ନୂଆଦିଲ୍ଲୀ: ଏରୋଇଣ୍ଡିଆ ଶୋ’ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ୍ ଯୁଦ୍ଧବିମାନରେ ଆଜି ଉଡ଼ାଣ ଭରିଥିଲେ ଜଣେ ସ୍ୱତନ୍ତ୍ର ବିମାନ ଯାତ୍ରୀ। ବେଙ୍ଗାଲୁରୁଠାରେ ଆୟୋଜିତ ଏରୋ ଶୋ’ରେ ଦୁଇଟି ଆସନ ବିଶିଷ୍ଟ ଏହି ଯୁଦ୍ଧବିମାନର ପାଇଲଟ୍ଙ୍କ ପଛ ସିଟରେ ବସି ଉଡ଼ାଣ ଭରିଥିଲେ ସେନାଧ୍ୟକ୍ଷ ଜେନେରାଲ ବିପିନ୍ ରାୱତ୍। ୟେଲାହାଙ୍କା ଏୟାରଫୋର୍ସ ଷ୍ଟେସନ ଉପରେ କିଛି ସମୟ ଚକ୍କର କାଟିବା ପରେ ଏହା ଅବତରଣ କରିଥିଲା ।
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏବଂ ସବୁଠାରୁ ହାଲୁକା ସୁପରସୋନିକ୍ ଜେଟ୍ ଭାବରେ ପରିଚିତ ଏହି ଯୁଦ୍ଧବିମାନରେ ଜେନେରାଲ ରାୱତ୍ ପ୍ରଥମ ଥର ପାଇଁ ଉଡ଼ାଣ ଭରିଥିଲେ। ଆଜି ସରକାରଙ୍କ ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଆଡଭାଇଜର ମଧ୍ୟ ଏଥିରେ ଉଡ଼ାଣ ଭରିବେ ।
ଯଦିଓ ଏହାର ରେଞ୍ଜ ବହୁତ କମ୍, ଅନ୍ୟ ଯୁଦ୍ଧ ବିମାନ ଭଳି ଏହା ଆଧୁନିକ ଯୁଦ୍ଧାସ୍ତ୍ର ବୋହିପାରିବ। ପ୍ରତିରକ୍ଷା ନିବେଶକ, ସରକାରୀ ଅଧିକାରୀ ଏବଂ ସେନା ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉଡ଼ାଣ ଭରିବା ପାଇଁ ଅପେକ୍ଷାରତ ଅଛନ୍ତି ।