାମରେ ବନ୍ୟା ସ୍ଥିତି ଜଟିଳ ହେବାରେ ଲାଗିଛି। ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନ ବନ୍ୟା ଘେରରେ ରହିଛି। ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଥିବା ବେଳେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି।
ରାଜ୍ୟର ୨୪ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି। ତେବେ ଦୁଇ ଦିନ ହେବ ବର୍ଷା ହୋଇ ନ ଥିବାରୁ ସ୍ଥିତିରେ ସୁଧାର ଆସିଛି। ବନ୍ୟା ଯୋଗୁଁ ହଜାରେରୁ ଅଧିକ ଲୋକ ବାସହରା ହୋଇପଡ଼ିଛନ୍ତି। ଅନେକ ଲୋକ ସରକାରଙ୍କ ପକ୍ଷରୁ ନିର୍ମିତ ଆଶ୍ରୟସ୍ଥଳିରେ ଅଛନ୍ତି। ଏବେବି ଅନେକ ଲୋକ ପାଣି ଘେରରେ ଘର ଭିତରେ ଫଶି ରହିଛନ୍ତି।
ଏଏସ୍ଡିଏମ୍ଏ ରିପୋର୍ଟ ଅନୁସାରେ ଚଳିତବର୍ଷ ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୦ରେ ପହଞ୍ଚିଛି। ଧେମାଜି, ଲକ୍ଷ୍ମୀପୁର, ବିଶ୍ୱନାଥ, ଦରାଙ୍ଗ, ନଳବାଡ଼ି, ବାରପେଟା, ଚିରାଙ୍ଗ,କୋକରାଝାର, ଧୁବୁରୀ, ଦକ୍ଷିଣ ସଲମାରା, ମୋରୀଗାଁ, ନଗାଁଓ, ଗୋଲାଘାଟ ଓ ମାଜୁଲି ଜିଲ୍ଲାର ୧୦ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।
ବନ୍ୟା ଯୋଗୁଁ କାଞ୍ଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନରେ ୩୮ ପ୍ରତିଶତ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଫଳରେ ଉଦ୍ୟାନରେ ଥିବା କିଛି ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଉ କିଛି ଉଚ୍ଚା ସ୍ଥାନଙ୍କୁ ଚାଲି ଯାଇଛନ୍ତି। ୧,୫୧୨ଟି ଗାଁ ଜଳମଗ୍ନ ହୋଇଥିବା ବେଳେ ୫୦,୦୦୦ହେକ୍ଟର ଫସଲ ଜମିରେ ପାଣି ମାଡି ଯାଇଥିବା ଏଏସ୍ଡିଏମ୍ଏ ସୂଚନା ଦେଇଛନ୍ତି। ବନ୍ୟା ପୀଡ଼ିତଙ୍କୁ ସରକାରଙ୍କ ପକ୍ଷରୁ ଚାଉଳ, ଡାଲି, ଲୁଣ ଓ ତେଲ ଯୋଗାଇ ଦିଆଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।