ଅଧିକ କାମ କରୁଥିବା ଯୋଗୁ ମୋତେ ସମାଲୋଚନା କରାଯାଉଛି: ମୋଦି

ସାଂଘାଇ: ’ଅଧିକ କାମ କରୁଥିବା ଯୋଗୁଁ ମୋତେ ସମାଲୋଚନା କରାଯାଉଛି। ତେବେ ୧୨୫ କୋଟି ଭାରତୀୟଙ୍କ ଲାଗି ମୁଁ କାମ କରୁଛି। ମୋ ଜୀବନର ପ୍ରତିଟି କ୍ଷଣ ଏହି ୧୨୫ କୋଟି ଲୋକଙ୍କ ଲାଗି ଦେଉଛି। ଏହା ଯଦି ଏକ ଅପରାଧ, ତା’ହେଲେ ମୁଁ ଏହି ଅପରାଧ କରିବାକୁ ଅଧିକ ପସନ୍ଦ କରିବି।’ ଚୀନ ଗସ୍ତର ଅନ୍ତିମ ଦିବସର ଶେଷ କାର୍ଯ୍ୟକ୍ରମରେ ଆଜି ଏ କଥା କହିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାଂଘାଇରେ ଭାରତୀୟ ବଂଶୋଦ୍ଭବଙ୍କୁ […]

modiinsanghai

modiinsanghai

Rakesh Mallick
  • Published: Saturday, 16 May 2015
  • Updated: 16 May 2015, 10:48 AM IST

Sports

Latest News

ସାଂଘାଇ: ’ଅଧିକ କାମ କରୁଥିବା ଯୋଗୁଁ ମୋତେ ସମାଲୋଚନା କରାଯାଉଛି। ତେବେ ୧୨୫ କୋଟି ଭାରତୀୟଙ୍କ ଲାଗି ମୁଁ କାମ କରୁଛି। ମୋ ଜୀବନର ପ୍ରତିଟି କ୍ଷଣ ଏହି ୧୨୫ କୋଟି ଲୋକଙ୍କ ଲାଗି ଦେଉଛି। ଏହା ଯଦି ଏକ ଅପରାଧ, ତା’ହେଲେ ମୁଁ ଏହି ଅପରାଧ କରିବାକୁ ଅଧିକ ପସନ୍ଦ କରିବି।’ ଚୀନ ଗସ୍ତର ଅନ୍ତିମ ଦିବସର ଶେଷ କାର୍ଯ୍ୟକ୍ରମରେ ଆଜି ଏ କଥା କହିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାଂଘାଇରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଥିଲେ। ତାଙ୍କର ବିଦେଶ ଗସ୍ତକୁ ଅନେକ ପସନ୍ଦ କରୁ ନାହାନ୍ତି ବୋଲି କହି ମୋଦି ଏ କଥା କହିଥିଲେ।

ମୋଦି କହିଥିଲେ ଯେ ତାଙ୍କ ବାଓଡାଟା ଦେଖି କେହି ତାଙ୍କୁ ପ୍ରଧାନମନ୍ତ୍ରୀ କରି ନଥା’ଆନ୍ତା। ସମାଲୋଚନା ସତ୍ତ୍ୱେ ସେ ଅଧିକ କାମ କରିବେ।

ମୋଦିଙ୍କ ବାରମ୍ବାର ବିଦେଶ ଗସ୍ତକୁ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ସମାଲୋଚନା କରି ଆସୁଛନ୍ତି। ଏନେଇ ବ୍ୟଙ୍ଗ କରି ଅନେକ ମନ୍ତବ୍ୟ ବି ଦେଇ ଆସୁଛନ୍ତି। ତେବେ ଏନେଇ ମୁହଁ ବନ୍ଦ ରଖିଥିବା ମୋଦି ଆଜି ଏହାର ଜବାବ ସାଂଘାଇରେ ଭାରତୀୟ ବଂଶୋଦ୍ଭଙ୍କୁ ସମ୍ବୋଧିତ କରିବା ଅବସରରେ ଏହିଭଳି ଭାବେ ଦେଇଥିଲେ।

ଚୀନରେ ରହୁଥିବା ଭାରତୀୟ ବଂଶୋଦ୍ଭବମାନଙ୍କୁ ସମ୍ବୋଧିତ କରି ମୋଦି କହିଥିଲେ ଯେ ଏବେ ସେମାନେ ସାରାବିଶ୍ୱରେ ଗର୍ବର ସହିତ ମୁଣ୍ଟ ଉଠାଇ ଭାରତୀୟ ବୋଲି କହିପାରିବେ। ପୂର୍ବରୁ ଭାରତ ବିଭିନ୍ନ କ୍ଷେତ୍ରରେ ପଛୁଆ ରହିଥିଲା ବୋଲି ଆପଣମାନେ ନିଜକୁ ଭାରତୀୟ ବୋଲି କୁଣ୍ଠାବୋଧ କରୁଥିଲେ। ତେବେ ଭାରତ ସ୍ଥିତି ବଦଳିଛି। ଭାରତୀୟମାନେ ଯେମିତି ଭାରତ ଚାହୁଁଥିଲେ ଏବେ ସେହି ପଥରେ ଆଗେଇ ଚାଲିଛି ଭାରତ। ଏବେ ସାରା ବିଶ୍ୱ କହୁଛି ଯେ ଭାରତ ଅର୍ଥନୀତି ଦ୍ରୁତ ଗତିରେ ବଢୁଛି। ତେଣୁ ଯଦି ଆମେ ଆମ ଦେଶକୁ ସମ୍ମାନ ଦେବା ନାହିଁ, ତା’ହେଲେ ଆଉ କେହି ସମ୍ମାନ କରିବେ ନାହିଁ।

indians

ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କର ଚୀନ ଗସ୍ତକୁ ସାରା ବିଶ୍ୱ ନିଜର ରଖିଛି। କାରଣ ଏକବିଂଶ ଶତାବ୍ଦୀ ଏସିଆର ବୋଲି ସମସ୍ତେ ଜାଣିଛନ୍ତି। ଆଉ ଭାରତ ଓ ଚୀନର ସଂପର୍କକୁ ବିଶ୍ୱବାସୀ ନିରେଖି ଦେଖୁଛନ୍ତି। ଭାରତ ଓ ଚୀନର ସୁସଂପର୍କକୁ ଆଗେଇ ନେବା ଦିଗରେ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି। ଭାରତ ଓ ଚୀନ ଏକାଠି ମିଶି କାମ କଲେ ବିଶ୍ୱର ଅନେକ ସମସ୍ୟାର ସମାଧାନ ସହଜରେ ହୋଇପାରିବ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ମୋଦି ସାଂଘାଇରେ ଚୀନର ୨୨ଟି ବଡ଼ ବଡ଼ କଂପାନୀର ସିଇଓଙ୍କୁ ଭେଟିଥିଲେ। ଇଣ୍ଡିଆ-ଚାଇନା ବିଜନେସ୍ ଫୋରମରେ ଉଦବୋଧନ ଦେଇଥିଲେ। ଏହି ଅବସରେ ଦୁଇ ଦେଶ ମଧ୍ୟରେ ପ୍ରାୟ ୨୨ ବିଲିୟନ ଡଲାରର ୨୦ଟି ଘରୋଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

ସାଂଘାଇରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରିବା ପରେ ଚୀନ ଛାଡ଼ିଥିଲେ ମୋଦି। ସେ ମଙ୍ଗୋଲିଆ ଅଭିମୁଖେ ଯାତ୍ରା କରିଥିଲେ। ମଙ୍ଗୋଲିଆ ଗସ୍ତ ସାରି ସେ ଦକ୍ଷିଣ କୋରିଆ ଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos