ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ଜମି ବିବାଦ ମାମଲାରେ ଆସିଥିବା ରାୟର ୩ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଙ୍କ ମନ୍ଦିର ପାଇଁ ଟ୍ରଷ୍ଟ ଘୋଷଣା କରିଛନ୍ତି। ତେବେ ଏହା ପରେ ପରେ ଏହି ମାମଲାର ଅନ୍ୟତମ ପକ୍ଷ ସୁନ୍ନି ୱାକ୍ଫ ବୋର୍ଡ ମଧ୍ୟ ୫ ଏକର ଜମି ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ମସଜିଦ୍ ପାଇଁ ବୋର୍ଡ ‘ଇଣ୍ଡୋ-ଇସଲାମିକ୍ କଲଚର ଟ୍ରଷ୍ଟ’ ଗଠନ କରିବ।
ଅଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି, ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଗଠିତ ହେବାକୁ ଥିବା ଟ୍ରଷ୍ଟର ନାମ ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ରଖାଯିବ। ସେ ଲୋକସଭାରେ ହିଁ ଏହି ବିଷୟରେ ଘୋଷଣା କରିଥିଲେ। ଏହାପରେ ପରେ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ୫ ଏକର ଜମି ମସଜିଦ୍କୁ ଦେଇଛନ୍ତି। ଏହା ମନ୍ଦିର ଜମିଠାରୁ ୨୫ କିଲୋମିଟର ଦୂରରେ ରହିଛି।
ଏହାପରେ ୱାକ୍ଫ ବୋର୍ଡ ପକ୍ଷରୁ ଏହି ୫ ଏକର ଜମିକୁ ବିଭିନ୍ନ କାମରେ ଲଗାଇବା ପାଇଁ ଯୋଜନା ହୋଇଛି। ବର୍ତ୍ତମାନ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଏଠାରେ ଏକ ଶିକ୍ଷାନୁଷ୍ଠାନ, ଏକ ହସ୍ପିଟାଲ, ଏକ ଲାଇବ୍ରେରୀ, ଆଧୁନିକ ଇସଲାମିକ୍ ଲର୍ଣ୍ଣିଂ ଆଦି ପ୍ରତିଷ୍ଠା ହେବାର ଅଛି। ତେବେ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇନାହିଁ।
ତେବେ ପ୍ରଧାନମନ୍ତ୍ରୀଙ୍କ ଟ୍ରଷ୍ଟ ଘୋଷଣା ପରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସି ସୁପ୍ରିମକୋର୍ଟଙ୍କ ରାୟକୁ ପୁନର୍ବାର ସମାଲୋଚନା କରିଥିଲେ। ସେ କହିଥିଲେ, ଯଦି ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଜେଏସ୍ ବର୍ମା କହିଥିଲେ ‘ସୁପ୍ରିମକୋର୍ଟ ନିର୍ଭୁଲ ହୋଇପାରିବେନି’ ତାହାଲେ ଓୱେସି ପୁଣି କିଏ। ମୁସଲିମ୍ ସମୁଦାୟ ୫ ଏକର ଜମିକୁ ଅଗ୍ରାହ୍ୟ କରିଥିବା ସେ କହିଛନ୍ତି। ସେ କହିଛନ୍ତି ସୁନ୍ନି, ସିଆ ଏବଂ ଅନ୍ୟ ବିଶ୍ୱାସର ମୁସଲିମ୍ ସ୍କଲାରଙ୍କୁ ନେଇ ଗଠିତ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ଏହାକୁ ଅଗ୍ରାହ୍ୟ କରିଛି।
ଏହାର କାରଣ ସ୍ୱରୂପ ସେ କହିଛନ୍ତି, “ଥରେ ଯେଉଁଠାରେ ମସଜିଦ୍ ଥିଲା ଲୋକେ ସେଠାରେ ପ୍ରାର୍ଥନା କରିସାରିଛନ୍ତି। ଜଣେ କିଏ ଭାଙ୍ଗିଦେବାପରେ, ଯାହାକୁ ସୁପ୍ରିମକୋର୍ଟ ଅପରାଧିକ କାର୍ଯ୍ୟ ଏବଂ ଜାତୀୟ ଲଜ୍ଜା କହିଛନ୍ତି ଆମେ ଏକ ବିକଳ୍ପ ଜମି ନେଇପାରିବୁନାହିଁ। ପୁରା ସଂଗ୍ରାମ ମସଜିଦ୍ ପାଇଁ ଥିଲା, ବିକଳ୍ପ ଜମି ନୁହେଁ।”