ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଲକ୍ଡାଉନ୍ ସତ୍ତ୍ୱେ କୃଷି ଉତ୍ପାଦନ ଆଶା ସଂଚାର କରିବା ସହ ଏକ ପ୍ରକାର ଆଶ୍ୱସ୍ତି ପ୍ରଦାନ କରୁଛି। ସରକାର ଆଜି କହିଛନ୍ତି ଶୀତଦିନେ ବୁଣାଯାଇଥିବା ୬୭% ଗହମ ଫସଲ (ରବି ଫସଲ) ଅମଳ କରାଯାଇପାରିଛି। ଏଥିରେ କୁହାଯାଇଛି ଯେ ଲକ୍ଡାଉନ୍ ସମୟରେ ରବି ଫସଲ ଅମଳ କରିବା ଏବଂ ଗ୍ରୀଷ୍ମ ଫସଲ ବୁଣିବାରେ ‘ସର୍ବନିମ୍ନ ବା ଆଦୌ ବ୍ୟାଘାତ’ ସୃଷ୍ଟି କରିନାହିଁ।
ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ ଗତ ବର୍ଷ ଏପ୍ରିଲ ୧୭ ତୁଳନାରେ ଗ୍ରୀଷ୍ମ ଫସଲ ବୁଣିବା ଚଳିତ ବର୍ଷ ୧୪% ଅଧିକ ରହିଛି।
ସରକାରଙ୍କ ପକ୍ଷରୁ କୁହାଯାଇଛି, ଏବେକାର ଅନିଶ୍ଚିତତା ମଧ୍ୟରେ ଆଶା ପ୍ରଦାନ କରୁଥିବା ଗୋଟିଏ କାର୍ଯ୍ୟକଳାପ ହେଉଛି କୃଷି। ଏହା ଖାଦ୍ୟ ନିରାପତ୍ତାର ଆଶ୍ୱାସନା ମଧ୍ୟ ଦେଉଛି। ସମଗ୍ର ଦେଶରେ ବହୁ କୃଷକ ଏବଂ କୃଷି ଶ୍ରମିକ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ପରିଶ୍ରମ କରୁଛନ୍ତି। ସେମାନଙ୍କର ନିରବ ଉଦ୍ୟମ ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଠିକ୍ ସମୟରେ ହସ୍ତକ୍ଷେପ ନିଶ୍ଚିତ କରିଛି ଯେ ଅମଳ କାର୍ଯ୍ୟରେ ତଥା ଗ୍ରୀଷ୍ମ ଫସଲ ଲଗାଇବାରେ ସର୍ବନିମ୍ନ ବାଧା ନାହିଁ।
କରୋନା ସମୟରେ କୋହଳ କରାଯାଇଥିବା କାର୍ଯ୍ୟାବଳୀ ଉପରେ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଥିବାବେଳେ ଏହା କୃଷି କାର୍ଯ୍ୟର ସୁଗମ କାର୍ଯ୍ୟକୁ ମଧ୍ୟ ସୁନିଶ୍ଚିତ କରିଛି ବୋଲି କେନ୍ଦ୍ର କହିଛି।
ରବି ଫସଲ ଅମଳକୁ ହିସାବକୁ ନେଲେ ୩୧୦ ଲକ୍ଷ ହେକ୍ଟରରେ ବୁଣାଯାଇଥିବା ମୋଟ ଗହମ ମଧ୍ୟରୁ ୬୩-୬୭% ଅମଳ ହୋଇସାରିଛି। ରାଜ୍ୟ ଭିତ୍ତିରେ ଅମଳ ମଧ୍ୟପ୍ରଦେଶରେ ୯୦-୯୫%କୁ ବୃଦ୍ଧି ପାଇଛି। ସେହିଭଳି ଏପରି ଅମଳ ରାଜସ୍ଥାନରେ ୮୦-୮୫%, ଉତ୍ତରପ୍ରଦେଶରେ ୬୦-୬୫%, ହରିୟାଣାରେ ୩୦-୩୫% ଏବଂ ପଞ୍ଜାବରେ ୧୦-୧୫% ବୃଦ୍ଧି ହୋଇଛି। ହରିୟାଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ଅମଳ ଶିଖରରେ ପହଞ୍ଚିଛି। ଏପ୍ରିଲ୍ ଶେଷ ସୁଦ୍ଧା ଅମଳ ଶେଷ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର କହିଛି।
ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଗୁଜୁରାଟ, କର୍ଣ୍ଣାଟକ, କେରଳ, ଓଡିଶା, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ୨୮ ଲକ୍ଷ ହେକ୍ଟରରେ ବୁଣାଯାଇଥିବା ଖରା ଦିନିଆ ଧାନ ଅମଳର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ଏସବୁ ଅଞ୍ଚଳରେ ଅମଳ ସମୟ ଭିନ୍ନ ଭିନ୍ନ ରହିବ ବୋଲି କେନ୍ଦ୍ର କହିଛି।
ସୂଚନାଯୋଗ୍ୟ ଯେ, ଗ୍ରୀଷ୍ମ ଫସଲ ଚାଷ କରିବା ଭାରତରେ ଏକ ପୁରାତନ ପରମ୍ପରା। ବିଶେଷକରି ଖାଦ୍ୟ ଶସ୍ୟର ଅତିରିକ୍ତ ଘରୋଇ ଆବଶ୍ୟକତା ପୂରଣ କରିବା ଏବଂ ଗୃହପାଳିତ ପଶୁଙ୍କ ଆବଶ୍ୟକତା ମେଣ୍ଟାଇବାକୁ ଏହା କରାଯାଇଥାଏ। କୃଷି ମନ୍ତ୍ରଣାଳୟ ଏବଂ କୃଷକ ଗୋଷ୍ଠୀ ବୈଜ୍ଞାନିକ ଉପାୟରେ ଡାଲି ଓ ତୈଳବୀଜ ଚାଷ କରିବା ପାଇଁ ପଦକ୍ଷେପ ନେଇଛନ୍ତି ବୋଲି କେନ୍ଦ୍ର କହିଛି।