‘ଏୟାର ଇଣ୍ଡିଆକୁ ବିକ୍ରି କରିବା ‘ଦେଶ ବିରୋଧୀ’ କାମ’
ନୂଆଦିଲ୍ଲୀ: ରୋକଠୋକ୍ କଥା ପାଇଁ ପରିଚିତ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ। ଏବେ ସରକାରଙ୍କ ଏୟାର ଇଣ୍ଡିଆ ବିମାନ ବିକ୍ରି ନିଷ୍ପତ୍ତି ବାବଦରେ ମତ ରଖି ନିଜ ଦଳର ସରକାରଙ୍କୁ ଘେରିଛନ୍ତି। ଏୟାର ଇଣ୍ଡିଆ ବିମାନ ବିକ୍ରି ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବାକୁ ସ୍ୱାମୀ ବିରୋଧ କରିଛନ୍ତି। ସରକାର ଏୟାର ଇଣ୍ଡିଆକୁ ବିକ୍ରି କରିବା ଦେଶ ବିରୋଧୀ କାମ ସହିତ ସମାନ। ଆବଶ୍ୟକ ପଡ଼ିଲେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସେ କହିଛନ୍ତି।
ସ୍ୱାମୀ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି, ‘ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ସମସ୍ତ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି। ବିକ୍ରି ପାଇଁ ଯେଉଁ ଡିଲ୍ ହେବ ତାହା ସମ୍ପୂର୍ଣ୍ଣ ବେଆଇନ୍। ତେଣୁ ଆବଶ୍ୟକ ପଡ଼ିଲେ ମୁଁ କୋର୍ଟ ଯିବି’।
Air India disinvestment process restarts today https://t.co/72eklh9C3g: THIS DEAL IS WHOLLY ANTI NATIONAL and IWILL FORCED TO GO TO COURT. WE CANNOT SELL OUR FAMILY SILVER
— Subramanian Swamy (@Swamy39) January 27, 2020
ସେହିପରି କଂଗ୍ରେସ ସାଂସଦ ତଥା ଆଇନଜୀବୀ କପିଲ ଶିବଲ କହିଛନ୍ତି, ଭାରତ ସରକାର ପାଖରେ ଟଙ୍କା ନାହିଁ ତେଣୁ ଶେୟାର ବିକ୍ରି କରିବାକୁ ଯାଇ ଏଭଳି ନିଷ୍ପତ୍ତି ନେଇଛି।
ଋଣ ବୋଝରେ ଥିବା ଏୟାର ଇଣ୍ଡିଆ ବିମାନ ବିକ୍ରି କରିବା ପାଇଁ ସରକାର ଆଜିଠୁ ନିଲାମୀ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାର ୧୦୦ ପ୍ରତିଶତ ଅଂଶଧନ ବିକ୍ରି ପାଇଁ ନିଲାମି ଡ଼ାକିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରିସ୍ତରୀୟ ଟିମ ଗଠିତ ହୋଇଥିଲା। ବିମାନ କମ୍ପାନୀ ଆର୍ଥିକ ବୋଝରୁ ମୁକୁଳାଇବାକୁ ଯାଇ ଏହାକୁ ଘରୋଇକରଣ କରିବା ପାଇଁ ମନ୍ତ୍ରୀ ସ୍ତରୀୟ ଟିମରେ ଆଲୋଚନା ହୋଇଥିଲା। ଏହାପରେ ବିମାନ କମ୍ପାନୀର ଶେୟାର ୧୦୦ ପ୍ରତିଶତ ବିକ୍ରି ପାଇଁ ନିଷ୍ପତ୍ତି ହୋଇଥିଲା। ଏୟାର ଇଣ୍ଡିଆ ଏବେ ୮୦ ହଜାର କୋଟି ଟଙ୍କା ଋଣରେ ବୁଡ଼ିଛି। ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ନିଲାମୀ ପ୍ରକ୍ରିୟା ଜାରି ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।