ନୂଆଦିଲ୍ଲୀ: ଗୁରୁବାର ଡେପୁଟୀ ଜେନେରାଲ ସିଭିଲ ଆଭିଏସନ୍ ପକ୍ଷରୁ କୁହାଯାଇଛି ଲକ୍ଡାଉନ୍ କାରଣରୁ ବିମାନ ଟିକେଟ୍ କରି ମଧ୍ୟ ଯାତ୍ରା କରିପାରିନଥିବା ଲୋକ ଅର୍ଥ ଫେରିପାଇବେ। ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ମଧ୍ୟରେ ଯାତ୍ରା କରିବା ପାଇଁ ଟିକେଟ୍ କରିଥିବା ଲୋକେ ଟିକେଟ୍ ବାତିଲ କରିବାର ୩ ସପ୍ତାହ ମଧ୍ୟରେ ଏହି ଟଙ୍କା ଫେରିପାଇବେ। ଏତଦ୍ବ୍ୟତୀତ ବାତିଲ ପାଇଁ କୌଣସି ଶୁଳ୍କ କଟାଯିବନି ବୋଲି ବିମାନ ସେବା ଯୋଗାଣକାରୀ କମ୍ପାନୀମାନଙ୍କୁ ଡିଜିସିଏ ପକ୍ଷରୁ କୁହାଯାଇଛି।
ଏଥିରେ କୁହାଯାଇଛି, ଏପ୍ରିଲ ୧୪ରୁ ମେ’ ୩ ମଧ୍ୟରେ କରାଯାଇଥିବା ଟିକେଟ୍ ମାର୍ଚ୍ଚ ୩ରୁ ଏପ୍ରିଲ ୧୪ ମଧ୍ୟରେ ବାତିଲ କରିବା ପରେ ବିନା କୌଣସି ଅତିରିକ୍ତ ଶୁଳ୍କରେ ରିଫଣ୍ଡ ହେବ। ତେବେ ଏଥିପାଇଁ ବାତିଲ କରିବାର ୩ ସପ୍ତାହପରେ କ୍ଲେମ୍ କରିବାକୁ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୫ରେ ସରିବାକୁ ଥିବା ଲକ୍ଡାଉନ୍ର ଅବଧି ମେ’ ୩ ଯାଏ ବଢ଼ାଇ ଦେଇଛନ୍ତି। ଦେଶରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଲକ୍ଡାଉନ୍ ଅବଧି ସରିବାର ଅନ୍ତିମ ଦିନ ବା ମଙ୍ଗଳବାର ମୋଦି ଏହି ବିଷୟରେ ଘୋଷଣା କରିଥିଲେ।