ଏନ୍‌ଆର୍‌ସି ପରେ ୟୁନିଫର୍ମ ସିଭିଲ କୋଡ୍‌ ନେଇ ସଙ୍କେତ ଦେଲା ଆରଏସ୍‌ଏସ୍‌

ଭୁବନେଶ୍ୱର: ଭାରତରୁ ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ଏନ୍‌ଆରସି ଲାଗୁ କରାଯିବା ପରି ୟୁନିଫର୍ମ ସିଭିଲ କୋଡ୍‌ ବା ଏକ ନାଗିରିକ ସଂହିତା ଲାଗୁ ସପକ୍ଷରେ ମତ ରଖିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ (ସାଧାରଣ ସମ୍ପାଦକ) ସୁରେଶ ଭୈୟାଜୀ ଯୋଷୀ। ଭୁବନେଶ୍ୱରରେ ଚାଲିଥିବା ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ଅନ୍ତିମ ଦିବସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୈୟାଜୀ କହିଥିଲେ, “ଏହି ଦାବି ବହୁ ପୁରୁଣା। ସମ୍ବିଧାନ ନିର୍ମାଣ ସମୟରେ ଏ ବିଷୟରେ ନିର୍ଣ୍ଣୟ କରାଯିବା […]

rss

Subrat Kumar Nayak
  • Published: Friday, 18 October 2019
  • , Updated: 18 October 2019, 10:32 PM IST

ଭୁବନେଶ୍ୱର: ଭାରତରୁ ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ଏନ୍‌ଆରସି ଲାଗୁ କରାଯିବା ପରି ୟୁନିଫର୍ମ ସିଭିଲ କୋଡ୍‌ ବା ଏକ ନାଗିରିକ ସଂହିତା ଲାଗୁ ସପକ୍ଷରେ ମତ ରଖିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ (ସାଧାରଣ ସମ୍ପାଦକ) ସୁରେଶ ଭୈୟାଜୀ ଯୋଷୀ। ଭୁବନେଶ୍ୱରରେ ଚାଲିଥିବା ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ଅନ୍ତିମ ଦିବସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୈୟାଜୀ କହିଥିଲେ, “ଏହି ଦାବି ବହୁ ପୁରୁଣା। ସମ୍ବିଧାନ ନିର୍ମାଣ ସମୟରେ ଏ ବିଷୟରେ ନିର୍ଣ୍ଣୟ କରାଯିବା ଦରକାର ଥିଲା। ସରକାର ଏ ଦିଗରେ ପ୍ରୟାସ କରିବା ଉଚିତ। କୌଣସି ଦେଶରେ ନାଗରିକମାନଙ୍କ ପାଇଁ ଏକ ସମାନ ଆଇନ୍ ହେବା ଉଚିତ। ମୁଁ ବିନା ସଙ୍କୋଚରେ କହିବାକୁ ଚାହେଁ ଏହା ଦେଶ ପାଇଁ, ଦେଶର ବିକାଶ ପାଇଁ ଏବଂ ସର୍ବୋପରି ସମସ୍ତଙ୍କ ପାଇଁ ହିତକର।” ସୂଚନାଯୋଗ୍ୟ ଯେ, ବିଭିନ୍ନ ଧର୍ମଗୁଡ଼ିକ ନିଜ ନିଜର ଆଇନକୁ ମାନିବା ନେଇ ପୂର୍ବରୁ ବିତର୍କ ଲାଗିରହିଛି। ଆରଏସ୍‌ଏସ୍‌ ଦେଶରେ ସମସ୍ତଙ୍କ ପାଇଁ ସମାନ ଆଇନ ନେଇ ଯୁକ୍ତି ରଖିଆସିଛି।

ସେ ଆହୁରି ମଧ୍ୟ କହିଥିଲେ, ସମ୍ପୂର୍ଣ୍ଣ ଦେଶରେ ଏନ୍ଆରସି ଲାଗୁ ହେବା ଉଚିତ। ସମ୍ପୂର୍ଣ୍ଣ ଦେଶରେ ଅନୁପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଏହା ସରକାରଙ୍କ କାର୍ଯ୍ୟ। ବର୍ତ୍ତମାନ ଆସାମରେ ଏହାର ପ୍ରୟୋଗ କରାଯାଇଛି, ଯାହା ସମ୍ପୂର୍ଣ୍ଣ ଦେଶରେ ଲାଗୁ କରାଯିବା ଉଚିତ ବୋଲି ଭୈୟାଜୀ ଉଲ୍ଲେଖ କରିଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ, ସମ୍ପୂର୍ଣ୍ଣ ଦେଶରେ ରାଷ୍ଟ୍ରୀୟ ସ୍ୱୟଂସେକ ସଂଘ ପକ୍ଷରୁ ୧ ଲକ୍ଷ ୫୦ରୁ ଉର୍ଦ୍ଧ୍ୱ ସେବାକାର୍ଯ୍ୟ ଚାଲୁ ରହିଛି। ୨୦ଟି ସ୍ଥାନରେ ଚିକିତ୍ସାଳୟ ଏବଂ ୧୫ଟି ରକ୍ତ ଭଣ୍ଡାର ମଧ୍ୟ ରହିଛି। ସେ କହିଥିଲେ ଯେ, ପାକୃତିକ ବିପର୍ଯ୍ୟୟ ସମୟରେ ସଂଘ ବିଭିନ୍ନ ସହାୟତା କାର୍ଯ୍ୟ ଆରମ୍ଭ ଦିନରୁ ଚାଲୁ ରଖିଥିଲା ହେଲେ ୧୯୮୯ ମସିହାରୁ ଏକ ବିଧିବଦ୍ଧ ଭାବରେ ସେବା କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରାଗଲା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ସ୍ୱୟଂସେବକମାନଙ୍କ ଦ୍ୱାରା ଦେଢ଼ଲକ୍ଷରୁ ଊର୍ଦ୍ଧ୍ୱ ସେବା ପ୍ରକଳ୍ପ ଚାଲୁ ରହିଛି। ୨୦ଟି ସ୍ଥାନରେ ସ୍ୱୟଂସେବକମାନେ ୫୦ ରୁ ୧୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସଂଚାଳିତ କରୁଛନ୍ତି। ଏହା ବ୍ୟତୀତ ୧୫ଟି ରକ୍ତ ଭଣ୍ଡାର ମଧ୍ୟ କାର୍ଯ୍ୟରତ ଯାହା ସେ ଅଞ୍ଚଳର ୫୦ ପ୍ରତିଶତ ରକ୍ତ ଆବଶ୍ୟକତା ପୂରଣ କରି ପାରୁଛି। ଏହାଛଡ଼ା ଦିବ୍ୟାଙ୍ଗମାନଙ୍କ ସେବା କ୍ଷେତ୍ରରେ ମଧ୍ୟ ସ୍ୱଂୟସେବକମାନେ କାର୍ଯ୍ୟ କରୁଛନ୍ତି। ପ୍ରତିବର୍ଷ ୩ ହଜାରରୁ ୪ ହଜାର ନେତ୍ରଦାନ ସ୍ୱୟଂସେବକମାନଙ୍କ ପ୍ରଚେଷ୍ଠାରେ ସଫଳ ହୋଇ ପାରୁଛି।

ଭୈୟାଜୀ ଆହୁରି ମଧ୍ୟ କହିଥିଲେ, ଏହାଛଡ଼ା ଗ୍ରାମବିକାଶ କ୍ଷେତ୍ରରେ ମଧ୍ୟ ସ୍ୱୟଂସେବକମାନଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ୨୫୦ଟି ଗ୍ରାମରେ ସେହି ଗ୍ରାମବାସୀଙ୍କ ସହଯୋଗକୁ ନେଇ ବିକାଶର ମଡେଲ୍‌ ପ୍ରତିଷ୍ଠା କରାଯାଇଛି। ସେ କହିଥିଲେ ଯେ ଆମର ପରିକଳ୍ପନା ହେଉଛି ଗ୍ରାମର ବିକାଶ ପାଇଁ ସେଠାକାର ନିବାସୀ ନିଜ ଇଛାରେ କାର୍ଯ୍ୟ କରନ୍ତୁ। ସଂଘ ଏଥିରେ ସହଯୋଗ କରିବ।

ଆରଏସ୍‌ଏସ୍‌ ସରକାର୍ଯ୍ୟବାହ ଭୈୟାଜୀ କହିଥିଲେ, ଗ୍ରାମବିକାଶର ମଡେଲରେ ୫ଟି କ୍ଷେତ୍ର ଯଥା ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ସାମାଜିକ ସଦ୍ଭାବନା ଏବଂ ସ୍ୱାବଲମ୍ବନକୁ ସାମିଲ କରାଯାଇଛି। ଦେଶର ଏକଲକ୍ଷରୁ ଅଧିକ ଗ୍ରାମରେ ସଂଘର ବିଚାରକୁ ବୁଝିବା, ସହଯୋଗ କଲାଭଳି ବ୍ୟକ୍ତିବିଶେଷ ରହିଛନ୍ତି। ପ୍ରତିଦିନ ସଂଘର ଶାଖାକୁ ଆସୁଥିବା ସ୍ୱୟଂସେବକମାନଙ୍କର ସଂଖ୍ୟା ୫ ଲକ୍ଷରୁ ଊର୍ଦ୍ଧ୍ୱ। ଯେଉଁମାନଙ୍କର ବୟସ ୧୬ ବର୍ଷରୁ ଅଧିକ। ଏହାଛଡ଼ା ୧୬ ବର୍ଷରୁ କମ୍ ବୟସର ୪ଲକ୍ଷ ସ୍ୱୟଂସେବକ ମଧ୍ୟ ପ୍ରତିଦିନ ଶାଖା ଆସୁଛନ୍ତି। ଦେଶରେ ୫୯ହଜାର ଗ୍ରାମୀଣ ମଣ୍ଡଳ ମଧ୍ୟରୁ ପାଖାପାଖି ୩୦ ହଜାର ଗ୍ରାମରେ ସଂଘକାର୍ଯ୍ୟ ଚାଲୁରହିଛିା

ସେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବାବଦରେ କହିଥିଲେ, ମନ୍ଦିର ନିର୍ମାଣ ପାଇଁ ସମସ୍ତ ବାଧା ଦୂର କରାଯିବା ଆବଶ୍ୟକ। ବର୍ତ୍ତମାନ ଏ ମାମଲାର ଶୁଣାଣି ସମାପ୍ତ ହୋଇ ସାରିଛି। ଆମେ ଆଶାକରୁ ଯେ, ନ୍ୟାୟାଳୟର ନିର୍ଣ୍ଣୟ ହିନ୍ଦୁ ସମାଜ ସପକ୍ଷରେ ଯିବ। ଅଦାଲତ ବାହାରେ ଏହି ସମସ୍ୟାର ସମାଧାନକୁ ନେଇ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ସଦ୍ଭାବନା ପୂର୍ବକ ସମସ୍ୟାର ସମାଧାନ କରିବା ନିମନ୍ତେ ଅନେକ ପ୍ରଚେଷ୍ଟା କରାଯାଇଥିଲା। ଯଦି ଏହା ସମ୍ଭବ ହୋଇଥାନ୍ତା, ତାହାହେଲେ ସମ୍ରଗ ବିଶ୍ୱରେ ଭାରତର ପ୍ରତିଷ୍ଠା ବଢ଼ିଥା’ନ୍ତା । ଆମେ ମଧ୍ୟ ଏଭଳି ପ୍ରଚେଷ୍ଟାକୁ ସ୍ୱାଗତ କରିଥିଲୁ, କିନ୍ତୁ ଏହା ସମ୍ଭବ ହୋଇ ପାରିଲା ନାହିଁ। ଯଦ୍ୱାରା ନ୍ୟାୟାଳୟରେ ଅନେକ ସମୟ ଧରି ମାମଲାର ବିଚାର ଚାଲିଥିଲା। ବର୍ତ୍ତମାନ ନ୍ୟାୟାଳୟରେ ଶୁଣାଣି କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଛି। ବର୍ତ୍ତମାନ ଆମକୁ ନିର୍ଣ୍ଣୟକୁ ପ୍ରତୀକ୍ଷା କରିବାକୁ ହେବ।

ସେ ଆହୁରି ମଧ୍ୟ କହିଥିଲେ, “ସୁରକ୍ଷାଗତ କାରଣ ଯୋଗୁଁ କଶ୍ମିରୀ ପଣ୍ଡିତମାନେ ନିଜ ଘର ଛାଡ଼ି ପଳାୟନ କରିବାକୁ ବାଧ୍ୟ ହୋଇଥିଲେ। ଆମେ ଚାହୁଁ ଯେ କଶ୍ମୀରରେ ସୁରକ୍ଷାର ବାତାବରଣ ଫେରିଆସୁ। କଶ୍ମୀର ହିନ୍ଦୁ ସମାଜ ନିଜ ଘରକୁ ସୁରକ୍ଷା ପୂର୍ବକୁ ଫେରି ଆସନ୍ତୁ। ଅଖଣ୍ଡ ଭାରତ ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ଯେ, ବିଭାଜିତ ଭାରତର ସମସ୍ତ ଅଞ୍ଚଳରେ ଏକ ପ୍ରକାର ସାଂସ୍କୃତିକ ଧାରା ରହିଛି । ପଶ୍ଚିମବଙ୍ଗରେ ଜାରି ରହିଥିବା ହିଂସାକାଣ୍ଡକୁ ନେଇ ସେ କହିଲେ ଯେ, ଏହା ସରକାରଙ୍କ ଦାୟିତ୍ୱ ଯେ, ସେ ନିଜ ନାଗିରିକମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ। ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ବାମପନ୍ଥୀଙ୍କ ଶାସନ କାଳରେ ସମ୍ପୂର୍ଣ୍ଣ ସମାଜ ଭୟର ବାତାବରଣ ଭିତରେ ଥିଲା କିନ୍ତୁ ବର୍ତ୍ତମାନ ଗୋଟିଏ ନିର୍ଦ୍ଦିଷ୍ଟ ସମାଜକୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି ।” ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାର ଓ ଅଖିଳ ଭାରତୀୟ ସହ-ପ୍ରଚାର ପ୍ରମୁଖ ଶ୍ରୀ ନରେନ୍ଦ୍ର ଠାକୁର ମଧ୍ୟ ଉପସ୍ଥିତ ଥିଲେ।

Related story