ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିମାସରେ ଥରେ ରବିବାର ଦିନ ‘ମନ୍ କି ବାତ୍’ ଜରିଆରେ ଆକାଶବାଣୀ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ମୋଦି ଦେଶର ପ୍ରତି ଲୋକଙ୍କ ପାଖରେ ପହଞ୍ଚିବା ସହିତ ଲୋକଙ୍କ ମତାମତ ନେଇ ନୂଆ ନୂଆ ବିଷୟ ଉପରେ ଆଲୋଚନା କରୁଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଲାଭବାନ ମଧ୍ୟ ହେଉଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକଟିର ମତାମତ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚି ପାରୁଛି। ତେବେ ଏହି କାର୍ଯ୍ୟକ୍ରମ ପାଇଁ କେବଳ ସାଧାରଣ ଲୋକ ଲାଭାନ୍ୱିତ ହୋଇଛନ୍ତି ତାହା ନୁହେଁ ଏହି କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ଆକାଶବାଣୀ ମଧ୍ୟ ଲାଭାନ୍ୱିତ ହୋଇଛି।
ବୁଧବାର ଲୋକସଭାରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜବର୍ଦ୍ଧନ ସିଂହ ରାଠୋର ମନ୍ କି ବାତ୍ କାର୍ଯ୍ୟକ୍ରମ ସହ ଜଡିତ କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ ଆକାଶବାଣୀ ୧୦ କୋଟି ଟଙ୍କା ଲାଭ ପାଇଛି। ଦୁଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ ଏତେ ଟଙ୍କାର ରାଜସ୍ୱ ପାଇଛି। ୨୦୧୫-୧୬ ଆର୍ଥିକ ବର୍ଷରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଆକାଶବାଣୀ ୪ କୋଟି ୭୮ଲକ୍ଷ ଟଙ୍କା ରାଜସ୍ୱ ପାଇଥିବା ବେଳେ ୨୦୧୬-୧୭ ଆର୍ଥିକ ବର୍ଷରେ ୫ କୋଟି ୧୯ ଲକ୍ଷ ଟଙ୍କା ପାଇଛି।
ପ୍ରଧାନମନ୍ତ୍ରୀ ଭାବେ ମୋଦି ୨୬ ମେ ୨୦୧୪ରେ ଶପଥ ନେବା ପରେ ୩ ଅକ୍ଟୋବରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ପ୍ରତି ମାସର ଯେକୌଣସି ରବିବାରରେ ଏହି କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ମୋଦି। ବର୍ତ୍ତମାନ ପର୍ଯ୍ୟନ୍ତ ୩୩ ଥର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିସାରିଲେଣି ପ୍ରଧାନମନ୍ତ୍ରୀ।