ନୂଆଦିଲ୍ଲୀ: ପାଣିପାଗ ବିଭାଗ ବିରୋଧରେ ଥାନାରେ ଅଭିଯୋଗ। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଭଲ ବର୍ଷା ନ ହେବାରୁ ଜଣେ ଚାଷୀ ଏହି ଅଭିଯୋଗ ଆଣିଛନ୍ତି। ମହାରାଷ୍ଟ୍ରର ମରାଠୱାଡା ଗ୍ରାମର ଚାଷୀମାନେ ଏଭଳି ଅଭିଯୋଗ ଆଣିଛନ୍ତି। ଚାଷୀମାନଙ୍କ କହିବା ଅନୁଯାୟୀ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ସେମାନେ ଫସଲ ପାଇଁ ପ୍ରସ୍ତୁତି ହୋଇଥିଲେ। ହେଲେ ସେହି ଅନୁଯାୟୀ ବର୍ଷା ନ ହେବାରୁ ସେମାନଙ୍କୁ ହତାସ୍ ହେବାକୁ ପଡିଛି।
ତେବେ ଥାନାରେ ଗଙ୍ଗା ନାମକ ଜଣେ ଚାଷୀ ଏତଲା ଦେଇଛନ୍ତି। ତାଙ୍କର କହିବା ଅନୁଯାୟୀ ପାଣିପାଗ ବିଭାଗ ପୂର୍ବାନୁମାନ କରି ଜୁନ୍ ମାସରେ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ହେବ ବୋଲି କହିଥିଲା। ତେଣୁ ଚାଷୀମାନେ ଏହି ସୂଚନାର ଆଧାରରେ ଫସଲ ଲଗାଇଥିଲେ। ସେଥିପାଇଁ ସାର,କୀଟନାଶକ ଇତ୍ୟାଦି ମଧ୍ୟ ପକାଇଥିଲେ। ହେଲେ ବର୍ଷା ହେଲା ନାହିଁ। ପାଣିପାଗ ବିଭାଗର ଏପରି ଭୁଲ ଅନୁମାନ ଯୋଗୁଁ ତାଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡିଛି ବୋଲି ସେ କହିଛନ୍ତି। ଚାଷୀମାନେ ଏହି ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ଙ୍କ ନିକଟରେ ଉଠାଇଛନ୍ତି। ଏନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।