ମୁମ୍ୱାଇ: ନିଜ ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ପ୍ରଧାନମନ୍ତ୍ରୀଙ୍କୁ ଏବେ ଶୁଣିବାକୁ ମିଳିଛି କଟାକ୍ଷ। ପୂର୍ବରୁ ବହୁ ବିପକ୍ଷ ନେତା ପ୍ରଧାମନ୍ତ୍ରୀଙ୍କୁ ତାଙ୍କ ଦାଢ଼ି ପାଇଁ କଟାକ୍ଷ କରିଥିବା ବେଳେ ଏଥର ଜଣେ ସାଧାରଣ ଲୋକ ଏଥିରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରର ବାରମତିର ଅନିଲ ମୋରେ ନାମକ ଚା ଦୋକାନୀ ଦାଢ଼ି କାଟିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୧୦୦ ଟଙ୍କା ମନିଅର୍ଡର କରିଛନ୍ତି। ଅନିଲ କହିଛନ୍ତି ଯେ, ଲକଡାଉନ ଯୋଗୁ ବହୁ ଲୋକଙ୍କ କାମ ଠପ୍ ହୋଇଯାଇଛି। ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ପ୍ରଧାନମନ୍ତ୍ରୀ କିଛି ବଢ଼ାଇବାକୁ ଚାଁହୁଥିଲେ ରୋଜଗାର ବଢ଼ାନ୍ତୁ। ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ର ବଢ଼ାନ୍ତୁ, ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଧ୍ୟାନ ଦିଅନ୍ତୁ।
ଏହାବ୍ୟତୀତ ସେ କହିଛନ୍ତି, ମୁଁ ନିଜ ରୋଜଗାରରୁ ୧୦୦ଟଙ୍କା ମୋଦିଙ୍କ ନିକଟକୁ ପଠାଇଛି, ଯେଉଁଥିରେ ମୋଦି ନିଜ ଦାଢ଼ି କାଟି ପାରିବେ। ଏଥିସହ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଦେଶର ସର୍ବୋଚ୍ଚ ନେତା। ତାଙ୍କୁ ଆକ୍ଷେପ କରି କହିବା, ଅସୁବିଧାରେ ପକାଇବା ଆମ ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଲକଡାଉନ ଯୋଗୁ ଦେଶରେ ଲକ୍ଷ ଲକ୍ଷ ଲୋକ ହଇରାଣ ହେଉଛନ୍ତି, ଖାଇବାକୁ ପାଉନାହାନ୍ତି। ମନି ଅର୍ଡର ସହ ପଠାଇଥିବା ଚିଠିରେ ଅନିଲ ନିଜ ମନର ବ୍ୟଥା ବଖାଣିଛନ୍ତି l
କରୋନାରେ ପ୍ରାଣ ହରାଇଥିବା ପ୍ରତି ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ଲକଡାଉନ ଯୋଗୁ ପ୍ରତି ପରିବାରକୁ ୩୦ ହାଜର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଅନିଲ ଏକ ଘରୋଇ ହସ୍ପିଟାଲ ସମ୍ମୁଖରେ ଚା ଦୋକାନ କରି ପରିବାର ଚଳାଉଥିବା ବେଳେ ଲକଡାଉନ ଯୋଗୁ ଗତ ଦେଢ଼ ବର୍ଷ ହେବ ତାଙ୍କ ଦୋକାନ ବନ୍ଦ ଅଛି। କାମ ନଥିବାରୁ ଏବେ ଦୁଇ ମୁଠା ଖାଇବା ଯୋଗାଡ଼ କରିବା କଷ୍ଟକର ହୋଇପଡୁଥିବାରୁ ନିଜ ସମସ୍ୟା ସମ୍ପର୍କରେ ସେ ରେଜିଷ୍ଟ୍ରି ଚିଠି ପଠାଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।
ସୂଚନାଯୋଗ୍ୟ କରୋନା ମହାମାରୀ ଯୋଗୁ ଦୀର୍ଘଦିନ ହେବ ଲକଡାଉନ ଚାଲୁଥିବାରୁ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଗଲାଣି l ବହୁ ଲୋକଙ୍କ ପାଇଁ କର୍ମ ସଂସ୍ଥାନ ନଥିବା ବେଳେ ବହୁ ଲୋକ ଦୁଇ ମୁଠା ଖାଇବା ଯୋଗାଡ଼ କରି ପାରୁ ନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।