ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବା ବେଳେ ହସ୍ପିଟାଲରେ ବେଡ୍ ନିଅଣ୍ଟ ନେଇ ଆଶଙ୍କା ପ୍ରକାଶ ପାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ଦୃଷ୍ଟିରେ ରଖି କେବଳ ଦିଲ୍ଲୀବାସୀ ହିଁ କୋଭିଡ ହସ୍ପିଟାଲରେ ଚିକତ୍ସିତ ହୋଇପାରିବେ ବୋଲି କହିଥିଲେ। କିନ୍ତୁ ଉପରାଜ୍ୟପାଳ ଅନୀଲ ବୈଜଲ ଏହାକୁ ବଦଳାଇ ଦେଇଛନ୍ତି।
ଏଥିସହ ଆଜି ଶ୍ରୀ ବୈଜଲ ଦିଲ୍ଲୀରେ ଥିବା କୋଭିଡ-୧୯ ହସ୍ପିଟାଲଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ, ଏଣିକି ସବୁ ହସ୍ପିଟାଲ ଆଗରେ ଏଲଇଡି ଡିସପ୍ଲେ ଲାଗିବ। ଏଥିରେ ହସ୍ପିଟାଲରେ କେତେ ବେଡ୍ ଖାଲି ପଡ଼ିଛି ଓ କେତେ ବେଡ୍ରେ ରୋଗୀ ରହିଛନ୍ତି, ତା’ର ସୂଚନା ରହିବ। ସେହିପରି କେଉଁ ବେଡ୍ର ଚାର୍ଜ କେତେ ଟଙ୍କା ରହିବ, ତା’ର ତଥ୍ୟ ମଧ୍ୟ ଡିସପ୍ଲେରେ ଉଲ୍ଲେଖ କରାଯିବ। ଏହାଦ୍ୱାରା ଲୋକମାନେ ହସ୍ପିଟାଲ ସମ୍ପର୍କରେ ସମସ୍ତ ତଥ୍ୟ ଜାଣିପାରିବେ ବୋଲି ଉପରାଜ୍ୟପାଳ ନିର୍ଦ୍ଦେଶନାମାରେ କହିଛନ୍ତି।
ଅନ୍ୟପକ୍ଷରେ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ଏଥିରେ କୁହାଯାଇଛି ଯେ ଦିଲ୍ଲୀ ସରକାର କିଛି ନିର୍ଦ୍ଦିଷ୍ଟ ହସ୍ପିଟାଲର ବେଡ୍କୁ କରୋନା ରୋଗୀଙ୍କ ପାଇଁ ସଂରକ୍ଷଣ କରି ରଖିବା ଅପେକ୍ଷା ପୂରା ହସ୍ପିଟାଲକୁ କୋଭିଡ କେୟାର ସେଣ୍ଟର ଭାବେ ଦଖଲକୁ ନିଅନ୍ତୁ ବୋଲି ଉଲ୍ଲେଖ କରାଯାଇଛି।