ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା କରିବା ପାଇଁ ମୋଦି ସରକାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି, ତା’କୁ ଦେଶର ୯୩%ରୁ ଅଧିକ ଲୋକ ସମର୍ଥନ କରିଛନ୍ତି। କରୋନା ମୁକାବିଲାରେ ମୋଦି ସରକାର ବେଶ ସଫଳତା ହାସଲ କରିଛନ୍ତି ଓ ଆଗକୁ ସବୁ ସମସ୍ୟାର ସମାଧାନ କରିବାକୁ ସେ ବେଶ ପାରଙ୍ଗମ। ମୋଦି ସରକାର ବେଶ ସଶକ୍ତ ଭାବେ କରୋନାକୁ ନିୟନ୍ତ୍ରଣ କରିଛନ୍ତି ବୋଲି ହୋଇଥିବା ଜନମତ ସର୍ଭେର ଫଳାଫଳରେ କୁହାଯାଇଛି।
ଆଇଏଏନଏସ-ସି-ଭୋଟରର କୋଭିଡ-୧୯ ଟ୍ରାକର ପକ୍ଷରୁ କରୋନା ମୁକାବିଲାରେ ଭାରତ ସରକାର କେତେ ସଫଳ ବୋଲି ପ୍ରଶ୍ନକୁ ନେଇ ସର୍ଭେ କରାଯାଇଥିଲା। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର ଏପ୍ରିଲ ୨୫ରେ ପ୍ରଥମଥର ପାଇଁ ୨୧ ଦିନିଆ ଲକଡାଉନ ଜାରି କରିଥିଲେ। ଏହି ଲକଡାଉନ ଦ୍ୱାରା କ’ଣ କରୋନା ସଂକ୍ରମଣକୁ ରୋକାଯାଇପାରିବ କି ବୋଲି ପ୍ରଶ୍ନ ଉଠିଥିଲା।
ସେତେବେଳେ ଏହାକୁ ୭୬.୮% ଲୋକ ସମର୍ଥନ କରିଥିଲେ। ହେଲେ ସମୟକ୍ରମେ ଏହି ଲକଡାଉନ ସଫଳ ହୋଇଛି ବୋଲି ଅନେକ ମତ ଦେଇଛି। ମୋଦି ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା କରିବା ପରେ ଏହା କରୋନା ଦିଗରେ ଅଧିକ ସହାୟକ ହେବ ବୋଲି କୁହାଯାଇଛି। ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ୯୩.୫% ଲୋକ ସମର୍ଥନ କରିଛନ୍ତି।
ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଥିଲା ଯେ “ମୁଁ ଭାବୁଛି ଭାରତ ସରକାର ବେଶ ଦକ୍ଷତାର ସହ କରୋନା ମୁକାବିଲା କରିଛନ୍ତି।” ଏହି ପ୍ରଶ୍ନକୁ ନେଇ ସର୍ଭେ ସଂସ୍ଥା ମାର୍ଚ୍ଚ ୧୬ରୁ ଏପ୍ରିଲ ୨୧ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚିଥିଲା। ପ୍ରାଥମିକ ପର୍ଯ୍ୟାୟରେ ଦେଶର ୭୬.୮% ଲୋକ କରୋନା ମୁକାବିଲା କରିବାରେ ମୋଦି ସରକାରଙ୍କ ଉପରେ ସେମାନଙ୍କର ବିଶ୍ୱାସ ଅଛି ବୋଲି କହିଥିଲେ।
ତେବେ ଏପ୍ରିଲ ୨୧ ବେଳକୁ ୯୩.୫% ଲୋକ ମୋଦି ସରକାର କରୋନାକୁ ଉଚିତ ମାର୍ଗରେ ମୁକାବିଲା କରୁଛନ୍ତି ବୋଲି କହିଛନ୍ତି।
ଏକାଧିକ ଦେଶ ମୋଦି ସରକାର କରୋନା ପାଇଁ ନେଇଥିବା ପଦକ୍ଷେପକୁ ପ୍ରଶଂସା କରୁଛନ୍ତି ବୋଲି ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟ୍ୱିଟ କରି କହିଛନ୍ତି। ସେ କହିଛନ୍ତି, “ସମଗ୍ର ବିଶ୍ୱ ମୋଦି ଯେଉଁଭଳି ଭାବେ କରୋନାକୁ ମୁକାବିଲା କଲେ, ତା’ର ପ୍ରଶଂସା କରୁଛି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଭାରତୀୟଙ୍କ ସୁରକ୍ଷା ସହ ବିଶ୍ୱର ଅନ୍ୟରାଷ୍ଟ୍ରଙ୍କୁ ସହଯୋଗ କରୁଛନ୍ତି। ପ୍ରତ୍ୟେକ ଭାରତୀୟ ତାଙ୍କ ନେତୃତ୍ୱରେ ବିଶ୍ୱାସ କରିବା ସହ ନିଜକୁ ସୁରକ୍ଷିତ ମଣୁଛନ୍ତି।##