ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ବେଳେ ଉତ୍ତରପ୍ରଦେଶରେ ଅଖିଳେଶ ଯାଦବ ଏବଂ ରାହୁଲ ଗାନ୍ଧୀ ଏକାଠି ନଜର ଆସି ନ ପାରନ୍ତି । ମେଣ୍ଟକୁ ସମୟର ବରବାଦ ବୋଲି ଅଖିଳେଶ କହିବା ପରେ ଏହି ପ୍ରଶ୍ନ ଉଠିଛି । ପିଟିଆଇକୁ ଏକ ଇଣ୍ଟର୍ଭ୍ୟୁ ଦେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ୨୦୧୯ ପାଇଁ ଦଳକୁ ମଜବୁତ୍ କରିବା ତାଙ୍କର ପ୍ରାଥମିକତା।
୨୦୧୯ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଦଳ ସହିତ ମେଣ୍ଟ କରିବା ନେଇ ଭାବି ନ ଥିବା କହିଛନ୍ତି। ତେବେ ସମାନ ବିଚାରଧାରା ଦଳ ପାଇଁ ସମାଜବାଦୀ ପାର୍ଟିର ଦ୍ୱାର ଖୋଲା ଅଛି ବୋଲି କହିଛନ୍ତି ଅଖିଳେଶ। ୨୦୧୭ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଅଖିଳେଶ ଯାଦବ ରାହୁଲ ଗାନ୍ଧିଙ୍କ ସହିତ ମେଣ୍ଟ କରି ମଇଦାନକୁ ଓହ୍ଲାଇଥିଲେ। ତେବେ ୟୁପି ଭୋଟର ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ । ୪୦୩ ବିଧାନସଭା ଆସନରୁ ସମାଜବାଦୀ ପାର୍ଟିକୁ ୪୭ଟି ଓ କଂଗ୍ରେସକୁ ମାତ୍ର ୭ଟି ସିଟ୍ ମିଳିଥିଲା। ବିଜେପି ୩୨୫ ସିଟ୍ ଜିତି କ୍ଷମତାକୁ ଆସିଥିଲା।