ମଦ ବିକ୍ରି ପରେ ହୁହୁ ହୋଇ ବଢ଼ିଲା ରାଜସ୍ୱ, ରେକର୍ଡ କଲା କର୍ଣ୍ଣାଟକା

ନୂଆଦିଲ୍ଲୀ: କରୋନା ପାଇଁ ପୂର୍ବରୁ ଲାଗୁ ହୋଇଥିବା ୨ ପର୍ଯ୍ୟାୟ ଲକଡାଉନରେ ରାଜ୍ୟଗୁଡ଼ିକ ରାଜସ୍ୱ ସଂଗ୍ରହରେ ଯେଉଁସବୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତୃତୀୟ ପର୍ଯ୍ୟାୟରେ କିଛିଟା ଆଶ୍ୱସ୍ତ ଲାଭ କରିଛନ୍ତି। ଲକଡାଉନ ୩.୦ରେ ମଦ ବିକ୍ରିକୁ ଅନୁମତି ମିଳିବାରୁ ରାଜ୍ୟଗୁଡ଼ିକରେ ଏହାକୁ କିଣିବାକୁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ସୋମବାର ଓ ମଙ୍ଗଳବାର ଦୁଇ ଦିନରେ ମଦ ବିକ୍ରିରୁ ରାଜ୍ୟଗୁଡ଼ିକ କୋଟି କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଛନ୍ତି। ରେଡ ଜୋନରେ ଥିବା ଦିଲ୍ଲୀରେ ବି ମଦ […]

v

Hemant Lenka
  • Published: Wednesday, 06 May 2020
  • , Updated: 06 May 2020, 04:12 PM IST

ନୂଆଦିଲ୍ଲୀ: କରୋନା ପାଇଁ ପୂର୍ବରୁ ଲାଗୁ ହୋଇଥିବା ୨ ପର୍ଯ୍ୟାୟ ଲକଡାଉନରେ ରାଜ୍ୟଗୁଡ଼ିକ ରାଜସ୍ୱ ସଂଗ୍ରହରେ ଯେଉଁସବୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତୃତୀୟ ପର୍ଯ୍ୟାୟରେ କିଛିଟା ଆଶ୍ୱସ୍ତ ଲାଭ କରିଛନ୍ତି। ଲକଡାଉନ ୩.୦ରେ ମଦ ବିକ୍ରିକୁ ଅନୁମତି ମିଳିବାରୁ ରାଜ୍ୟଗୁଡ଼ିକରେ ଏହାକୁ କିଣିବାକୁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି।

ସୋମବାର ଓ ମଙ୍ଗଳବାର ଦୁଇ ଦିନରେ ମଦ ବିକ୍ରିରୁ ରାଜ୍ୟଗୁଡ଼ିକ କୋଟି କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଛନ୍ତି। ରେଡ ଜୋନରେ ଥିବା ଦିଲ୍ଲୀରେ ବି ମଦ ଦୋକାନା ଖୋଲିଛି। କରୋନା ଯୋଗୁ କ୍ଷତିଗ୍ରସ୍ତ ମହରାଷ୍ଟ୍ର ବି ମଦ ବିକ୍ରିକୁ ଅନୁମତି ଦେଇଛି।

ହେଲେ ଓଡ଼ିଶା ଭଳି ଏମିତି କିଛି ରାଜ୍ୟ ଅଛନ୍ତି ଯେଉଁମାନେ ନିଜର ରାଜସ୍ୱ କଥାକୁ ଭୁଲି କରୋନା ସଂକ୍ରମଣକୁ ରୋକିବା ପାଇଁ ଏଯାଏ ମଦ ଦୋକାନା ଖୋଲିବାକୁ ଅନୁମତି ଦେଇନାହାନ୍ତି। ମହାରାଷ୍ଟ୍ରର ମୁମ୍ବାଇରେ ଉଦ୍ଧବ ସରକାର ମଙ୍ଗଳବାର ଠାରୁ ମଦ ଦୋକାନ ଖୋଲିବା ଉପରେ ରୋକ ଲଗାଇଛନ୍ତି। ତେବେ ଯେଉଁ ସବୁ ରାଜ୍ୟରେ ମଦ ଦୋକାନ ଖୋଲିଛି, ସେମାନେ ଦ୍ରୁତ ଗତିରେ ରାଜସ୍ୱ ସଂଗ୍ରହ କରିବାରେ ଲାଗିଛନ୍ତି।

ସୋମବାର ଠାରୁ ବିଭନ୍ନ ରାଜ୍ୟରେ ମଦ ଦୋକାନ ଖୋଲିଛି। ଲୋକମାନେ ଲମ୍ବା ଲମ୍ବା ଲାଇନ କରି ପେଟି ପେଟି ମଦ କିଣିବାରେ ବ୍ୟସ୍ତ ରହିଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ଆଶଙ୍କା ଯେ କାଳେ ପୁଣିଥରେ ମଦ ଦୋକାନ ବନ୍ଦ ହୋଇଯିବ। ସେଥିପାଇଁ ସେମାନେ ଅଧିକ ପରିମାଣର ମଦ ଏକାଥର କେ କିଣି ନେଇଯାଉଛନ୍ତି।

ଏହାର ଫାଇଦା ମଦ ଦୋକାନୀ ଓ ରାଜ୍ୟ ସରକାରଙ୍କୁ ମଧ୍ୟ ହେଉଛି। ମଙ୍ଗଳବାର ମହାରାଷ୍ଟ୍ରରେ ୬୨ କୋଟି ଟଙ୍କାର ବିଦେଶୀ ମଦ, ଦେଶୀ ମଦ, ୱାଇନ ଓ ବିୟର ବିକ୍ରି ହୋଇଛି। କେବଳ ମୁମ୍ବାଇରେ ଲକଡାଉନ ପୂର୍ବରୁ ପ୍ରତିଦିନ ଯେତିକି ବିକ୍ରି ହୁଏ, ସୋମବାର ତା’ଠାରୁ ୬ରୁ ୭ ଗୁଣା ଅଧିକ ମଦ ଲୋକେ କିଣିଥିଲେ। ଥାନେ ଓ ନାଭି ମୁମ୍ବାଇରେ ମଦ ଦୋକାନ ଖୋଲି ନଥିବାରୁ ଲୋକମାନେ ମୁଲୁଣ୍ଡ ଓ ଚେମ୍ବୁର ଆସି ମଦ କିଣିଛନ୍ତି।

କର୍ଣ୍ଣାଟକା ମଦ ବିକ୍ରିରେ ସବୁ ରେକର୍ଡ ଭାଙ୍ଗି ଦେଇଛି। ସୋମବାର ଏଠାରେ ୪୫ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ବେଳେ ମଙ୍ଗଳବାର ଏହା ରେକର୍ଡ କରିଛି। ରାଜ୍ୟରେ ଗୋଟିଏ ଦିନରେ ୧୯୭ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ପୂର୍ବରୁ କର୍ଣ୍ଣାଟକାରେ ଗୋଟିଏ ଦିନରେ ସର୍ବାଧିକ ୧୭୦ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। ୨୦୧୯ ଡିସେମ୍ବର ୨୮ରେ ଏହି ରେକର୍ଡ ହୋଇଥିଲା।

ମଦର ଚାହିଦାକୁ ଦେଖି କର୍ଣ୍ଣାଟକା ସରକାର ଏହା ଉପରେ ୫ରୁ ୧୫% ଯାଏ କୋଭିଡ ଟିକସ ଲାଗୁ କରିବାକୁ ଯୋଜନା କରୁଛନ୍ତି। ଲକଡାଉନ ଯୋଗୁ କର୍ଣ୍ଣାଟକା ସରକାର ଅବକାରୀ ଟିକସ ବାବଦରେ ପାଇବାକୁ ଥିବା ୨୬୦୦ କୋଟି ଟଙ୍କା ହରାଇଛନ୍ତି। ତେଣୁ ଏପରି ଟିକସ ଲାଗୁ କରି ସରକାର ଏହାର ଭରଣ କରିବାକୁ ଚାହୁଁଛନ୍ତି।

ସୋମବାର ଭଳି ମଙ୍ଗଳବାର ବି ଉତ୍ତର ପ୍ରଦେଶରେ ୧୦୦ କୋଟିରୁ ଅଧିକ ମଦ ବିକ୍ରି ହୋଇଛି। ଏହା ସ୍ୱାଭାବିକ ଠାରୁ ୪୦ରୁ ୫୦% ଅଧିକ। ଦିଲ୍ଲୀ ସରକାର ମଦର ଏମଆରପି ଉପରେ ୭୦% କୋଭିଡ ଟିକସ ଲଗାଇଛନ୍ତି। ତଥାପି ଲୋକମାନେ ଏହାକୁ କିଣିବାକୁ ପ୍ରବଳ ଭିଡ଼ କରିଥିଲେ। ଏହି ଟିକସ ବାବଦରେ ସରକାରଙ୍କୁ ମଙ୍ଗଳବାର ଅତିରିକ୍ତ ୫ କୋଟି ଟଙ୍କା ମିଳିଛି।

ଆନ୍ଧ୍ର ପ୍ରଦେଶ ସରକାର ୭୫% ଟିକସ ଲାଗୁ କରିଥିବା ବେଳେ ହରିଆଣା ସରକାର ମଧ୍ୟ ମଦ ଉପରେ ୫୦ ଟଙ୍କାର ଅତିରିକ୍ତ ଦର ଲାଗୁ କରିଛନ୍ତି। ମୋଟାମୋଟି ଦେଖିବାକୁ ଗଲେ ଦେଶରେ ମଦର ଚାହିଦା ପୂର୍ବାପେକ୍ଷା ୩୦% ଅଧିକ ବୃଦ୍ଧି ପାଇଛି। ଏଥିପାଇଁ ରାଜ୍ୟଗୁଡ଼ିକ ନିଜର ରାଜସ୍ୱ ବୃଦ୍ଧି କରିବାରେ ଲାଗିଛନ୍ତି।

Related story