ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଗୋଟିଏ ଦିନ ପୂର୍ବରୁ ପ୍ରଚାର ଉପରେ ନିର୍ବାଚନ କମିଶନ୍ ରୋକ୍ ଲଗାଇବା ନିଷ୍ପତ୍ତିକୁ ସମାଲୋଚନ କରିଛନ୍ତି ବହୁଜନ ସମାଜ ପାର୍ଟି (ବିଏସ୍ପି) ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ।
ସେ କହିଛନ୍ତି, ଆଜି ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କର ଦୁଇଟି ରାଲି ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଆଜି ରାତି ୧୦ଟା ପରେ ପ୍ରଚାର ଉପରେ ରୋକ୍ ଲଗାଇଛନ୍ତି। ଯଦି ପ୍ରଚାର ଉପରେ ରୋକ୍ ଲଗାଇବାର ଥିଲା, ତା’ହେଲେ ଆଜି ସକାଳଠୁ କାହିଁକି ଲାଗୁ କରା ଗଲାନି? ନିର୍ବାଚନ କମିଶନ୍ ପ୍ରଧାନମନ୍ତ୍ରୀଙ୍କ ଚାପରେ କାମ କରୁଛନ୍ତି।
ମାୟାବତୀ ଆହୁରି କହିଛନ୍ତି ଯେ, ବିଜେପି ସଭାପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣିଶୁଣି ଯୋଜନାବଦ୍ଧ ଭାବରେ ମମତାଙ୍କୁ ହଇରାଣ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏହା ଶୋଭା ଦେଉନି।
ଖାଲି ବିଏସ୍ପି ନୁହେଁ, ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ମଧ୍ୟ ନିର୍ବାଚନ କମିଶନ୍ଙ୍କ ଏହି ନିଷ୍ପତ୍ତିକୁ ନେଇ ସମାନ ଅଭିଯୋଗ କରିଛନ୍ତି।
ଏ ପ୍ରସଙ୍ଗରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା କହିଛନ୍ତି, ନିର୍ବାଚନ ବେଳେ 'ମଡେଲ୍ କୋଡ୍ ଅଫ୍ କଣ୍ଡକ୍ଚ’ ଏବେ 'ମୋଦି କୋଡ୍ ଅଫ୍ କଣ୍ଡକ୍ଟ' ପାଲଟି ଯାଇଛି। ୧୬ ତାରିଖ ରାତିରେ ହୋଇଥିବା ହିଂସାକାଣ୍ଡ ଗଣତନ୍ତ୍ର ଇତିହାସରେ କଳାଦିନ ହୋଇ ରହିଯିବ।
ଟିଏମ୍ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୋଦିଙ୍କୁ ଉପହାର ଦେବାକୁ ଯାଇ ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ନିର୍ବାଚନ କମିଶନ୍ ଧାରା ୩୨୪ ଲଗାଇଛନ୍ତି।
ସୂଚନାଯୋଗ୍ୟ, ମେ’ ୧୯ ତାରିଖରେ ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ମଙ୍ଗଳବାର ସଂଧ୍ୟାରେ ଅମିତ ଶାହ ନର୍ଥ କୋଲକାତାରେ ଏକ ରୋଡ୍ ଶୋ’ କରିଥିଲେ। ଏହି ରୋଟ୍ ଶୋ’ ବେଳେ ହିଂସାକାଣ୍ଡ ଘଟିଥିଲା। ଏହାକୁ ନେଇ ବିଜେପି ଓ ଟିଏମ୍ସି ପରସ୍ପରକୁ ଦୋଷାରୋପ କରିଛନ୍ତି। ହିଂସାକାଣ୍ଡ ଘଟଣାକୁ ନେଇ ରାଜନୀତି ତୀବ୍ର ହେବା ପରେ ନିର୍ବାଚନ କମିଶନ ଗତକାଲି ଗୋଟିଏ ଦିନ ଆଗରୁ ପ୍ରଚାର ଉପରେ ରୋକ୍ ଲଗାଇଥିଲେ।