ଗ୍ୱାଲିଅର: ୨ ଜଣ ଲୋକ ଜଣେ ମହିଳାଙ୍କ ଘରେ ଥିବା ସବୁ କୁକୁଡ଼ାଙ୍କୁ ବିଷ ଦେଇ ମାରିଦେଇଥିବା ଅଭିଯୋଗ ହୋଇଛି, ଆଉ ଏହାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ସେମାନେ ପଡ଼ୋଶୀଙ୍କ ଘରେ ଥିବା କୁକୁଡ଼ାଙ୍କୁ ଦେଖି ଲୋଭ କରିଥିଲେ। କିନ୍ତୁ ପଡ଼ୋଶୀଙ୍କ ଝିଅ ବିନା ଟଙ୍କାରେ କୁକୁଡ଼ା ଦେବାକୁ ମନା କରିବାରୁ ରାଗିଯାଇ ପଡ଼ୋଶୀଙ୍କ ସବୁ କୁକୁଡ଼ାଙ୍କୁ ବିଷ ଦେଇ ମାରିଦେଇଛନ୍ତି।
ଗୁଡି ବାଇ ନାମକ ଜଣେ ମହିଳା ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ତାଙ୍କର ୨ ପଡ଼ୋଶୀ ଗୋଟିଏ ଗଞ୍ଜା ଏବଂ ୪ଟି କୁକୁଡ଼ାକୁ ମାରି ଦେଇଛନ୍ତି। ସେ କହିଛନ୍ତି, ସେ ଜଣେ ଦିନ ମଜୁରିଆ ଏବଂ ଅଣ୍ଡା ବିକ୍ରିରୁ ଆୟ କରିବା ପାଇଁ କୁକୁଡ଼ା ପାଳିଥିଲେ। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସୁରେନ୍ଦର ଏବଂ ସୁମେର ନାମକ ତାଙ୍କର ଦୁଇ ପଡ଼ୋଶୀ ସେ ଘରେ ନଥିବାବେଳେ ଆସି କୁକୁଡ଼ା ମାଗିଥିଲେ। ଗୁଡିଙ୍କ ଝିଅ ବିନା ଟଙ୍କାରେ କୁକୁଡ଼ା ଦେବାକୁ ରୋକ୍ଠୋକ୍ ମନା କରିବାରୁ ସେମାନେ ପ୍ରଥମେ ଗଞ୍ଜାର ବେକ ମୋଡ଼ିଦେଇଥିଲେ। ଏହାପରେ ୪ଟି କୁକୁଡ଼ାକୁ ବିଷ ଦେଇଦେଇଥିଲେ। ମହିଳା ଜଣକ ଘରକୁ ପେରିବା ପରେ ତାଙ୍କ ଝିଅ ପୂରା ଘଟଣା ବଖାଣିଥିଲେ।
ବର୍ତ୍ତମାନ ଏହି ଦୁଇ ଜଣଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୪୨୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ଆଇନ ଅନୁଯାୟୀ ୫୦ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ପଶୁକୁ ତା’ର ମାଲିକର ବିନା ଅନୁମତିରେ ହତ୍ୟା କଲେ, ବିଷ ଦେଲେ ବା କୌଣସି ଅଙ୍ଗ ଅଚଳ କରିଦେଲେ ୫ ବର୍ଷର ଜେଲଦଣ୍ଡ କିମ୍ବା ଅର୍ଥଦଣ୍ଡ ଦିଆଯାଇପାରିବ। ମାଲିକଙ୍କ ସହ ବୁଝାମଣା ମଧ୍ୟ ଏ କ୍ଷେତ୍ରରେ ଗୋଟିଏ ବିକଳ୍ପ ହୋଇପାରିବ।