୫୦ ବର୍ଷରେ ଧ୍ୱଂସ ପାଇଛି ୬୮% ଜୈବ ବିବିଧତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଗତ ପାଞ୍ଚ ଦଶନ୍ଧି ବା ୫୦ ବର୍ଷ ଭିତରେ ବିଶ୍ୱ ପ୍ରାୟ ପ୍ରତି ୧୦ ଜୈବବିବିଧ ପ୍ରଜାତି ସଂଖ୍ୟାରୁ ୭ ଜଣଙ୍କୁ ହରେଇ ସାରିଛି। ଏହି ପ୍ରକ୍ରିୟାରେ ସବୁଠୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ମଧୁର ଜଳରେ ବସବାସ କରୁଥିବା ପ୍ରଜାତି। ଏହି ସମୟ ମଧ୍ୟରେ ମଧୁର ଜଳରେ ବସବାସ କରୁଥିବା ଜୀବମାନଙ୍କ ମଧ୍ୟରୁ ପ୍ରାୟ ୮୪% ପ୍ରତିଶତ ଲୋପ ପାଇଯାଇଛନ୍ତି। ଏଇ କିଛି ବର୍ଷ ହେଲା ସଂରକ୍ଷଣ ଅଭିଯାନ ଜୋର ଧରିଥିଲେ […]

biodiversity

Debendra Prusty
  • Published: Thursday, 10 September 2020
  • , Updated: 10 September 2020, 02:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଗତ ପାଞ୍ଚ ଦଶନ୍ଧି ବା ୫୦ ବର୍ଷ ଭିତରେ ବିଶ୍ୱ ପ୍ରାୟ ପ୍ରତି ୧୦ ଜୈବବିବିଧ ପ୍ରଜାତି ସଂଖ୍ୟାରୁ ୭ ଜଣଙ୍କୁ ହରେଇ ସାରିଛି। ଏହି ପ୍ରକ୍ରିୟାରେ ସବୁଠୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ମଧୁର ଜଳରେ ବସବାସ କରୁଥିବା ପ୍ରଜାତି। ଏହି ସମୟ ମଧ୍ୟରେ ମଧୁର ଜଳରେ ବସବାସ କରୁଥିବା ଜୀବମାନଙ୍କ ମଧ୍ୟରୁ ପ୍ରାୟ ୮୪% ପ୍ରତିଶତ ଲୋପ ପାଇଯାଇଛନ୍ତି। ଏଇ କିଛି ବର୍ଷ ହେଲା ସଂରକ୍ଷଣ ଅଭିଯାନ ଜୋର ଧରିଥିଲେ ବି ୨୦୫୦ ପୂର୍ବରୁ ପୂର୍ବ ସ୍ଥିତି ଫେରିବାର କୌଣସି ଆଶା ନାହିଁ ବୋଲି ପ୍ରକୃତି ପଇଁ ବିଶ୍ୱ ପାଣ୍ଠି ବା ଡବ୍ଲୁଡବ୍ଲୁଏଫ ପକ୍ଷରୁ ସଦ୍ୟ ପ୍ରକାଶ ପାଇଥିବା ଜୀବନ୍ତ ବିଶ୍ୱ ରିପୋର୍ଟରେ ପ୍ରକାଶ ପାଇଛି।

ଏ ସଂପର୍କରେ ସୂଚନା ଦେଇ ଏହି ସଂସ୍ଥାର ଭାରତ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ସେଜଲ ବୋରାହ କହିଛନ୍ତି ଯେ ବିଶ୍ୱ ସ୍ଥିତିଠାରୁ ଭାରତର ସ୍ଥିତି ଅଲଗା ନୁହେଁ। ଏହି ସମୟ ମଧ୍ୟରେ ଭାରତର ପ୍ରାୟ ୧୨ ପ୍ରତିଶତ ଆରଣ୍ୟକ ସ୍ତନ୍ୟପାୟୀ ଏବଂ ୩ ପ୍ରତିଶତ ପକ୍ଷୀ ପ୍ରଜାତି ବିଲୋପନ ପ୍ରକ୍ରିୟାର ଶେଷ ପାହାଚରେ ପହଂଚିସାରିଛନ୍ତି। ଠିକ ସେହିପରି ୧୯ ପ୍ରତିଶତ ଉଭୟଚର ପ୍ରଜାତି ମଧ୍ୟ ସଂକଟଜନକ ସ୍ଥିତିରେ ପହଂଚିଛନ୍ତି।

ଲିଭିଂ ପ୍ଲାନେଟ୍‌ ଇଣ୍ଡେକ୍ସ ବା ଜୀବନ୍ତ ବିଶ୍ୱ ସୂଚକାଙ୍କ ରିପୋର୍ଟରେ ୨୧ ହଜାର ପ୍ରକାର ସ୍ତନ୍ୟପାୟୀ, ପକ୍ଷୀ, ମାଛ, ସରୀସୃପ ଓ ଉଭୟଚର ପ୍ରାଣୀ ପ୍ରଜାତିଙ୍କ ସଂପର୍କରେ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟ ଅନୁସାରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅନ୍ୟୁନ ୪୫ ପ୍ରତିଶତ ଜୈବ ବିବିଧତା ଧ୍ୱଂସ ପାଇସାରିଛି। କ୍ୟାରିବୀୟ ଓ ଲାଟିନ ଆମେରିକା ଅଞ୍ଚଳର ୯୪ ପ୍ରତିଶତ ଜୈବ ବିବିଧତା ନଷ୍ଟ ହୋଇସାରିଛି। ଏହି ସମୟ ମଧ୍ୟରେ ବିଶେଷକରି ମଧୁରଜଳ ଜୈବବିବିଧତା ପ୍ରତି ସର୍ବାଧିକ ବିପଦ ସୃଷ୍ଟି ହୋଇଛି।

ରିପୋର୍ଟ ଅନୁସାରେ ପ୍ରତି ୩ଟି ମଧୁର ଜଳ ପ୍ରାଣୀ ପ୍ରଜାତିରୁ ୧ଟି ଏବେ ବିଲୁପ୍ତପ୍ରାୟ। ଭାରତର ଅବସ୍ଥା ଅଧିକ ସଂଗୀନ। ୨୦୩୦ ସୁଦ୍ଧା ଭାରତରେ ଯେତିକି ମଧୁର ଜଳ ରହିଥିବା ଚାହିଦା ତାହାର ଦୁଇ ଗୁଣ ବୃଦ୍ଧି ପାଇଥିବ। ଏବେ ଦେଶର ପ୍ରମୁଖ ୨୦ ନଦୀ ଅବବାହିକାରୁ ୧୪ଟି ଉପରେ ସର୍ବାଧିକ ଚାପ ରହିଛି। ଆଗକୁ ଏହା ଅଧିକ ଉତ୍କଟ ହେବ ବୋଲି ବୋରାହ୍‌ ଆଶଙ୍କା ପ୍ରକାଶ କରିଛନ୍ତି। ତାଙ୍କ ତଥ୍ୟ ଅନୁସାରେ ଗତ ଚାରି ଦଶନ୍ଧି ମଧ୍ୟରେ ଭାରତର ଏକ ତୃତୀୟାଂଶ ଆର୍ଦ୍ରଭୂମି ନଷ୍ଟ ହୋଇସାରିଛି। ସେଠାରେ ଥିବା ଜୈବବିବିଧତା ମଧ୍ୟ ଲୋପ ପାଇଛି।

ଜୀବନ୍ତ ବିଶ୍ୱ ରିପୋର୍ଟ ଅନୁସାରେ ପାଣିପାଗ ଓ ଜୈବବିବିଧତା ଦୃଷ୍ଟିରୁ ପୃଥିବୀର ପ୍ରତ୍ୟେକ ଅଞ୍ଚଳ ପରସ୍ପର ସହିତ ଅଙ୍ଗାଙ୍ଗି ଭାବେ ଜଡ଼ିତ। ଗୋଟେ ଅଞ୍ଚଳରେ କିଛି ପରିବର୍ତ୍ତନ ଘଟିଲେ ତାହାର ପ୍ରଭାବ ଅନ୍ୟ ଅଞ୍ଚଳ ଉପରେ ପଡ଼ିପାରେ। ଉଦାହରଣ ସ୍ୱରୂପ ୨୦୧୮ ମସିହାରେ ଆରବ ଉପଦ୍ୱୀପରେ ଦୁଇଟି ବଡ଼ ଧରଣ ଘୂର୍ଣ୍ଣିବାତ୍ୟା ହେବାରୁ ପ୍ରବଳ ବୃଷ୍ଟିପାତ ହୋଇଥିଲା। ତେଣୁ ସେଠାରେ ପ୍ରବଳ ପଙ୍ଗପାଳ ଜନ୍ମ ନେଇଥିଲେ। ସେହିସବୁ ପଙ୍ଗପାଳ ୨୦୧୯ ମସିହାରେ ଭାରତ ସମେତ ଦକ୍ଷିଣ ଏସିଆରେ ଆତଙ୍କ ସୃଷ୍ଟି କରିଥିଲେ। ଠିକ ସେହି ସମୟରେ ଭାରତ ଓ ପାକିସ୍ତାନର ଅନେକ ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ମରୁଡ଼ି ପଡ଼ିଥିଲା। ଏହା ଫଳରେ ଅନେକ ଜୀବସତ୍ତା ବିପନ୍ନ ହୋଇଥିଲେ। ଏହି ରିପୋର୍ଟ ଅନୁସାରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଜୈବବିବିଧତା ପ୍ରତି ପ୍ରମୁଖ ତିନିଟି ବିପଦ ଦେଖାଦେଇଛି। ଜମି ବ୍ୟବହାରରେ ପରିବର୍ତ୍ତନ ୪୫ ପ୍ରତିଶତ ବିପଦ ଡାକି ଆଣିଥିବାବେଳେ ୨୭ ପ୍ରତିଶତ ବିପଦ ବିଭିନ୍ନ ପ୍ରଜାତିର ଅତ୍ୟଧିକ ବ୍ୟବହାର ଏବଂ ୧୪ ପ୍ରତିଶତ ବିପଦ ବ୍ୟାଧିରୁ ସୃଷ୍ଟି ହୋଇଛି।

ପ୍ରକୃତି ସହିତ ମଣିଷର ସଂପର୍କ ଭାଙ୍ଗିଯାଉଥିବାରୁ ଏଭଳି ଅନେକ ବିପଦ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ୨୦୨୦ ମସିହାରେ ବନାଗ୍ନି, ପଙ୍ଗପାଳ ଓ କୋଭିଡ଼-୧୯ ପରି ମହାମାରୀ ଏହି ସଂପର୍କ-ହୀନତାର ପରିଣତି। ଚଳିତ ବର୍ଷ ପ୍ରାରମ୍ଭରେ ଡବ୍ଲୁଡବ୍ଲୁଏଫ ପକ୍ଷରୁ ପ୍ରକାଶ ପାଇଥିବା ଅନ୍ୟ ଏକ ରିପୋର୍ଟରେ ବନ୍ୟଜନ୍ତୁ ଓ ଜୈବବିବିଧତା ସହିତ କିପରି ମହାମାରୀ ଓ ବନ୍ୟପଶୁବାହୀ ରୋଗ ସଂକ୍ରମଣ ମଧ୍ୟରେ ସଂପର୍କ ଥିବା ପ୍ରକାଶ ପାଇଥିଲା। ଡବ୍ଲୁଡବ୍ଲୁଏଫ-ଭାରତର ମୁଖ୍ୟ କାର୍ଯ୍ୟନିର୍ବାହୀ ରବି ସିଂହ କୁହନ୍ତି, ଭାରତ ପରି ଏକ ବୃହତ ବିବିଧ ଦେଶରେ ସହରାୟନ, ଶିଳ୍ପାୟନ, ପ୍ରଦୂଷଣ ଓ ମୃତ୍ତିକାକ୍ଷୟ ଆଦି କାରଣରୁ ଜଙ୍ଗଲ, ପ୍ରାକୃତିକ ଆର୍ଦ୍ରଭୂମି ଓ ସାମୁଦ୍ରିକ ଜୈବବିବିଧତା ଦ୍ରୁତଗତିରେ ହ୍ରାସ ପାଇଚାଲିଛି। ସେଥିପାଇଁ ବହୁ ପ୍ରକାର ନୂତନ ବ୍ୟାଧି ସଂକ୍ରମଣ ବୃଦ୍ଧି ସହିତ ଖାଦ୍ୟ ସଂକଟ ଓ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହୋଇଛି। ଏହାର ମୁକାବିଲା କରିବା ପାଇଁ ଭାରତ ସରକାର ପ୍ରକୃତି ଓ ଜୈବବିବିଧତାର ସୁରକ୍ଷା ଓ ସଂରକ୍ଷଣ ଉପରେ ସର୍ବାଧିକ ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଛନ୍ତି।

ଚଳିତ ବର୍ଷ ବିଶ୍ୱ ଆର୍ଥନୀତିକ ମଞ୍ଚ ପକ୍ଷରୁ ପ୍ରକାଶ ପାଇଥିବା ଅନ୍ୟ ଏକ ରିପୋର୍ଟରେ ସାରା ପୃଥିବୀରେ ଜୀବିକା ପ୍ରତି ସୃଷ୍ଟି ହୋଇଥିବା ବିପଦର କାରଣ ଅର୍ଥନୀତି ନୁହେଁ ବରଂ ପାରିବେଶିକ ଅଧୋଗତି ବୋଲି ଉଲ୍ଲେଖ କରାଯାଇଥିଲା। ଉଗ୍ର ପାଣିପାଗ, ପାଗ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, ଜୈବବିବିଧତା ନଷ୍ଟ ଏବଂ ମନୁଷୃକୃତ ପାରିବେଶିକ ବିପର୍ଯ୍ୟୟ ଯୋଗୁଁ ମଣିଷର ଜୀବିକା ପ୍ରତି ବିପଦ ବୃଦ୍ଧି ପାଉଥିବା ଏଥିରେ ଉଲ୍ଲେଖଥିଲା। ଜନସଂଖ୍ୟା ବୃଦ୍ଧି ସହିତ ପୃଥିବୀର ସମ୍ବଳ ଉପରେ ମଧ୍ୟ ଚାପ ବୃଦ୍ଧି ପାଇଚାଲିଛି। ଏବେ ପ୍ରକୃତିର ଉତ୍ପାଦିକା ଶକ୍ତିଠାରୁ ମଣିଷର ଚାହିଦା ୧.୫୬ ଗୁଣ ଅଧିକ ହୋଇଯାଇଛି। ଅର୍ଥାତ ପ୍ରକୃତି ଯେତେ ସୃଷ୍ଟି କରୁଛି ମଣିଷ ତା’ଠାରୁ ଅଧିକ ଖର୍ଚ୍ଚ କରୁଛି। ମିଳିତ ଜାତିସଂଘର ଏକ ହିସାବ ଅନୁସାରେ ଗତ ୬୦ ବର୍ଷରେ ମଣିଷର ପରିବେଷ୍ଟନୀ ପଦଚିହ୍ନ ୧୭୩ ପ୍ରତିଶତ ବୃଦ୍ଧି ପାଇଛି। ପରିବେଷ୍ଟନୀ ପଦଚିହ୍ନ ହେଉଛି ପ୍ରକୃତି ଓ ପରିବେଶ ଉପରେ ମଣିଷର ପ୍ରଭାବ ଯୋଗୁଁ ସୃଷ୍ଟି ହେଉଥିବା ପରିବର୍ତ୍ତନ। ମଣିଷ ଯୋଗୁଁ ହିଁ ପୃଥିବୀର ପରିବେଶ ଓ ପ୍ରକୃତି ଅଧିକରୁ ଅଧିକ ଚାପଗ୍ରସ୍ତ ହୋଇଚାଲିଛି।

Related story